ତୁଳସୀ ଦାସ

 

 

 

 

 

 

 

 

 

 

 

ତୁଳସୀ ଦାସ

ଶ୍ରୀ ରାମକୃଷ୍ଣ ନନ୍ଦ

 

ଭୂମିକା

 

ମୁଁ ଯେତେବେଳେ ପ୍ରଥମେ ତୁଳସୀ ଦାସଙ୍କ ଜୀବନ ଚରିତ ପଢ଼ିଥିଲି, ସେତେବେଳେ ତାହା ମୋତେ ଏପରି ମୁଗ୍ଧ ଓ ଚମତ୍କୃତ କରି ପକାଇଥିଲା ଯେ, ଓଡ଼ିଆରେ ଉକ୍ତ ମହାତ୍ମାଙ୍କର ଖଣ୍ଡେ ଜୀବନୀ ଲେଖିବାକୁ ସେହି ଦିନରୁ ଆଶା ପୋଷିଥିଲି । ଏତେ ଦିନେ ତାହା ସଫଳ ହେଲା । ସାହିତ୍ୟ କ୍ଷେତ୍ରରେ ଏ ମୋର ପ୍ରଥମ ଉଦ୍ୟମ ।

 

ଜ୍ଞାନ ଓ ଶକ୍ତିର ଅପରିପକ୍ୱତା ହେତୁ ବହିଖଣ୍ଡି ଭ୍ରମପୂର୍ଣ୍ଣ ଓ ବିକଳାଙ୍ଗ ହୋଇଥିବ । ସେଥିପାଇଁ ମୁଁ ଦୁଃଖୀତ ନୁହେଁ । ମୋର ଏ ପୁସ୍ତକଖଣ୍ଡି ‘ସାହିତ୍ୟ–ରାଜ୍ୟ’ରେ ଆଦର ପାଉ ବା ନ ପାଉ, ମୋ ଓଡ଼ିଆ ଭାଇଭଉଣୀମାନଙ୍କୁ ଭାରତର ଦ୍ଵିତୀୟ ବାଲ୍ମୀକି ତୁଳସୀ ଦାସଙ୍କ ପରି ମହାପୁରୁଷଙ୍କର ସମ୍ୟକ୍ ପରିଚୟ ଦେବା ଦ୍ୱାରା ମୁଁ ଏକ ଅଭାବ ଦୂର କରି ପାରିଅଛି ବୋଲି ମୋର ଆନନ୍ଦ । ଏ ଖଣ୍ଡି ପାଠକରି କେହି ଯଦି ଆନନ୍ଦ ଅନୁଭବ କରନ୍ତି, ସେ କୃତିତ୍ୱ ମୋର ନୁହେଁ–ତାହା ସେହି ରାମଗତପ୍ରାଣ ମହାତ୍ମାଙ୍କର ।

 

ବହିଖଣ୍ଡି ଆକାରରେ ଅତି କ୍ଷୁଦ୍ର । ଜୀବନୀଗୁଡ଼ିକ ଛୋଟ ହେଲେ ସାଧାରଣତଃ ନୀରସ ଓ ବିରକ୍ତିକର ବୋଧ ହୁଏ । ତେଣୁ ଉପନ୍ୟାସର ଆଭରଣ ଦେଇ ଗଳ୍ପଟିକୁ ସରସ ଓ ମନୋହର କରିବାକୁ ଚେଷ୍ଟା କରିଅଛି ।

 

ଏ ପୁସ୍ତକଖଣ୍ଡ ଲେଖିବାରେ ଶ୍ରୀଯୁକ୍ତ ଶିବନନ୍ଦନ ସହାୟଙ୍କ “ଗୋସ୍ୱାମୀ ତୁଳସୀ ଦାସଜୀ” (ହିନ୍ଦୀ) ଓ ଶ୍ରୀଯୁକ୍ତ ଯୋଗୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ “ତୁଳସୀ ଦାସ” (ବଙ୍ଗଳା)ରୁ ଯଥେଷ୍ଟ ସାହାଯ୍ୟ ପାଇଅଛି । ଅତଏବ ସେମାନଙ୍କୁ ଏଠାରେ ମୋର ହୃଦୟର କୃତଜ୍ଞତା ଜଣାଉଅଛି ।

 

ପ୍ରଣେତା

ତା ୭ । ୧୦ । ୧୯୨୯

Image

 

ଉତ୍ସର୍ଗ-ପତ୍ର

 

ମୋର ପରମ ପୂଜ୍ୟ ପିତାମହ ଶ୍ରୀଯୁକ୍ତ

ବୃନ୍ଦାବନ ନନ୍ଦଙ୍କ ପବିତ୍ର କର–

କମଳରେ ଏ କ୍ଷୁଦ୍ର ପୁସ୍ତକ–

ଖଣ୍ଡି ଉତ୍ସର୍ଗ କଲି ।

 

ପ୍ରଣେତା

Image

 

ସୂଚୀପତ୍ର

 

୧.

ଜନ୍ମ, ଶୈଶବ ଓ ବାଲ୍ୟାବସ୍ଥା

୨.

ବିବାହ

୩.

ପ୍ରେମିକ

୪.

ଚୈତନ୍ୟ

୫.

ଭ୍ରାତାର ଅନ୍ୱେଷଣ

୬.

କାଶୀ ଯାତ୍ରା

୭.

ଶ୍ରୀରାମ ଦର୍ଶନ

୮.

ଘର କଥା

୯.

ପାଗଳୀ ମା

୧୦.

ଚିତ୍ରକୂଟରେ

୧୧.

ଯୋଗସିଦ୍ଧି ଓ ରାମାୟଣ ରଚନା

୧୨.

ଦୁଃଖୀରାମ

୧୩.

ରାମ ନାମ ସତ୍ୟ ହୈ

୧୪.

ଦିଲ୍ଲୀ ଗମନ

୧୫.

ବିଷମ ପରୀକ୍ଷା

୧୬.

ପ୍ରଣୟ ଡୋରି

୧୭.

ତୀର୍ଥ–ପଥେ

୧୮.

ଅଭୀଷ୍ଟ ସିଦ୍ଧି

୧୯.

ପ୍ରତିହିଂସାର ପ୍ରତିଫଳ

୨୦.

ଯୁଗଳ ମିଳନ

୨୧.

ସ୍ୱର୍ଗପ୍ରୟାଣ

୨୨.

କବିତାଶକ୍ତି

୨୩.

କାଶୀଧାମରେ ଗୋସ୍ୱାମୀଜୀଙ୍କର ବାସସ୍ଥାନ

୨୪.

ମିତ୍ର ଓ ସମ୍ମାନ

୨୫.

ତୁଳସୀ ଦାସଙ୍କ କୃତ ଦୋହାବଳୀ

Image

 

ପ୍ରଥମ ପରିଚ୍ଛେଦ

ଜନ୍ମ, ଶୈଶବ ଓ ବାଲ୍ୟାବସ୍ଥା

 

ହିନ୍ଦୀ ରାମାୟଣ ରଚୟିତା, ସାଧକଶିରୋମଣି, ଜଗତ୍‍ପୁଜ୍ୟ ମହାତ୍ମା ଗୋସ୍ୱାମୀ ତୁଳସୀ ଦାସଜୀ ୧୫୩୨ ଖ୍ରୀଷ୍ଟାବ୍ଦରେ ଜନ୍ମଗ୍ରହଣ କରିଥିଲେ ।

 

ସେ ଆଜିକି ବହୁଦିନ ତଳର କଥା । ସେତେବେଳେ ଏ ପବିତ୍ର ଭାରତ ଭୂମିରେ ଜଡ଼-ବିଜ୍ଞାନର ଆଧିପତ୍ୟ ମୋଟେ ନ ଥିଲା କହିଲେ ଚଳେ । ସୁଜଳା, ସୁଫଳା, ସ୍ୱର୍ଣ୍ଣପ୍ରସୂ ଏହି ଭାରତବର୍ଷ ଥିଲା ଆଧ୍ୟାତ୍ମ୍ୟଲୀଳାର କେନ୍ଦ୍ରସ୍ଥଳୀ । ତୁଷାରଚୂଡ଼ ହିମଗିରିର ପାଦଦେଶରୁ ସୁଦୂର କୁମାରିକା ପର୍ଯ୍ୟନ୍ତ ଜଳ, ସ୍ଥଳ, ଗଗନ ଭେଦ କରି ପବିତ୍ର ଆର୍ଯ୍ୟଧର୍ମର ମହିମାମୟ ଯଶୋଗୀତି ମଧୁର ଝଙ୍କାରରେ ନିନାଦିତ ହେଉଥିଲା । କେତେ ଯୋଗୀ, ଜ୍ଞାନୀ ଓ ମହାପୁରୁଷ ଗହନ ଗିରିକନ୍ଦରରୁ ପତିତ ମାନବଜାତିର କଲ୍ୟାଣ ପାଇଁ ସେହି ସ୍ୱର୍ଗୀୟ-ସୁଧା ଆଣି ଦେଉଥିଲେ । ବସନ୍ତର ମଳୟରେ ଭକ୍ତିରସ କଣିକା ଭାସି ଭାସି ପୂତସଲିଳା ଜାହ୍ନବୀର ପ୍ରବାହରେ ପୁଣି ମିଶି ଯାଉଥିଲା । ଆଜି ସେ ଭାରତ କାହିଁ ? ହାୟ ! ଧର୍ମ ଶବ୍ଦ ଉଚ୍ଚାରଣରେ ଯାହାଙ୍କର ପୂର୍ବପୁରୁଷମାନଙ୍କର ଶରୀର ରୋମାଞ୍ଚିତ ଓ ଚକ୍ଷୁ ଅଶ୍ରୁପୂର୍ଣ୍ଣ ହୋଇ ଉଠୁଥିଲା, ସେମାନେ ଆଜି ଅଧର୍ମ ଅଭ୍ୟାସରେ ତିଳେ ମାତ୍ର ସଙ୍କୁଚିତ ହେଉନାହାନ୍ତି । ଯେଉଁ ସ୍ଥାନ ସେତେବେଳେ ଶତ ଶତ ଭୁବନବନ୍ଦିତ ଆରାଧ୍ୟ ମହାତ୍ମାମାନଙ୍କର ତପସ୍ୟାସ୍ଥଳୀ ଥିଲା, ଆଜି ସେ ସ୍ଥାନର ବିଜନତା ଭଙ୍ଗ କରି ମୂର୍ତ୍ତିମନ୍ତ ବିରାଟ ବାଷ୍ପୀୟ ଶକଟ ଜୀବଜନ୍ତୁମନରେ ମହାତ୍ରାସ ଜନ୍ମାଉଅଛି । ସେ ଶସ୍ୟଶ୍ୟାମଳା, ‘ଧନ-ଧାନ୍ୟ-ପୁଷ୍ପ-ଭରା’ ଭାରତ ଆଉ କାହିଁ ? ଏ ଅଧଃପତନର ଗତି କେତେ ଦୂର କିଏ କହିବ ? ଛାର ମନୁଷ୍ୟର ବୁଦ୍ଧି କେତେ ଯେ ସେ ବିଶ୍ୱବିଧାତାଙ୍କର ବିଧାନ ବୈଚିତ୍ର୍ୟର କଳନା କରିପାରେ ?

 

ଯେଉଁ ସମୟର କଥା କୁହାଯାଉଅଛି ସେତେବେଳେ ମୋଗଲସମ୍ରାଟ୍ ଆକବର ଦିଲ୍ଲୀର ସିଂହାସନ ଅଳଙ୍କୃତ କରି ସାମ୍ୟନୀତିର ପରାକାଷ୍ଠା ଦେଖାଉଥିଲେ । ‘ଦିଲ୍ଲୀଶ୍ୱରୋ ବା ଜଗଦୀଶ୍ୱରୋ ବା’ ଏହି ଉକ୍ତିକୁ ମର୍ମେ ମର୍ମେ ସ୍ମରଣ କରି ଭାରତବାସୀ ଦିଲ୍ଲୀ ସମ୍ରାଟଙ୍କର ବିଶାଳ ଭୁଜଛାୟାତଳେ ଆଶ୍ରୟଲାଭ କରିଥିଲେ । କିନ୍ତୁ ହିନ୍ଦୁଧର୍ମର କୌଣସି ବିଲୟ ସେତେବେଳେ ପରିଦୃଷ୍ଟ ହୋଇ ନ ଥିଲା । ବୈଷ୍ଣବ ଧର୍ମର ବିଜୟ ବୈଜୟନ୍ତୀ ଭାରତର ଏକ ପାର୍ଶ୍ୱରୁ ଅପର ପାର୍ଶ୍ୱ ପର୍ଯ୍ୟନ୍ତ ଉଡ଼୍ଡ଼ୀନ ହେଉଥିଲା । ସେହି ସମୟରେ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ବାନ୍ଦା ଜିଲ୍ଲାର ଅନ୍ତର୍ଗତ ଯମୁନାତୀରବର୍ତ୍ତୀ ରାଜାପୁର (୧) ନାମକ ଗ୍ରାମରେ ଆତ୍ମାରାମ ଦ୍ଵିବେଦୀ ବୋଲି ଜନୈକ ଦରିଦ୍ର ବ୍ରାହ୍ମଣ ବାସ କରୁଥିଲେ ।

 

ତାଙ୍କର ଆଉ କେହି ନ ଥିଲେ, କେବଳ ଗୋଟିଏ ପତ୍ନୀ—ନାମ ହୁଳସୀ ଦେବୀ । ଆତ୍ମାରାମ ଦରିଦ୍ର ହେଲେହେଁ ତାଙ୍କ ମନରେ ଦୁଃଖ ନ ଥିଲା । ସେ ଥିଲେ ରାମଚନ୍ଦ୍ରଙ୍କର ଉପାସକ-। ପ୍ରଭୁଙ୍କର ଚରଣ-ସେବାରେ ପତିପତ୍ନୀ ଅକ୍ଷୟ ଆନନ୍ଦ ଅନୁଭବ କରି ଦରିଦ୍ରତା କ୍ଳେଶକୁ କ୍ଳେଶ ବୋଲି ମଣୁ ନ ଥିଲେ ।

 

ଏହିପରି ସୁଖରେ ଦିନ ବିତିଗଲା । ଆତ୍ମାରାମଙ୍କର ଯୌବନ ଅବସାନପ୍ରାୟ । କିନ୍ତୁ କାହିଁ, ଏ ପର୍ଯ୍ୟନ୍ତ କୌଣସି ସନ୍ତାନସନ୍ତତିର ମୁଖଦର୍ଶନସୌଭାଗ୍ୟ ସେମାନଙ୍କ ଭାଗ୍ୟରେ ଘଟିଲା ନାହିଁ । ବୃଦ୍ଧ ବ୍ରାହ୍ମଣଦମ୍ପତି ସେ ଆଶାରୁ ଆପଣାକୁ ବଞ୍ଚିତ ମନେକରି ଅତ୍ୟନ୍ତ ମନୋବେଦନା ଅନୁଭବ କରୁଥିଲେ । ବିଶ୍ୱନିୟନ୍ତାଙ୍କ ମାୟାଚକ୍ରର ଲୀଳାଗତି ତାହାଙ୍କୁହିଁ ଗୋଚର । କିଏ ଜାଣିଥିଲା, ଏ ବୃଦ୍ଧ ବୟସରେ ହୁଳସୀଙ୍କର ଗର୍ଭରୁ ସାଧକୋତ୍ତମ ଦ୍ଵିତୀୟ ବାଲ୍ମୀକି ତୁଳସୀ ଦାସ ଜନ୍ମଗ୍ରହଣ କରିବେ ?

 

ଯେ ଏକାଗ୍ର ଚିତ୍ତରେ ପତିତପାବନ ଇଷ୍ଟଦେବଙ୍କର ଆରାଧନା କରେ, ପ୍ରଭୁ ତାହାର ମନୋବାଞ୍ଛା ଅପୂର୍ଣ୍ଣ ରଖନ୍ତି ନାହିଁ । ଦିନେ ଶିରୀଷକୋମଳ, ଶଶଧରନିଭ ସଦ୍ୟଜାତ ଶିଶୁଟିଏ ହୁଳସୀ ଦେବୀଙ୍କର କ୍ରୋଡ଼ ପୂର୍ଣ୍ଣ କରି ଅସ୍ଫୁଟ କ୍ରନ୍ଦନଧ୍ୱନିରେ ଆପଣାର ଆଗମନ ବାର୍ତ୍ତା ଜଣାଇଲା-। ଆହା ! କି ସୁନ୍ଦର କାନ୍ତି ତାର ! ତା ସୁକୁମାର ଅଧରର ଅନୁପମ ଲାବଣ୍ୟ ଦର୍ଶନ କରି ପିତାମାତା ଓ ରାଜାପୁରନିବାସୀ ସମସ୍ତେ ପରମ ପରିତୋଷ ଲାଭ କଲେ । ଆତ୍ମାରାମଙ୍କର କୁଳଗୁରୁ ନୃସିଂହ ଦାସ ଶିଶୁର ଜନ୍ମବାର୍ତ୍ତା ଶ୍ରବଣ କରି ଶିଷ୍ୟଗୃହକୁ ଆଗମନ କଲେ । ନୃସିଂହ ଦାସ ଜଣେ ପ୍ରସିଦ୍ଧ ଜ୍ୟୋତିର୍ବିଦ୍ ପଣ୍ଡିତ । ସେ ଗଣନା କରି ଦେଖିଲେ ଯେ ଶିଶୁଟି ଅଶୁଭ ନକ୍ଷତ୍ର ‘ଅଭୁକ୍ତମୂଳାରେ’ ଜାତ ହୋଇଅଛି ଏବଂ ଏହି ହେତୁରୁ ସେ ପିତାମାତାଙ୍କର ପାଳନୀୟ ନୁହେଁ-। ତାହାକୁ ଶୀଘ୍ର ବର୍ଜନ କରିବାକୁ ହେବ, ଅଥବା ଆଠବର୍ଷ ଯାଏ ତାହାର ମୁହଁ ଦେଖିବାକୁ ହେବ ନାହିଁ; କାରଣ ଏପରି ବାଳକ ପିତୃହନ୍ତା ହୁଅନ୍ତି । ଆଜିକାଲି ଅବଶ୍ୟ ବାଳକଙ୍କୁ ଏପରି ତ୍ୟାଗ କରିବା ଆଇନବିରୁଦ୍ଧ କାର୍ଯ୍ୟ । ଭାରତୀୟ ଦଣ୍ଡବିଧି ଆଇନ ଅନୁସାରେ ଏପରି ପିତାମାତାଙ୍କୁ କାରାଦାଣ୍ଡ ଭୋଗିବାକୁ ପଡ଼ିବ । କିନ୍ତୁ ସେତେବେଳେ “ପିଙ୍ଗଳକୋର୍ଡ଼୍” ନ ଥିଲା, ଧର୍ମରେ ଲୋକମାନଙ୍କର ଅଟଳ ବିଶ୍ୱାସ ଥିଲା । ଆତ୍ମାରାମ ଏକାନ୍ତ ଧର୍ମନିଷ୍ଠ ଓ ଗୁରୁଭକ୍ତ ଥିଲେ-। ଗୁରୁଙ୍କର ଆଜ୍ଞା ଶିରୋଧାର୍ଯ୍ୟ; ତେଣୁ ସେ କୌଣସି ପ୍ରକାର ଦ୍ୱିରୁକ୍ତି ନ କରି ମୌନ ଭାବରେ ଠିଆ ହୋଇ ରହିଲେ ।

 

(୧) ତୁଳସୀଦାସଙ୍କ ଜନ୍ମସ୍ଥାନ ସମ୍ବନ୍ଧରେ ପଣ୍ଡିତମାନଙ୍କ ମଧ୍ୟରେ ମତଭେଦ ପରିଲକ୍ଷିତ ହୁଏ । କେହି କେହି ହସ୍ତିନାପୁର, ଚିତ୍ରକୂଟ ନିକଟସ୍ଥ ହାଜୀପୁର, ରାଜାପୁର ଏବଂ ତାରୀକୁ ତାଙ୍କର ଜନ୍ମସ୍ଥାନ ବୋଲି ଅନୁମାନ କରନ୍ତି । ପଣ୍ଡିତ ମହାଦେବ ପ୍ରସାଦ ରାଜାପୁର ସପକ୍ଷରେ ମତ ଜ୍ଞାପନ କରି ନିମ୍ନଲିଖିତ ପ୍ରମାଣ ଦେଇଅଛନ୍ତି । ପ୍ରଥମରେ ରାମାୟଣର ଭାଷା ରାଜାପୁର ପ୍ରାନ୍ତର ପ୍ରଚଳିତ ଭାଷା; ଦ୍ଵିତୀୟରେ ଗୋସ୍ୱାମୀଜୀଙ୍କର ସ୍ୱହସ୍ତଲିଖିତ ରାମାୟଣ ଅଯୋଧ୍ୟା କାଣ୍ଡ ଅଦ୍ୟାପି ସେଠାରେ ବର୍ତ୍ତମାନ ଅଛି । ତୃତୀୟରେ ତାଙ୍କର ପ୍ରିୟସ୍ଥାନସମୂହ ଓ ତାଙ୍କର ସ୍ୱହସ୍ତସଂସ୍ଥାପିତ ଶ୍ରୀହନୁମାନଜୀଙ୍କର ମୂର୍ତ୍ତି ଲୋକେ ରାଜାପୁରରେ ଦେଖନ୍ତି ।

 

କିନ୍ତୁ ହୁଳସୀ ଦେବୀଙ୍କ ମସ୍ତକରେ ବଜ୍ରପାତ ହେଲା । ଦଶ ମାସ କାଳ ଗର୍ଭ ଯାତନା ସହ୍ୟ କରି କେଉଁ ଜନନୀ ସନ୍ତାନକୁ ପ୍ରସବ ଉତ୍ତାରୁ ଚକ୍ଷୁର ଅନ୍ତରାଳରେ ରଖି ସୁଖରେ ଜୀବନଧାରଣ କରିପାରେ ? ଜୀବନର ଇପ୍ସିତ ଧନକୁ ପରିତ୍ୟାଗ କରିବାକୁ ହେବ—ଅସମ୍ଭବ । ମାତୃସୁଲଭ ବାତ୍ସଲ୍ୟ ହେତୁ ଗୁରୁଦେବଙ୍କର ଆଦେଶ ଶୁଣି ତାଙ୍କର ନେତ୍ରଦ୍ୱୟ ଅଶ୍ରୁପୂର୍ଣ୍ଣ ହେବାକୁ ଲାଗିଲା । ନ ଥିଲା ଯେତେବେଳେ ନ ଥିଲା, କିନ୍ତୁ ନୈରାଶ୍ୟମରୁରେ ଆଶାର ଉତ୍ସ ଦେଖାଇ ପୁଣି କାହିଁକି ଏ ଦୈବ ଦୁର୍ବିପାକ, ପ୍ରଭୁ ! ହୁଳସୀ ଦେବୀ ଏହିପରି ଚିନ୍ତା କରୁଥିବା ବେଳେ ନୃସିଂହ ଦାସ କହିଲେ, “ପୁତ୍ରକୁ ଚିରଦିନ ପାଇଁ ତ୍ୟାଗ କରିବାକୁ ହେବ ନାହିଁ । ମୁଁ ତାକୁ ନେଇ ଛଅ ମାସ କାଳ ପ୍ରତିପାଳନ କରେଁ । ତା ପରେ ତୁମ୍ଭେମାନେ ପୁଣି ପୁତ୍ରକୁ ଦେଖିପାରିବ ।” ହୁଳସୀ ଦେବୀଙ୍କର ହୃଦୟ ଏ ଆଶ୍ୱାସବାଣୀ ପାଇ କିଞ୍ଚିତ୍ ଆଶ୍ୱସ୍ତ ହେଲା ଓ ଆତ୍ମାରାମ ମଧ୍ୟ ଗୁରୁଦେବଙ୍କଠାରେ କୃତଜ୍ଞତା ଜ୍ଞାପନ କରି ଶିଶୁଟିକୁ ତାଙ୍କ ହସ୍ତରେ ସମର୍ପଣ କଲେ ।

 

ଶିଶୁଟି ନୃସିଂହ ଦାସଙ୍କ ଗୃହରେ କ୍ରମଶଃ ବର୍ଦ୍ଧିତ ହୋଇ ଯେତେବେଳେ ପଞ୍ଚମ ମାସରେ ପଦାର୍ପଣ କଲା, ସେତେବେଳେ ଗୁରୁଦେବ ଅନ୍ନପ୍ରାଶନ କ୍ରିୟା ସମ୍ପନ୍ନ କରି ତାର ନାମ ଦେଲେ— ‘ତୁଳସୀ ଦାସ’ । ପୃଥିବୀରେ ଯେତେବେଳେ କୌଣସି ମହାତ୍ମାଙ୍କର ଆବିର୍ଭାବ ହୁଏ, ସେତେବେଳେ କେହି ତାହା ସହଜେ ଜାଣିପାରନ୍ତି ନାହିଁ ସତ, କିନ୍ତୁ ଏ କଥା ଅଧିକ ଦିନ ଛପିକରି ରହିପାରେ ନାହିଁ । କଥାରେ ଅଛି, “ତୁଳସୀ ଦୁଇ ପତ୍ରରୁ ବାସେ ।” ତୁଳସୀ ଦାସ ସେହିପରି ଶୈଶବରୁ ନିଜର ବୁଦ୍ଧି, ଧର୍ମାନୁରକ୍ତି ଓ ନାନାଦି ସଦ୍‍ଗୁଣ ଦ୍ଵାରା ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲେ । ଗୁରୁ ନୃସିଂହ ଦାସଙ୍କର ଯତ୍ନରେ ବାଳକ ତୁଳସୀ ଦାସଙ୍କର ନବମ ବର୍ଷରେ ଉପନୟନ କାର୍ଯ୍ୟ ସମ୍ପନ୍ନ ହୋଇଗଲା ।

 

ତୁଳସୀ ଦାସଙ୍କର ଶିକ୍ଷାଭାର ହସ୍ତରେ ନେଇ ନୃସିଂହ ଦାସ ସେଥିରେ ମଧ୍ୟ ତ୍ରୁଟି କରି ନ ଥିଲେ । ତୁଳସୀ କ୍ରମେ କ୍ରମେ ବିଦ୍ୟାଭ୍ୟାସ କରି ସମସ୍ତଙ୍କର ପ୍ରିୟପ୍ରାତ୍ର ହେବାକୁ ଲାଗିଲେ । ବାଲ୍ୟକାଳରୁ ଗୁରୁଦେବଙ୍କର ସେବାପୂଜା ଓ ଦେବାରାଧନାଦି ଧର୍ମକର୍ମରେ ତୁଳସୀ ଦାସ ଯୋଗ ଦେବାକୁ ଶିଖିଲେ । ତାଙ୍କର ମନ ଏଇଦିନୁ ଭଗବାନଙ୍କ ଆଡ଼କୁ ଆକୃଷ୍ଟ ହୋଇଥିଲା; ତେଣୁ କେହି କେହି ତାଙ୍କୁ ପିଲାଦିନେ ‘ରାମବୋଲା’ ବୋଲି ଡାକୁଥିଲେ । ସେ ପିଲାଦିନୁ ବଡ଼ ସୌନ୍ଦର୍ଯ୍ୟପ୍ରିୟ ଥିଲେ । କୌଣସି ଗୋଟିଏ ସୁନ୍ଦର ବସ୍ତୁ ଦେଖିଲେ ତାକୁ ପାଇବାପାଇଁ ତାଙ୍କର ପ୍ରାଣ ବ୍ୟାକୁଳ ହୋଇ ଉଠୁଥିଲା । ସୁନ୍ଦର ଚେହେରାର ଲୋକ ଦେଖିଲେ ମଧ୍ୟ ସେ ପ୍ରାଣ ଖୋଲି ତା ସଙ୍ଗେ ମିଶି ଯାଉଥିଲେ । ନିଜର ଘର ନିକଟରେ ଥିବା ଦୀନଦୟାଲ ତେଓୟାରୀଙ୍କର ପୁତ୍ର ଦୁଃଖୀ ତେଓୟାରୀଙ୍କ ସଙ୍ଗେ ତାଙ୍କର ଏଇଦିନୁ ଘନିଷ୍ଠତା ଜନ୍ମିଥିଲା । ଦୁଃଖୀ ପ୍ରାୟ ତାଙ୍କର ସମବୟସ୍କ, ରୂପଟି ମଧ୍ୟ କମନୀୟ; ତେଣୁ ତୁଳସୀ ଦାସ ତାଙ୍କୁ ଆପଣାର ସାନ ଭାଇଟି ପରି ସ୍ନେହ କରୁଥିଲେ-। ଦୁଃଖୀ ମଧ୍ୟ ତୁଳସୀ ଭାଇଙ୍କୁ ଦଣ୍ଡେ ନ ଦେଖିଲେ ଥୟ ହେଉ ନ ଥିଲେ ।

 

‘ଚକ୍ରବତ୍ ପରିବର୍ତ୍ତନ୍ତେ ଦୁଃଖାନି ଚ ସୁଖାନି ଚ’—ବର୍ଷର ବାର ମାସଯାକ ଯଦି ବସନ୍ତ ହୋଇଥାନ୍ତା ଏବଂ କୋକିଳର କୁହୁତାନରେ କାନନକୁଞ୍ଜ ମୁଖରିତ ହେଉଥାନ୍ତା, ତେବେ ମଧୁମାସର ନାମକରଣ ହୋଇ ନ ଥାନ୍ତା । ମେଘ କୋଳରେ ସୁହାସିନୀ ବିଦ୍ୟୁଲ୍ଲତା ଯଦି ଚପଳତା ତ୍ୟାଗ କରି ସ୍ଥିର ଭାବରେ ରହିଯାନ୍ତା, ତେବେ ତାକୁ ଜଗତର ଲୋଚନ-ନନ୍ଦନୀ କ୍ଷଣପ୍ରଭା ବୋଲି କାହିଁକି ଏତେ ଆଦର କରନ୍ତେ ? ଜଗତରେ ସେହିପରି ସମସ୍ତ ଜୀବଜନ୍ତୁ ଯଦି କେବଳ ଜନ୍ମଗ୍ରହଣ କରନ୍ତେ ମାତ୍ର ମୃତ୍ୟୁମୁଖରେ ନ ପଡ଼ନ୍ତେ, ତେବେ ‘ଜନ୍ମ’ ଶବ୍ଦର ମଧୁରତା ଏ ପୃଥିବୀରେ ସ୍ୱପ୍ନ ହୋଇଯାନ୍ତା । ଜନ୍ମମରଣ ଓ ସୁଖଦୁଃଖର ଏହି ପରମ୍ପରାଗତ ପ୍ରବାହ ଅଭଙ୍ଗ ଓ ଅନିବାର୍ଯ୍ୟ । ଜନ୍ମ ହେଲେ ଯେପରି ମୃତ୍ୟୁ ନିଶ୍ଚୟ, ଦୁଃଖ ବିନା ସେହିପରି ସୁଖ ଅସମ୍ଭବ । ତୁଳସୀ ଦାସ ବର୍ତ୍ତମାନ ବାଲ୍ୟ ଅତିକ୍ରମ କରି ନବଯୌବନରେ ପଦାର୍ପଣ କରିଅଛନ୍ତି । ଗୁରୁଦେବଙ୍କର ଯତ୍ନରେ ତାଙ୍କର ବ୍ରାହ୍ମଣୋଚିତ କ୍ରିୟାଦିରେ ବେଶ୍ ପାରଦର୍ଶିତା ଲାଭ ହୋଇଅଛି । ରୂପ ଗୁଣରେ ସେ ବର୍ତ୍ତମାନ ରାଜାପୁର ଗ୍ରାମରେ ଅଦ୍ଵିତୀୟ ହୋଇ ଆତ୍ମାରାମଙ୍କର ଜୀବନସର୍ବସ୍ୱ ହୋଇଅଛନ୍ତି । ହୁଳସୀ ଦେବୀଙ୍କର ତ ସୁଖର ସୀମା ନାହିଁ । ତାଙ୍କର ହୃଦୟର ଧନ ତୁଳସୀମଣିଙ୍କୁ ଯୋଗ୍ୟ ଉତ୍ତରାଧିକାରୀ ଦେଖି ଆନନ୍ଦରେ ତାଙ୍କ ପାଦ ତଳେ ପଡ଼ୁ ନାହିଁ । ଯଜମାନ କର୍ମାଦିରେ ଆତ୍ମାରାମଙ୍କୁ ଆଉ ପଥଶ୍ରମ କରି ଯିବାକୁ ପଡ଼ୁ ନାହିଁ, ତୁଳସୀ ଦାସ ସ୍ୱୟଂ ଯାଇ ସେ ସବୁ ସୁଚାରୁରୂପେ ପରିଚାଳନା କରୁଅଛନ୍ତି ।

 

ଆତ୍ମାରାମଙ୍କର ଜୀବନର କର୍ତ୍ତବ୍ୟ ଶେଷ ହୋଇଅଛି । ଆଉ ବେଶିଦିନ ସଂସାରରେ ରହିବା ଆବଶ୍ୟକ ନାହିଁ । ସେ ଜୀବନର ଇପ୍ସିତ ପୁତ୍ରରତ୍ନ ଲାଭ କରିଅଛନ୍ତି । ତାକୁ ସୁଯୋଗ୍ୟ ଦେଖି ସେହି ସୀତାପତି ଶ୍ରୀରାମଚନ୍ଦ୍ରଙ୍କର ଚରଣରେ ଳୟ ରଖି ଏ ଜଗତରୁ ବିଦାୟ ନେବେ । ତାଙ୍କର ସେଥିପାଇଁ ଦୁଃଖ ନାହିଁ । ଦୁଃଖ କେବଳ ତାଙ୍କର ପୁତ୍ରକଳତ୍ର ଓ ଆତ୍ମୀୟମାନଙ୍କର । ତେଣୁ ଆତ୍ମାରାମଙ୍କୁ ମୃତ୍ୟୁଶଯ୍ୟାରେ ଦେଖି ପତିଗତପ୍ରାଣା ହୁଳସୀ ଦେବୀଙ୍କର ହୃଦୟ ବିଦୀର୍ଣ୍ଣ ହୋଇ ଯାଉଅଛି । ହୁଳସୀ ଆଦର୍ଶ ହିନ୍ଦୁରମଣୀ, ସାଧ୍ଵୀ ଓ ପତିବ୍ରତା । ନୋହିଲେ କି ଯାହାଙ୍କର ପଦରେଣୁ ମାତ୍ର ପାଇବା ପାଇଁ କୋଟି କୋଟ ନରନାରୀ ଲାଳାୟିତ ହେଉଥିଲେ, ଆଜି ଯାହାଙ୍କର କୀର୍ତ୍ତି-ବୈଭବ ହିମାଚଳଠାରୁ ସୀମାଚଳ ପର୍ଯ୍ୟନ୍ତ ଅକ୍ଷୁଣ୍ଣରୂପେ ବିରାଜିତ, ଯାହାଙ୍କର ଅପାର ମହିମାବଳରେ ମୃତବ୍ୟକ୍ତିର ମୁଖରେ ବାକ୍ୟସ୍ଫୁରଣ ହୋଇ ପାରିଥିଲା, ସେହି ନରଦୁର୍ଲଭ, ଭକ୍ତଚୂଡ଼ାମଣି ତୁଳସୀ ଦାସଙ୍କୁ କ୍ରୋଡ଼ରେ ଧରି ‘ତୁଳସୀମଣି ମୋର’ ବୋଲି ଡାକିବାର ସୁଯୋଗ ପାଇ ପାରିଥାନ୍ତେ ? ସ୍ୱାମୀଙ୍କର ଶଯ୍ୟା ପାର୍ଶ୍ଵରେ ବସି ହୁଳସୀ ଦେବୀ ଆହାର ନିଦ୍ରା ପରିତ୍ୟାଗ କରି ଅବିରତ ରୋଦନ କରୁଅଛନ୍ତି; କିନ୍ତୁ କାଳ ଶୁଣିବ କାହିଁକି ? ତାର ତ ଏତେ ବିଚାର ନ ଥାଏ । ସେ ଯେତେବେଳେ ଆସେ, ତେତେବେଳେ ପୃଥିବୀର ସମସ୍ତେ ମିଶି କ୍ରନ୍ଦନ କଲେ ସୁଦ୍ଧା ତାର ପାଷାଣ ହୃଦୟ ତରଳେ ନାହିଁ । କବିବର ରାଧାନାଥଙ୍କ ଭାଷାରେ—

 

“ଦସ୍ୟୁ ବଣିକକୁ ମାରେ ବାତ୍ୟା ଯଥା

ବୁଡ଼ାଇ ଜଳଧି ଜଳେ,

କାଳ ସେହିରୂପେ ଜେତା ବିଜିତକୁ

ପୂରଇ ନିଜ କବଳେ ।”

 

ତୁଳସୀ, ହୁଳସୀ, ନୃସିଂହ ଦାସ ସମସ୍ତଙ୍କର ସେବାଶୁଶ୍ରୂଷା ସତ୍ତ୍ୱେ ଆତ୍ମାରାମ ଆଜି ଚିରକାଳ ଲାଗି ନୟନ ମୁଦ୍ରିତ କରିଅଛନ୍ତି ।

 

ସ୍ୱାମୀଙ୍କର ମୃତ୍ୟୁପରେ ବ୍ରହ୍ମଚର୍ଯ୍ୟବ୍ରତଧାରିଣୀ ହୋଇ ହୁଳସୀ ଦେବୀ ମନଦୁଃଖରେ କାଳାତିପାତ କରୁଅଛନ୍ତି । ସ୍ୱାମୀ ସହିତ ସହମରଣ ସତୀର କର୍ତ୍ତବ୍ୟ ହେଲେହେଁ ଆତ୍ମାରାମଙ୍କର ଶେଷ ଅନୁରୋଧ ‘ତୁଳସୀକୁ ମନୁଷ୍ୟ କରି ମୋ ପାଖକୁ ଆସିବ’ ଏହା ରକ୍ଷା କରିବା ପାଇଁ ସେ କେବଳ ରକ୍ତମାଂସର ଦେହ ଧାରଣ କରି ରହିଅଛନ୍ତି । ସ୍ୱାମୀଙ୍କର ମୃତ୍ୟୁ ପରେ ତୁଳସୀ ତାଙ୍କର ନୟନର ମଣି, ହୃଦୟର ହାର ଓ ନୟନର ସର୍ବସ୍ଵ ହୋଇଅଛି । ତୁଳସୀକୁ ନ ଖୁଆଇଲେ ତାଙ୍କୁ ଭୋକ ଲାଗୁନାହିଁ, ତୁଳସୀକୁ ନ ଶୁଆଇଲେ ତାଙ୍କୁ ନିଦ ଆସୁ ନାହିଁ । ଏଣିକି କିପରି ତୁଳସୀକୁ ମନୁଷ୍ୟ କରି ତାରି ହାତରେ ଟିକିଏ ଅଗ୍ନି ପାଇ ଏ ସଂସାରରୁ ସତ୍ଵର ସ୍ୱାମୀଙ୍କ ନିକଟକୁ ଗମନ କରିବେ, ଏହି ଶେଷ ଆଶା ହୃଦୟରେ ପୋଷଣ କରି ବଞ୍ଚିଅଛନ୍ତି ମାତ୍ର ।

Image

 

ଦ୍ୱିତୀୟ ପରିଚ୍ଛେଦ

ବିବାହ

 

ପ୍ରଭୁ, ତୁମ୍ଭର ଇଚ୍ଛା ପୂର୍ଣ୍ଣ ହେଉ । ଏ ଅଧମ ଦ୍ୱାରା ଯଦି କୌଣସି ମହତ୍ କର୍ମ ସମ୍ପନ୍ନ ହୋଇପାରେ, ତେବେ ସେ ଖ୍ୟାତି ମୋର ନୁହେଁ, ତୁମ୍ଭର । ତୁଳସୀର ଶୈଶବରୁ ମୁଁ ତାର ସଂସାର ବିରାଗର ଯଥେଷ୍ଟ ପରିଚୟ ପାଇଅଛି । ତାର ମନ ସେହି କାଳରୁ ତ ତୁମ୍ଭ ପଦାରବିନ୍ଦ ଦିଗକୁ ଆକୃଷ୍ଟ । ମୋତେ ବୋଧହୁଏ, ତାର ଜୀବନର ଗତି ଏକ ଭିନ୍ନ ମାର୍ଗୋନ୍ମୁଖୀ । ତେବେ ତା ପାଇଁ ମୋର ଯଦି କିଛି କର୍ତ୍ତବ୍ୟ ଥାଏ, ପ୍ରଭୁ । ତୁମରି ଦୟାରୁ ମୁଁ ତା ଏବେ ସ୍ଥିର କରିପାରିଛି । ଏହା ତାର ସଂସାରତ୍ୟାଗରେ କୌଣସି ବାଧା ଜନ୍ମାଇ ପାରିବ ବୋଲି ମୁଁ ଆଶଙ୍କା କରୁନାହିଁ । ବେଗବତୀ ସ୍ରୋତସ୍ଵତୀର ପ୍ରବାହ ଯେପରି ଅବାଧ, ଆତ୍ମାର ଅନ୍ତିମ ଆବେଗ ସେହିପରି ଅନିବାର୍ଯ୍ୟ । ସାମାନ୍ୟ ବିବାହବନ୍ଧନ ତେତେବେଳେ ତୃଣବତ୍ ଅନାୟାସଚ୍ଛେଦ୍ୟ । ସେଥିପୂର୍ବରୁ ପ୍ରସ୍ତୁତ ହେବାକୁ ପଡ଼େ ନାହିଁ । ତେବେ ଦେଶକାଳପାତ୍ର ବିବେଚନା କରି ଦେଖିଲେ ତୁଳସୀର ବିବାହ ବର୍ତ୍ତମାନ ସର୍ବଥା ସମୀଚୀନ । ତୁଳସୀ ଯଦି ଏପରି ଅବସ୍ଥାରେ ସଂସାର ତ୍ୟାଗ କରେ, ବୃଦ୍ଧା ହୁଳସୀର ପ୍ରାଣରେ ଯେଉଁ ଦାରୁଣ ଆଘାତ ଲାଗିବ, ତାହା ତାକୁ ଇହଧାମରେ ରହିବାକୁ ଦେବ ବୋଲି ମୋର ଆଶା ହେଉନାହିଁ । ଏବେ ତ ବୃଦ୍ଧ ବୟସ, ଦ୍ୱିତୀୟରେ ପତିବିୟୋଗ, ତୃତୀୟରେ ମୁଁ ତୀର୍ଥଭ୍ରମଣରେ ଚାଲିଯିବି; ତା ପରେ ଯଦି ଏକମାତ୍ର ପୁତ୍ର ଜଟାକୌପୀନଧାରୀ ହୋଇ ଘରୁ ବାହାରିଯାଏ, ତେବେ ବୃଦ୍ଧା ସଦ୍ୟ ପ୍ରାଣତ୍ୟାଗ କରିବ । ତେଣୁ ପ୍ରଭୁ, ତୁମର ଆଦେଶ ଓ ଆଶିଷ ଶିରରେ ଧାରଣ କରି ଆଜି ଶିଷ୍ୟ ଦୀନବନ୍ଧୁ ପାଠକର କନ୍ୟା ରତ୍ନାବଳୀ ସଙ୍ଗେ ତାର ବିବାହ ସ୍ଥିର କରି ଆସିଅଛି । ଦୀନବନ୍ଧୁ ଶ୍ରୀ ସୀତାରାମଙ୍କର ପରମ ଭକ୍ତ ଅଟେ । ସର୍ବଦା ପୂଜାପାଠରେ ଲାଗିରହିଥାଏ । ତାକୁ ଅନୁକରଣ କରି ତାର କନ୍ୟାମଧ୍ୟ ପିଲାଟିଦିନୁ ପ୍ରଭୁଙ୍କ ପାଦପଦ୍ମରେ ମନନିୟୋଗ କରିଅଛି । ସାଧୁସେବାରେ ତାର ଗଭୀର ଅନୁରାଗ । ରତ୍ନାବଳୀ ଯେପରି ଗୁଣବତୀ ସେହିପରି ମଧ୍ୟ ରୂପବତୀ । ତାର ରୂପସାଗରରେ ରୂପକାଙ୍ଗାଳ ତୁଳସୀ ଥରେ ବୁଡ଼ିଲେ ଆଉ ଯେ ଉଠି ପାରିବ, ମୋର ଧାରଣା ହେଉ ନାହିଁ । “ଯଦ୍ ଯେନ ଯୁଜ୍ୟତେ ଲୋକେ ବୁଧସ୍ତତ୍ତେନ ଯୋଜ ୟେତ୍ ।” ଅନେକ ସ୍ଥାନ ତ ବୁଲିଥିଲି । ଆଉ କେଉଁଠାରେ ତ ମୋର ମନ ଏତେ ମାନି ନ ଥିଲା ? ଏହିସବୁ ଶୁଭ ଲକ୍ଷଣରୁ ବୁଝି ପାରୁଛି, ପ୍ରଭୁଙ୍କର କିଛି ମହତ୍‍ ଉଦ୍ଦେଶ୍ୟ ଏ ବିବାହ ଦ୍ଵାରା ସାଧିତ ହେବାର ଅଛି ।

 

ଏହିପରି ଚିନ୍ତା କରି କରି ଆମ୍ଭମାନଙ୍କର ପୂର୍ବପରିଚିତ ଗୁରୁ ନୃସିଂହ ଦାସଜୀ ରାଜପୁର ଅଭିମୁଖରେ ଆସୁଅଛନ୍ତି । ସ୍ୱାମୀ-ଶୋକ-ବିବ୍ରତା ହୁଳସୀ ଦେବୀଙ୍କ ଗୃହପ୍ରାଙ୍ଗଣକୁ ନବବଧୂଟିଏ ଅଣାଇ ତାଙ୍କୁ ଏ ଶେଷ ବୟସରେ ଗୃହକର୍ମରୁ ଅବସର ଦେବା ଆଶାରେ ଗୁରୁଜୀ ଏ କେତେ ଦିନ ହେଲା ଯୋଗ୍ୟ ପାତ୍ରୀଟିର ଅନ୍ୱେଷଣରେ ବାହାରି ଆଜି ସଫଳକାମ ହୋଇ ପ୍ରଦୃଷ୍ଟ ଚିତ୍ତରେ ରାଜପୁର ଫେରୁଅଛନ୍ତି । କିଏ ଜାଣେ ପରିଣାମରେ କ’ଣ ହେଉଛି ? ଯେଉଁ ଗୁରୁଦାୟିତ୍ୱ ସେ ମୁଣ୍ଡକୁ ନେଇଅଛନ୍ତି, ତାହା ସେହି ରଘୁକୁଳତିଳକ ସୀତପତିଙ୍କର ପ୍ରସାଦରୁ ନିବିଘ୍ନରେ ସମ୍ପନ୍ନ ହେଇଯିବ, ଏହି ଭରସାରେ ଗୁରୁଜୀ ତୁଳସୀ ଦାସଙ୍କର ଜନନୀ ହୁଳସୀ ଦେବୀଙ୍କୁ ଏହି ସୁସମ୍ବାଦ ଦେବା ପାଇଁ ତାଙ୍କ ଗୃହରେ ପ୍ରବେଶ କଲେ ।

 

କେଉଁ ଜନନୀ ନବବଧୂ ଦର୍ଶନ ଲାଗି ଲାଳାୟିତ ନୁହେଁ ? ଯାହାର ଦଶ ପୁଅ, ସେ ସୁଦ୍ଧା ସାନ ବୋହୂଟିକୁ ଦେଖି ମରିବ ବୋଲି ପ୍ରାଣ ଧରିଥାଏ । ଏହି ପାରିବାରିକ ସ୍ନେହ-ବନ୍ଧନହିଁ ହିନ୍ଦୁ ସମାଜର ବିଶେଷତ୍ୱ । ପତିଶୋକାତୁରା ହୁଳସୀ ଦେବୀଙ୍କର ପ୍ରାଣରେ ଆଜି ଆନନ୍ଦର ଜୁଆର କୂଳ ଖାଉଛି । ଗୁରୁ ନୃସିଂହ ଦାସ କନ୍ୟାଟିର ରୂପ ଗୁଣ ଯେପରି ବର୍ଣ୍ଣନା କରିଅଛନ୍ତି, ସେଥିରେ ତିଳେମାତ୍ର ତାଙ୍କର ଅବିଶ୍ୱାସ ନାହିଁ । କନ୍ୟାଟି ମଧ୍ୟ ବୟସ୍କା । ଅଳ୍ପଦିନ ମଧ୍ୟରେ ଆସି ତାଙ୍କୁ ସମସ୍ତ ଗୃହ ଜଞ୍ଜାଳରୁ ମୁକ୍ତ କରିବ । ଆଉ ଆପତ୍ତି କ’ଣ ? ତୁଳସୀକୁ ଏ ବିଷୟର ଥରେ କହିଅଛନ୍ତି; ଆଉ ଥରେ କହିଦେବା ଭାର ଗୁରୁଦେବଙ୍କ ହସ୍ତରେ ନସ୍ତ କରି ହୁଳସୀ ନିଶ୍ଚିତ ହେଲେ ।

 

ଗୁରୁଦେବଙ୍କ କଥାରେ ତୁଳସୀର ଅନ୍ୟଥା କରିବାର କୌଣସି କାରଣ ନାହିଁ । ସଂସାରରେ ଧର୍ମଚାରଣ ପାଇଁ ଅର୍ଦ୍ଧାଙ୍ଗିନୀର ସାହାଯ୍ୟ ପଦେ ପଦେ ଆବଶ୍ୟକ । ସେଥିପାଇଁ ଋଷିମାନେ ସ୍ତ୍ରୀକୁ ସହଧର୍ମିଣୀ ଆଖ୍ୟା ଦେଇଅଛନ୍ତି । ତୁଳସୀକୁ ସମ୍ମତ କାରଇ ନୃସିଂହ ଦାସ ବିବାହ ଆୟୋଜନରେ ପ୍ରବୃତ୍ତ ହେଲେ ।

 

ମହାପୁରୁଷମାନଙ୍କର ଜୀବନ ଯେଉଁ ଉପାୟରେ ଗଠିତ ହେବାର କଥା, ତାହାର ଯୋଜନା ପ୍ରଥମରୁ ହୋଇଥାଏ ଏବଂ କରୁଣାନିଧାନ ଭଗବାନଙ୍କ କୃପାରୁ ସେମାନଙ୍କର ଜ୍ଞାନଲାଭର ପନ୍ଥା ଆପେ ଆପେ ସୁଗମ ହୋଇଯାଏ । ତୁଳସୀ ଦାସଙ୍କର ବିବାହ ତାଙ୍କୁ ସଂସାର–ଶୃଙ୍ଖଳା ବାନ୍ଧି ରଖିବା ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଥିଲେ ହେଁ ପରିଶେଷରେ ତାଙ୍କ ସଂସାରବିରାଗ ଓ ସନ୍ନ୍ୟାସର ମୂଳ କାରଣ ହେଲା ସେହି ବିବାହ ।

Image

 

ତୃତୀୟ ପରିଚ୍ଛେଦ

ପ୍ରେମିକ

 

“କି ତୁଳସୀ ଭାଇ ! ଅସ୍ଥାୟୀ ସୌନ୍ଦର୍ଯ୍ୟରେ ତ ବେଶ୍ ମଜ୍ଜିଯାଉଛ ! ଯୌବନ ଯେ ପ୍ରସ୍ଫୁଟିତ ପୁଷ୍ପର ସୌରଭତୁଲ୍ୟ କ୍ଷଣସ୍ଥାୟୀ ! ‘ନଳିନୀ ଦଳଗତ ଜଳମତି ତରଳଂ ତବ୍ଦତ୍ ଜୀବନମତିଶୟ ଚପଳମ୍’ ।”

 

“କେଜାଣି ଭାଇ ଦୁଃଖୀ, ଅସ୍ଥାୟୀ ହେଉ ବା ସ୍ଥାୟୀ ହେଉ, ମୁଁ ତ କାହିଁକି ସେ ନିଶା ଛାଡ଼ିପାରୁ ନାହିଁ ? ଦଣ୍ଡେ ନ ଦେଖିଲେ ଯେପରି ମନ ଛଟପଟ ହେଉଛି; କଣ କରିବି ?”

 

ତୁଳସୀ ଦାସଙ୍କର ବିବାହ ହେବାର ପ୍ରାୟ ଦୁଇବର୍ଷ ହୋଇଗଲାଣି । ତାଙ୍କ ଘରେ ବର୍ତ୍ତମାନ ତିନି ପ୍ରାଣୀ–ତୁଳସୀ, ରତ୍ନାବଳୀ ଓ ବୃଦ୍ଧା ହୁଳସୀ ଦେବୀ । ରତ୍ନାବଳୀ ପ୍ରକୃତ ରତ୍ନଟିଏ–ଗୃହ କର୍ମରେ ସୁନିପୁଣା । ସ୍ଵାମୀଗୃହକୁ ଆସିବା ଦିନୁ ପ୍ରାୟ ସମସ୍ତ କର୍ମ ଆଦରି ନେଇ ଶାଶୁ ବୁଢ଼ୀଙ୍କୁ ପୂର୍ଣ୍ଣ ଅବସର ଦେଇଅଛି । ତାଙ୍କର ଓ ତୁଳସୀଙ୍କର ଭୋଜନାଦି ପରେ ନିଜେ ଦିଓଟି ଖାଇ ଉଭୟଙ୍କର ପଦସେବା ନ କରି ବିଛଣାକୁ ଯାଏ ନାହିଁ । ବୋହୂଟି ଆସିଲା ଦିନୁ ତୁଳସୀଙ୍କର ଧର୍ମକର୍ମରେ ଟିକିଏ ବେଶି ମନ ଚାଲିଲାଣି । ତୁଳସୀ ଦାସଙ୍କ କଥା ତ ଅଦ୍ଭୁତ । ସେ ତ ସହଜେ ବଡ଼ ସୌନ୍ଦର୍ଯ୍ୟପ୍ରିୟ । କୌଣସି ସୁନ୍ଦର ବସ୍ତୁ ଦେଖିଲେ ସେ ଅବିଳମ୍ବେ ହୃଦୟର ସ୍ନେହଦ୍ଵାର ଖୋଲି ତାକୁ ଆପଣାର କରି ଆଣନ୍ତି । ଦୁଃଖୀରାମ ସଙ୍ଗେ ଏହିଯୋଗୁଁ ତାଙ୍କର ଏତେ ଘନିଷ୍ଠତା-। ପ୍ରବାଦ ଅଛି ଯେ, ତୁଳସୀ ଦାସଙ୍କର ବ୍ରଜବାସ ସମୟରେ ଜଣେ ମହାତ୍ମା ରହସ୍ୟରେ ତାଙ୍କୁ ପଚାରିଲେ, “ଶ୍ରୀକୃଷ୍ଣ ପୂର୍ଣ୍ଣବ୍ରହ୍ମ ଅବତାର ଅଟନ୍ତି । କିନ୍ତୁ ନୃସିଂହ, ବାମନ, ପରଶୁରାମ ଓ ରାମଚନ୍ଦ୍ର ତାଙ୍କର ଅଂଶକଳା ନେଇ ଅବତାର ହୋଇଥିଲେ । ଆପଣ ଶ୍ରୀକୃଷ୍ଣଙ୍କୁ ଛାଡ଼ି ରାମଚନ୍ଦ୍ରଙ୍କର ଉପାସନା କାହିଁକି କରୁଅଛନ୍ତି ?” ତୁଳସୀ ଦାସ ପ୍ରେମ ଗଦ୍‍ଗଦ୍‍ ସ୍ଵରରେ ଉତ୍ତର ଦେଲେ, “ଦଶରଥନନ୍ଦନ ରାମଚନ୍ଦ୍ରଙ୍କର ସୁନ୍ଦର, ସୁକୁମାର, ସୁଲଳିତ ଏବଂ ମନୋମୁଗ୍ଧକର ମୂର୍ତ୍ତି ଦେଖି ମୋର ମନ ତାଙ୍କଠାରେ ଏପରି ମିଜ୍ଜିଯାଇଛି ଯେ, ମୁଁ ସେଠାରୁ ମନକୁ ଛଡ଼ାଇ ଆଣିପାରୁନାହିଁ ।” ବାସ୍ତବିକ୍, ପବିତ୍ରଭାବରେ ସୌନ୍ଦର୍ଯ୍ୟର ଉପାସନାହିଁ ଆତ୍ମାର ଉପାସନା । ଇଂରେଜ କବି କୀଟ୍‍ସ (Keats) କହିଅଛନ୍ତି, ‘ସୌନ୍ଦର୍ଯ୍ୟହିଁ ସତ୍ୟ ଏବଂ ସତ୍ୟହିଁ ସୌନ୍ଦଯ୍ୟ’ (Beauty is truth end truth is beauty) । ସୌନ୍ଦର୍ଯ୍ୟର ଚିରକାଙ୍ଗାଳ ତୁଳସୀ ଦାସଙ୍କର ନିଜ ଗୃହ ମଧ୍ୟରେ ପୁଣି ରୂପସୀ କୁଳମଣ୍ଡନା ନବୋଢ଼ା ସୀମନ୍ତିନୀଟିଏ ପଦ୍ମକଳିକାଟି ପରି ଢଳି ଢଳି ଯେତେବେଳେ ଚାଲି ଯାଉଅଛି, ତାଙ୍କର ଆଉ ଅଭାବ କଣ ? ସେ ବର୍ତ୍ତମାନ ଏକେବାରେ ରତ୍ନାବଳୀଠାରେ ଆସକ୍ତ, ରତ୍ନାବଳୀଗତପ୍ରାଣ । ସ୍ତ୍ରୀଠାରେ ତାଙ୍କର ଏହି ଅନୁପମ ଅନୁରାଗ ଦେଖି କେତେ ଲୋକ କେତେ କଥା କହୁଛନ୍ତି । ପ୍ରାଣର ଭାଇ ଦୁଃଖୀରାମ ମଧ୍ୟ ବେଳେବେଳେ ଉପହାସ କରି ଦୁଇ ଚାରିକଥା କହିଦିଏ । କିନ୍ତୁ ତୁଳସୀ ଦାସଙ୍କ ହସମୁଁହରୁ ତାଙ୍କ ମନର ଭାବ ଜାଣିପାରି ନାନା ପ୍ରକାର ରସିକତା ଓ ତାମସା ଛଳରେ ତାଙ୍କୁ ଉତ୍ସାହିତ କରେ । ଭୟକାଳେ ଏହିପରି କହୁଁ କହୁଁ ତାଙ୍କ ମନରେ ବିରାଗ ଆସିପାରେ । ଜନ୍ମରୁ ତ ସଂସାର ଛାଡ଼ିବାର ଢଙ୍ଗ ଦେଖା ଯାଉଥିଲା । କୌଣସି ପ୍ରକାରେ ଭଙ୍ଗାମନ ଯୋଡ଼ା ଯାଇଛି । ଅତଏବ ଏତେବେଳେ ତାଙ୍କୁ ଉତ୍ତ୍ୟକ୍ତ କରିବା ବଡ଼ ବିପଜ୍ଜନକ ।

 

ବୋହୂଟି ଆସିବା ଦିନୁ ତୁଳସୀ ଦାସଙ୍କୁ ବାହାରରେ ବେଶୀ ଦେଖିବାକୁ ମିଳେ ନାହିଁ । କେତେବେଳେ ନିଜେ, କେତେବେଳେ ବା ଦୁଃଖୀକୁ ସାଥୀ କରି ଯଜମାନ କାର୍ଯ୍ୟତକ ବୁଝିବାକୁ ଯାହା ସେ ବାହାରକୁ ଯାଆନ୍ତି । ଘରୁକୁ ଆସି ରତ୍ନାବଳୀକୁ ନ ଦେଖିବାଯାଏ ତର ସହେ ନାହିଁ । ଏହା ଦେଖି ହୁଳସୀ ଦେବୀଙ୍କର ବେଶ୍ ଆନନ୍ଦ । ପୁତ୍ରର ସଂସାର ତ୍ୟାଗ ଆଶଙ୍କା ତାଙ୍କ ମନରୁ ବର୍ତ୍ତମାନ ଚାଲିଗଲାଣି । ବୋହୂଟି ସମସ୍ତ କର୍ମ ସୁଚାରୁରୂପେ ସମ୍ପନ୍ନ କରି ତାଙ୍କର ସୁଖସନ୍ତୋଷକୁ ଦ୍ଵିଗୁଣିତ କରି ଦେଇଅଛି । “ଆହା ! କିଏ ମୋର ତୁଳସୀ ପାଇଁ ସାକ୍ଷାତ୍ ରତ୍ନଟିଏ ଗଢ଼ି ରଖିଥିଲା-? ରୂପର ଅଭାବ ନା ଗୁଣର ଅଭାବ ? ଦରିଦ୍ରର କନ୍ୟା ହେଲେ କ’ଣ ହେବ ? ଧନୀ ଘରୁ ତ କେତେ କନ୍ୟା ଆସିଛନ୍ତି, ରତ୍ନା ପରି କାହାର ହାଟବାଟରେ ଏତେ ପ୍ରଶଂସା ଶୁଣାଯାଉଛି-?” ଶାଶୁ ଏହିପରି କହି ବୋହୂର ରୂପଗୁଣ ଓ କର୍ମକୁଶଳତାରେ ଆଶ୍ୱସ୍ତ ହୁଅନ୍ତି । ଦାଣ୍ଡରେ ତାର ପ୍ରଶଂସା ଶୁଣି ମନେ ମନେ ଗର୍ବ ଅନୁଭବ କରନ୍ତି ।

 

ରତ୍ନାବଳୀ ଶାଶୁଘରୁକୁ ଆସିବାର ପ୍ରାୟ ତିନିବର୍ଷ ହୋଇଗଲା । ଏହା ମଧ୍ୟରେ ଜନ୍ମସ୍ଥାନ ଦର୍ଶନ- ସୌଭାଗ୍ୟ ତାର ଏପର୍ଯ୍ୟନ୍ତ ଘଟି ନାହିଁ । ରତ୍ନର ଜନନୀ ଓ ପିତା ଦୀନବନ୍ଧୁ ପାଠକ କନ୍ୟାକୁ ନେବା ପାଇଁ ଏକାଧିକ ଥର ସମ୍ୱାଦ ପଠାଇଲେଣି । ମାତ୍ର ରାଜାପୁର ଗ୍ରାମରେ ରତ୍ନାବଳୀର ପିତ୍ରାଳୟକୁ ଯିବା କଥା ଜନରବ ଛଳରେ ସୁଦ୍ଧା ଥରେ ହେଲେ ଶୁଣାଯାଇ ନାହିଁ । କାରଣ ତୁଳସୀ ଦାସ ଏସବୁ କଥା କାନକୁ ନିଅନ୍ତି ନାହିଁ । ରତ୍ନାବଳୀକୁ ପିତ୍ରାଳୟକୁ ପଠାଇବାର କୌଣସି ପ୍ରସ୍ତାବ ଶୁଣିଲେ ସେ ନିରୁତ୍ତର ହୋଇ ସ୍ଥାନାନ୍ତରକୁ ଚାଲିଯାଆନ୍ତି । ତାଙ୍କର ଅନୁପସ୍ଥିତିରେ ମଧ୍ୟ କେହି ଏ ବିଷୟରେ କୌଣସି ମୀମାଂସା କରିବାକୁ ସାହସ କରନ୍ତି ନାହିଁ । ନିଜେ ହୁଳସୀ ଦେବୀ ମଧ୍ୟ ଡରନ୍ତି । ଆରେ ବାପରେ ! ତୁଳସୀ ଯେପରି ଜିଦିଖୋର ପିଲା; ତା ଅମତରେ କିଛି କରିଦେଲେ, କେଜାଣି କାଳେ କଣ କରି ପକାଇବ ?

 

ତୁଳସୀ ଦାସ ଯେପରି ରତ୍ନାବଳୀର ରୂପଗୁଣରେ ମୁଗ୍ଧ, ରତ୍ନାବଳୀ ବି ସେହିପରି ସ୍ଵାମୀଙ୍କର ଦେବୋପମ ସୁଲଳିତ ଶାରୀରିକ ଜ୍ୟୋତି ଦେଖି ଆପଣାକୁ ଧନ୍ୟ ମନେକରେ । ସ୍ଵାମୀଙ୍କର ଅପ୍ରିୟଭାଜନ କିପରି ହୁଅନ୍ତି, ତାହା ସେ ଏପର୍ଯ୍ୟନ୍ତ ଅନୁଭବ କରି ନ ଥିଲା । ପତି ସ୍ତ୍ରୀର ଉପାସ୍ୟ ଦେବତା—ଏହି ଭାବ ଚିତ୍ତରେ ପୋଷଣ କରି ସେ ସ୍ଵାମୀଙ୍କର ପ୍ରୀତି ଜନ୍ମାଇବାରେ ତିଳେମାତ୍ର ତ୍ରୁଟି କରୁ ନ ଥିଲା । ତେଣୁ ବାପା ମାଙ୍କୁ ଥରେ ଦେଖିଆସିବାକୁ ଖୁବ୍ ଇଚ୍ଛା ହେଉଥିଲେ ସୁଦ୍ଧା ସ୍ଵାମୀଙ୍କୁ ଭରସି କରି ଏକଥା କେବେ କହି ନ ଥିଲା । ଦିନେ ହୁଳସୀ ଦେବୀ ନିଜେ ପୁତ୍ରର ସମ୍ମୁଖରେ ଉପରୋକ୍ତ ପ୍ରସ୍ତାବ ଏହିପରି ବ୍ୟକ୍ତ କଲେ— ‘ବାବା, ଦିନେ, ଦି’ ଦିନ ଲାଗି ପଠେଇ ଦେ । ଚିଠି ଉପରେ ଚିଠି ଆସୁଛି । ଆଜି ଶୁଣିଥିଲି ବାପା ବିଚରା ଶକ୍ତ ବେରାମ । ଆହା, ବାପ ମା ଟିକେ ଝିଅକୁ ଦେଖିବା ଲାଗି କେତେ ବାଉଳି ହେଉଥିବେ ? ଦି’ଚାରି ଦିନ ଲାଗି ପଠେଇ ଦେଇ ପୁଣି ଯାଇ ଘେନି ଆସିଲେ ହବ ନାହିଁ ?” ତୁଳସୀ ଦାସ ମା’ଙ୍କର କଥାରେ ତିଳେମାତ୍ର ନରମ ନ ହୋଇ ସଂକ୍ଷେପରେ କହିଲେ, “ବୁଝିଲ, ମା ! ସେ ସବୁ କଥା ତୁ କାନକୁ ନେ ନା । ଯଦି କେହି ନବାକୁ ଆସନ୍ତି, ତେବେ ଦେଖାଯିବ ।”

 

ପୁତ୍ରଠାରୁ ଏପରି ନିରାଶ ବାଣୀ ଶୁଣି ହୁଳସୀ ଦେବୀ ଆଉ ସାହସ କରି କିଛି କରନ୍ତି ନାହିଁ । ସାଇପଡ଼ିଶା ମାଇପେ କିଏ କେତେ ଭଳିକଥା କହୁଛନ୍ତି—“ଆହା ! ବୋହୂଟା ଘର କଣରେ ପଡ଼ି ସଢ଼ି ଗଲାଣି, ବାପ ମା’ଙ୍କୁ ଟିକିଏ ଦେଖିବ ବୋଲି । ଏ ଟୋକାଟା ଏଡ଼ିକି ଜିଦିଖୋର୍ ? ରାଇଜରେ ସମସ୍ତଙ୍କର ବୋହୂ ଅଛନ୍ତି—ବୋହୂଏ ପୁଣି ବର୍ଷକେ ଛ ମାସକେ ବାପଘରକୁ ଦଶ ପନ୍ଦର ଦିନ ପାଇଁ ଯାଉଛନ୍ତି ନା—ଏଭଳି ଘର ତ କାହିଁ ଦେଖ ନାହିଁ ଲୋ—ସେହିଭଳି ବୋହୂ ସେ ବୋଲି ସମ୍ଭାଳି କରି ରହିଛି ।”

 

ପିତାଙ୍କର ପୀଡ଼ା ସମ୍ବାଦ ଶୁଣି ରତ୍ନାବଳୀର ମନ ଛଟପଟ ହେଲାଣି । ଆଜି ଖିଆପିଆ ନ କରି ମନଦୁଃଖରେ ବସିଥିଲା ବେଳେ ତୁଳସୀ ଦାସ ଆସି ବିଷାଦର କାରଣ ପଚାରିବାରୁ ଦୁଃଖୀନୀ ନିଜର ମନର ଭାବ ବ୍ୟକ୍ତ କରି କହିଲା, “ଦୁଇ ଚାରି ଦିନ ପାଇଁ ମତେ ପଠାଇଦିଅ । ବାପାଙ୍କ ଦେହ ଟିକିଏ ଭଲ ହେବାର ଦେଖିଲେ ମୁଁ ଚାଲି ଆସିବି ! ମୁଁ କଣ ବେଶିଦିନ ରହିବି ?”

 

ତୁଳସୀ ଦାସଙ୍କ ମନ ଟିକିଏ ନରମ ହେଲା । ସେ ପ୍ରାଣପ୍ରିୟା ପ୍ରଣୟିନୀର ବିଷାଦ-ବିରସ ବଦନ ଦେଖି ତାକୁ କୋଳକୁ ଟାଣି ଆଣି କହିଲେ, “ଆଚ୍ଛା ! ମୁଁ କାଲି ହାଟରୁ ତୁମ ପାଇଁ ଖଣ୍ଡେ ଲୁଗା ଆଣିବାକୁ ଯିବି । ଯଦି ବାପାଙ୍କର ଦେହ ଦୁଃଖ କଥା ସତ ହୋଇ ଥାଏ, ତେବେ କିଛିଦିନ ଲାଗି ପଠାଇଦେବି ।”

 

ରାତି ନ ପାହୁଣୁ ତୁଳସୀ ଦାସ ହାଟକୁ ଚାଲିଗଲେ । ଏହା ମଧ୍ୟରେ ସବାରି ଘେନି ରତ୍ନାବଳୀର ବାପଘରୁ ଝିଅକୁ ନେବା ପାଇଁ ଲୋକ ଉପସ୍ଥିତ । ଦୀନବନ୍ଧୁ ପାଠକ କଠିନ ରୋଗାକ୍ରାନ୍ତ । କେବଳ ପ୍ରୀୟତମା କନ୍ୟାକୁ ମୃତ୍ୟୁ ପୂର୍ବରୁ ଥରେ ଦେଖିବାର ଆଶାରେ ସବାରୀ ଗଉଡ଼ ପଠାଇଛନ୍ତି ।

 

ହୁଳସୀ ଦେବୀଙ୍କର ଚକ୍ଷୁ ଲୋତକପୂର୍ଣ୍ଣ ହୋଇଗଲା । ସେ କଣ କରିବେ କିଛି ସ୍ଥିର କରି ପାରିଲେ ନାହିଁ । ସେଇ ପଡ଼ିଶାରୁ ସମସ୍ତେ ବୋହୂକୁ ପଠାଇ ଦେବାକୁ ଏକା ଜିଗର କଲେ । କିନ୍ତୁ ତୁଳସୀ ଯେମିତି ଏକଜିଦିଆ ପିଲା, ଆସିକରି କଣ ଗୋଟାଏ କରି ପକାଇବ, ଏହି ଭୟରେ ହୁଳସୀ ଦେବୀ କହିଲେ, ତୁମ୍ଭେମାନେ ଖିଆପିଆ କର । ତୁଳସୀ ଆସିଲେ ଯାହା କରାଯିବ ।”

 

କିନ୍ତୁ ସେମାନେ କହିଲେ, “ସାଙ୍ଗେ ସାଙ୍ଗେ ଯିବାକୁ ହେବ, ନୋହିଲେ ବାପ ଝିଅଙ୍କର ଆଉ ଦେଖା ହେବା ଅସମ୍ଭବ ।”

 

ରତ୍ନାବଳୀ ପିତାଙ୍କର ବିଷମ ପୀଡ଼ା ସମ୍ବାଦ ଶୁଣି ଘର କଣରେ ରଡ଼ି ଛାଡ଼ିଲାଣି । ହୁଲସୀ ଦେବୀ ଏ ବିଷମ ସଙ୍କଟରେ ପଡ଼ି କିଛିକ୍ଷଣ ପର୍ଯ୍ୟନ୍ତ କର୍ତ୍ତବ୍ୟ ସ୍ଥିର କରି ପାରିଲେ ନାହିଁ । ପରେ ସମବେତ ମହିଳାମାନଙ୍କର ଅନୁରୋଧକ୍ରମେ ବୋହୂକୁ ପିତ୍ରାଳୟକୁ ପଠାଇ ଦେଲେ ।

Image

 

ଚତୁର୍ଥ ପରିଚ୍ଛେଦ

ଚୈତନ୍ୟ

 

ବେଳ ଦ୍ଵି ପ୍ରହରରୁ ଗଡ଼ି ପଡ଼ିଲାଣି । ହୁଳସୀ ଦେବୀ ଅତି ଯତ୍ନର ସହିତ ପାଞ୍ଚ ସାତ ପ୍ରକାର ଭଜା, ତରକାରି କରି ପୁତ୍ରର ଅପେକ୍ଷାରେ ଅଛନ୍ତି । ତୁଳସୀର ଦୁଃଖକ୍ରୋଧଦଗ୍ଧ ପ୍ରାଣକୁ କିପରି ଶୀତଳ କରିବେ, ଏଇ ଚିନ୍ତାରେ ସେ ଅସ୍ଥିର । ସେଥିପାଇଁ ସେ ଆଜି ଯତ୍ନରେ ରନ୍ଧନ କାର୍ଯ୍ୟ ଶେଷ କରି ଘର ପଛରେ ଥିବା ପୁଷ୍କରିଣୀକୁ ବାସନ ଧୋଇବାକୁ ଯାଇଛନ୍ତି—ଏହି ସମୟରେ ତୁଳସୀ ଦାସ ହାଟରୁ ଦୁଇଟି ଲୁଗା ଖରିଦ କରି ଘରେ ଆସି ପହଞ୍ଚିଲେ ।

 

ଏ ଘର ସେ ଘର ସବୁ ଖୋଜି କାହାକୁ ପାଇଲେ ନାହିଁ । ହୃଦୟରେ ଆଶଙ୍କାବହ୍ନି ଦପ୍ କରି ଜଳି ଉଠିଲା । “କାହିଁ, କେହି ଯେ ନାହାନ୍ତି ? ମୁଁ ଏତେବେଳ ସରିକି ତା ପାଇଁ ଲୁଗା କିଣି ଘରକୁ ଫେରୁଛି; ସେ ଯେଉଁଠି ଥିଲେ ତ ସୁଦ୍ଧା ମୋତେ ଆସି ତାହାର ମଧୁମୟ ହସ ହସ ମୁହଁଟି ଦେଖାଇ ମୋର ସମସ୍ତ ଶାନ୍ତି ଦୂର କରି ସାରନ୍ତାଣି । ତାର ବାପାଙ୍କର ଅସୁସ୍ଥତାର ସମ୍ବାଦ ଆସିଥିଲା; ଆଜି କଣ ତେବେ କେହି ଆସି ତାକୁ ନେଇ ଯାଇଛି ନା କଣ ? ମା ବା କାହିଁ ?” ଖରାରେ ଆସି ଆସି ତୁଳସୀ ଦାସ ଶ୍ରାନ୍ତ ହୋଇ ପଡ଼ିଥିଲେ, କ୍ଷୁଧାରେ ମଧ୍ୟ ଅସ୍ଥିର–ଏପରି ଅବସ୍ଥାରେ ଏ ଦାରୁଣ ପରିସ୍ଥିତ ! ନିଶ୍ଚୟ କିଛି ନା କିଛି ଘଟିଛି–ନୋହିଲେ ଘରଯାକ ଲୁଗାପଟା ଏପରି ଇତସ୍ତତଃ ହୋଇ କାହିଁକି ପଡ଼ିଥାନ୍ତା ? ତୁଳସୀ ଦାସ ଆଉ ସମ୍ଭାଳି ପାରିଲେ ନାହିଁ; ରାଗ ଓ ବିରକ୍ତିସୂଚକ ସ୍ୱରରେ ଡାକିଲେ, “ମା, ମା, ହେ ମା ।”

 

ପୋଖରୀ କୂଳରେ ହୁଳସୀ ଦେବୀ ଉତ୍ତର ଦେଲେ, “ହଁ, ହଁ, ବାପ, ଯାଉଛି ଚାଲ ।” ହୁଳସୀଙ୍କ ପ୍ରାଣ ଭୟରେ କମ୍ପୁଛି । ପୁତ୍ରର ମୁଖର ଭାବ ଦେଖି ଓ କଣ୍ଠସ୍ୱର ଶୁଣି ସେ ଜାଣିଲେଣି, ନିଶ୍ଚୟ ଗୋଟାଏ କିଛି ଅନର୍ଥ ଘଟିବ । ମାତାଙ୍କୁ ଦେଖିବା ମାତ୍ରେ ତୁଳସୀ ଦାସ ବିରକ୍ତ ହୋଇ ପଚାରିଲେ, “ତୋର କଣ ବାସନ ଧୋଇବାକୁ ଆଉ ବେଳ ନ ଥାଏ ? ମୁଁ ଯେତିକି ବେଳକୁ ଆସିବି, ଠିକ୍ ସେତିକି ବେଳକୁ ଘରଦ୍ୱାର ଶୂନ୍ୟ ପଡ଼ିଥିବ ? ସେ କାହିଁ ଗଲା କି ?”

 

ହୁଳସୀ କୋମଳ ସ୍ୱରରେ ପଚାରିଲେ, “ବୋହୂ କଥା ପଚାରୁଛୁ ବାପ ?” “ହଁ, ହଁ, ତାରି କଥା ପଚାରୁଛି । ଘରେ ଆଉ କେତେ ଜଣ ଅଛନ୍ତି କି ?”

 

ହୁଳସୀ ଦେବୀ ଦେଖିଲେ ଆଉ ଉପାୟ ନାହିଁ । କହିବାକୁ ହିଁ ହେବ । ଭୟରେ ଦୁଇ ଚାରି ଢୋକ ଖାଇ ସକାଳୁ ଏ ପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା, ଗୋଟି ଗୋଟି କରି ସବୁ କହିଗଲେ-। କିପରି ସବାରି ଘେନି ବୋହୂଘରୁ ଲୋକ ଆସିଥିଲେ, କିପରି ପ୍ରଥମେ ସେ ରତ୍ନାବଳୀକୁ ପଠାଇବାକୁ ଅସ୍ୱୀକୃତ ଥିଲେ, ରତ୍ନାବଳୀ ନିଜେ କିପରି କାନ୍ଦି କାନ୍ଦି ମୃତ୍ୟୁପୂର୍ବରୁ ପିତାଙ୍କୁ ଥରେ ଦେଖି ଆସିବା ପାଇଁ ବ୍ୟାକୁଳ ଭାବରେ ପ୍ରାର୍ଥନା କଲା ଏବଂ ବିଳମ୍ବ ହେଲେ ପିତାଙ୍କ ସହିତ କନ୍ୟାର ସାକ୍ଷାତ୍ ଅସମ୍ଭବ ବୋଲି ସେମାନେ କିପରି ପ୍ରକାଶ କଲେ—ସମସ୍ତ ଘଟନା ଆମୂଳଚୂଳ କହିଗଲେ ।

 

ତୁଳସୀ ଦାସ ଚିତ୍ରାର୍ପିତ ପରି ସବୁ ଶୁଣିଲେ । ପ୍ରାଣପ୍ରିୟାର ଅନୁପସ୍ଥିତିରେ ସମସ୍ତ ସଂସାର ତାଙ୍କୁ ଅନ୍ଧକାରମୟ ବୋଧହେଲା । ଯାହାକୁ ମୁହୂର୍ତ୍ତେ ନ ଦେଖିଲେ ତାଙ୍କ ପ୍ରାଣ ବ୍ୟାକୁଳ ହୋଇ ଉଠେ, ତାକୁ ଏତେ ଦିନ କାଳ ନ ଦେଖି ସେ କିପରି ଧୈର୍ଯ୍ୟ ଧରି ରହିବେ ? ସେ ଥକାହୋଇ ବସି ପଡ଼ିଲେ । କେତେ ବେଳଯାଏ କଣ ମନେ ମନେ ଭାବିଲେ, ତାହା ତାଙ୍କୁ ହିଁ ଜଣା-। ହୁଳସୀ ଦେବୀ ଭୟରେ କିଛି କହୁ ନ ଥାନ୍ତି । ଦୁଃଖିନୀର ଦୁଃଖପାସୋରା ତୁଳସୀ ତାଙ୍କର, ଅନ୍ଧର ଲଉଡ଼ି, କୁଟୀରର ମାଣିକ ଏକମାତ୍ର ତୁଳସୀ ତାଙ୍କର—ତାକୁ କୌଣସିମତେ ବୁଝାଇ ଶୁଝାଇ ଶାନ୍ତ କରିବାକୁ ହେବ । ଜାଣି ସେ ତ ଏକଜିଦିଆ ପିଲା । ପୁଣି ରାଗବେଳେ କଣ କହିଲେ କାଳେ ବିଗିଡ଼ିଯିବ । ହୁଳସୀ ଦେବୀ ନୀରବତାକୁ ଶ୍ରେୟସ୍କର ମଣିଲେ । କିଛିକ୍ଷଣ ପରେ ତୁଳସୀ ଦାସ ଉଠି ପୂଜା କାର୍ଯ୍ୟ ଶେଷ କରି ମାତାଙ୍କ ଅନୁରୋଧ ରକ୍ଷା କରିବା ନିମନ୍ତେ ଭୋଜନରେ ବସିଲେ-। କିନ୍ତୁ ମନ ଯେ ଚଞ୍ଚଳ—ପୂଜା କି ଭୋଜନ କାହିଁରେ ତୃପ୍ତି ଆସିଲା ନାହିଁ ।

 

ସନ୍ଧ୍ୟା ଉପସ୍ଥିତ ପ୍ରାୟ । ଆକାଶରେ ଖଣ୍ଡେ କଳାମେଘ ଘୋଟି ଅନ୍ଧକାର କରି ଆସିଲାଣି । ତୁଳସୀ ଦାସଙ୍କୁ ସେ ସବୁ କିଛି ଦିଶୁନାହିଁ । ତାଙ୍କ ନିଜ ହୃଦୟ ଆଜି ମେଘାଚ୍ଛନ୍ନ । ଶ୍ୱଶୁରାଳୟ ଧରମପୁରକୁ ନ ଗଲେ ସେ ମେଘ ଘୁଞ୍ଚିବ ନାହିଁ । ତରତର ହୋଇ ଭୋଜନରୁ ଉଠିଲେ । ପ୍ରାଣ ଉଦାସ ହୋଇଅଛି । ତେଣୁ ସେଇ ଉଦାସଭାବରେ ଘରୁ ବାହାରିଲେ । ଗଲାବେଳେ ମା’ଙ୍କ ଆଡ଼କୁ ଟିକିଏ ସୁଦ୍ଧା ଅନାଇଲେ ନାହିଁ । କେବଳ ରାଗ ଗରଗର ହୋଇ କହିଲେ, “ମା, ହେଇଟି ଯାଉଛି, ଆଜି ଏ ଜନ୍ମ ସକାଶେ ଯାଉଛୁ ।”

 

ହୁଳସୀ ଦେବୀଙ୍କ ମସ୍ତକରେ ବଜ୍ରପାତ ହେଲା । ସେ ଜାଣିପାରିଥିଲେ ଯେ, ତୁଳସୀ ନିଶ୍ଚୟ ଧରମପୁର ଯିବ । କିନ୍ତୁ ଏ ମେଘ–ଅନ୍ଧାରରେ ଏକୁଟିଆ ହୋଇ ଚାଲିଯାଉଛି, ତାଙ୍କୁ ଟିକିଏ ଚାହିଁଲା ନାହିଁ, ପୁଣି ଗଲାବେଳେ କହିଗଲା ଯେ—ମା, ଏ ଜନ୍ମ ସକାଶେ ଆଜି ଯାଉଛି—ଏହାର ଅର୍ଥ କଣ ? ହୁଳସୀ ଦେବୀ କଣ କରିବେ ବୋଲି ତାଙ୍କୁ ବୁଦ୍ଧି ବାଟ ଦିଶିଲା ନାହିଁ । ଅବଶେଷରେ ଦୁଃଖୀରାମକୁ ଏ ବିଷୟ ଜଣାଇବାକୁ କାତର ହୋଇ ଧାଇଁଲେ ।

 

ଘୋର ଅନ୍ଧକାର, ମୁହଁକୁ ମୁହଁ ଦିଶୁନାହିଁ । ଝଡ଼, ବୃଷ୍ଟି, ବିଜୁଳି, ଘଡ଼ଘଡ଼ିରେ ଦିଗ୍‍ବିଦିଗ କମ୍ପୁଛି । ଯମୁନାର ଲହାରୀମାଳା ସହସ୍ର ଭଙ୍ଗିରେ ନୃତ୍ୟକରି ଅନ୍ଧ ମାନବଜାତିକୁ ଶତଧିକ୍କାର କରୁଅଛନ୍ତି । ତଥାପି ଭ୍ରୂକ୍ଷେପ ନାହିଁ । ପତ୍ନୀ-ବିୟୋଗ-ବିଧୁର ତୁଳସୀ ଦାସ ଏକ ଲକ୍ଷ୍ୟରେ ଧରମପୁର ଉଦ୍ଦେଶ୍ୟରେ ଚାଲିଅଛନ୍ତି । ରତ୍ନାବଳୀର କନକ-ନିନ୍ଦୀ କାନ୍ତି, ତାର ଇନ୍ଦୀବର-ନେତ୍ରଯୁଗଳ ତାଙ୍କୁ ସେ ଦୁର୍ଗମ, ତିମିରାଚ୍ଛନ୍ନ ପ୍ରାନ୍ତରରେ ଧ୍ରୂବତାରା ପରି ପଥ ଦେଖାଇ ନେଉଛି । ନିଜର ଶରୀର ପ୍ରତି ମମତା ନାହିଁ । ବୃଷ୍ଟିରେ ବସ୍ତ୍ର ଓ ଉତ୍ତରୀୟ ଖଣ୍ଡି ଆର୍ଦ୍ର ହୋଇଗଲାଣି । ତଥାପି ତୁଳସୀ ଦାସ ଚତୁର୍ଦ୍ଦିଗ ରତ୍ନାବଳୀମୟ ଦେଖୁଅଛନ୍ତି । ଯାହାକୁ ଦଣ୍ଡେ ନ ଦେଖିଲେ ତାଙ୍କର ପ୍ରାଣ ଅସ୍ଥିର ହେଉଥିଲା, ତାକୁ ଆଜି ଦିନଯାକ ହରାଇ ତାଙ୍କୁ ଦିଗ୍‍ବିଦିଗ ଶୂନ୍ୟ ଦେଖାଯାଉଛି । କେବଳହିଁ ତାର ନବଯୌବନ–ପଦ୍ମର ପ୍ରସ୍ଫୁଟିତ ଲାବଣ୍ୟ ତାଙ୍କର ଏକମାତ୍ର ଲକ୍ଷ୍ୟ । ଏତେବେଳେ ବର୍ଷା, ବଜ୍ର, ବିଜୁଳି, ବନଜଙ୍ଗଲ କିମ୍ବା ରାତ୍ରିର ଅନ୍ଧକାର ତାଙ୍କୁ କୌଣସିମତେ ବାଧା ଦେଇପାରୁ ନାହାନ୍ତି ।

 

ରତ୍ନାବଳୀ ଅନେକ ଦିନ ଉତ୍ତାରେ ପିତ୍ରାଳୟକୁ ଆସିଥିବାରୁ ଧରମପୁରର ଝିଅ ବୋହୂମାନେ ଦଳ ଦଳ ହୋଇ ଦୀନବନ୍ଧୁ ପାଠକଙ୍କ ଘରକୁ ଆସୁଅଛନ୍ତି । ରାତ୍ରି ପ୍ରାୟ ଦୁଇଘଡ଼ି ହେଲାଣି । ବୃଷ୍ଟି ବନ୍ଦ ହୋଇ ଆକାଶ ପରିଷ୍କାର ହୋଇ ଯାଇଛି । ରତ୍ନାବଳୀ ଆସିଲାବେଳୁଁ ଦୀନବନ୍ଧୁଙ୍କ ପୀଡ଼ାରେ ଟିକିଏ ଲାଘବ ହୋଇଛି । ବୋଧହୁଏ ସ୍ନେହର ପିତୁଳା କନ୍ୟାଟିକି ବହୁ ଦିନ ପରେ ଦର୍ଶନ କରି ବୃଦ୍ଧ ଦୀନବନ୍ଧୁ ହୃଦୟରେ ଆଶ୍ଵାସ ପାଇଅଛନ୍ତି । ପିତାଙ୍କର ଯଥୋଚିତ ସେବାଶୁଶ୍ରୂଷା ସମାପନ କରି ରତ୍ନାବଳୀ ସମବୟସୀମାନଙ୍କ ସହିତ ଗଳ୍ପାମୋଦରେ ରତ । ଏପରି ସମୟରେ ତୁଳସୀ ଦାସ ସେଠାରେ ଆସି ଉପସ୍ଥିତ । ସିକ୍ତ–ବସ୍ତ୍ର, ଅସ୍ଥିରଗମନ, ଦୂରରୁ ଦେଖିଲେ କେହି ପ୍ରକୃତିସ୍ଥ ମାନବ ବୋଲି ଭାବିବ ନାହିଁ, ଯେପରି ସାକ୍ଷାତ୍ ଗୋଟିଏ ଉନ୍ମାଦଗ୍ରସ୍ତ ଯୁବକ । ତୁଳସୀ ଦାସ ରତ୍ନାବଳୀ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିଲେ, “ରତ୍ନା ? ଏ କଣ, ତୁମେ ମତେ ନ କହି କିପରି ଚାଲି ଆସିଲ ?”

 

ରତ୍ନାବଳୀ ସାମାନ୍ୟ ସ୍ତ୍ରୀ ନୁହନ୍ତି । ଯେଉଁପରି ରୂପବତୀ, ସେହିପରି ଗୁଣବତୀ, ସେହିପରି ମଧ୍ୟ ଭାଗ୍ୟବତୀ । ଭକ୍ତଶିରୋମଣି କବିକୁଳତିଳକ ତ୍ୟାଗୀ ତୁଳସୀ ଦାସଜୀ ଯାହାଙ୍କ ନିକଟରେ ପରାଜୟ ସ୍ଵୀକାର କରିଥିଲେ, ସତୀତ୍ୱର ଜ୍ୱଳନ୍ତ ମହିମା ଓ କର୍ତ୍ତବ୍ୟର ଅସାଧାରଣ ପରାକାଷ୍ଠା ଯାହାଙ୍କ ଜୀବନରେ ବର୍ତ୍ତମାନ ଥାଇ ସହଧର୍ମିଣୀ ନାମକୁ ସାର୍ଥକ କରିଅଛି, ସେହି ରତ୍ନାବଳୀ–ହୁଳସୀ ଦେବୀଙ୍କର ପୁତ୍ରବଧୂ, ତୁଳସୀ ଦାସଙ୍କର ପ୍ରାଣର ପ୍ରେୟସୀ । ତ୍ରିଲୋକନାଥ ଅପାରମହିମା ଜଗଦୀଶ୍ୱରଙ୍କର ମାୟା ବଡ଼ ବିଚିତ୍ର । ସେ ଅରୂପ, ଅଗୋଚର, ଅନାଦି, ଅନନ୍ତ ହେଲେହେଁ ନାନା ଭାବରେ, ନାନା ରୂପରେ ଜଗତର କଲ୍ୟାଣ ଅର୍ଥେ ତାଙ୍କର ମହତ୍ ଉଦ୍ଦେଶ୍ୟ ସାଧନ କରିଥାନ୍ତି । ଗୀତାରେ ଅଛି—

 

“ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ

ଧର୍ମସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ ।”

 

ସେହି ନବଦୂର୍ବାଦଳଶ୍ୟାମ ବିଶ୍ଵମୋହନ ବିଶ୍ଵରୂପଙ୍କର ବିଭୂତିଯୋଗରେ ତୁଳସୀ ଦାସଙ୍କର ପତ୍ନୀ ରତ୍ନାବଳୀ ଆଜି ମହାଭାବମୟୀ । ସ୍ଵାମୀଙ୍କୁ ଏପରି ଶୋଚନୀୟ ଅବସ୍ଥାରେ ଅକସ୍ମାତ୍ ଉପସ୍ଥିତ ଦେଖି ତାଙ୍କର ଲଜ୍ଜା ଓ ଘୃଣା ଜାତ ହେଲା । ଏକେ ତ ଶାସ୍ତ୍ରାଧ୍ୟାୟୀ, ବ୍ରହ୍ମଚାରୀ; ଦ୍ଵିତୀୟରେ ଗୁରୁ ନୃସିଂହ ଦାସଙ୍କର ଶିଷ୍ୟ, ତା’ ପରେ ପୁଣି ଏତେ ଶୀଘ୍ର ? ମାସେ ନୁହେଁ କି ଛ ମାସ ନୁହେଁ, ଏକ ଦିନର ବ୍ୟବଧାନ ମଧ୍ୟ ନୁହେଁ । ସ୍ତ୍ରୀଟା ଉପରେ ଏତେ ଆସକ୍ତ ଯେ, ଉନ୍ମାଦଗ୍ରସ୍ତ ପରି ଏକାକୀ ଏତେ ଦୂର ପଥ ବର୍ଷାରେ ତିନ୍ତି ତିନ୍ତି ଧାଇଁଛନ୍ତି । ରତ୍ନାବଳୀଙ୍କ ମନରେ ଏସବୁ ଭାବନା କେତେବେଳେ ସ୍ଥାନ ପାଇଲା କେଜାଣି, ସ୍ଵାମୀଙ୍କର ପ୍ରଶ୍ନ ଶୁଣିବାମାତ୍ରେ ସେ ଉତ୍ତର କଲେ, “ସ୍ୱାମିନ୍ ! ମୁଁ ତୁମ୍ଭଙ୍କୁ ସଂଯମୀ, ବେଦଜ୍ଞ ବ୍ରହ୍ମଚାରୀ ବୋଲି ଭାବିଥିଲି । ତୁମେ କ’ଣ ଆଜି ତାର ଏହି ପରିଚୟ ଦେଲ ? ଛାର ରମଣୀର ସୌନ୍ଦର୍ଯ୍ୟ ପ୍ରତି ଯାହାର ଏତେ ଆସକ୍ତି, ସେ କିପରି ହିତାହିତ ବା କର୍ତ୍ତବ୍ୟାକର୍ତ୍ତବ୍ୟ ବିବେଚନା କରିପାରେ ? ଏ ଦେହ ମୋର କେତେ କାଳ ପାଇଁ ? ‘ଧୂଳିର ଏ ମରକଳେବର’ ଦିନେ ଧୂଳିରେ ମିଶିବ । ଏ ନବୀନ ଯୌବନର କମନୀୟ କାନ୍ତି ଇନ୍ଦ୍ରଧନୁଶୋଭା ସମ କ୍ଷଣସ୍ଥାୟୀ । ଏହା ଜାଣି ଶୁଣି ତୁମ୍ଭେ ନଶ୍ଵର ରୂପ ଯୌବନର ମୋହ ଏଡ଼ି ନ ପାରି ଆଜି ନିଜର ପ୍ରାଣକୁ ଭ୍ରୂକ୍ଷେପ ନ କରି ଏ ଝଡ଼ବର୍ଷାରେ ଧାଇଁଛି ? ଏଇ ଆସକ୍ତିଟିକ, ଏଇ ବ୍ୟାକୁଳତାଟିକ ଯଦି ରାଜୀବଲୋଚନ ଶ୍ରୀରାମଚନ୍ଦ୍ରଙ୍କ ପ୍ରତି ଅର୍ପଣ କରନ୍ତ, ତେବେ ତୁମ୍ଭର ଏ ପାପତାପଗ୍ରସ୍ତ ସଂସାରବନ୍ଧନରୁ ମୁକ୍ତି ଲଭିବାର ପଥ ନିଶ୍ଚୟ ସୁଗମ ହୋଇଯାନ୍ତା । ସେ ପ୍ରେମପାରାବାରରେ ଥରେ ସନ୍ତରଣ କଲେ ତୁମ୍ଭେ ଏ ଅନିତ୍ୟ ପ୍ରେମକୁ ଭୁଲିଯାଇ ଅକ୍ଷୟ ଆନନ୍ଦ ଅନୁଭବ କରିପାରନ୍ତ । ସେ ତ୍ରିଭୁବନ-ବନ୍ଦିତ, କଞ୍ଜଲୋଚନ ଭଗବାନଙ୍କର ଶ୍ୟାମଳ ଶାନ୍ତମୂର୍ତ୍ତି ଦର୍ଶନରେ ତୁମ୍ଭର ଐହିକ ଜୀବନ ସାର୍ଥକ ହୋଇଯାନ୍ତା । ଟିକିଏ ଭାବିଲ ଦେଖି, ତା ନିକଟରେ ରମଣୀ ଏ କ୍ଷଣିକ ସୌନ୍ଦର୍ଯ୍ୟ କି ଛାର !”

 

ତୁଳସୀ ଦାସଙ୍କର ମୋହ ଭାଙ୍ଗିଲା । ରତ୍ନାବଳୀର ବାକ୍ୟବାଣରେ ତାଙ୍କ ହୃଦୟ-କାନନର ସୁପ୍ତ-ବିବେକ-ସିଂହ ଜାଗ୍ରତ ହୋଇ ଉଠିଲା । ନିମେଷ ମାତ୍ରେ ରୂପଜ-ମୋହର ଘନ ଆବରଣଟି ଘୁଞ୍ଚିଯାଇ କେଉଁ ନିତ୍ୟନୂତନ ନୟନାଭିରାମ ସ୍ୱର୍ଗୀୟ ରାଜ୍ୟର ଗୋଟିଏ ଚିରସୁନ୍ଦର ଚିତ୍ର ତାଙ୍କ ସମ୍ମୁଖରେ ଆଙ୍କି ହୋଇଗଲା । ସେ କଳ୍ପନା–ଗବାକ୍ଷ–ଦ୍ୱାରରେ ସେହି ନବଜଳଧରମୂର୍ତ୍ତି ଜଗନ୍ମୋହନଙ୍କରି ମନୋରମ ରୂପ ଦର୍ଶନ କରି ମନେ ମନେ ଅପାର ଆନନ୍ଦ ଅନୁଭବ କଲେ । ବାସ୍ତବିକ, କି ଭ୍ରମରେ ସେ ଏପର୍ଯ୍ୟନ୍ତ ପଡ଼ିଥିଲେ, ତାହା ବର୍ତ୍ତମାନ ବୁଝିପାରିଲେ । ରତ୍ନାବଳୀକୁ ସମ୍ବୋଧନ କରି ସେ ଏହିପରି କହିଲେ, “ପ୍ରିୟେ ! ତୁମ୍ଭେ ଆଜି ମୋତେ ଯେଉଁ ସଦୁପଦେଶ ପ୍ରଦାନ କଲ, ଯେଉଁ ମହତ୍ ଜ୍ଞାନ ଶିକ୍ଷା ଦେଲ, ସେଥିରେ ମୋର ଚୈତନ୍ୟ ଉଦୟ ହୋଇଅଛି । ତୁମ୍ଭପରି ମହାଶିକ୍ଷାଦାୟିନୀ ଗୁଣବତୀ ଓ ଭକ୍ତିମତୀ ପତ୍ନୀ ପାଇ ମୁଁ ଜୀବନକୁ ଧନ୍ୟ ମଣୁଅଛି । ତୁମ୍ଭେ ସହଧର୍ମିଣୀ ନାମର ସାର୍ଥକତା ସମ୍ପାଦନ କରିଅଛ । କି ମୂଢ଼, କି ଅଧମ ମୁଁ ! ଏ ପର୍ଯ୍ୟନ୍ତ ଏ ତ୍ରିତାପ–ଗ୍ରସ୍ତ ଐହିକ ଜୀବନର ବେଷ୍ଟନୀ ମଧ୍ୟରେ ଥାଇ ସେହି ଚିର–ଈପ୍ସିତ, ଦେବଦୁର୍ଲ୍ଲଭ ସୁଖରାଜ୍ୟର ସୀମା ପର୍ଯ୍ୟନ୍ତ ଛୁଇଁ ପାରିଲି ନାହିଁ ? ଆଉ ଦିନ କାହିଁ ? କେଉଁ ଦିନ ଆଉ ସେ ପରାତ୍ପର ପରମେଶ୍ୱରଙ୍କର ଚରଣରେଣୁରେ ଧୂସର ହୋଇ ପବିତ୍ର ପ୍ରେମାମୃତ ପାନ କରିବି ? ଯାଉଛି, ପ୍ରିୟେ ! ତୁମ୍ଭ ନିକଟରେ ଚିର-ଋଣୀ ହୋଇ ଯାଉଛି ।” ଏହା କହି ତୁଳସୀ ଦାସ ଗମନୋଦ୍ୟତ ହୁଅନ୍ତେ ରତ୍ନାବଳୀ ତାଙ୍କ ହସ୍ତ ଧରି କାତର ଭାବରେ ପ୍ରାର୍ଥନା କଲେ, “ପ୍ରଭୋ ! କ୍ଷମାକାର ଏ ଦାସୀକୁ ।” ତୁଳସୀ ଦାସ କହିଲେ, “ନା, ନା, ତୁମେ ମୋର ଦାସୀ ନୁହଁ—ତୁମେ ମୋର ଅଜ୍ଞାନନାଶିନୀ, ଶିକ୍ଷାଦାତ୍ରୀ; ତୁମେ ମୋର ଯଥାର୍ଥ ସହଧର୍ମିଣୀ—ଛାଡ଼, ମୋତେ ଛାଡ଼ିଦିଅ, ଆଉ ହେବ ନାହିଁ ।” ଏହା କହି ପାଗଳଙ୍କ ପରି ତୁଳସୀ ଦାସ ଗୃହ ମଧ୍ୟରୁ କ୍ଷିପ୍ର ଗତିରେ ପଳାୟନ କଲେ ।

 

ସେହି ମୁହୂର୍ତ୍ତ ତାଙ୍କର ସୌଭାଗ୍ୟମୟ ଜୀବନର ପ୍ରଥମ ପ୍ରଭାତ । ସୌନ୍ଦର୍ଯ୍ୟର ଉପାସନା ସେହିପରି ରହିଲା, କିନ୍ତୁ ପ୍ରତିମା ବଦଳିଗଲା । ତୁଳସୀ ଦାସ ସେହି ଦିନଠାରୁ ନିଜ ହୃଦୟମନ୍ଦିରରୁ ସ୍ତ୍ରୀ-ବିଗ୍ରହକୁ ବହିଷ୍କୃତ କରି ବିସ୍ମୃତି-ସରସୀ-ଗର୍ଭରେ ନିକ୍ଷେପ କରିଦେଲେ ଏବଂ ତାହା ସ୍ଥାନରେ ପରମ ଶୋଭାମୟ ଶ୍ରୀରାମଚନ୍ଦ୍ରଙ୍କର ମୋହିନୀ ମୂର୍ତ୍ତି ସ୍ଥାପନ କରି ତାଙ୍କର ଅଖଣ୍ଡ ଆରାଧନାରେ ମଗ୍ନ ରହିଲେ ।

Image

 

ପଞ୍ଚମ ପରିଚ୍ଛେଦ

ଭ୍ରାତାର ଅନ୍ୱେଷଣ

 

ତୁଳସୀ ଦାସ ଘରୁ ବାହାରିଗଲା ପରେ ହୁଳସୀ ଦେବୀ ଅନ୍ୟ ଉପାୟ ନ ଦେଖି ଦୁଃଖୀରାମକୁ ସମସ୍ତ ବୃତ୍ତାନ୍ତ ଜଣାଇ ପୁତ୍ରର ସନ୍ଧାନ ନେବାକୁ ବ୍ୟାକୁଳ ଭାବରେ ପ୍ରାର୍ଥନା କଲେ । ଦୁଃଖୀରାମ ଖୁଡ଼ୀଙ୍କୁ ବୁଝାଇଶୁଝାଇ କହିଲେ, “ଯାଅ, ଖୁଡ଼ୀ, ଘରକୁ ଯାଅ । ଭାଇ କେଉଁଆଡ଼େ ପଳାଇବେ ନାହିଁ । ଗଲେ ତୁମ ପରି ମା’ କେଉଁଠି ପାଇବେ, ଯେ ଏତେ ଆଦର ଯତ୍ନ କରି ଖୋଇବ, ପେଇବ ? ସେ ନିଶ୍ଚୟ ଧରମପୁର ଯାଇଛନ୍ତି । ଆଜି ତ ସନ୍ଧ୍ୟା ହେଲାଣି । ମୁଁ କାଲି ସକାଳୁ ଯାଇ ତାଙ୍କୁ ସଙ୍ଗରେ ଘେନି ଚାଲିଆସିବି । ତୁମେ ବ୍ୟସ୍ତ ହୁଅ ନାହିଁ—ଯାଅ, ଘରକୁ ଯାଅ ।

 

ମା’ର ପ୍ରାଣ ଏଥିରେ କଣ ବୁଝିବ ? ହୁଳସୀ ଦେବୀ ପ୍ରାଣାଧିକ ଧନକୁ ହରାଇ ନିଶ୍ଚିନ୍ତ ରହି ପାରୁନାହାନ୍ତି । ସେ ଦୁଃଖୀର ହାତ ଧରି କହିଲେ, “ବାପା, ମୁଁ କାହିଁକି ଘରକୁ ଯିବି ? ଘରେ କିଏ ଅଛି ଆଉ ? ଏ ମେଘ ଅନ୍ଧାରରେ ସେ ଏକା ହୋଇ ବାହାରିଗଲା । ପୁଣି ଗଲାବେଳେ ମୋତେ କହିଲା— ‘ଯାଉଛି ମା, ଏ ଜନ୍ମ ସକାଶେ ଯାଉଛି’—ମୋର ଭୟ ହେଉଛି, କାଳେ ସେ କୁଆଡ଼େ ସନ୍ନ୍ୟାସୀ ହୋଇ ଚାଲିଯିବ !”

 

ଦୁଃଖୀରାମ ଦେଖିଲେ, ଖୁଡ଼ୀଙ୍କ ପ୍ରାଣକୁ ବଡ଼ ବାଧିଛି । ତାଙ୍କର ମଧ୍ୟ ଆଶଙ୍କା ହେଲା । ସତକୁ ସତ, ପିଲାଦିନେ ତୁଳସୀ ଭାଇ ସଂସାରବିରାଗୀ ହୋଇଯିବେ ବୋଲି କହୁଥିଲେ । କେବଳ ରତ୍ନାବଳୀକୁ ପାଇଲା ପରେ ସେ ସେସବୁ କଥା ଭୁଲି ସଂସାରକାର୍ଯ୍ୟରେ ବ୍ରତୀ ହୋଇଅଛନ୍ତି । ହେଲେ କଣ ହେବ, ଶୁଦ୍ଧ ସୁବର୍ଣ୍ଣ ସେ, ଯେତେବେଳେ ଇଚ୍ଛା ସେତେବେଳେ ସୁବିଧା ପାଇଲେ ସ୍ଵୀୟ ତେଜରେ ସଂସାରକାଳିମା ଧ୍ୱଂସ କରି ନିଜର ଅଭିପ୍ରେତ ସ୍ଥାନକୁ ଚାଲିଯାଇ ପାରନ୍ତି । ଦୁଃଖୀରାମ ଦେଖିଲେ, ସାଙ୍ଗେ ସାଙ୍ଗେ ଭାଇଙ୍କର ସନ୍ଧାନ ନ ନେଲେ ଖୁଡ଼ୀଙ୍କୁ ସମ୍ଭାଳିବା କଷ୍ଟକର ହେବ । ‘ଶୁଭସ୍ୟ ଶୀଘ୍ରଂ’–ତେଣୁ କହିଲେ, “ହଉ ତେବେ ଖୁଡ଼ୀ, ମୁଁ ଯାଉଛି ଦେଖେଁ, ଭାଇ କୁଆଡ଼େ ଗଲେ । ତୁମେ ଯାଅ, ଘରକୁ ଫେରିଯାଅ ।” ହୁଳସୀ ଦେବୀ ମନର ଆବେଗରେ ଦୁଃଖୀକୁ କୋଟି କଲ୍ୟାଣ କରି ସ୍ଵଗୃହକୁ ଫେରି ଆସିଲେ ।

 

ଖୁଡ଼ୀଙ୍କୁ ସାନ୍ତ୍ୱନାବାଣୀ ଶୁଣାଇ ଦୁଃଖୀରାମ ସେହି ମେଘାଚ୍ଛନ୍ନ ରାତ୍ରିରେ ଧରମପୁର ଉଦ୍ଦେଶ୍ୟରେ ଯାତ୍ରା କଲେ । ମନରେ ନାନା ଆଶଙ୍କା କରି ସେ ଯେତେବେଳେ ଯମୁନା ତୀରବର୍ତ୍ତୀ ଏକ ନିବିଡ଼ ଅରଣ୍ୟ ମଧ୍ୟରେ ପ୍ରବେଶ କଲେ (କାରଣ ସେହି ପଥ ଦେଇ ଧରମପୁରକୁ ଯିବାକୁ ହେଉଥିଲା), ସେଠାରେ ହଠାତ୍ ଗୋଟିଏ ରମଣୀର ଚିତ୍କାର ତାଙ୍କର କର୍ଣ୍ଣଗୋଚର ହେଲା । ସେ ଉକ୍ତ କଣ୍ଠସ୍ୱର ଶୁଣି ସ୍ତମ୍ଭିତ ଓ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ନିକଟତର ହୁଅନ୍ତେ, “ପ୍ରଭୋ, ରକ୍ଷାକର” ଏହି କାତରୋକ୍ତି ପୁନଶ୍ଚ ତାଙ୍କୁ ସନ୍ଦେହ–ଦୋଳାରେ ପକାଇଲା । ସେ ଦେଖିଲେ, ଛଅ ସାତ ଜଣ ଦୁର୍ବୃତ୍ତ ଦସ୍ୟୁ ଗୋଟିଏ ଯୁବତୀର ଆଭରଣାଦି ବଳପୂର୍ବକ ଅପହରଣ କରିବାରେ ଲାଗି ପଡ଼ିଅଛନ୍ତି ଏବଂ ନିରାଶ୍ରୟା ଅବଳାଟି ଅନାଥଶରଣ ଭଗବାନଙ୍କୁ କାତର କଣ୍ଠରେ ପ୍ରାର୍ଥନା କରୁଅଛି ।

 

ଦୁଃଖୀରାମ ଏକାକୀ ହେଲେ ସୁଦ୍ଧା ନିଜର କର୍ତ୍ତବ୍ୟ ଉତ୍ତମରୂପେ ବୁଝିପାରିଲେ । ତେଣୁ କାଳ ବିଳମ୍ବ ନ କରି ସେ ଏକ ବିକଟ ସ୍ୱରରେ ଚିତ୍କାର କେଲ, “ଖାଇବି, ସମସ୍ତଙ୍କୁ ଖାଇବି । କଲିଜା ଚିରି ସମସ୍ତଙ୍କର ରକ୍ତ ଖାଇବି ।”

 

ଏକେ ତ ଶ୍ମଶାନ, ଚତୁର୍ଦ୍ଦିଗରେ ମୁଣ୍ଡକଙ୍କାଳମାଳ, ଦ୍ଵିତୀୟରେ ଘୋର ଅନ୍ଧକାର ରଜନୀ, ସେଥିରେ ପୁଣି ରତ୍ନାବଳୀକୁ ଦେଖି ପ୍ରଥମେ ଦସ୍ୟୁମାନେ ତାକୁ ଭୂତ ବୋଲି ସନ୍ଦେହ କରିଥିଲେ । ବର୍ତ୍ତମାନ ଦୁଃଖୀରାମର ଗର୍ଜ୍ଜନ ଶୁଣି ସେମାନେ ଭୟରେ ହତଜ୍ଞାନ ହୋଇ ଯେ ଯାହା ପ୍ରାଣ ଘେନି ପଳାୟନ କଲେ । ଦୁଃଖୀରାମ ତତ୍ପରେ ସ୍ତ୍ରୀଲୋକଟିର ନିକଟକୁ ଯାଇ ତାକୁ ଦେଖିବା ମାତ୍ରେ ଅବାକ୍ ହୋଇ ପଚାରିଲେ, “ଏ କଣ, ଭାଉଜ ? କି ଆଶ୍ଚର୍ଯ୍ୟ, କି ବିଚିତ୍ର ଭଗବାନଙ୍କର ଲୀଳା ! ତୁମେ ଏଠାକୁ କିପରି ଆସିଲ ? ଖବର ସବୁ ଭଲ ତ ? ତୁଳସୀ ଭାଇ ଆସିଥିଲେ, ତାଙ୍କର ସବୁ ଭଲ ତ ?”

 

ରତ୍ନାବଳୀଙ୍କର ଆନନ୍ଦର ସୀମା ରହିଲା ନାହିଁ । ସେ କଣ ଉତ୍ତର ଦେବେ, ଭାବି କିଛି ସ୍ଥିର କରିପାରିଲେ ନାହିଁ । ଦୁଃଖୀ ଆଜି ଯେଉଁ ଭୀଷଣ ସଂକଟରୁ ତାଙ୍କୁ ରକ୍ଷା କରିଛି, ସେଥିପାଇଁ ସେ ଭଗବାନଙ୍କୁ ଓ ଦୁଃଖୀରାମଙ୍କୁ ଅସଂଖ୍ୟ ଧନ୍ୟବାଦ ଅର୍ପଣ କଲେ । ତତ୍ପରେ ସ୍ୱାମୀଙ୍କ ସହିତ ସାକ୍ଷାତ ସମୟଠାରୁ ଏ ପର୍ଯ୍ୟନ୍ତ ଯାହା ଯାହା ଘଟିଥିଲା, ସ୍ୱାମୀଙ୍କୁ ସେ କିପରି କର୍କଶ ଭାବରେ ତିରସ୍କାର କଲେ ଏବଂ ତାର ଫଳରେ ସେ କିପରି ଭଗବଦ୍‍ଭାବୋନ୍ମତ୍ତ ହୋଇ ଶ୍ୱଶୁରାଳୟରୁ ବାହାରି ଆସିଲେ, ତତ୍ପରେ ମାତା ଓ ସଙ୍ଗୀମାନଙ୍କର ସାନ୍ତ୍ୱନା ସତ୍ତ୍ୱେ ସେ ନିଜେ କିପରି ଏକାକିନୀ ସ୍ୱାମୀଙ୍କୁ ଫେରାଇ ନେବାପାଇଁ ଏତେ ରାତ୍ରିରେ ଅରଣ୍ୟପଥରେ ଆସି ଦସ୍ୟୁମାନଙ୍କ ହସ୍ତରେ ପଡ଼ିଥିଲେ—ସମସ୍ତ ବିଷୟ ଗୋଟି ଗୋଟି କରି କହିଗଲେ । ଦୁଃଖୀରାମ ଯତ୍ପରୋନାସ୍ତି ଆନନ୍ଦିତ ହୋଇ ଭାଉଜଙ୍କୁ ଅଳଙ୍କାରମାନ ପୁଣି ପିନ୍ଧିବାକୁ କହିବାରୁ ରତ୍ନାବଳୀ କହିଲେ, “ମୁଁ ଯେତେ ଦିନ ପର୍ଯ୍ୟନ୍ତ ମୋର ପ୍ରାଣର ଈଶ୍ୱର ପତିଦେବତାଙ୍କୁ ନ ପାଇଛି, ତେତେଦିନ ଯାଏ ଆଉ ସେ କଳୁଷିତ ଆଭରଣରେ ମୋ ଦେହକୁ ଭୂଷିତ କରିବି ନାହିଁ । ସ୍ୱାମୀ ମୋର ଅଳଙ୍କାର—ସେ ଅଳଙ୍କାର ଯେତେବେଳେ ହରାଇଛି, ଏ ପାର୍ଥିବ ସାଜସଜ୍ଜାରେ ପ୍ରୟୋଜନ କଣ ?”

 

ଦୁଃଖୀରାମ ଦେଖିଲେ, ରତ୍ନାବଳୀଙ୍କ ମନରେ ଦାରୁଣ ଆଘାତ ଲାଗିଛି । ନୋହିଲେ କି ଏତେ ରାତ୍ରିରେ ଏକା ଏକା ଏ ଗହନ ଅରଣ୍ୟ ମଧ୍ୟରେ ସ୍ୱାମୀଙ୍କୁ ଅନ୍ୱେଷଣ କରୁଥାନ୍ତେ । ସେ ରତ୍ନାବଳୀଙ୍କୁ ବୁଝାଇ ଶୁଝାଇ ଧରମପୁରକୁ ଫେରାଇ ନେଲେ ଏବଂ ପର ଦିନ ପ୍ରତ୍ୟୁଷରୁ ତୁଳସୀ ଭାଇଙ୍କ ସନ୍ଧାନ ନେବାପାଇଁ ବଦ୍ଧପରିକର ହୋଇ ଭାଉଜଙ୍କ ନିକଟରୁ ବିଦାୟ ନେଲେ ।

Image

 

ଷଷ୍ଠ ପରିଚ୍ଛେଦ

କାଶୀଯାତ୍ରା

 

ସାମାନ୍ୟ ବାରବନିତା ଚିନ୍ତାମଣିର ଉପଦେଶ ଶୁଣି ଯେପରି ବିଲ୍ଵମଙ୍ଗଳ ଏକ ଦିନ ସଂସାର ବନ୍ଧନ ଛିନ୍ନ କରି ପବିତ୍ର ହରି-ପ୍ରେମାମୃତ ପାନରେ ବ୍ରତୀ ହୋଇଥିଲେ, ଗୋସ୍ଵାମୀ ତୁଳସୀ ଦାସଜୀ ସେହିପରି ରତ୍ନାବଳୀର ହୃଦୟଭେଦୀ ତିରସ୍କାର ଶ୍ରବଣ କରି ଆଜି ଆବେଶ-ବିଭୋର । ତାଙ୍କ ପ୍ରାଣରେ ପାର୍ଥିବ ପ୍ରଣୟର ସ୍ଥାନ ଲୋପ ପାଇ ଭଗବଦ୍‍ଦ୍ଭକ୍ତିର ଉତ୍ସ ଖୋଲି ଯାଇଛି । ସେ ଉତ୍ସର କୂଳ କିନାରା ନାହିଁ, ତାହାର ସୁଖ ଅନନ୍ତ ଓ ଅପାର୍ଥିବ । ପ୍ରେମମୟଙ୍କର ପ୍ରେମର ଆହ୍ୱାନ ଶୁଣି ତାଙ୍କ ହୃଦୟର ପ୍ରତ୍ୟେକ ତନ୍ତ୍ରୀ ଆଜି ନାଚି ଉଠୁଛି । ଯୁବତୀ ପତ୍ନୀର ନବକିଶଳୟ ଅଧର, ସ୍ନେହମୟୀ ବୃଦ୍ଧା ଜନନୀଙ୍କର ସମସ୍ତ ଆଦର ଯତ୍ନ, ସଂସାରର ସମସ୍ତ ପ୍ରଲୋଭନକୁ ତୁଚ୍ଛ କରି ତୁଳସୀ ଦାସ ସହାୟ–ସମ୍ବଳ–ଶୂନ୍ୟ ହୋଇ ପଦବ୍ରଜରେ ଏକାକୀ ଚାଲିଅଛନ୍ତି । ଉଦ୍ଦେଶ୍ୟ—ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କର ଚରଣଦର୍ଶନ ।

 

ଶ୍ଵଶୁରାଳୟରୁ ଆସିବା ସମୟରେ ତୁଳସୀ ଦାସଙ୍କର ବୟସ ପଚିଶ ବର୍ଷ । ପଥରେ ଭିକ୍ଷା କରି, କେଉଁ କେଉଁ ଦିନ ବା ଅନାହାରରେ ଅତିବାହିତ କରି ତୁଳସୀ ଦାସ ଦିନେ ଗଙ୍ଗାତୀରରେ ଉପସ୍ଥିତ ହୋଇ ଶୟନ କରିଅଛନ୍ତି, ଏହି ସମୟରେ ମହାଦେବ ସ୍ଵପ୍ନରେ ତାଙ୍କୁ ରାମଚନ୍ଦ୍ରଙ୍କର ଷଡ଼କ୍ଷର ମନ୍ତ୍ରରାଜ ଉପଦେଶ ଦେଇ କହିଲେ, “ଏହି ମନ୍ତ୍ରକୁ ଓ ଶ୍ରୀରାମନାମକୁ ଜପ କର, ତାହାହେଲେ ତୁମର ରାମଦର୍ଶନ ହୋଇପାରିବ ।” ତୁଳସୀ ଦାସ ତତ୍‍କ୍ଷଣାତ୍‍ ଉଠିପଡ଼ି ସେହିକ୍ଷଣରୁ ଶ୍ରୀରାମନାମ ଜପିବାରେ ଉତ୍ସାହପୂର୍ବକ ପ୍ରବୃତ୍ତ ହେଲେ ।

 

ଚାହୁଁ ଚାହୁଁ ଦୁଇମାସ ବିତିଗଲା । କାଶୀନଗରୀର ଅଦୂରବର୍ତ୍ତୀ ଏକ ପ୍ରାନ୍ତର ମଧ୍ୟରେ ଗୋଟିଏ ବଟବୃକ୍ଷ ତଳେ ବସି ତୁଳସୀ ଦାସ ଦିନେ ମନକ୍ଷୋଭରେ ଚିନ୍ତା କରୁଥିବାବେଳେ ଜଣେ ସନ୍ୟାସୀ (୧) ଆସି ସେଠାରେ ତାହାଙ୍କୁ ଦେଖି ଉତ୍ସୁକ ଚିତ୍ତରେ ପଚାରିଲେ, “ବାବା, ତୁ କିଏ ବାବା-? କେଉଁଠୁ ଆସିଛୁ ଏବଂ କୁଆଡ଼େ ଯିବୁ ?” ତୁଳସୀ ଦାସ ପ୍ରଦୁଷ୍ଟ ଚିତ୍ତରେ ଉତ୍ତର କଲେ, “ପ୍ରଭୋ-! ମୋର ପରିଚୟ ଜାଣି କିଛି ଲାଭ ନାହିଁ । ମୁଁ ଉତ୍ତର-ପଶ୍ଚିମ ପ୍ରଦେଶରୁ ଆସିଛି ଗୃହତ୍ୟାଗ କରି-। ମୋତେ ଯଦି ଆପଣ ଭକ୍ତବତ୍ସଳ ଶ୍ରୀରାମଚନ୍ଦ୍ରଙ୍କର ଚରଣ ଦର୍ଶନର କୌଣସି ପନ୍ଥା ଦେଖାଇ ଦେଇପାରିବେ, ତେବେ ଦିଅନ୍ତୁ । ମୁଁ ଆପଣଙ୍କ ନିକଟରେ ଚିରକୃତଜ୍ଞ ରହିବି ।”

 

(୧) ପ୍ରବାଦ ଅଛି ଯେ, ତୁଳସୀ ଦାସ ବାଲ୍ୟକାଳରେ ସାଧୁ ସଙ୍ଗରେ ରହି ସୁକରକ୍ଷେତ୍ରରେ ସ୍ଵୀୟ ବିଦ୍ୟାଗୁରୁ ଶ୍ରୀ ନରହରି ଦାସଙ୍କ ନିକଟରୁ ରାମାୟଣ ଶିକ୍ଷା କରିଥିଲେ । ପୁନଶ୍ଚ ଗୃହତ୍ୟାଗୀ ହେଲା ପରେ ମଧ୍ୟ ଉକ୍ତ ମହାତ୍ମାଙ୍କ ନିକଟରୁ ରାମମନ୍ତ୍ରାଦିକ ସଂସ୍କାର ଗ୍ରହଣ କରିଥିଲେ । ତୁଳସୀ ଦାସଙ୍କ ଗୁରୁଙ୍କ ନାମ ପ୍ରତ୍ୟକ୍ଷରେ କେଉଁଠାରେ ମିଳେ ନାହିଁ । ତେଣୁ ଶ୍ରୀ ଯୋଗୀନ୍ଦ୍ରନାଥ ଚଟ୍ଟୋପାଧ୍ୟାୟଙ୍କ ମତ ଅନୁସାରେ ଶ୍ଵଶୁରାଳୟରୁ ଆସି ସିଧା ସିଧା କାଶୀ ଯାଇ ଜନୈକ ସନ୍ନ୍ୟାସୀଙ୍କ ଆଶ୍ରମରେ ରହି ଶିକ୍ଷା ଲାଭ କରିବା ସଙ୍ଗତ ବୋଧ ହେଉଅଛି ।

 

ଶ୍ରୀରାମଙ୍କଠାରେ ତୁଳସୀଦାସଙ୍କର ଅଟଳ ବିଶ୍ୱାସ ଓ ଭକ୍ତି ଦେଖି ସନ୍ନ୍ୟାସୀ ଅତ୍ୟନ୍ତ ପ୍ରୀତି ହୋଇ ତାଙ୍କୁ ଆଶ୍ଵାସ ଦେଇ କହିଲେ, “ବାବା, ତୋର ଯଦି ଭଗବତ୍ ଦର୍ଶନ ଆକାଂକ୍ଷା ସେହିପରି ପ୍ରବଳ ଥାଏ ଏବଂ ଯଦି ତୁ ସେ ପବିତ୍ର ପ୍ରେମରେ ମନକୁ ତନ୍ମୟ କରିପାରିବୁ, ତେବେ ନିଶ୍ଚୟ ତୋର କାମନା ସଫଳ ହେବ । ଯଦି ଅସୁବିଧା ନ ହୁଏ, ତେବେ ମୋ ସଙ୍ଗେ ଆ । କାଶୀରେ ମୋର ଆଶ୍ରମ ଅଛି । ସେହିଠାରେ ଅନ୍ୟାନ୍ୟ ଶିଷ୍ୟମାନଙ୍କ ସଙ୍ଗରେ ରହି ଶାସ୍ତ୍ର ଓ ସାଧନା ଶିକ୍ଷା କରିବୁ ।”

 

ତୁଳସୀ ଦାସଙ୍କର ଆପତ୍ତି କରିବାର କିଛି କାରଣ ନ ଥିଲା । ସେ ଆହ୍ଲାଦିତ ଚିତ୍ତରେ ସନ୍ନ୍ୟାସୀଙ୍କର ଅନୁଗମନ କଲେ ।

 

ଯେଉଁ ଦିନ ତୁଳସୀ ଦାସ ଉକ୍ତ ସନ୍ନ୍ୟାସୀଙ୍କ ସଙ୍ଗରେ ଯାଇ କାଶୀଧାମର ପବିତ୍ର ରେଣୁସଂସ୍ପର୍ଶରେ ନିଜକୁ ଗୌରବାନ୍ୱିତ ମନେକଲେ, ସେହିଦିନ କଳକଳନାଦିନୀ କୃଷ୍ଣପ୍ରିୟା ଯମୁନା ତଟରେ ଜଣେ ଯୁବକ ବିଷଣ୍ଣ ମନରେ ବସି ଏହିପରି ଚିନ୍ତା କରୁଥିଲେ—ଆଉ କେତେ ଦୂର ଯିବାକୁ ହେବ ? ମୋର କାହିଁକି ଦୃଢ଼ ବିଶ୍ଵାସ ହେଉଛି, ସେ କାଶୀ ଯାଇଥିବେ ବୋଲି । କାରଣ ତାହା ସାଧୁ ସନ୍ନ୍ୟାସୀମାନଙ୍କ ଯୋଗ ସାଧନାର ପ୍ରଧାନ ପୀଠସ୍ଥଳୀ । କେଉଁ ଦିନ ପ୍ରଭୁ ମୋର ମନୋବାଞ୍ଛା ପୂର୍ଣ୍ଣ କରିବେ ? ତୁଳସୀ ଭାଇ ! କୁଆଡ଼େ ଚାଲିଗଲ ? ମୋତେ ଏକେବାର କଣ ଭୁଲିଗଲ ? ଭାଉଜର ଅବସ୍ଥା ତ କହିଲେ ନ ସରେ । ଖୁଡ଼ୀ କାନ୍ଦି କାନ୍ଦି ଅନ୍ଧ ହୋଇଗଲାଣି । ତୁମେ ଏଡ଼େ ବଜ୍ରହୃଦୟ ? ତୁମ୍ଭଠାରେ ଏତେ ଛଳ ଥିଲା ବୋଲି କିଏ ଜାଣିଥିଲା ! ଗଲ ତ ଗଲ, ଟିକିଏ ଖବର ମଧ୍ୟ ଦେଇ ଗଲ ନାହିଁ ? ଏହିପରି କହୁ କହୁ ଯୁବକଟି କାନ୍ଦି ପକାଇଲେ ।

 

ପାଠକମାନେ ଜାଣିବେଣି ବୋଧହୁଏ, ସେ ଯୁବକଟି ଆମ୍ଭମାନଙ୍କର ପୂର୍ବପରିଚିତ ଦୁଃଖୀରାମ ତେୱାରୀ । ରତ୍ନାବଳୀକୁ ଦସ୍ୟୁହସ୍ତରୁ ଉଦ୍ଧାର କରି ତାଙ୍କୁ ଧରମପୁରଠାରେ ଛାଡ଼ିଦେଇ ସେ ରାଜାପୁର ଫେରି ଆସିଥିଲେ । ତୁଳସୀ ଭାଇଙ୍କର ସନ୍ଧାନ ନେବା ପାଇଁ ସେ ତେଣୁ କାଶୀ ଅଭିମୁଖରେ ଯାଇଥାନ୍ତେ, କିନ୍ତୁ କାଳେ ଇତିମଧ୍ୟରେ ହୁଳସୀ ଦେବୀ କୌଣସି ଖବର ନ ପାଇ ଧରମପୁର ଆସିବେ ଏବଂ ସେଠାରେ ମଧ୍ୟ କାହାକୁ ନ ପାଇ ଦୁଃଖାତିଶଯ୍ୟ ହେତୁ ପ୍ରାଣ ହରାଇଦେବେ, ଏହି ଭୟରେ ସେ ଥରେ ଘରକୁ ଯାଇ ଖୁଡ଼ୀଙ୍କୁ ସମସ୍ତ ବୃତ୍ତାନ୍ତ ଶୁଣାଇ ଏବଂ ସାନ୍ତ୍ୱନା ଦେଇ କାଶୀ ଯିବେ ବୋଲି ମନସ୍ଥ କରି ରାଜାପୁର ଗଲେ । ମନର ଭାବ ଗୋପନ କରି ହୁଳସୀ ଦେବୀଙ୍କୁ କେବଳ ଏତିକି କହିଲେ, “ତୁଳସୀ ଭାଇଙ୍କ ସଙ୍ଗେ ମୋର ସାକ୍ଷାତ୍ ହେଲା । ସେ କାଶୀ ଚାଲିଗଲେ, କାରଣ ତାଙ୍କର ଭାରି ଇଚ୍ଛା, ସେଠାରେ କିଛିଦିନ ରହି ଯଜମାନ କାର୍ଯ୍ୟ ଶିକ୍ଷା କରିବେ । ସେଠାରେ ଜଣେ ବିଖ୍ୟାତ ବେଦାନ୍ତ ଶାସ୍ତ୍ର ଜାଣିଥିବା ପଣ୍ଡିତ ଅଛନ୍ତି । ଗଲାବେଳେ ମୋତେ କହିଗଲେ—ତୁ ଯାଇ ମା’ଙ୍କର ସଂସାର ଖର୍ଚ୍ଚ ମୁତାବକ ଜିନିଷପତ୍ର କିଣିଦେବୁ । ବୋହୂକୁ ନେଇ ତାଙ୍କ ପାଖରେ ରଖି ଆସିବୁ । ମୁଁ ଶିକ୍ଷା ସମାପ୍ତ କରି କେତେକ ମାସ ପରେ ଫେରିବି ।”

 

ହୁଳସୀ ଦେବୀ କିଞ୍ଚିତ ଆଶ୍ୱସ୍ତ ହେଲେ ସତ, କିନ୍ତୁ ପୁତ୍ରବିରହ ତାଙ୍କୁ ବହୁତ କଷ୍ଟପ୍ରଦ ହେଲା । କାନ୍ଦି କାନ୍ଦି ତାଙ୍କର ଆଖି ଫୁଲିଗଲା ଏବଂ କିଛିଦିନ ପରେ ଦୃଷ୍ଟିଶକ୍ତି କ୍ଷୀଣ ହୋଇଗଲା ।

 

ଇତିମଧ୍ୟରେ ରତ୍ନାବଳୀଙ୍କର ପିତା ମାନବଲୀଳା ସମ୍ବରଣ କଲେ । ଦୁଃଖୀରାମ ଦେଖିଲେ ଭାଉଜ ମଧ୍ୟ ମନୋଦୁଃଖରେ କ’ଣନା କଣ କରି ପକାଇବେ । ଏଣେ ଯେତେ ବିଳମ୍ବ ହେଉଛି ତୁଳସୀ ଭାଇଙ୍କର ସନ୍ଧାନ ନେବା ତେତେ କଷ୍ଟକର ହୋଇ ପଡ଼ୁଛି । ଅତଏବ ଯାହା କରିବାକୁ ହେବ, ତାହା ଶୀଘ୍ର କରିବା ଆବଶ୍ୟକ । ନିଜ ଘରର ସମସ୍ତ ବନ୍ଦୋବସ୍ତ କରି ହୁଳସୀ ଦେବୀଙ୍କୁ ମାଇଁଙ୍କ ତତ୍ତ୍ଵାବଧାନରେ ରଖିଦେଇ ସେ ସତ୍ୱର ରତ୍ନାବଳୀ ନିକଟକୁ ଗମନ କଲେ । ରତ୍ନାବଳୀ ପତି–ପିତୃବିୟୋଗ–ବିଧୁରା ହୋଇ ଘୋର କଷ୍ଟରେ ଦିନ ଯାପନ କରୁଥିଲେ । ସ୍ୱାମୀଙ୍କୁ ଝୁରି ଝୁରି ତାଙ୍କର ନବୀନ-ଯୌବନର କନକକାନ୍ତି ଓ ରମଣୀୟ ସୌନ୍ଦର୍ଯ୍ୟ ଶୋକାନଳରେ ଦଗ୍ଧ ହୋଇ ଭସ୍ମସାତ୍ ହୋଇ ଯାଇଥିଲା । ଦୁଃଖୀରାମଙ୍କୁ ଦେଖି ସେ ଭୋ ଭୋ କରି କାନ୍ଦି ଉଠିଲେ । ଦୁଃଖୀରାମ ତାଙ୍କୁ ପ୍ରଥମେ ଚିହ୍ନି ପାରିଲେ ନାହିଁ । ପରେ ସମସ୍ତ ଘଟଣା ସ୍ମରଣ କରି ସେ ମଧ୍ୟ କିଛି ସମୟ ମ୍ରିୟମାଣ ହୋଇ କହିଲେ, “ଭାଉଜ, ଦୁଃଖ କରିବାରେ ଆଉ ଲାଭ କ’ଣ ? ଭଗବାନ ଯାହା ଭଲ ବୁଝିଅଛନ୍ତି, ତାହା କରୁଅଛନ୍ତି । ସେ କଣ ମନୁଷ୍ୟ ହାତର କଥା ଯେ, ତୁମେ ଅଧୈର୍ଯ୍ୟ ହୋଇ ପଡ଼ୁଛ ?”

 

ରତ୍ନାବଳୀ କହିଲେ, “ସ୍ୱାମୀଙ୍କ ଗୃହତ୍ୟାଗର ତ ମୁଇଁ କାରଣ । ଚଣ୍ଡାଳୀ ମୁଁ ସୌନ୍ଦର୍ଯ୍ୟ-ମଦରେ ଗର୍ବିତା ହୋଇ ତାଙ୍କୁ କଣ ନ କହିଲି ସେ ଦିନ ! ତା ନ କହିଥିଲେ, ଆଜି ଏପରି ଦୁଃଖ ଯନ୍ତ୍ରଣା ଭୋଗିବାକୁ କାହିଁକି ପଡ଼ିଥାନ୍ତ ? ଯେପରି କର୍ମ କରିଛି, ଚିରଦୁଃଖୀନୀ ହୋଇ ତାର ଉପଯୁକ୍ତ ଫଳ ଭୋଗ କରିବାକୁ ହେବ । ଆଉ ସଂସାରରେ ବେଶୀ ଦିନ ରହି କାର୍ଯ୍ୟ ନାହିଁ । ସେ ଯେଉଁ ପଥରେ ପଥିକ, ମୁଁ ସେହି ପନ୍ଥା ଅନୁସରଣ କରିବି । ମୋର ଭୟ କିଛି ନାହିଁ । ନାରୀର ଭୟର କାରଣ ଯେ ରୂପଯୌବନ, ତାହା ଏ କେତେ ଦିନର ଦୁଃଖଜ୍ଵାଳାରେ ନଷ୍ଟ ହୋଇ ଯାଇଛି ।”

 

ଦୁଃଖୀରାମ ରତ୍ନାବଳୀଙ୍କର ପ୍ରାଣର ଉଦାସଭାବ ଦେଖି ଶଙ୍କିତ ହେଲେ । ତାଙ୍କର ଭୟ ହେଲା, କେଜାଣି କାଳେ ସେ ବି ତୁଳସୀ ଭାଇ ପରି କେଉଁଆଡ଼େ ଚାଲିଯିବେ । ହୃଦୟ ଆବେଗକୁ ସମ୍ଭାଳି ନେଇ ସେ ବହୁ କଷ୍ଟରେ ଭାଉଜଙ୍କୁ ଅନେକ ପ୍ରକାରେ ବୁଝାଇଲେ ଏବଂ ସେ ନିଜେ କାଶୀଯାତ୍ରା କରୁଥିବାର ତାଙ୍କ ଆଗରେ ପ୍ରକାଶ କଲେ । ରତ୍ନାବଳୀଙ୍କର ମାତା ମଧ୍ୟ ଆସି ଦୁଃଖୀରାମଙ୍କୁ ବହୁ କାକୁତି ମିନତି କରି ଜ୍ଵାଇଁଙ୍କର ସମ୍ବାଦ ଆଣି ଦେବାକୁ ପ୍ରାର୍ଥନା କଲେ । ଦୁଃଖୀରାମ ଏହିପରି ଉପର ମନରେ ସମସ୍ତଙ୍କୁ ସାନ୍ତ୍ୱନା ଦେଇ, ଶ୍ରୀମଦ୍ଭଗବଚ୍ଚରଣାରବିନ୍ଦକୁ ଧ୍ୟାନ କରି କାଶୀନଗରୀ ଅଭିମୁଖରେ ଯାତ୍ରା କଲେ ।

Image

 

ସପ୍ତମ ପରିଚ୍ଛେଦ

ଶ୍ରୀରାମ ଦର୍ଶନ

 

କାଶୀ ଆଗମନ ଉତ୍ତାରେ ଗୋସ୍ୱାମୀ ତୁଳସୀ ଦାସଜୀ ଉକ୍ତ ସନ୍ନ୍ୟାସୀଙ୍କ ଆଶ୍ରମରେ ରହି ଶିକ୍ଷାଲାଭ କଲେ । ଗୁରୁଦେବ ତାହାଙ୍କୁ ପ୍ରାଣର ସହିତ ଭଲ ପାଇବାକୁ ଲାଗିଲେ । ଆଶ୍ରମରେ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଭିନ୍ନ ଭିନ୍ନ ପ୍ରକୃତିର ଛାତ୍ର ଥିବାରୁ ତୁଳସୀ ଦାସ ସ୍ଵୀୟ ଅଭିରୁଚି ଅନୁଯାୟୀ ସାଧନ ଭଜନ କରି ପାରିଲେ ନାହିଁ । ତେଣୁ ଗୁରୁଦେବଙ୍କର ଅନୁମତି ନେଇ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ବାସକଲେ; କିନ୍ତୁ ପ୍ରତ୍ୟହ ଥରେ ଲେଖାଏଁ ଗୁରୁଙ୍କ ନିକଟରୁ ଭକ୍ତି ଶାସ୍ତ୍ର ପାଠ କରି ଯାଆନ୍ତି । ନିଜର ଭରଣପୋଷଣ ଲାଗି ସେ ସ୍ଥାନରେ ଦରିଦ୍ର ପଲ୍ଲୀବାସୀଙ୍କ ନିମିତ୍ତ ଗୋଟିଏ ଛୋଟ ଦୋକାନ ଖୋଲିଲେ । ସେ ଦୋକାନରେ ଅଳ୍ପ ପରିମାଣରେ ଛତୁ, ବୁଟ, ଚୁଡ଼ା, ମୁଢ଼ି ଓ ଗୁଡ଼ ଇତ୍ୟାଦି ଥାଏ । ସେ ଦୋକାନରୁ ଯାହା ଲାଭ ହୁଏ, ସେଥିରେ ସନ୍ତୁଷ୍ଟ ହୋଇ ତୁଳସୀ ଦାସ ଭଗବାନଙ୍କ ଆରାଧନା କରୁଥାନ୍ତି ।

 

ପ୍ରତ୍ୟହ ଗଙ୍ଗାତୀରରେ ଗୋଟିଏ ଆମ୍ବଗଛ ମୂଳେ ତୁଳସୀ ଦାସ ଶୌଚକ୍ରିୟା ସମ୍ପାଦନ କରନ୍ତି ଏବଂ ଫେରିଲାବେଳେ ଶୌଚାନ୍ତ ଜଳ ସେହି ବୃକ୍ଷମୂଳରେ ଢାଳିଦେଇ ଆସନ୍ତି । ସେହି ବୃକ୍ଷରେ ଏକ ପ୍ରେତ ବାସକରୁଥିଲା । ସେ ଉକ୍ତ ଜଳ ପାନ କରି ତୃଷା ନିବାରଣ କରୁଥିଲା । ଅତ୍ୟନ୍ତ ପ୍ରୀତ ହୋଇ ସେ ଦିନେ ତୁଳସୀ ଦାସଙ୍କୁ ସ୍ୱପ୍ନରେ କହିଲା, “ମୁଁ ତୁମ୍ଭ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଅଛି । ତୁମ୍ଭେ କି ବର ମାଗୁଛ ମାଗ ।” ତୁଳସୀ ଦାସ ଉତ୍ତର କଲେ, “ଏ ଜୀବନରେ ଶ୍ରୀରାମଚନ୍ଦ୍ରଙ୍କର ଦର୍ଶନ ବ୍ୟତୀତ ମୋର ଆଉ କିଛି ଲୋଡ଼ା ନାହିଁ । ତୁମେ ମୋତେ ତାଙ୍କରି ଦର୍ଶନ କରାଇଦିଅ ।” ଏହା ଶୁଣି ପ୍ରେତ ହସି ଉଠିଲା ଏବଂ କହିଲା, “ମୋର ଯଦି ସେପରି ସାମର୍ଥ୍ୟ ଥାନ୍ତା ତେବେ ମୁଁ ପ୍ରେତଯୋନିରେ ଜନ୍ମଲାଭ କରି କାହିଁକି ଏପରି ଦୁଃଖ ଭୋଗ କରୁଥାନ୍ତି ? ତୁମେ ଯେଉଁ ଶୌଚଶେଷ ଜଳ ଏଠାରେ ଢାଳିଦିଅ, ତାହା ପାନକରି ମୁଁ ପବିତ୍ର ହୋଇଅଛି; କାରଣ ସେ ବଦରୀବୃକ୍ଷ ତଳେ ତୁମେ ସେହି ଜଳରେ ପାଦ ଧୌତ କର—ସାଧୁଲୋକଙ୍କର ଚରଣୋଦକର ଏପରି ମହିମା । ମୁଁ କାଲି ପ୍ରେତତ୍ୱରୁ ମୁକ୍ତିଲାଭ କରିବି । ଅତଏବ ତୁମ୍ଭର ପ୍ରାର୍ଥିତ ବରଦାନ କରିବା ଶକ୍ତି ମୋର ନ ଥିଲେ ସୁଦ୍ଧା ତୁମ୍ଭଙ୍କୁ ମୁଁ ଏକ ଉପାୟ ବତେଇ ଦେଉଛି, ଭାଗ୍ୟରେ ଥିଲେ ଦର୍ଶନ ମିଳିବ । କର୍ଣ୍ଣଘଣ୍ଟା ସ୍ଥାନରେ ରାମାୟଣ ପାଠ ହେଉଛି । ଶ୍ରୀହନୁମାନଜୀ ରୁଗ୍‍ଣ ଏବଂ କୋଢ଼ୀ ବେଶ ଧରି ମଇଳା ଲୁଗା ପିନ୍ଧି ସେଠାକୁ ପ୍ରତିଦିନ ସର୍ବପ୍ରଥମେ ଆସନ୍ତି ଏବଂ ସର୍ବଶେଷରେ ସେଠାରୁ ଯାଆନ୍ତି । ତୁମେ ସେଠାକୁ ଯାଇ ତାଙ୍କୁ ଆଶ୍ରୟ କର । ସେ କୃପା କଲେ ତୁମ୍ଭର ମନୋରଥ ପୂର୍ଣ୍ଣ ହୋଇପାରେ ।”

 

ତୁଳସୀ ଦାସ ନିର୍ଦ୍ଦିଷ୍ଟ ସମୟରେ ଯାଇ ସେଠାରେ ପହଞ୍ଚି ଦେଖିଲେ ଯେ, ଗୋଟିଏ ବ୍ୟାଧିଗ୍ରସ୍ତ ବ୍ୟକ୍ତି ଚଉତରାର ଏକ ପାର୍ଶ୍ଵରେ ବସି ରାମାୟଣ ଶ୍ରବଣ କରୁଅଛି । ତୁଳସୀ ଦାସ ଆନନ୍ଦବିଭୋର ହୋଇ ରାମାୟଣ ଶ୍ରବଣ କଲେ । ସଭାଭଙ୍ଗ ହେବା ପରେ ସମସ୍ତେ ଚାଲିଗଲେ । ସର୍ବଶେଷରେ ଉକ୍ତ ବ୍ୟାଧିଗ୍ରସ୍ତ ବ୍ୟକ୍ତିଟି ଧୀରେ ଧୀରେ ଉଠି ମଠର ସୀମା ଅତିକ୍ରମ କରି ଗୋଟିଏ ବନ ମଧ୍ୟରେ ପ୍ରବେଶ କଲେ । ଠିକ୍ ସେହି ସମୟରେ ସେ ତୁଳସୀ ଦାସଙ୍କୁ ତାଙ୍କର ଅନୁଗମନ କରୁଥିବାର କାରଣ ପଚାରିଲେ । ତୁଳସୀ ଦାସ ତାଙ୍କର ପାଦଦ୍ଵୟକୁ ଦୃଢ଼ଭାବରେ ଧାରଣ କରି କହିଲେ, “ପ୍ରଭୁ ! ମୋର ବହୁତ ଭାଗ୍ୟ ଯେ, ଆଜି ଆପଣଙ୍କର ଦର୍ଶନ ଲାଭ କରିଛି । କିନ୍ତୁ ମୋତେ ଆପଣ ସୀତାପତି ଶ୍ରୀରାମଚନ୍ଦ୍ରଙ୍କର ଦର୍ଶନ କରାଇ ନ ଦେଲେ ଏହିଠାରେ ଆପଣଙ୍କ ପାଦପଦ୍ମ ନିକଟରେ ଏ ପ୍ରାଣ ଆହୁତି ଦେଇ ମୁକ୍ତିଲାଭ କରିବି ।” ଛଦ୍ମବେଶୀ ପବନସୁତ ତୁଳସୀ ଦାସଙ୍କର ରହସ୍ୟ ଓ ପ୍ରେମ ଦେଖି କହିଲେ, “ଆଚ୍ଛା ଯାଅ, ବହୁତ ଦୂର ଆସିଲଣି, ଏବେ କୁଟୀରକୁ ଫେରିଯାଅ । ଆଗାମୀ କାଲି ଶ୍ରୀରାମନବମୀ ତିଥିରେ ତୁମ୍ଭେ କୁଟୀରରେ ଥାଇ ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଦର୍ଶନ ପାଇବ ।”

 

ତୁଳସୀ ଦାସ ଆନନ୍ଦବିଭୋର ହୋଇ କୁଟୀରକୁ ପ୍ରତ୍ୟାବର୍ତ୍ତନ କଲେ । ସ୍ୱୟଂ ହନୁମାନ ଯେତେବେଳେ ଆଶା ଦେଇଅଛନ୍ତି, ସେତେବେଳେ ଅବିଶ୍ୱାସର କାରଣ କିଛି ନାହିଁ । ସେ ରାତିରେ ତୁଳସୀ ଦାସଙ୍କ ଆଖିକୁ ନିଦ ଆସିଲା ନାହିଁ । ଆନନ୍ଦାଶ୍ରୁରେ ନୟନ ଭରି ଯାଇଛି । ଏତେ ଦିନେ ଅଭୀଷ୍ଟ ପୂର୍ଣ୍ଣ ହେଲା ବୋଲି ତାଙ୍କ ମନରୁ ଅତୀତର ଦୁଃଖସ୍ମୃତି ସବୁ ପାସୋର ଯାଇଛି । ସାମାନ୍ୟ ଚୁଡ଼ା ଗୁଡ଼ ଦିଓଟି ଖାଇ ତୁଳସୀ ଦାସ ସେ ରାତିଟା କଟାଇଦେଲେ ।

 

ପରଦିନ ରାମନବମୀ ତିଥି । ସ୍ନାନ ସାରି ସେ ଇଷ୍ଟପୂଜାରେ ବସିଲେ । କପାଳରେ ଶ୍ଵେତଚନ୍ଦନର ଚିତା, କଣ୍ଠରେ ତୁଳସୀର ମାଳା ଓ ଯଞ୍ଜୋପବୀତ, କଟିଦେଶରେ ଗୈରିକ ବସ୍ତ୍ର–ତୁଳସୀ ଦାସ ଆଶା–ମଦାକିନୀରେ ଭାସି ଭାସି ଯାଉଛନ୍ତି ତାଙ୍କର ଅଭିପ୍ରେତ ସ୍ଥାନକୁ । ପ୍ରତି ମୁହୂର୍ତ୍ତରେ ଚମକି ଉଠୁଛନ୍ତି— “ହେଇ ଆସିଲେ ପରା ପ୍ରଭୁ !” କିନ୍ତୁ ବେଳ ଦ୍ୱିପ୍ରହର ଆସି ହେଲା, ତଥାପି କୃପାନିଧିଙ୍କର ଦର୍ଶନ ମିଳିଲା ନାହିଁ । ତୁଳସୀ ଦାସ ଆଉ ସମ୍ଭାଳି ପାରିଲେ ନାହିଁ–ଜପ ଆରମ୍ଭ କରିଦେଲେ ।

 

ହଠାତ୍‍ ବାହାର ପଟରୁ ଗୋଟାଏ କୋଳାହଳ ଶୁଣାଗଲା । ଗୋଟିଏ ସ୍ତ୍ରୀ (କେଲୁଣୀ) ପାତି ମାଙ୍କଡ଼ଟିଏ ଧରିଛି–ତା ସାଙ୍ଗରେ ଦୁଇଟି ଲୋକ ଝୁଲି କାନ୍ଧରେ ପକାଇ ଆସୁଛନ୍ତି । ତୁଳସୀ ଦାସଙ୍କ ଦ୍ଵାର ସମ୍ମୁଖରେ ଠିଆ ହୋଇ ଜଣେ କହିଲା, “ଏ ସାଧୁଜୀ ! ବାନ୍ଦର୍‍କା ଖେଲ୍‍ ଦେଖ୍, ଖୁବ୍ ବଢ଼ିୟା ଖେଲ୍, ବହୁତ କସରତ୍ ଦେଖାଏଙ୍ଗା, ହୁକୁମ ହୟ ତ ଖେଲ୍ ସୁରୁ କରଦେଇଁ ।”

 

ଭଗବାନଙ୍କ ମାୟା ଭକ୍ତକୁ ବି ଅଗୋଚର । ତୁଳସୀ ଦାସ ତନ୍ମୟଚିତ୍ତ ହୋଇ ଜପରେ ବସିବାକୁ ଉଦ୍ୟତ । ଆଜି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦର୍ଶନ ଯେ କୌଣସିମତେ ଲାଭ କରିବାକୁ ହେବ-। ଏତେବେଳେ ପାତିମାଙ୍କଡ଼ ଖେଳରେ କ୍ଷଣିକ ଆନନ୍ଦ ଲାଭ କରିବା ନିମିତ୍ତ ସେ କଣ ଅନନ୍ତ–ଅପାର–ଆନନ୍ଦ ଲାଭ କରିବାର ସୁବିଧା ହରାଇ ଦେବେ ? ଏତେବେଳେ ଏ ଜଞ୍ଜାଳ କାହୁଁ ଆସି ତାଙ୍କର ଏତେ ସାଧନା, ଏତେ ଉଦ୍ୟମ, ଏତେ ଅଭିଳାଷର ଫଳକୁ ନଷ୍ଟ କରିଦେବାକୁ ବସିଛି-। ତୁଳସୀ ଦାସ ବିରକ୍ତ ହୋଇ ଉତ୍ତର କଲେ, “ନେହିଁ, ନେହିଁ, ଦେଖନୋକୋ କୁଛ୍ ଦରକାର୍‍ ନେହିଁ-। ଅଭି ଭାଗୋ ।”

 

କେଳାଟି କିଛି ରୋଜଗାର କରିବ ବୋଲି ବହୁତ ଆଶାରେ ଆସିଥିଲା; କିନ୍ତୁ ବିଫଳମନୋରଥ ହୋଇ ବାହୁଡ଼ିଗଲା । ତୁଳସୀ ଦାସ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରି କରି ପ୍ରାଣର ବେଦନାରେ କାନ୍ଦିବାକୁ ଲାଗିଲେ । ପର ମୁହୂର୍ତ୍ତରେ ପୁନର୍ବାର ନବୀନ ଆଶା ଓ ସାହାସ ତାଙ୍କ ହୃଦୟରେ ଜାଗ୍ରତ ହୋଇ ତାଙ୍କୁ ଅଭୟ ଦେଲା । ସେ ମନେ ମନେ ଭାବିବାକୁ ଲାଗିଲେ, “ମନ୍ତ୍ରର ସାଧନ ଅବା ଶରୀର ପାତନ—ମୋର ଧୈର୍ଯ୍ୟ ଅବଲମ୍ବନ କରିବା ଉଚିତ । ଭକ୍ତର ଡାକ ଶୁଣିଲେ ପ୍ରଭୁ ବୈକୁଣ୍ଠର ମଣିମୟ ସିଂହାସନ ଛାଡ଼ି ଆସିବେ । ମୁଁ ଏଡ଼େ କାତର ହେଉଛି କାହିଁକି ? କାଲି ଯାଇ ପୁଣି ଶ୍ରୀହନୁମାନଜୀଙ୍କୁ ପଚାରିବି । ଦେଖିବି କେତେ ଦିନ ଯାଏ ପ୍ରଭୁ ମୋତେ ଦଗା ଦେବେ-।”

 

“ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହଂ” —ଯେ ଯେଉଁ ରୂପରେ ଭଗବାନଙ୍କୁ ଡାକେ, ପ୍ରଭୁ ତାକୁ ସେଇ ରୂପରେ ଦେଖା ଦିଅନ୍ତି । ପର ଦିନ ତୁଳସୀ ଦାସ ହନୁମାନଙ୍କ ସହିତ ସାକ୍ଷାତ କରି ରାମଚନ୍ଦ୍ରଙ୍କର ଅଦର୍ଶନର କାରଣ ପଚାରନ୍ତେ ହନୁମାନ କହିଲେ ଯେ, ସ୍ଵୟଂ ଶ୍ରୀରାମଚନ୍ଦ୍ର, ଜାନକୀ ଓ ଲକ୍ଷ୍ମଣଙ୍କ ସହିତ କେଳା ରୂପରେ କାଲି ତାଙ୍କ କୁଟୀରକୁ ଆସିଥିଲେ ଏବଂ ମାଙ୍କଡ଼ ଖେଳ ଦେଖାଇବାକୁ ବହୁତ ଜିଗର୍ କଲେ; କିନ୍ତୁ ସେ ମନା କରିବାରୁ ସେମାନେ ଫେରିଗଲେ । ତୁଳସୀ ଦାସ ଏହା ଶୁଣି ଶ୍ରୀହନୁମାନଙ୍କର ଚରଣଦ୍ୱୟ ଧରି ଆନନ୍ଦବିସ୍ମୟଗଦ୍‍ଗଦ୍‍ ସ୍ଵରରେ କହିଲେ, “ଏତେ ଛଳନା କରି ଦେଖାଦେଲେ ମୁଁ କିପରି ବୁଝିବି ପ୍ରଭୁ ? କ୍ଷମା କରନ୍ତୁ ଏ ଦାସକୁ । ମୋ ସକାଶେ ଆପଣଙ୍କୁ ଏତେ କଷ୍ଟ ସହିବାକୁ ହେଉଛି ସିନା ।”

 

ହନୁମାନ୍‍ କହିଲେ, “କଷ୍ଟ କଣ ବତ୍ସ ! ଏ ତ ପ୍ରଭୁଙ୍କର ଅନୁଗ୍ରହ । ତା ପରେ ତୁମେ ଏ କଳିକାଳରେ ଭଗବାନଙ୍କର ପ୍ରତ୍ୟକ୍ଷ ଦର୍ଶନ ପାଇପାରିବ ନାହିଁ । ଆଜିଠାରୁ ମୋର ‘ବାକ୍ୟସିଦ୍ଧି’ ହୋଇଅଛି । ତୁମ୍ଭର ଜୀବନ୍ମୁକ୍ତି ମଧ୍ୟ ହୋଇଅଛି । ତୁମ୍ଭେ ଚିତ୍ରକୂଟକୁ ଯାଅ । ସେଠାରେ ପ୍ରଭୁଙ୍କର ପ୍ରିୟ ଲୀଳାସ୍ଥଳୀ ଶୋକପାସୋରା–ଦୃଶ୍ୟଭରା ବନଗହନ ଦର୍ଶନ କରି ପରମ ସୁଖ ଲାଭ କରିବ ।” ଏହା କହି ସେ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ ।

 

ସେହି ଦିନଠାରୁ ତୁଳସୀ ଦାସଙ୍କର ଖ୍ୟାତ କ୍ରମଶଃ ବୁଦ୍ଧି ପାଇବାକୁ ଲାଗିଲା । କ୍ରମେ କ୍ରମେ ଅନେକ ଲୋକ ତାଙ୍କର ଶିଷ୍ୟତ୍ଵ ଗ୍ରହଣ କଲେ । ସେ କାଶୀରେ ଗୋଟିଏ ଆଶ୍ରମ ସ୍ଥାପନ କରି ଛାତ୍ରମାନଙ୍କର ପାଠାଭ୍ୟାସର ସୁବିଧା କରାଇଦେଲେ । ସାଧକ ଓ ପଣ୍ଡିତମଣ୍ଡଳୀ ମଧ୍ୟରେ ତୁଳସୀ ଦାସ ବାବାଜୀଙ୍କର ସୁଖ୍ୟାତି ପ୍ରଚାରିତ ହେବାକୁ ଲାଗିଲା ।

Image

 

ଅଷ୍ଟମ ପରିଚ୍ଛେଦ

ଘରକଥା

 

ଦୁଃଖୀରାମ ଯଜମାନ କାର୍ଯ୍ୟର ସମସ୍ତ ଆୟୋଜନ କରାଇଦେଇ ହୁଳସୀ ଦେବୀଙ୍କୁ ସାନ୍ତ୍ଵନା ଓ ଭରସା ଦେଇ ଆସିଛନ୍ତି, ଭାଇଙ୍କୁ ଫେରାଇ ନେବେ ବୋଲି । ପଥ ମଧ୍ୟରେ ଘୋର କଷ୍ଟ ସହିବାକୁ ପଡ଼ୁଛି; ଅନିଦ୍ରା, ଅନାହାର ଓ ମନର ଅଶାନ୍ତି ତାଙ୍କୁ ବିବ୍ରତ କରି ପକାଇଲାଣି । ତଥାପି ସେ ଅଟଳ । ପ୍ରତିଜ୍ଞା କରିଛନ୍ତି, ତୁଳସୀ ଭାଇଙ୍କୁ ନ ପାଇଲେ ଫେରିବେ ନାହିଁ । ଏଥିମଧ୍ୟରେ ଦିନେ ସ୍ଵପ୍ନରେ ଦେଖିଛନ୍ତି ଯେ, ରତ୍ନାବଳୀ ପାଗଳିନୀ ହୋଇ ଯାଇଛନ୍ତି । ଦୁଃଖୀରାମ ନିତାନ୍ତ ବିଷଣ୍ଣମନରେ ଦିନେ ଗୋଟିଏ ପାନ୍ଥଶାଳାରେ ବସଥିଲାବେଳେ ଜଣେ ତରୁଣ ସନ୍ନ୍ୟାସୀଙ୍କଠାରୁ ତୁଳସୀ ଦାସଙ୍କ ସନ୍ଧାନ ପାଇଲେ । ଉକ୍ତ ସନ୍ୟାସୀ କାଶୀର ବିଖ୍ୟାତ ପଣ୍ଡିତ ବିଶ୍ଵମ୍ଭର ସ୍ମାର୍ତ୍ତବାଗୀଶିଙ୍କ ନିକଟରେ ସ୍ମୃତି ଅଧ୍ୟୟନ କରିବାକୁ ଯାଉଥିଲେ । ସେ ଦୁଃଖୀରାମଙ୍କର ଦୁଃଖର କାହାଣୀ ଶୁଣି କହିଲେ, “ହଁ, କାଶୀରେ ତୁଳସୀ ଦାସ ବାବାଜୀ ନାମରେ ଜଣେ ବିଖ୍ୟାତ ସନ୍ନ୍ୟାସୀ ଏବେ ଗୋଟିଏ ଆଶ୍ରମ ଖୋଲିଅଛନ୍ତି । ସେ ରାମଭକ୍ତ । ଆମର ପଣ୍ଡିତ ମହାଶୟଙ୍କ ଯୁକ୍ତିସବୁ ଖଣ୍ଡନ କରି ସେ ନୂତନ ତଥ୍ୟମାନ ଉପସ୍ଥାପିତ କରୁଅଛନ୍ତି । ତୁମ୍ଭେ ମୋ ସାଙ୍ଗରେ ଆସ, ମୁଁ ତୁମ୍ଭକୁ ତାଙ୍କ ଆଶ୍ରମ ଦେଖାଇଦେବି ।”

 

ଦୁଃଖୀରାମ ସନ୍ନ୍ୟାସୀଙ୍କଠାରେ କୃତଞ୍ଜତା ଜ୍ଞାପନ କରି ତାଙ୍କର ଅନୁଗମନ କଲେ । କାଶୀରେ ଉପସ୍ଥିତ ହୋଇ ତୁଳସୀ ଦାସ ବାବାଜୀଙ୍କ ମଠ ଦେଖାଇଦେଇ ଉକ୍ତ ସନ୍ନ୍ୟାସୀ ବିଦାୟ ନେଲେ । ଦୁଃଖୀରାମ ମଠରେ ପହଞ୍ଚି ଶୁଣିଲେ ଯେ, କେତେକ ମାସ ହେଲା ତୁଳସୀ ଦାସଜୀ ଅଯୋଧ୍ୟା, ପଞ୍ଚବଟୀ, ଚିତ୍ରକୂଟ ଇତ୍ୟାଦି ତୀର୍ଥଦର୍ଶନକୁ ଯାଇଅଛନ୍ତି । ଅଳ୍ପଦିନ ମଧ୍ୟରେ ଫେରିବେ ।

 

ତୁଳସୀ ଭାଇଙ୍କର ଟୋଲ, ଆଶ୍ରମ; ଏହି ବିରାଟ ଆଡ଼ମ୍ବର ଦେଖି ଦୁଃଖୀରାମ ସ୍ତମ୍ଭିତ ହୋଇଗଲେ । ଏତେ ଅଳ୍ପଦିନ ମଧ୍ୟରେ ସେ କିପରି ଏତେ ଉନ୍ନତି ଲାଭ କରିଅଛନ୍ତି, କାଶୀର ସମସ୍ତ ସଂସ୍କୃତ ଟୋଲ କିପରି ତାଙ୍କ ବିଦ୍ୟାପୀଠ ନିକଟରେ ପରାଜୟ ସ୍ଵୀକାର କରିଅଛି, ସାନ ବଡ଼ ହୋଇ ଶତାଧିକ ଛାତ୍ର କିପରି ଆଶ୍ରମରେ ସ୍ଵଚ୍ଛନ୍ଦରେ ରହି ବିଦ୍ୟାଭ୍ୟାସ କରୁଅଛନ୍ତି—ଏହା ଚିନ୍ତା କରି ସେ ଅନେକ ପରିମାଣରେ ଆଶ୍ୱସ୍ତ ହେଲେ । ଭାଇ ଯେତେବେଳେ ତୀର୍ଥାଟନରେ ବାହାରିଅଛନ୍ତି, ସେ ତାଙ୍କୁ ଅପେକ୍ଷା କରି ଏଠାରେ ବସି ରହିବେ କାହିଁକି ? ସେ ଭାବିଲେ ଘରକୁ ଯାଇ ସେଠାର ଜମିବାଡ଼ି ଓ ଆସବାବପତ୍ର ବିକି ଦେଇ ଖୁଡ଼ୀ, ଭାଉଜ ଓ ତାଙ୍କ ନିଜର ମାଇଁଙ୍କୁ ସଙ୍ଗରେ ଘେନି ସେ କାଶୀ ଚାଲି ଆସିବେ । ସେଠାକୁ ଆସିଲେ, ଖୁଡ଼ୀ ଓ ଭାଉଜ ତୁଳସୀ ଭାଇଙ୍କୁ ପାଇ ପରମ ପରିତୋଷ ଲାଭ କରିବେ–ତୁଳସୀ ଭାଇ ମଧ୍ୟ ସେମାନଙ୍କୁ ଦେଖିଲେ ଓ ସେମାନଙ୍କର କନ୍ଦାକଟା ଶୁଣିଲେ ତାଙ୍କୁ ପୁନର୍ବାର ଗ୍ରହଣ କରିବେ । ଏହିପରି ବିଚାର କରି ତୁଳସୀ ଭାଇଙ୍କୁ ମନେ ମନେ ଧନ୍ୟବାଦ ଦେଇ ଦୁଃଖୀରାମ ରାଜାପୁର ଫେରିଲେ ।

 

ଦୁଃଖୀରାମଙ୍କୁ ଦେଖି ହୁଳସୀ ଦେବୀ ପଡ଼ିଉଠି ଧାଇଁଛନ୍ତି । ଦୁଃଖୀର କଥା ଶୁଣି ତାଙ୍କ ମନରେ ଆନନ୍ଦର ସୀମା ରହିଲା ନାହିଁ । ସେ କହିଲେ, “ବାପା ! ତେବେ କଣ ତୁ ମୋ ତୁଳସୀର ଦେଖା ପାଇଲ ? ସେ କଣ ମୋର ଜୀବନରେ ଅଛି ?” ଦୁଃଖୀରାମ କହିଲେ, ମୁ କଣ ମିଛ କହୁଛି କି ଖୁଡ଼ୀ ?” ତୁଳସୀ ଦେବୀ ଦୁଃଖୀରାମଙ୍କର ହାତଟିକୁ ତାଙ୍କ ଦୁଇ ହାତରେ ଧରି କହିଲେ, “ନାଇଁ ବାପା, ଏତେ ଦିନ ପରେ ଏଇ ଆଶାର କଥା ଶୁଣି ବିଶ୍ୱାସ କରିପାରୁ ନାହିଁ । ମୋ ପ୍ରାଣ ରହିଛି ଖାଲି ତୋରି ସକାଶେ । ତୋ ଋଣ ମୁଁ କିପରି ସୁଝିବିରେ ଧନ ? ଯଦି ଏତେ କଥା କଲୁ, ତେବେ ଏ ବୁଢ଼ୀଟା ପାଇଁ ଆଉ ଟିକିଏ ଉପକାର କର । ମୁଁ ଗୋଟାଏ କଥା କହୁଛି । ହାତରେ ତ ଟଙ୍କା ପଇସା ନାହିଁ । ଦାଣ୍ଡତଳ ଜମି ଖଣ୍ଡକ ବିକ୍ରି କରି ମୋତେ ନେଇ କାଶିରେ ତା ପାଖରେ ଟିକିଏ ଛାଡ଼ି ଦେଇ ଆ । ଆଉ ଯାହା ରହିଲା, ସବୁ ତୋର । ତୁ ମୋର ସାନ ପୁଅ । ମୁଁ ଏ ଶେଷକାଳକୁ ମୋ ତୁଳସୀ ହାତରେ ଟିକିଏ ନିଆଁ ପଇଲେ ଜୀବନକୁ ଧନ୍ୟ ମଣିବି ।”

 

ଦୁଃଖୀରାମ ଉତ୍ତର କଲେ, “ମୁଁ କାଶୀରୁ ଫେରିଲା ବେଳେ ସେଇ କଥା ଭାବିଥିଲି । ତେବେ ଗୋଟାଏ ଅସୁବିଧା ଅଛି । ମୁଁ ଏଥିମଧ୍ୟରେ ଖବର ପାଇଛି ଯେ, ଭାଉଜ ବାୟାଣୀ ହୋଇ କୁଆଡ଼େ ପଳାଇ ଯାଇଛନ୍ତି । ଦିନେ ଦୁଇଦିନ ଅପେକ୍ଷା କର । ମୁଁ ଧରମପୁର ଯାଇ ଟିକିଏ ତାଙ୍କ ହାଲଚାଲ ବୁଝି ଆସେ ।”

 

ହୁଳସୀ ଦେବୀ କହିଲେ, “ହଁ, ସେ ବାୟାଣୀ ହୋଇ ଯାଇଥିବ, ଅସମ୍ଭବ ନୁହେଁ । ଯୁବତୀ ସ୍ତ୍ରୀ, ସ୍ଵାମୀଶୋକ ଏ ବୟସରେ ସେ ସମ୍ଭାଳି ପାରିବ କିପରି ? ମୁଁ ଚଣ୍ଡାଳୁଣୀ ଏତେ ଅନର୍ଥ ଭିଆଇଲି । ରତ୍ନା ପରି ବୋହୂ ମୋର ଗଲା, ତୁଳସୀ ପରି ପୁଅ ମୋର ଗଲା—ଶେଷ କାଳକୁ କଣ ଏଇଆ ଥିଲାରେ ଦୁଃଖୀ ।” ଏହା କହି ହୁଳସୀ ଦେବୀ ମୁଣ୍ଡରେ ହାତ ମାରି ବାହୁନିବାକୁ ଲାଗିଲେ ।

 

ଦୁଃଖୀରାମ ଖୁଡ଼ୀଙ୍କୁ ବୁଝାସୁଝା କରି ଘରକୁ ଗଲେ । ମନେ ମନେ ତୁଳସୀଭାଇଙ୍କ ଉପରେ ରାଗ ଓ କ୍ଷୋଭ ଜାତ ହେଲା । ବୁଢ଼ୀ ମା ମନରେ ଏ ଦାରୁଣ ଦୁଃଖ ଦେଇ, ଯୁବତୀ ପତ୍ନୀକୁ ବାୟାଣୀ କରାଇ, ବନ୍ଧୁ ସୁଜନଙ୍କୁ ଶୋକସାଗରରେ ଭସାଇ ତୁଳସୀଭାଇ କି ଧର୍ମ କରୁଛନ୍ତି-? ଦୁଃଖୀରାମ ଏହିପରି ତର୍କ କରି ତତ୍ପର ଦିନ ଧରମପୁର ଯାତ୍ରା କଲେ ।

 

ସୌନ୍ଦର୍ଯ୍ୟମଦରେ ଗର୍ବିତ ହୋଇ ରତ୍ନାବଳୀ ସ୍ଵାମୀଙ୍କୁ ତିରସ୍କାର କରିବାକୁ ସେ ପଳାଇ ଯାଇଅଛନ୍ତି, ଏହି ଦୃଢ଼ ଧାରଣା ହୃଦୟରେ ପୋଷି ରତ୍ନାବଳୀ ଛଟପଟ ହେବାକୁ ଲାଗିଲେ । ତା ପରେ ତାଙ୍କର ପିତୃବିୟୋଗ ଘଟିଲା । ଏ ସବୁ ଦୁଃଖରେ ତାଙ୍କ ମସ୍ତିଷ୍କ ବିକୃତ ହୋଇଗଲା । ସେ ସର୍ବଦା କାନ୍ଦିଲେ; କେତେବେଳେ କାହାକୁ କଣ କହିଲେ ତାର ଠିକ୍ ନାହିଁ । ଅବଶେଷରେ ଦିନେ କାଶୀ ଯିବି, କାଶୀ ଯିବି, ବୋଲି କହି ରାତିରେ କେଉଁଆଡ଼େ ପଳାଇଗଲେ, ତାର ସନ୍ଧାନ ମିଳିଲା ନାହିଁ । ଆଖପାଖ ଗ୍ରାମର ଲୋକ ମଧ୍ୟ କୌଣସି ସମ୍ବାଦ ଦେଇପାରିଲେ ନାହିଁ ।

 

ଦୁଃଖୀରାମ ଏ ହାଲ ଶୁଣି ରାଜପୁର ଫେରି ଆସିଲା । ଭାବିଲେ—ପ୍ରଥମେ ଖୁଡ଼ୀଙ୍କୁ ନେଇ କାଶୀରେ ଛାଡ଼ି ଦେଇ ଆସିବ, ତାପରେ ଭାଉଜଙ୍କ ସନ୍ଧାନ ନେବେ । ଏହି କଥା ମନସ୍ଥ କରି, ଦାଣ୍ଡତଳ ଜମି ଖଣ୍ଡକ ବିକ୍ରୟ କରି, ମାଇଁଙ୍କୁ ସମସ୍ତ ବିଷୟ ବୁଝାଇଦେଇ, ଖୁଡ଼ୀଙ୍କ ସହିତ କାଶୀଯାତ୍ରା କଲେ ।

Image

 

ନବମ ପରିଚ୍ଛେଦ

ପାଗଳୀ ମା

 

ରତ୍ନାବଳୀ ପିତ୍ରାଳୟରୁ ପଳାଇ ଯାଇ ଏକ ଧ୍ୟାନରେ ଚାଲିଅଛନ୍ତି । କେଉଁଠାକୁ ଯାଉଅଛନ୍ତି ତାହା ତାଙ୍କୁହିଁ ଜଣା । ଦେହରେ ଯାହା ଅଳଙ୍କାର ଆଦି ଥିଲା ତାହା ସବୁ ସେଇ ରାତିରେ ଦସ୍ୟୁ ହାତରେ ପଡ଼ିଲା ଦିନଠାରୁ ଓହ୍ଲାଇ ଦେଇଥିଲେ । ମାନସିକ ଯନ୍ତ୍ରଣା, ଅନାହାର, ଅନିଦ୍ରା ତାଙ୍କର ନବଯୌବନକାନ୍ତିକୁ ନଷ୍ଟକରି ଦେଇଅଛି । ମନ ସ୍ଥିର ନାହିଁ । ତାଙ୍କର ପରିଚୟ ମଧ୍ୟ ଦେଉନାହାନ୍ତି; ତେଣୁ ସମସ୍ତେ ତାଙ୍କୁ ବାୟାଣୀ ଭାବି କରଛଡ଼ା ଦେଇ ଚାଲି ଯାଉଛନ୍ତି ।

 

କାଶୀ ଓ ଅଯୋଧ୍ୟାର ମଧ୍ୟବର୍ତ୍ତୀ ଗୋସାଇଁଗଞ୍ଜ ନାମକ ସ୍ଥାନରେ ଛଗନଲାଲ୍‍ ଚୌବେ ନାମକ ଜଣେ ପରୋପକାରୀ ବ୍ରାହ୍ମଣ ବାସ କରୁଥିଲେ । ତାଙ୍କ ସ୍ତ୍ରୀ ଯଶୋଦା ଦେବୀ ଓ କନ୍ୟା ସରସ୍ୱତୀ ବ୍ୟତୀତ ଘରେ ଆଉ କେହି ନ ଥିଲେ । ଛଗନଲାଲ ଜମିଦାରୀର ସମସ୍ତ ଆୟ ପରିହିତବ୍ରତରେ ବ୍ୟୟ କରୁଥିଲେ । ତୀର୍ଥଯାତ୍ରା ବେଳେ କୌଣସି ବ୍ୟକ୍ତି ବିପନ୍ନ ହେଲେ ସେ ଛଗନଲାଲଙ୍କର ଦ୍ୱାରସ୍ଥ ହେଉଥିଲା । ଆତ୍ମୀୟସ୍ୱଜନଙ୍କର ଭରଣପୋଷଣ, ଆର୍ତ୍ତ, ବିପନ୍ନ ବ୍ୟକ୍ତିଙ୍କର ଦୁଃଖମୋଚନ, ଦେବବ୍ରାହ୍ମଣ ସେବା ଓ ପୀଡ଼ିତ, ଅନାଥ ମାନବର ସେବାଶୁଶ୍ରୂଷା ତାଙ୍କ ଜୀବନର ଦୈନିକ ବ୍ରତ ଥିଲା । ତାଙ୍କ ସ୍ତ୍ରୀ ଯଶୋଦା ଦେବୀ ଓ କନ୍ୟା ସରସ୍ୱତୀ ମଧ୍ୟ ଏ ଗୁଣରେ କେହି କାହାକୁ ଊଣା ନ ଥିଲେ । ସରସ୍ୱତୀର ବୟସ ପ୍ରାୟ ତେର ଚୌଦ ହେବ । ସେ ଅବିବାହିତା-। ଛଗନଲାଲଙ୍କର ସେ ଏକମାତ୍ର ଅନ୍ଧାରଘରର ଆଲୁଅ । ତେଣୁ ପିତାଙ୍କର ଇଚ୍ଛା–କନ୍ୟାକୁ ପାଖରୁ ଅନ୍ତର କରିବେ ନାହିଁ । କିନ୍ତୁ ତା କିପରି ସମ୍ଭବ ! କଥାରେ ଅଛି, ‘ଝିଅ ଘିଅ, ୟାକୁ କେହି ବେଶୀ ଦିନ ରଖିପାରେ ନାହିଁ ।’ ଛଗନଲାଲ ବିଚାର କରିଛନ୍ତି, କନ୍ୟାର ବିବାହ ପରେ ଯୁବକଟିକୁ ଘରଜୋଇଁଆ କରି ରଖିବେ ।

 

ଛଗନଲାଲଙ୍କର ଘର ପଛପଟରେ ଗୋଟିଏ ସୁନ୍ଦର ଉଦ୍ୟାନ । ଉଦ୍ୟାନ ମଧ୍ୟରେ ଗୋଟିଏ ପଦ୍ମପୋଖରୀ । ସରସ୍ୱତୀ ଦିନେ ସେହି ପୋଖରୀ କୂଳରେ ବସିଥିବା ସମୟରେ ରତ୍ନାବଳୀଙ୍କୁ କେତେକ ପିଲା ଗୋଡ଼ାଉଥିବାର ଦେଖିଲା । ତାର ହୃଦୟ ବଡ଼ କୋମଳ, ପରଦୁଃଖକାତର । ଜଣେ ପାଗଳିନୀ ହେଲା ବୋଲି ତାକୁ ଦୁନିଆରେ ସମସ୍ତେ ଛି-ଛା କରିବେ, ମାରି ଗୋଡ଼ାଇବେ, ଢେଲାପଥର ପକାଇବେ—କିନ୍ତୁ ତାର ପାଗଳାମିର କାରଣ କେହି ବୁଝିବେ ନାହିଁ । ସରସ୍ୱତୀ ଧାଇଁଯାଇ ତାର ପିତାଙ୍କୁ ଏ ବିଷୟ ଜଣାଇଦେଲା ମାତ୍ରେ ବଦାନ୍ୟବର ଛଗନଲାଲ ଦାଣ୍ଡକୁ ଆସି ପାଗଳିନୀକୁ ଲୋକଙ୍କ ଅତ୍ୟାଚାରରୁ ରକ୍ଷା କଲେ । ସେ ଦେଖିଲେ, ବାୟାଣୀଟି ଯୁବତୀ, କାହାକୁ କିଛି କହୁନାହିଁ । ଯେତେବେଳେ ଅବା ଯାହା କହୁଛି, ତାହା ବୁଝି ହେଉ ନାହିଁ । ତାଙ୍କ ହୃଦୟରେ ଦୟା ହେଲା, ସେ ତାକୁ ନେଇ ଘରେ ରଖିଲେ । ସେହିଦିନୁ ଗୋଟିଏ ଚିକିତ୍ସକ ତାକୁ ଭଲ କରିବା ପାଇଁ ନିଯୁକ୍ତ ହେଲା । ସରସ୍ୱତୀ ଯେତେବେଳେ ଦେଖିଲା ଯେ, ‘ପାଗଳୀ ମା’ (କାରଣ ସମସ୍ତେ ତାକୁ ଏହି ନାମରେ ଡାକୁଥିଲେ) କାହାରି କିଛି ଅନିଷ୍ଟ କରୁନାହିଁ, ସେ ଭରସି କରି ତା ପାଖକୁ ଗଲା ଏବଂ କଥାବାର୍ତ୍ତା କଲା । ପାଗଳୀ ମା କିନ୍ତୁ କୌଣସିଠାରେ ନିଜର ପରିଚୟ ଦେଲା ନାହିଁ । ଛଗନଲାଲ ତାର ଖାଇବା ପିଇବାର ତତ୍ତ୍ଵ ନେଇ ତାକୁ ଅନେକ ସମୟରେ ଆଶ୍ୱାସ ଦିଅନ୍ତି । କହନ୍ତି— “ମା, ତୁମେ ଏଠାରେ ଭଲ ହୋଇଯିବ । ତୁମର ଅଭାବ କଣ, ଦୁଃଖ କଣ ମୋତେ କହ । ତୁମ ଘର କେଉଁଠି କହିଲେ ମୁଁ ତୁମକୁ ନେଇ ସେଇଠାରେ ଛାଡ଼ିଦେଇ ଆସିବି ।” ସେ କିନ୍ତୁ କିଛି ଉତ୍ତର କରେ ନାହିଁ । ଖାଲି ଏହିପରି ଗୀତ ବୋଲୁଥାଏ—

 

“ଅଗଡ଼ୁମ୍ ବଗଡ଼ୁମ୍ ଘୋଡ଼ାଡୁମ୍ ସାଜ୍

ଉଦର ଭରଣେକୋ କରତୟି ଲାଜ୍,

କାଶୀ କ୍ଷେତ୍ରମେ ଜପ୍ ରହେ ମାଲା

ହମ୍ ଲୋଗ୍ ହୋ ଯାୟ ବାବାଜୀକା ଚେଲା ।”

 

ଏଥିରୁ କେହି କିଛି ବୁଝିପାରନ୍ତି ନାହିଁ ।

 

ଦିନକୁ ଦିନ ସରସ୍ଵତୀ ପରି ସଙ୍ଗିନୀ ପାଇ ପାଗଳୀମାର ଚଳଚ୍ଚିତ୍ତତା ଟିକିଏ କମି ଆସିଲା । ଦୁହେଁଯାକ ଅନେକ ସମୟ ବସି ଗପ କରନ୍ତି । ତାର ଅର୍ଥଶୂନ୍ୟ କଥାରୁ ସରସ୍ଵତୀ ଅର୍ଥ ସଂଗ୍ରହ କରି କିଛି କିଛି ବୁଝେ । ଦିନେ ସେ ବଗିଚା ମଧ୍ୟକୁ ଯାଇ ଦେଖିଲା ପାଗଳୀ ମା ଫୁଲ ଗୁନ୍ଥୁଛି ଏବଂ ମନକୁ ମନ କଣ ବୋଲୁଛି । ସରସ୍ଵତୀ ଚୁପ୍ ଚୁପ୍ ହୋଇ ଯାଇ କାନ ଡେରିଲା । ପାଗଳୀ କହୁଛି–

 

“ରାମ, ଦୁଇ, ତିନି, ଅମାବାସ୍ୟା ଘୋଡ଼ାର ଡିମ୍ ।”

 

ତା ପରେ “ଉହୁଃ–ଉଃ, ପୋଡ଼ିଗଲା, ପୋଡ଼ିଗଲା, ଜଳିଗଲା–ହୁ–ହୁ–ହୁ ନିଆ ଜଳୁଛି–ମୁଁ ଲଗେଇଛି ସେ ନିଆଁ, ମୁଇଁ ପୋଡ଼ି ମରିବି ଶେଷରେ । ଚାରିଆଡ଼େ ନିଆଁ–ମୋ ଭିତରେ ନିଆଁ-।”

 

ସରସ୍ଵତୀ–ପାଗଳୀ ନାନୀ । ଏଠି ବସି କଣ କରୁଛୁ ?

 

ରତ୍ନା–ଅଙ୍ଗାର ହୋଇଗଲାଣି, ମନ ପୋଡ଼ି ଅଙ୍ଗାର ହୋଇ ଗଲାଣି । ଓଃ, କି କଷ୍ଟ ! ଗଙ୍ଗାନଦୀ ଗୋଟାକ ହେଇଟି ଜଳୁଛି ।

 

ସର–ତୋର କଣ ହଜିଛି, ନାନୀ ?

 

ରତ୍ନା–ମୋର ହୃଦୟ–ହାରଟା ପଳେଇଛି–ଏହା କହି ପାଗଳିନୀ ସେ ଫୁଲମାଳାକୁ ଟିକି ଟିକି କରି ଛିଣ୍ଡାଇ ଫୋପାଡ଼ିଦେଲା ।

 

ସରସ୍ଵତୀ କିଛି କିଛି ଅର୍ଥ ବୁଝିଲା । ପ୍ରକାଶ୍ୟରେ କହିଲା, “ତୋ ହୃଦୟ–ହାରଟା ଆଣିଦେଲେ ତ ହେବ–ଏତେ ଭାବନା କାହିଁକି ? ଚାଲ, ବେଳ ହେଲାଣି, ଔଷଧ ଖାଇବୁ ।” ପାଗଳୀ ମା କହିଲା, “ଆଉ ନାହିଁ ଲୋ, ଆଉ ନାହିଁ ।

 

ସରସ୍ଵତୀ ତାର ହାତ ଧରି ଭିଡ଼ୁ ଭିଡ଼ୁ କହିଲା, “ଔଷଧ ଖାଇବୁ ଚାଲ ।” ପାଗଳୀ ମା ଧଡ଼ପଡ଼ ହୋଇ ଉଠି “ଜଗ ଜଗ ନାରୀ—ଯେ ପାଇବ ତାରି” ବୋଲି ବୋଲି ସରସ୍ୱତୀକି ଟାଣି ଟାଣି ଘରକୁ ପଳାଇ ଆସିଲା ।

 

ଛଗନଲାଲ ଭଗବାନଙ୍କୁ ପ୍ରତ୍ୟହ ପାଗଳୀ ମା ସକାଶେ ପ୍ରାର୍ଥନା କରନ୍ତି । ପରିଶେଷରେ ପ୍ରଭୁ ଭକ୍ତର ଡାକ ଶୁଣିଲେ । ରତ୍ନାବଳୀ ଆରୋଗ୍ୟ ଲାଭ କଲେ । ତତ୍ପରେ ଯେତେବେଳେ ଛଗନଲାଲଶୁଣିଲେ ଯେ, ସେ ବ୍ରାହ୍ମଣଘର କନ୍ୟା, ତାଙ୍କର ଆନନ୍ଦର ସୀମା ରହିଲା ନାହିଁ । ରତ୍ନାବଳୀଙ୍କର ସ୍ତ୍ରୀସୁଲଭ ଗୁଣମାନ ପୁଣି ବିକଶି ଉଠିଲା । ସେ ସବୁ କଥା ପ୍ରକାଶ କଲେ, କିନ୍ତୁ ନିଜର ପରିଚୟ ଦେଲେ ନାହିଁ । ଯଶୋଦା ତାଙ୍କୁ ଝିଅଟି ପରି ଆଦର ଯତ୍ନ କଲେ ଏବଂ ସରସ୍ଵତୀ ତାଙ୍କୁ ବଡ଼ ଭଉଣୀ ପରି ଜ୍ଞାନ କରି ଆନନ୍ଦରେ କାଳାତିପାତ କରିବାକୁ ଲାଗିଲେ ।

Image

 

ଦଶମ ପରିଚ୍ଛେଦ

ଚିତ୍ରକୂଟରେ

 

ଚିତ୍ରକୂଟର ଶୋଭା ଅତି ରମଣୀୟ । ପାଷାଣଗାତ୍ରରୁ କଳକଳନାଦିନୀ ନିର୍ଝରିଣୀ ଚପଳମତି ବାଳିକାଟି ପରି ଡେଇଁ ଡେଇଁ ବହି ଯାଉଅଛି । ଏହି ସ୍ଥାନରେ ସତ୍ୟସନ୍ଧ ସୂର୍ଯ୍ୟବଂଶତିଳକ ରାମଚନ୍ଦ୍ର କନିଷ୍ଠଭ୍ରାତା ଲକ୍ଷ୍ମଣଙ୍କ ସହିତ ଧନୁର୍ବାଣ ହସ୍ତରେ ବଳ୍‍କଳଧାରୀ ହୋଇ ବିହାର କରୁଥିଲେ । ଏହି ସ୍ଥାନରେ ‘ରାମ–ହୃଦୟ–ଜ୍ୟୋତ୍ସ୍ନା ବୈଦେହୀ ସତୀ’ ବନମାଳା–ବିଳାସିନୀ ହୋଇ ସ୍ୱାମୀଙ୍କର ସେବା କରିବା ନିମିତ୍ତ ପର୍ଣ୍ଣକୁଟୀର ଦୁଆରୁ ଅନାଇ ରହିଥିଲେ । ସେଥିପାଇଁ ଚିତ୍ରକୂଟର ପ୍ରତି ଗିରିକନ୍ଦର, ଅଣୁ ପରମାଣୁ ସହିତେ ଭକ୍ତର ଆଦରଣୀୟ ଅଟେ । ଚିତ୍ରକୂଟକୁ ଦର୍ଶନ କରି ତୁଳସୀ ଦାସ ତନ୍ମୟଚିତ୍ତ ହୋଇ ସମୟେ ସମୟେ ଆତ୍ମଜ୍ଞାନଶୂନ୍ୟ ହୋଇଯାଉଛନ୍ତି । “ଆହା ! କି ମନୋହର ବନସ୍ଥଳୀ । ଏହିଠାରେ ପ୍ରଭୁ ମୋର ଫଳମୂଳ ଖାଇ ମା ଜାନକୀଙ୍କି ଘେନି ବିହାର କରୁଥିଲେ । ଶ୍ରୀହନୁମାନଜୀ ସଦୟ ହେଲେ, ମୁଁ ପୁଣି ଥରେ ଏଠାରେ ଶ୍ରୀରାମଜୀଙ୍କୁ ଦର୍ଶନ କରିବି ।” ତୁଳସୀ ଦାସ ଦିନେ ଏହିପରି ଭାବୁଥିବା ବେଳେ ଦୁଇଜଣ କାଠୁରିଆ—ଗୋଟିଏ ବାଳକ ଓ ଗୋଟିଏ ବୃଦ୍ଧ, କାଠ ବୋଝ ମୁଣ୍ଡାଇ ତାଙ୍କ ସମ୍ମୁଖରେ ଉପସ୍ଥିତ । ବାବାଜୀଟିଏ ଦେଖି ସେମାନେ ମନେ କଲେ, ଧୁନି ଲଗାଇବା ପାଇଁ ବାବାଜୀଙ୍କର କାଠ ଦରକାର ଥିବ । ଏହି ଅନୁମାନ କରି ଜଣେ କହିଲା, “ହୋ ସାଧୁଜୀ ହୋ, ଆରେ ଲକ୍ଡ଼ି ନବ ଲକ୍ଡ଼ି ।” ତୁଳସୀ ଦାସଙ୍କୁ ନିରୁତ୍ତର ଦେଖି ବୃଦ୍ଧ ଲୋକଟି କହିଲା, “ଆରେ, ଭଲା ସାଧୁ ତ ଦେଖୁଛି ! ଆରେ ଦେଖ୍ ନା, କେସା ଅସ୍‍ଲି ଲକ୍ଡ଼ି ଆଣିଛି । ରଖିବୁ ଯଦି ରଖ୍ ।” ତୁଳସୀ ଦାସ କହିଲେ, “ମୋର କାଠ କଣ ହବ ? ତୁମେ ଅନ୍ୟତ୍ର ଯାଅ । ମୁଁ ଧ୍ୟାନରେ ବସିଛି । ମୋତେ ବିରକ୍ତ କର ନାହିଁ । ଯାଅ ବାବା !” କାଠୁରିଆ ବାଳକଟି ଈଷତ୍ ହାସ୍ୟ କରି କହିଲା, “ମୁଁ ଅନେକ ସାଧୁ ଦେଖିଛି, କିନ୍ତୁ ଏମିତି ସାଧୁ ତ କେଉଁଠି ଦେଖି ନାହିଁରେ ବାବା ! ଏଇଟା ପାଗଳ ନା କଣ ? ଆରେ ଆଖି ଖୋଲି ୟାଡ଼କୁ ଟିକିଏ ଚାହିଁଲେ କଣ ତୋର ପ୍ରାଣର ଧନ ପଳାଇ ଯାଉଛି କିରେ ।”

 

ତୁଳସୀ ଦାସ ଅଗତ୍ୟା ଆଖି ଫିଟାଇ ଚାହିଁଲେ–ଆହା ! କି ସୁନ୍ଦର ଚେହେରା ପିଲାଟିର-! ଶବର ଜାତି ଭିତରେ ଏପରି ଲାବଣ୍ୟମୟ ରୂପ ସେ ପୂର୍ବରୁ କେବେ ଦେଖି ନ ଥିଲେ-। ପିଲାଟି ତୁଳସୀ ଦାସଙ୍କୁ ଦେଖି ପାଟିକରି ଉଠିଲା, “ଆରେ ସାଧୁ ଚାହିଁଛି ରେ ଚାହିଁଛି ।”

 

ତୁଳସୀ–ତୋର କି ଦରକାର ବାବା ?

 

ବାଳକ–ମୋ ବୁଢ଼ା ବାପା ମା କିଛି ଖାଇ ନାହାନ୍ତି । ଶିକାର କରିବାକୁ ଆସିଥିଲୁ ଯେ ଶିକାର ପଳାଇଗଲା । ତୁ ଲକ୍ଡ଼ି ରଖି ଆମକୁ କିଛି ଖାଇବାକୁ ଦେ ।

 

ତୁଳସୀ–ଆରେ ବାଇଆ, ମୋ ପାଖରେ ପଇସା କଉଡ଼ି କିଛି ନାହିଁ; ଯାହା ଥିଲା ସବୁ ସରି ଯାଇଛି । ତୁମେ ଯଦି ଏପରି ହଇରାଣ ହେଉଛ, ତେବେ ଏଇ ନିଅ; ଏ ଚାଦରଖଣ୍ଡିକ ବିକ୍ରି କରି କିଛି ଖାଦ୍ୟ ସଂଗ୍ରହ କର ।” ଏହା କହି ତୁଳସୀ ଦାସ ନିଜ ଦେହରୁ ଚାଦର ଖଣ୍ଡିକ କାଢ଼ି ବାଳକଟିକୁ ଦେଇଦେଲେ ।

 

ବାଳକ–ହଉ, ଦେ ଦେ । ତୁ ଯଦି ସ୍ୱଇଚ୍ଛାରେ ଦେଉଛୁ, ଆମେ ନେବା ନାହିଁ କିଆଁ ? ତୁ ପଛରେ ରାଗ କରିବୁ ନାହିଁ ତ ?

 

ତୁଳସୀ–ନାଇଁ ବାବା, ରାଗ କାହିଁକି କରିବି, ମୁଁ ପରା ସ୍ୱଇଚ୍ଛାରେ ଯାଚି କରି ଦେଉଛି ।

ବାଳକ–ଆଚ୍ଛା ବାବାଜୀ, ଆମେ ତୋତେ କିଛି ଦବା–ନେ, ଏ କାଠ ବିଡ଼ାକ ନେ ।

ତୁଳସୀ–ନା ନା, ମୋର କାଠ ଲୋଡ଼ା ନାହିଁ । ତୁମେ ଯାଅ ବାବା ! ମୁଁ ମୋର ଧ୍ୟାନ କରେଁ ।

ଏହା କହି ବାବାଜୀ ଆଖି ବୁଜି ପୁଣି ଧ୍ୟାନରେ ବସିଲେ ।

କାଠୁରିଆ ପିଲାଟି ଛାଡ଼ିବା ଜନ୍ତୁ ନୁହେଁ । ସେ ପଚାରିଲା, “ଏ ସାଧୁଜୀ, ତୁ ଆଖି ବୁଜି କାହାକୁ ଧ୍ୟାନ କରୁଛୁ ?”

ତୁଳସୀ—ବାବା, ଏ ଚିତ୍ରକୂଟ ଗିରି ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଲୀଳା-ସ୍ଥଳୀ । ମୁଁ ହତଭାଗ୍ୟ, ଥରେ ତାଙ୍କର ରଙ୍ଗାଚରଣଦର୍ଶନର ସୁଯୋଗ ପାଇ ତାଙ୍କୁ ହରାଇ ବସିଲି । ଏ ଗିରିଗହନର ପତ୍ରେ ପତ୍ରେ, ଏ ପୁଣ୍ୟ–ଭୂମିର ପ୍ରତି ଧୂଳିକଣାରେ, ଏ ପ୍ରେମ-ରାଜ୍ୟର ସମୀର-ହିଲ୍ଲୋଳରେ ଓ ତଟିନୀ-କଲ୍ଲୋଳରେ ସେହି ନିତ୍ୟ–ନୂତନ ରୂପଧାରୀ ସୀତାନାଥଙ୍କର ବିଭୂତି–କଣିକା ବିଦ୍ୟମାନ । ତେଣୁ ଏହି ସ୍ଥାନରେ ଥରେ ତାଙ୍କୁ ମନ ପୂରାଇ ଦର୍ଶନ କରିବା ଆଶାରେ ଏଠାରେ ବସିଛି ।

ବାଳକ–ଏ ସାଧୁ ତ ବଡ଼ ବୋକା ଆଦ୍‍ମୀ ଦେଖୁଛି । ଆରେ, ଶ୍ରୀରାମଜୀ କଣ ତୋ ସାମନାରେ ଆସି ଖାଡ଼ା ହେବେ କି ରେ ! ହା–ହା–ହା–ହା ! ଏହା କହି ପିଲାଟି ହସି ହସି ଚାଲିଗଲା ।

 

ତୁଳସୀ ଦାସ ଚାହିଁଲେ । ବାଳକଟିର ହସ ହସ ମୁହଁ ଦେଖି ତାଙ୍କ ହୃଦୟର କ୍ରୋଧ କେଉଁଆଡ଼େ ଉଭେଇ ଗଲା । ଏହି ସମୟରେ ବୁଢ଼ା କାଠୁରିଆଟି ବିଡ଼ାଏ କାଠ ତୁଳସୀ ଦାସଙ୍କ ସମ୍ମୁଖରେ ଥୋଇଦେଇ କେଉଁଆଡ଼େ ଅଦୃଶ୍ୟ ହୋଇଗଲା । ତୁଳସୀ ଦାସ କାଠ ବିଡ଼ାଟି ଧରିବା ମାତ୍ରେ ତନ୍ମଧ୍ୟରୁ କେତେଗୁଡ଼ିଏ ସ୍ଵର୍ଣ୍ଣମୁଦ୍ରା ଝଡ଼ି ପଡ଼ିଲା । ସେ ବିସ୍ମୟ–ବିଭୋର ହୋଇ କହିଲେ, “ଏ କଣ ! ଏ କଣ ! ୟା ମଧ୍ୟରୁ ଏତେ ମୁଦ୍ରା କାହୁଁ ଆସିଲା ?” କିୟତ୍‍କାଳ ଚିନ୍ତାକରି ଜାଣିଲେ, ତାଙ୍କ ହୃଦୟ–ଇପ୍‍ସିତ ଦେବତାଙ୍କର ଏ କୂଟ । ମନେ ମନେ କହିଲେ, “ଓହୋ ! ବୁଝିଛି, ବୁଝିଛି ! ଭଗବାନ ! ଆଉ କେତେ ଦିନ ଏପରି ଛଳନା କରି ରହସ୍ୟ କରିବ, ପ୍ରଭୁ ?” ଭାବି ଭାବି ସେ ଭାବ-ବିଭୋର ହୋଇପଡ଼ିଲେ ।

 

ସେହିଦିନଠାରୁ ଚିତ୍ରକୂଟର ପ୍ରତି ଲତାଗୁଳ୍ମରେ ତୁଳସୀ ଦାସ ଶ୍ରୀରାମଚନ୍ଦ୍ରଙ୍କର ପ୍ରତିମୂର୍ତ୍ତି ଦେଖିବାକୁ ପାଇଲେ । ଫଳମୂଳ ଭକ୍ଷଣ କରି, ନିର୍ଝରିଣୀରେ ଜଳପାନ କରି, ଇଷ୍ଟ ଦେବତାଙ୍କର ଉପାସନାରେ ଦିନରାତି କଟାଇଲେ । ଦିନେ ଦାରୁଣ ଗ୍ରୀଷ୍ମକାଳ ପ୍ରଭାତରେ ସ୍ନାନ ଶେଷ କରି ସେ ଚନ୍ଦନ ଘୋରୁଛନ୍ତି, ଗୋଟିଏ ଦିବ୍ୟଜ୍ୟୋତିପୂର୍ଣ୍ଣ ଶ୍ୟାମ–କାନ୍ତି ବାଳକ ତାଙ୍କ ନିକଟରେ ପହଞ୍ଚି କହିଲା, “ସାଧୁଜୀ, ମୋତେ ଟିକିଏ ଚନ୍ଦନ ଘେନାଇ ଦେବ ନାହିଁ ?”

 

ତୁଳସୀ ଦାସ ତାର କମନୀୟ ରୂପରେ ସାତିଶୟ ମୁଗ୍ଧ ହୋଇ ନମ୍ରଭାବରେ ପଚାରିଲେ–

 

“ବାଳକ, ଶୁନହ ବିନୟ ମମ ଏହୁ

ତୁମ୍ ଶ୍ରୀରାମଚନ୍ଦ୍ର କି କେହୁ ?”

 

ବାଳକଟି ସହାସ୍ୟରେ ଉତ୍ତର କଲା, “ସାଧୁ ! ସକଳ ଶ୍ରୀରାମ ଅବତାର ।” ଏହି ସମୟରେ ଆଉ ଗୋଟିଏ ଗୌରବର୍ଣ୍ଣ ବାଳକ ଆସି ସେଠାରେ ଉପସ୍ଥିତ ହେଲା । ତୁଳସୀ ଦାସ ଚନ୍ଦନ ଘୋରୁ ଘୋରୁ ତନ୍ମୟ ହୋଇ ପଡ଼ିଲେ । ତାଙ୍କର ହାତ ସ୍ଥିର ହୋଇଗଲା । ପରେ ହନୁମାନଜୀ ସେଠାକୁ ଆସି ଦର୍ଶନର ହାଲ ପଚାରିବାରୁ ତୁଳସୀ ଦାସ ଉତ୍ତର କଲେ–

 

“ଚିତ୍ରକୂଟ କୈଘାଟ ପର୍ ଭଇ ସାଧୁନ୍‍କ ଭୀର୍,

ତୁଳସୀ ଦାସ ଚନ୍ଦନ ଘିସେଂ ତିଲକ୍ ଦେ ତ ରଘୁବୀର ।”

 

“ଭକ୍ତମାଳା ରାମରସିକାବଳୀ” ଏବଂ ପଣ୍ଡିତ ଜ୍ଵାଲାପ୍ରସାଦ ସମ୍ପାଦିତ ବଡ଼ ରାମାୟଣରେ ଦର୍ଶନର ଉପରୋକ୍ତ ବିବରଣ ବର୍ଣ୍ଣିତ ଅଛି । ପଣ୍ଡିତଙ୍କ ମତ ଅନୁସାରେ ଗୋସ୍ଵାମୀ ତୁଳସୀ ଦାସଜୀ ଚିତ୍ରକୂଟରେ ଥିଲାବେଳେ ରାମ ଲକ୍ଷ୍ମଣଙ୍କ ସହିତ ତାଙ୍କର ତିନି ଥର ଭେଟ ହୋଇଥିଲା । ଗ୍ରୀୟର୍ସନ୍‍ ହେବ (୧) ନିମ୍ନଲିଖିତ ଘଟନାର ଉଲ୍ଲେଖ କରିଅଛନ୍ତି । ଦିନେ ଚିତ୍ରକୂଟର ଅଦୂରବର୍ତ୍ତୀ ଏକ ପ୍ରାନ୍ତରରେ ବୁଲୁ ବୁଲୁ ତୁଳସୀ ଦାସ ଦେଖିଲେ, ରାମଲୀଳା ଅଭିନୀତ ହେଉଛି । ଲଙ୍କା ବିଜୟ ପରେ ବିଭୀଷଣକୁ ରାଜ୍ୟଭାର ଦେଇ ଶ୍ରୀରାମ, ଲକ୍ଷ୍ମଣ, ହନୁମାନ ଓ ଅନ୍ୟାନ୍ୟ ବାନରବର୍ଗ ଅଯୋଧ୍ୟା ଫେରୁଛନ୍ତି । ରାମଲୀଳା ଦେଖି ତୁଳସୀ ଦାସ ଅତ୍ୟନ୍ତ ଆନନ୍ଦିତ ହୋଇ କୁଟୀରକୁ ଲେଉଟିବାବେଳେ ବାଟରେ ହନୁମାନଜୀ ଗୋଟିଏ ବ୍ରାହ୍ମଣ ବେଶରେ ଆସି ତାଙ୍କୁ ପଚାରିଲେ, “ମହାରାଜ ! ତୁମେ ଏଣେ କୁଆଡ଼େ ଯାଇଥିଲ ?” ସେ ଉତ୍ତର କଲେ, “ରାମଲୀଳା ଦେଖିବାକୁ । ଅତି ଚମତ୍କାର ଲୀଳା ହେଉଛି । ସେ ସ୍ଥାନରେ ସାକ୍ଷାତ୍ ପ୍ରଭୁ ଶ୍ରୀରାମଚନ୍ଦ୍ର ଯେପରିକି ମର୍ତ୍ତ୍ୟରେ ବିଜେ କରିଛନ୍ତି ।” ବ୍ରାହ୍ମଣ ବେଶଧାରୀ ହନୁମାନ ପଚାରିଲେ, “ତୁମେ କଣ ବାଉଳା ହୋଇଛ କି, ମହାରାଜ ? ଆଜିକାଲି ରାମଲୀଳା କେଉଁଠି ହେଲାଣି ? କାର୍ତ୍ତିକ ମାସରେ ସିନା ରାମଲୀଳା ହୁଏ !” ଏହା ଶୁଣି ତୁଳସୀ ଦାସ କହିଲେ, “ଚାଲ, ମୁଁ ଏଇଲାଗେ ଦେଖାଇଦେବି !”

 

(Indian Antiquary) ଇଣ୍ଡିଆନ ଆଣ୍ଟିକ୍ଵାରୀ–ସନ ୧୮୯୩ ଖ୍ରୀ:ଅବ

 

ତତ୍ପରେ ରାମଲୀଳା ସ୍ଥାନକୁ ଯାଇ ଦେଖନ୍ତି ତ କାହିଁ ରାମଲୀଳା, ଆଉ କାହିଁ ସେ ଲାବଣ୍ୟ ମୂର୍ତ୍ତି ? ଲୀଳା ହେବାର ଚିହ୍ନବର୍ଣ୍ଣ ନାହିଁ । ସେଠାର ଲୋକଙ୍କୁ ପଚାରିବାରୁ ସେମାନେ କହିଲେ, “ଖୁବ୍ ଜାଣିଛ ବାବାଜୀ । ଆଜିକାଲି ରାମଲୀଳା ।” ଏହା ଶୁଣି ତୁଳସୀ ଦାସ ସ୍ତମ୍ଭିତ ହୋଇଗଲେ । ତାଙ୍କର ଜ୍ଞାନପଟଳ ଖୋଲିଗଲା । ସେ ପ୍ରଭୁଙ୍କ ଅସୀମ କରୁଣା ବିଷୟ ଚିନ୍ତା କରି କରି ଆନନ୍ଦରେ କାନ୍ଦ ପକାଇଲେ । କୁଟୀରକୁ ଫେରି ଆଉ ଆହାର କଲେ ନାହିଁ । “ପ୍ରଭୁ ମୋତେ ଏତେ କଷ୍ଟରେ ଦେଖାଦେଲେ । ମୁଁ ମୁଢ଼ କାହିଁକି ତାଙ୍କର ଚରଣାରବିନ୍ଦରେ ମୁଣ୍ଡ ଲଗାଇ ଦଣ୍ଡ ପ୍ରଣାମ ସୁଦ୍ଧା କଲି ନାହିଁ ? ଏହିପରି ଅନୁଶୋଚନା କରୁ କରୁ ତାଙ୍କର ନିଦ୍ରା ଆସିଗଲା । ନିଦ୍ରାବସ୍ଥାରେ ଶ୍ରୀ ହନୁମାନଜୀ ତାଙ୍କୁ ଦେଖାଦେଇ କହିଲେ, “ଦୁଃଖ କାହିଁକି କରୁଛୁ, ବତ୍ସ । କଳିଯୁଗରେ ପ୍ରଭୁଙ୍କର ପ୍ରତ୍ୟକ୍ଷ ଦର୍ଶନ କାହାରି ଭାଗ୍ୟରେ ଘଟେ ନାହିଁ । ତୁ ବଡ଼ ଭାଗ୍ୟବାନ୍ ଯେ ଏହିପରି ଭାବରେ ତାଙ୍କର ଦେଖା ପାଉଛୁ ।”

 

ଥରେ, ଦିଥର, ତିନି ଥର, ଚାରି ଥର, ଶତସହସ୍ର ଥର କଳି–କଳୁଷନାଶନ ଶ୍ରୀ ରଘୁନନ୍ଦନଙ୍କର ସାକ୍ଷାତ ଦର୍ଶନ ହେବାରେ ଆଶ୍ଚର୍ଯ୍ୟ କଣ ? ଭକ୍ତର ତୀବ୍ର ଏକାଗ୍ରତା, ପବିତ୍ର ଭକ୍ତି ଓ ସ୍ୱଚ୍ଛ ପ୍ରେମଭାବରେ ଚିନ୍ତାମଣିଙ୍କର ଚିରରୁଚିର ସିଂହାସନ ଟଳି ଉଠିବ । ତୁଳସୀ ଦାସଙ୍କର ସେହିପରି ପ୍ରଗାଢ଼ ସାଧନା ଥିଲା ବୋଲି ସେ ବାରମ୍ବାର ମହାପ୍ରଭୁଙ୍କର ସାକ୍ଷାତ୍ ଲାଭ କରି ତାଙ୍କର କରୁଣା ବଳରେ ବଳୀୟାନ୍ ହୋଇ ଧରାଧାମରେ ଅକ୍ଷୟ କୀର୍ତ୍ତି ରଖି ଯାଇ ଅଛନ୍ତି ।

 

ଚିତ୍ରକୂଟରେ ତୁଳସୀ ଦାସ କିଛିଦିନ ଗୋଟିଏ ଗୁମ୍ଫା ମଧ୍ୟରେ ବାସ କରୁଥିଲେ । ଏହି ସମୟରେ ସ୍ଵାମୀ ଦରିୟାନନ୍ଦଜୀ ତାଙ୍କର ଭେଟ ପାଇବ ପାଇଁ ଆସି ତାଙ୍କ ସହିତ ମିଳିତ ହୋଇଥିଲେ । ସ୍ୱାମୀଜୀଙ୍କୁ ଗୁମ୍ଫାଦ୍ଵାରରେ ଅନେକ କ୍ଷଣ ସେଥିପାଇଁ ଅପେକ୍ଷା କରିବାକୁ ପଡ଼ିଥିଲା ବୋଲି ତୁଳସୀ ଦାସ ସେହିଦିନଠାରୁ ଗୁମ୍ଫା ପରିତ୍ୟାଗ କରି ବାହାରି ଆସିଲେ ।

 

ଚିତ୍ରକୂଟରେ ଗୋଟିଏ ଦରିଦ୍ର ବ୍ରାହ୍ମଣର ଦୁଃଖ ଦୂର କରିବା ନିମିତ୍ତ ସେ ଥରେ ସ୍ତୁତି କରିବାରୁ ମନ୍ଦାକିନୀରୁ ଦରିଦ୍ରମୋଚନଶିଳା ଜାତ ହୋଇଥିଲା । ସେ ସ୍ଥାନ ଅଦ୍ୟାପି ଦରିଦ୍ରମୋଚନ ନାମରେ ଖ୍ୟାତ । ଶୁଣାଯାଏ, ସେ ବ୍ରାହ୍ମଣ ଦରିଦ୍ରତାର ଦାରୁଣ ନିର୍ଯ୍ୟାତନା ସହି ନ ପାରି ସେ ଘାଟରେ ପ୍ରାଣତ୍ୟାଗ କରିବାକୁ ଯାଉଥିଲା । ତୁଳସୀ ଦାସ ତାକୁ ଦେଖିପରି ପ୍ରଥମେ ତା ଆଗରେ ଧନ ସମ୍ପଦର ଅନିଜ୍ୟତା ଓ ଅନିଷ୍ଟକାରିତା ସମ୍ବନ୍ଧରେ ଉପଦେଶ ଦେଇ ତାକୁ ଆତ୍ମହତ୍ୟା ପାପରୁ ନିବୃତ୍ତ କରିବାକୁ ଚେଷ୍ଟା କଲେ । କିନ୍ତୁ ପରେ ତାର ଅଭାବ ଓ ଦୁଃଖ ସ୍ମରଣ କରି ତାକୁ ସେଥିରୁ ମୁକ୍ତ କରିବା ନିମିତ୍ତ ଘୋର ପ୍ରସ୍ତୁତି କଲେ ଏବଂ ତାହା ଫଳରେ ଦରିଦ୍ର ବ୍ରାହ୍ମଣର ଅସୁବିଧା ଦୂର ହେଲା ।

 

ସଣ୍ଡୀଲାନିବାସୀ ସ୍ଵାମୀ ନନ୍ଦଲାଲଜୀ ଅଯୋଧ୍ୟାରୁ ଚିତ୍ରକୂଟ ଆସି ତୁଳସୀ ଦାସଙ୍କ ସହିତ ଦେଖା କରିଥିଲେ । ଦୁହିଙ୍କର ପ୍ରାଣରେ ଅପାର ଆନନ୍ଦ ଜାତ ହୋଇଥିଲା । ସେଠାରେ ଗୋସାଇଁଜୀ ନିଜ ହାତରେ ରାମକବଚ ଲେଖି ନନ୍ଦଲାଲଜୀଙ୍କୁ ଭେଟି ଦେଇଥିଲେ । ସ୍ଵାମୀ ନନ୍ଦଲାଲଜୀ ସଣ୍ଡୀଲାରୁ ଥରେ ଆସୁଥିଲା ବେଳେ ଜଣେ ପଠାଣ ତାଙ୍କୁ ଗିରଫ କରିବାକୁ ଉଦ୍ୟତ ହୁଅନ୍ତେ ତାହାର ମୁଖରୁ ରକ୍ତସ୍ରାବ ହେଲା । ସେ ପଠାଣ ଭୟଗ୍ରସ୍ତ ହୋଇ ତୁଳସୀ ଦାସଙ୍କର ଶରଣାପନ୍ନ ହେବାରୁ ଗୋସ୍ୱାମୀଜୀ ତା ଉପରେ କୃପାଦୃଷ୍ଟି କରି ତାକୁ ତତ୍‍କ୍ଷଣାତ୍ ଆରୋଗ୍ୟ କରି ଦେଇଥିଲେ ।

 

ଏହିପରି ପ୍ରଭୁଙ୍କ କରୁଣା ବଳରେ ବଳୀୟାନ ହୋଇ ତୁଳସୀ ଦାସଜୀ ନିରନ୍ତର ରାମନାମମହିମା ଗାନ କରିବାକୁ ଲାଗିଲେ । ଦିନେ ସେ ସ୍ୱପ୍ନରେ ଶୁଣିଲେ—ଭଗବାନ ଶ୍ରୀରାମଚନ୍ଦ୍ର ତାଙ୍କୁ ଅଯୋଧ୍ୟା ଯାଇ ରାମାୟଣ ରଚନା କରିବାକୁ ଆଦେଶ ଦେଉଅଛନ୍ତି ! ତତ୍ପର ଦିନ ସେ ସେଠାରୁ ବସତି ଭାଙ୍ଗି ଅଯୋଧ୍ୟା ଅଭିମୁଖରେ ଯାତ୍ରା କଲେ ।

Image

 

ଏକାଦଶ ପରିଚ୍ଛେଦ

ଯୋଗସିଦ୍ଧି ଓ ରାମାୟଣ ରଚନା

 

ଭଗବାନ ଶ୍ରୀରାମଚନ୍ଦ୍ରଙ୍କର ଅସୀମ ଅନୁକମ୍ପା ବଳରେ ଗୋସ୍ୱାମୀ ତୁଳସୀ ଦାସଜୀ ଯୋଗସିଦ୍ଧ ହୋଇ ଅତି ଅଦ୍ଭୁତ ଶକ୍ତିଶାଳୀ ହୋଇ ଉଠିଲେ । ସେ ଶକ୍ତି ତୋପ ବନ୍ଧୁକର ଶକ୍ତିଠାରୁ ବଡ଼, ସିଂହ ବ୍ୟାଘ୍ର ଆଦି ହିଂସ୍ରପ୍ରାଣୀ ସେ ଶକ୍ତି ସମ୍ମୁଖରେ ତୃଣବତ୍‍ତୁଚ୍ଛ, ଦିଗ୍‍ବିଜୟୀ ସମ୍ରାଟର ତୁଙ୍ଗ ସିଂହାସନ ସେ ଶକ୍ତି ଆଗରେ ଟଳମଳ । ସେ ପାଶବିକ, ପାର୍ଥିବ ଶକ୍ତି ନୁହେଁ । ଯାହାର କୃପା ମୂକଂ କରୋତି ବାଚାଳଂ ପଙ୍ଗୁମ୍ ଲଙ୍ଘୟତେ ଗିରିମ୍, ସେହି ଶକ୍ତିସାଗର ଭଗବାନଙ୍କର ବିଭୂତି ପାଇ ତୁଳସୀ ଦାସ ଆଜି ମହାଶକ୍ତିଶାଳୀ । ଚିତ୍ରକୂଟରେ ପାଇଥିବା ପ୍ରଭୁଙ୍କର ଆଦେଶକୁ ଶିରୋଧାର୍ଯ୍ୟ କରି ସେ ଅଯୋଧ୍ୟା ଗଲେ । ପ୍ରାଣାୟାମରେ ସିଦ୍ଧିଲାଭ କରିଥିବାରୁ ବହୁଦିନର ପଥ ଅନାୟାସରେ ଅଳ୍ପ ସମୟ ମଧ୍ୟରେ ସେ ଯାଇ ପାରୁଥିଲେ । ତୁଳସୀ ଦାସ ସ୍ୱଭାବରେ କବିପ୍ରାଣ, ଶୁଦ୍ଧ ସୌନ୍ଦର୍ଯ୍ୟର ଉପାସକ । ସରଯୂର ଶ୍ରୁତିପ୍ରିୟ କାଳସ୍ୱନ, ଅଯୋଧ୍ୟାର ପ୍ରାଚୀନ ଶୋଭା ବିଭବ ତାଙ୍କୁ ମୁଗ୍ଧ କରି ପକାଇଲା । କିଛି ଦିନ ସେଠାର ଗଗନପବନରେ ଦେହମନ ପବିତ୍ର କରି ସେ ରାମାୟଣ ରଚନାରେ ପ୍ରବୃତ୍ତ ହେଲେ । ଭକ୍ତ–ବାଞ୍ଛାକଳ୍ପତରୁ ଭଗବାନଙ୍କୁ ଭକ୍ତି–ଅଞ୍ଜନ–ବୋଳା ନେତ୍ରର ସମ୍ମୁଖରେ ସର୍ବଦା ରଖି ସେ ବାଳକାଣ୍ଡ ସମାପ୍ତ କଲେ । ଏହି ପୁସ୍ତକ ପ୍ରକାଶିତ ହେଲା ଉତ୍ତାରୁ ଶତ ସହସ୍ର ଲୋକ ଏହାକୁ ପାଠ କରି କୃତକୃତ୍ୟ ହେଲେ । କେତେ ଲୋକ କେତେ ବହି ଲେଖିଛନ୍ତି; କିନ୍ତୁ ତୁଳସୀ ଦାସଙ୍କ ରାମାୟଣ ପରି ହରିପ୍ରେମର ମଧୁର ମୂର୍ଚ୍ଛନା କେଉଁ ପୁସ୍ତକରେ ଧ୍ୱନିତ ହୋଇଛି କି ନା ସନ୍ଦେହ । ଆମ ଉତ୍କଳର ପୁରପଲ୍ଲୀର ‘କୋଟି–କୁଟୀ–ସୌଧ–ବାସେ’ ଯେପରି ଜଗନ୍ନାଥ ଦାସଙ୍କ ଭାଗବତ ଆଦୃତ ଓ ସୁପରିଚିତ, ହିନ୍ଦୁ ସ୍ଥାନର ହିନ୍ଦୀଭାଷୀ ଅଞ୍ଚଳରେ ତୁଳସୀ ଦାସଙ୍କ ରାମାୟଣ ସେହିପରି ଲୋକପ୍ରିୟ ।

 

ତୁଳସୀ ଦାସ ଏହି ଗ୍ରନ୍ଥର ନାମ ‘ରାମଚରିତ ମାନସ’ ଦେଇଥିଲେ । ତାଙ୍କ ଲେଖାରୁ ଜଣାଯାଏ ଯେ, ଏହା ଅଯୋଧ୍ୟା (ଅବଧ) ରେ ଆରମ୍ଭ ହୋଇଥିଲା; କିନ୍ତୁ କେଉଁଠାରେ ସେ ଏହାକୁ ଶେଷ କରିଥିଲେ, ତାହା ଲେଖି ନାହାନ୍ତି । ପଣ୍ଡିତମାନଙ୍କର ମତ ଯେ, ସେ ଅଯୋଧ୍ୟାରୁ କାଶୀ ଯାଇ ସେହିଠାରେ ଅବଶିଷ୍ଟ କାଣ୍ଡମାନ ରଚନା କରିଥିଲେ । ଏଠାରେ ତାଙ୍କର ଜୀବନକାହାଣୀ ଧାରାବାହିକ ରୂପେ ବର୍ଣ୍ଣିତ ହେଉଥିବାରୁ ତାଙ୍କ ରଚିତ ରାମାୟଣର ସମ୍ୟକ୍ ପରିଚୟ ଦିଆଗଲା ମାତ୍ର । ପୁସ୍ତକ ଶେଷରେ ତାଙ୍କ କବିତା ଓ କାବ୍ୟ ରଚନା ଶକ୍ତିର ସଂକ୍ଷିପ୍ତ ଆଲୋଚନା କରାଯିବ ।

 

କାଶୀଧାମରେ ଯେଉଁ ଆଶ୍ରମରେ ବସି ତୁଳସୀ ଦାସ ରାମାୟଣ ଲେଖୁଥିଲେ, ଅଦ୍ୟାବଧି ସେ ସ୍ଥାନ ତୁଳସୀଘାଟ ନାମରେ ପ୍ରସିଦ୍ଧ । ପ୍ରତିବର୍ଷ ଅସଂଖ୍ୟ ସନ୍ନ୍ୟାସୀ ଏଠାରେ ବସି ‘ରାମାୟଣ’ ପାଠ କରନ୍ତି ।

 

ବିଶ୍ୱମ୍ଭର ସ୍ମାର୍ତ୍ତ୍ୟବାଗୀଶ ନାମରେ କାଶୀର ଏକ ପଣ୍ଡିତ ତୁଳସୀ ଦାସଙ୍କର ସମ୍ମାନଶ୍ରୀ ଦେଖି ପାରିଲେ ନାହିଁ । କାରଣ ଯେ କେହି ଛାତ୍ର ଶିକ୍ଷା କରିବାକୁ ଆସନ୍ତି, ସେମାନେ ତୁଳସୀ ଦାସ ବାବାଜୀଙ୍କ ଆଶ୍ରମକୁ ଯାନ୍ତି । ସେ କେହି ପାପୀ ତାପୀ ପ୍ରାୟଶ୍ଚିତର ବିଧାନ ନେବାକୁ ଆସନ୍ତି, ସେମାନେ ମଧ୍ୟ ତାଙ୍କରି ନିକଟକୁ ଆସନ୍ତି । ତୁଳସୀ ଦାସଙ୍କର ଅର୍ଥଲୋଭ ଆଦୌ ନ ଥିଲା । ତେଣୁ ସେ ଧନୀ ଦରିଦ୍ର ସମସ୍ତଙ୍କର ପ୍ରିୟପାତ୍ର ହୋଇ ଉଠିଲେ । ବିଶ୍ୱମ୍ଭର ପଣ୍ଡିତଙ୍କର ଆୟର ପନ୍ଥା କମିଗଲା । ସେ ଯେଉଁ ସମୟରେ ‘ଦେଖଇ ନେତ୍ର ଯାହା ଚଉଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ୱର’ ନୀତି ଧରି କାଶୀ ପଣ୍ଡିତମଣ୍ଡଳୀରେ କେନ୍ଦ୍ରସ୍ଥାନ ଅଧିକାର କରିଥିଲେ, ସେ ସମୟର ଅବସ୍ଥା ସ୍ମରଣ କରି ମନେ ମନେ ତୁଳସୀ ଦାସଙ୍କୁ ଶତ ଧିକ୍କାର କରିବାକୁ ଲାଗିଲେ ଏବଂ ତାଙ୍କୁ କୌଣସି ପ୍ରକାରେ କାଶୀରୁ ବହିଷ୍କୃତ କରିଦେବା ପାଇଁ ଉପାୟ ଉଦ୍ଭାବନ କରିବାକୁ ଲାଗିଲେ ।

 

ପତିତପାବନୀ ଜାହ୍ନବୀ କୂଳରେ ତୁଳସୀ ଦାସ ଦିନେ ବୁଲୁ ବୁଲୁ ଏକ ଅଦ୍ଭୁତ ଦୃଶ୍ୟ ଦେଖିଲେ । ସେ ପ୍ରତ୍ୟହ ବ୍ରାହ୍ମମୁହୂର୍ତ୍ତରୁ ଶଯ୍ୟାତ୍ୟାଗ କରି ସ୍ନାନ କରନ୍ତି । ଦିନେ ରାତି ପାହିନାହିଁ । ସେ ଗଙ୍ଗାକୂଳରେ ଉପସ୍ଥିତ ହେଲା ମାତ୍ରେ ଶୁଣିଲେ–ଜୟ ମା ଜାହ୍ନବୀ, ପାପନାଶିନୀ, ମା ଭଗବତୀ ! ତୁ ମୋର ମନର ଭାବ ଜାଣୁ, ମୁଁ ଇଚ୍ଛା କରି ମାରି ନାହିଁ, ଅଜ୍ଞାତସାରରେ, ଅସାବଧାନତା ହେତୁ ତାହାର ମୃତ୍ୟୁ ହୋଇଅଛି । ତେବେ ସୁଦ୍ଧା ମୋର ହୃଦୟ ଅନୁତାପାଗ୍ନିରେ ହୁ–ହୁ କରି ଜଳୁଛି । ମା ପାପୀ–ନିସ୍ତାରିଣୀ ! ଏ ଅଧମକୁ ଶାନ୍ତି ଦେ ମା ! ଆଉ ସହିପାରୁ ନାହିଁ । ବହୁତ ଭରସା କରି ଆସିଛି–କେଜାଣି ତୋର ତର–ତରଙ୍ଗ–ଭଙ୍ଗ ସୁଶୀତଳ ବକ୍ଷରେ ଆଶ୍ରୟ ନେଲେ ଏ ଦୁଃସହ ଯନ୍ତ୍ରଣାରୁ ନିଷ୍କୃତି ପାଇବି । ତୁଳସୀ ଦାସ ଦେଖିଲେ, ଜଣେ ଯୁବକ ନଦୀତୀରରେ ଠିଆ ହୋଇ ଏହିପରି କହୁଅଛି ଏବଂ ନଈକି ଡେଇଁ ପଡ଼ିବାକୁ ଉଦ୍ୟତ ହେଉଅଛି । ସେ ପଛପଟରୁ ପାଟି କରି କହିଲେ, “ହାଁ ହାଁ ! କଣ କରୁଛ ତୁମେ ? ଆତ୍ମହତ୍ୟା ମହାପାପ । ସବୁ ପାପର ମୁକ୍ତ ଅଛି, କିନ୍ତୁ ଏ ପାପର ମୁକ୍ତି ନାହିଁ । ମୋର କଥା ମାନ । ଏପରି ପ୍ରାୟଶ୍ଚିତ୍ତ କରିବାଦ୍ୱାରା ତୁମେ ପାପମୁକ୍ତ ହେବା ଦୂରେ ଥାଉ, ଅନନ୍ତ ନରକଭୋଗ ବରଣ କରୁଛ ।” ଏହା କହି ସେ ଯୁବକଟିକୁ ଭିଡ଼ି ଆଣିଲେ ।

 

ଯୁବକଟି ଚମକି ପଡ଼ି ଫେରି ଚାହିଁଲା—ଏକ ଦିବ୍ୟଜ୍ୟୋତିମୟ ମହାପୁରୁଷ । ତାଙ୍କୁ ଦେଖିବା ମାତ୍ରେ ତାର ହୃଦୟ ଆନନ୍ଦରେ ନାଚି ଉଠିଲା । ସେ କାନ୍ଦି କାନ୍ଦି ତାଙ୍କ ଚରଣତଳେ ପଡ଼ି କହିଲା, “କିଏ ଆପଣ ପ୍ରଭୁ ! ମୋର କଳୁଷକ୍ଳିଷ୍ଟ ଶରୀରକୁ ସ୍ପର୍ଶ କଲେ ? ମୁଁ ମହାପାତକୀ । ମୋତେ ଦେଖିଲେ ଲୋକମାନେ ଘୃଣା ଅନୁଭବ କରୁଅଛନ୍ତି ।”

 

ତୁଳସୀ ଦାସ ଉତ୍ତର କଲେ, “ମୁଁ ଭଗବାନଙ୍କ ରାଜ୍ୟରେ ଗୋଟିଏ ଅତି ନଗଣ୍ୟ ଜୀବ । ଲୋକେ ମୋତେ ଦୟାକରି ତୁଳସୀ ଦାସ ଡାକନ୍ତି । ତୁମ୍ଭେ ଏଠାରେ କାହିଁକି ଆତ୍ମହତ୍ୟା କରିବାକୁ ଯାଉଥିଲ, ମୋତେ କହିବ କି ?”

 

ଯୁବକଟି କହିଲା, “ଓହୋ ! ଆପଣ ତୁଳସୀ ଦାସ ? ସାଧକଶିରୋମଣି, ରାମଗତପ୍ରାଣ, ଭକ୍ତକବି ମହାତ୍ମା ତୁଳସୀ ଦାସ ? ମୁଁ ବଡ଼ ଭାଗ୍ୟବାନ୍ ଯେ, ମୃତ୍ୟୁ ପୂର୍ବରୁ ଥରେ ଆପଣଙ୍କର ଦର୍ଶନଲାଭ କଲି ! ମୁଁ ଘୋର ଅପରାଧୀ ଜଣେ । ବ୍ରାହ୍ମଣ କୂଳରେ ଜନ୍ମ । କୁସ୍ତି ଖେଳରେ ମତ୍ତ ହୋଇ ଜଣେ ସହଯୋଗୀ ବ୍ରାହ୍ମଣ ସଙ୍ଗେ ବଳ ପରୀକ୍ଷା କରୁ କରୁ ତାର ମୃତ୍ୟୁ ଘଟିଛି । ମୁଁ ସେତେବେଳେ ଏପରି ଅଜ୍ଞାନ ହୋଇ ପଡ଼ିଥିଲି ଯେ, ତାହାର ମୃତ୍ୟୁ ଘଟିପାରେ ଏ କ-। ମୋର ମୋଟେ ଧାରଣା ନ ଥିଲା । କିନ୍ତୁ ତାର ମରଣର ମୂଳ କାରଣ ମୁଁ । ଏ ଘଟନା ପରେ ଘୋର ଅନୁତାପାନଳରେ ଦଗ୍ଧ ହୋଇ ପାଗଳପ୍ରାୟ ହୋଇଗଲି । ଶେଷରେ ଅନ୍ୟ ଉପାୟ ନ ଦେଖି କାଶୀର ବିଖ୍ୟାତ ପଣ୍ଡିତ ବିଶ୍ଵମ୍ଭର ସ୍ମାର୍ତ୍ତ୍ୟବାଗୀଶଙ୍କ ନିକଟକୁ ଯାଇଥିଲି । ସେ ଏ ଘଟଣା ଶୁଣି ନାସିକା କୁଞ୍ଚନ କରି କହିଲେ, ‘ଓଃ, କି ପାଷଣ୍ଡ ! ବ୍ରାହ୍ମଣ ହୋଇ ବ୍ରାହ୍ମଣକୁ ହତ୍ୟା କରିଛି ! ବ୍ରହ୍ମହତ୍ୟା ମହାପାପ, ତାର ମୁକ୍ତିର ଉପାୟ ତ କିଛି ନାହିଁ, ମୁଁ ବ୍ୟବସ୍ଥା ଦେବି କଣ-? ବ୍ରହ୍ମହତ୍ୟାକାରୀର ମୁଖଦର୍ଶନନିଷିଦ୍ଧ । ତାକୁ ଶ୍ରୀଘ୍ର ଏଠାରୁ ଚାଲିଯିବାକୁ କହ ଏବଂ କହିଦିଅ, ତୁଷାନଳ ଅଥବା ଗଙ୍ଗାଗର୍ଭରେ ଜୀବନ ବିସର୍ଜନ ବ୍ୟତୀତ ତାର ଅନ୍ୟ ପ୍ରାୟଶ୍ଚିତ୍ତ ନାହିଁ-।’ ଏ କଥା ଶୁଣି ମୁଁ ହତାଶ ହୋଇ ପଡ଼ିଲି । ମୋ ଅନୁତାପାଗ୍ନିରେ ଏହା ଘୃତର ଆହୁତି ସ୍ଵରୂପ କାର୍ଯ୍ୟ କଲା-। ସେଠାରୁ ଉନ୍ମାଦଗ୍ରସ୍ତ ପରି ଘୂରି ଘୂରି ଏଠାକୁ ଆସିଥିଲି ପତିତ-ପାବନୀ ଜାହ୍ନବୀଙ୍କି ମୋ ଦୁଃଖ ଜଣାଇ ଶାନ୍ତିରେ ମରିବି ବୋଲି । ଆପଣ ମୋତେ କାହିଁକି ବାଧା ଦେଲେ ?”

 

ତୁଳସୀ ଦାସ କାମଳ ସ୍ଵରରେ ଉତ୍ତର କଲେ, “ଗୋଟିଏ ପାପ କରି ତା ଉପରେ ପୁଣି ଗୋଟିଏ ପାପ କଲେ କଣ ପାପ କ୍ଷୟ ହୁଏ ? ତୁମେ ଯଦି ଖୁବ୍ ଅନୁତାପ କରିଛ, ତେବେ ତାହା ଯଥେଷ୍ଟ ହୋଇଅଛି । ଅନ୍ୟ ରକମ ବ୍ୟବସ୍ଥା କଲେ ତୁମ୍ଭେ ଶାନ୍ତିଲାଭ କରି ପାରିବ । ଏଥିରୁ କ୍ଷାନ୍ତ ହୁଅ ।”

 

ଯୁବକଟି ଉତ୍କଣ୍ଠିତ ହୋଇ ପଚାରିଲା, “ମୋ ପାଇଁ କଣ ଅନ୍ୟ ବ୍ୟବସ୍ଥା ଅଛି ଶାସ୍ତ୍ରରେ-?” ତୁଳସୀ ଦାସ କହିଲେ, “ହଁ, ହଁ, ନିଶ୍ଚୟ ଅଛି । ସେଥିପାଇଁ ବେଶୀ ଚିନ୍ତିତ ହୁଅ ନାହିଁ-। ଯାହାଙ୍କର ଅସୀମ କୃପାବଳରେ ଦୁର୍ବଳ ଦେହରେ ଶତସିଂହବିକ୍ରମ ଜାଗିଉଠେ, ଯାହାଙ୍କ ଦର୍ଶନ ଥରେ ଲାଭ କଲେ ଏ ପାପତାପଗ୍ରସ୍ତ ସଂସାରରେ ପୁନରାୟ ଜନ୍ମଗ୍ରହଣ କରିବାକୁ ପଡ଼େନାହିଁ, ଯାହାଙ୍କର ପ୍ରତି ଲୋମକୂପ ମୂଳେ ମାଳ ମାଳ ବ୍ରହ୍ମାଣ୍ଡ ବିରାଜିତ, ସେହି ନବଜଳଧରକାନ୍ତି, କଞ୍ଜକଳେବର ସୀତାପତି ଶ୍ରୀରାମଚନ୍ଦ୍ରଙ୍କର ପବିତ୍ର ନାମ ସ୍ମରଣ କର । ତୁମ୍ଭର ଦଗ୍‍ଧପ୍ରାଣ ଶୀତଳ ହୋଇଯିବ ।” ଏହା କହି ତୁଳସୀ ଦାସ ବ୍ରାହ୍ମଣ ଯୁବକଟିର କର୍ଣ୍ଣରେ ରାମନାମ ମହମନ୍ତ୍ର ପ୍ରଦାନ କରନ୍ତେ ତାର ଦେହ ରୋମାଞ୍ଚିତ ହୋଇ ଉଠିଲା । ସେ ଭକ୍ତି–ପ୍ରେମ–ତନ୍ମୟ ହୋଇ କହିଲା, “ଆହା ! କି ସୁନ୍ଦର ନାମ ! କି ମଧୁମୟ ଶବ୍ଦ ! ଗୁରୁଦେବ ! ଅନୁଗ୍ରହ କରି ମୋତେ ଆପଣ ଶିଷ୍ୟ ରୂପେ ଆଜିଠାରୁ ଗ୍ରହଣ କରନ୍ତୁ । ମୁଁ ଯେପରି ସବୁବେଳେ ଏ ସୁଧାମୟ ନାମର ମହିମା ଉପଲବ୍ଧି କରେ ।” ତୁଳସୀ ଦାସ ମନେ ମନେ ଯୁବକଟି ପାଇଁ ରାମଚନ୍ଦ୍ରକୁ ସ୍ମରଣ କରୁଥିଲେ-। ହଠାତ୍ ଚମକିପଡ଼ିଲା ପରି ହୋଇ ପଚାରିଲେ, “ଆସ ! ପ୍ରଭୁଙ୍କ କୃପାରେ ତୁମ୍ଭର ସମସ୍ତ ପାପ କ୍ଷୟ ହୋଇଯିବ । ତୁମ୍ଭର ନାମ କଅଣ ?” ଯୁବକଟି ଉତ୍ତର କଲା, “ମୋ ନାମ ଭବାନୀ ମିଶ୍ର ।”

 

ସେହି ଦିନଠାରୁ କାୟା ସଙ୍ଗେ ଛାୟା ଗୋଡ଼ାଇଲା ପରି ଭବାନୀ ମିଶ୍ର ତୁଳସୀ ଦାସ ବାବାଜୀଙ୍କ ସଙ୍ଗେ ସଙ୍ଗେ ରହିଲା । ପୂର୍ବକୃତ ପାପ ଦୁଷ୍କୃତି ସବୁ ଭୁଲିଯାଇ ସେ ବାଲ୍ମୀକିଙ୍କ ପରି ନିରନ୍ତର ରାମନାମ ଜପ କରିବାକୁ ଲାଗିଲା । ଏଣିକି କେହି ଯଦି ତା ଆଗରେ କୁସ୍ତି ଖେଳ କଥା ପକାଏ, ସେ ଗୋଟାସୁଦ୍ଧା ଥରି ଉଠେ ଏବଂ ସତ୍ଵର ସେ ସ୍ଥାନ ପରିତ୍ୟାଗ କରି ଚାଲିଯାଏ ।

 

ତୁଳସୀ ଦାସ ସନ୍ୟାସୀ ହେଲେହେଁ ବ୍ରାହ୍ମଣୋଚିତ ଆଚାର ପଦ୍ଧତି ଛାଡ଼ି ନ ଥିଲେ । ଅନ୍ୟାନ୍ୟ ସାଧୁଙ୍କ ପରି ସେ ଯଜ୍ଞୋପବୀତ ପକାଇ ଦେଇ ନ ଥିଲେ । ସେ ରାମାତ୍ ବୈଷ୍ଣବ ନାମରେ ଏକ ସ୍ଵତନ୍ତ୍ର ବୈଷ୍ଣବ ଦଳ ଗଠନ କରି ବୈଷ୍ଣବମାନଙ୍କୁ ଦୁଇ ଭାଗରେ ବିଭକ୍ତ କରି ପକାଇଲେ । ତେଣୁ ବୈଷ୍ଣବ ସମାଜରେ ସାଧାରଣତଃ ତାଙ୍କର ଗତାଗତ ଆପତ୍ତଜନକ ଥିଲା । ଥରେ ପୁଷ୍କରତୀର୍ଥରେ ବୈଷ୍ଣବ ସମାଜରେ ଗୋଟିଏ ମେଳା ହେଉଥିଲା । ଏଠାକୁ ବିଶ୍ଵମ୍ଭର ସ୍ମାର୍ତ୍ତ୍ୟବାଗୀଶଙ୍କ ପରାମର୍ଶ ଅନୁସାରେ ବୈଷ୍ଣବଦ୍ଵେଷୀ ବୋଲି ତୁଳସୀ ଦାସଙ୍କୁ ନିମନ୍ତ୍ରଣ କରାଯାଇ ନ ଥିଲା । ଯେତେବେଳେ ସାଧୁ ମଣ୍ଡଳୀ ଭୋଜନରେ ବସିଲେ, ଦୁଇ ଜଣ ଅନିମନ୍ତ୍ରିତ ସାଧୁ ସେଠାରେ ଆସି ପହଞ୍ଚିଲେ । ସେମାନଙ୍କୁ କେହି ଅଭ୍ୟର୍ଥନା ନ କରିବାରୁ ସେ ଦୁହେଁ ଯେଉଁଠାରେ ସମସ୍ତଙ୍କର ପାଦୁକା ଥୁଆ ହୋଇଥିଲା, ସେହି ସ୍ଥାନରେ ବସିଲେ । ପରିବେଶଣକାରୀ ଡାଲି ଦେଉ ଦେଉ ତାର ଏମାନଙ୍କ ଉପରେ ଦୃଷ୍ଟି ପଡ଼ିଗଲା । ସେ ଏ ଦୁହିଁଙ୍କୁ ନିଚ ଲୋକ ବୋଲି ଭାବି ତାଚ୍ଛଲ୍ୟରେ କହିଲା, କୌଣସି ଜାଗା ଆଣ, ନାହିଁ ତ ଡାଲି କିପରି ଖାଇବ ?”

 

ସଭା ମଧ୍ୟରେ ଜଣେ ରାମାତ୍ ବୈଷ୍ଣବ ଖାଇ ବସିଥିଲେ । ସେ ପ୍ରତି ଗୁଣ୍ଡା ପଟିକି ନେବା ପୂର୍ବରୁ “ରାମନାମ” ଅଜ୍ଞାତ ଭାବରେ ଉଚ୍ଚାରଣ କରି ଖାଉଥିଲେ । ତାଙ୍କର ପାଦୁକା ସେହିଠାରେ ଥିଲା । ପରିବେଷଣକାରୀର ପ୍ରଶ୍ନ ଶୁଣି ଆଗନ୍ତୁକ ସନ୍ୟାସୀ ମଧ୍ୟରୁ ଜଣେ ଉକ୍ତ ପାଦୁକାଟି ଦେଖାଇ କହିଲା, “ଦିଅନ୍ତୁ, ଏଇଥିରେ ଡାଲି ଦିଅନ୍ତୁ ।” ପରିବେଷଣକାରୀ ତାହାର ମ୍ଳେଚ୍ଛୋଚିତ ବ୍ୟବହାର ଦେଖି କହିଲା, “ତୁମ୍ଭେ ହୀନ ଅସ୍ପୃଶ୍ୟ ଜାତିଙ୍କ ପରି ଚମଡ଼ାର ଜୋତା ଦେଖାଉଛ ଡାଲି ନେବ ବୋଲି ! ତୁମ୍ଭ ନିଜ ଦେହରେ କଣ ଚମଡ଼ା ନାହିଁ ?”

 

ଏହା ଶୁଣି ଉକ୍ତ ଦିବ୍ୟଜ୍ୟୋତି ସାଧୁ ଉତ୍ତର କଲେ—

 

“ତୁଳସୀ ଯାକେ ମୁଖନତେ କି ଧୋଖୋ ଆୟତ ରାମ

ତାକେ ପଦ୍‍କୀ ପାନହୀ, କେ ମେରେ ତନକା ଚାମ ।”

 

ଅର୍ଥାତ୍‍ ଯାହାଙ୍କର ମୁଖରୁ ଖାଇଲାବେଳେ ସୁଦ୍ଧା ଅଜ୍ଞାତ ସାରରେ ରାମନାମ ବାହାରୁଥାଏ, ତାଙ୍କର ଜୋତାର ଚମଡ଼ାକୁ ତୁଳସୀ ଦାସ ନିଜର ଚମଡ଼ା ଅପେକ୍ଷା ଅଧିକତର ପବିତ୍ର ଜ୍ଞାନ କରେ । ତେବେ ସେଥିରେ ଖାଇଲେ ଦୋଷ କ’ଣ ?

 

ଏହା ଶୁଣି ସଭାସ୍ଥ ସମସ୍ତ ସାଧୁ ଆଶ୍ଚର୍ଯ୍ୟାନ୍ୱିତ ହୋଇଗଲେ । ସୁଦୂର କାଶୀଧାମରୁ ତୁଳସୀ ଦାସ ବାବାଜୀ ଆସି ଏପରି ଅପମାନିତ ଓ ଘୃଣିତ ଭାବରେ ସଭାପ୍ରାନ୍ତରେ ବସିଅଛନ୍ତି ! ତାଙ୍କୁ ଭୋଜନପାତ୍ର ଖଣ୍ଡେ ସୁଦ୍ଧା ଦିଆଯାଇ ନାହିଁ ଦେଖି ଲଜ୍ଜାରେ ସେମାନଙ୍କର ମୁଖ ବିବର୍ଣ୍ଣ ପଡ଼ିଗଲା । ତତ୍ପରେ ତୁଳସୀ ଦାସଙ୍କ ପାଦସ୍ପର୍ଶରେ ସେ ସ୍ଥଳ ପବିତ୍ର ହୋଇଗଲା ମନେ କରି ସମସ୍ତେ ଏକ ସ୍ଵରରେ “ଜୟ ମହାରାଜ ଶ୍ରୀରାମଚନ୍ଦ୍ରଜୀ ଜୟ” ବୋଲି ଜୟଧ୍ଵନି କଲେ । ତୁଳସୀ ଦାସ କହିଲେ, “ଆପଣମାନଙ୍କର ଧାରଣା ଯେ, ମୁଁ ବୈଷ୍ଣବ–ବିରୋଧୀ, କିନ୍ତୁ ତାହା ସମ୍ପୂର୍ଣ୍ଣ ଭୁଲ୍ । ମୁଁ ବୈଷ୍ଣବର ଦାସାନୁଦାସ । ମୁଁ ସମ୍ପ୍ରଦାୟକୁ ନିନ୍ଦା କରେ ନାହିଁ; କିନ୍ତୁ ଯେଉଁମାନେ ଏ ସମ୍ପ୍ରଦାୟଭୁକ୍ତ ହୋଇ ବ୍ୟଭିଚାର କରନ୍ତି, ମୁଁ ସେମାନଙ୍କ ସହିତ ମିଳାମିଶା କରେ ନାହିଁ ।”

 

ତୁଳସୀ ଦାସଙ୍କର କଥା ଶୁଣି ସମସ୍ତେ ବିଶ୍ୱମ୍ଭର ପଣ୍ଡିତଙ୍କୁ ବହୁତ ଧିକ୍‍କାର କଲେ । ସଭାଭଙ୍ଗ ପୂର୍ବରୁ ସାଧକାଗ୍ରଗଣ୍ୟ ତୁଳସୀ ଦାସଙ୍କ ନିକଟରେ ସେ ସମସ୍ତେ କ୍ଷମା ଭିକ୍ଷା କଲେ । ତାଙ୍କ ସଙ୍ଗେ ଭବାନୀ ମିଶ୍ର ଯାଇଥିଲା । ସେ ଏ ଅଦ୍ଭୁତ ଦୃଶ୍ୟ ଦେଖି ମନେ ମନେ ଗୁରୁଦେବଙ୍କୁ ଧନ୍ୟ ଧନ୍ୟ କହିବାକୁ ଲାଗିଲା ।

Image

 

ଦ୍ୱାଦଶ ପରିଚ୍ଛେଦ

ତୁଳସୀ ଦାସ

ଦୁଃଖୀରାମ

 

“କିରେ ଦୁଃଖୀ, ତୁ ପରା ମୋତେ ଆଣିଥିଲୁ ମୋ ତୁଳସୀକି ଦେଖାଇଦେବା ପାଇଁ ? କାହିଁ, ଏତେଦିନ ହେଲା ତ ଆସିଲୁଣି ସେ କଥା ନାଁ ଧରୁ ନାହୁଁ ଆଉ ?”

 

“ଖୁଡ଼ୀ ! ତୋ ତୁଳସୀ କ’ଣ ଆଜିକାଲି ଆଉ ସେ ରାଜାପୁର ତୁଳସୀ ଅଛି ? ସେ ଏହା ମଧ୍ୟରେ କାଶୀର ଜଣେ ବିଖ୍ୟାତ ପଣ୍ଡିତ ହୋଇ ବେଦ ବେଦାନ୍ତ ଶିକ୍ଷା ଦେଉଅଛନ୍ତି । ତାଙ୍କ ସଙ୍ଗେ ଦେଖା କରିବାକୁ କେତେ କେତେ ଲୋକ କେଉଁ କେଉଁ ମୁଲକରୁ ଆସୁଅଛନ୍ତି । ତାଙ୍କର ସମୟ ଅସମୟ ଦେଖି ତ ଫେର୍ ଯିବି ?”

 

ହୁଳସୀ ଦେବୀଙ୍କ ସଙ୍ଗରେ ନେଇ ଦୁଃଖୀରାମ ବହୁ ଦିନ ବାଟ ଚାଲି ଚାଲି କାଶୀରେ ଆସି ପହଞ୍ଚିଅଛନ୍ତି ଏବଂ ଜଣେ ଭଦ୍ରଲୋକଙ୍କ ଘରେ ଖୁଡ଼ୀଙ୍କି ରଖାଇଦେଇ ନିଜେ ତୁଳସୀ ଦାସଙ୍କର ସନ୍ଧାନ ନେଉଅଛନ୍ତି । ଶୀଘ୍ର ଦେଖା କରିବା ଆବଶ୍ୟକ, କାରଣ ଯେତେ ଯେତେ ଡେରି ହେଉଛି, ହୁଳସୀ ଦେବୀ ସେତିକି ଅସ୍ଥିର ହେଉଅଛନ୍ତି । ଦୁଃଖୀରାମ ଖୁଡ଼ୀଙ୍କୁ ସାନ୍ତ୍ୱନା ଦେଇ ଦିନେ ସନ୍ଧ୍ୟା ସମୟରେ ତୁଳସୀ ଦାସଙ୍କ ଆଶ୍ରମରେ ପହଞ୍ଚିଲେ । ସେତେବେଳକୁ ସେ ଜଣେ ଶିଷ୍ୟକୁ କ’ଣ ବୁଝାଉଥାନ୍ତି । ଦୁଃଖୀରାମ କିଛି ଦୂରରେ ଠିଆ ହୋଇ ଗୋପନୀୟ ଭାବରେ ତାଙ୍କର ପ୍ରାଣର ଭାଇ ତୁଳସୀ ଦାସଙ୍କର ତେଜୋମୟ ମୂର୍ତ୍ତି ଦର୍ଶନ କଲେ । ତାଙ୍କର ଭୟ ହେଲା, କାଳେ ତୁଳସୀ ଭାଇ ତାଙ୍କର ଅନୁରୋଧ ନ ଶୁଣି ତାଙ୍କ ଉପରେ ରାଗ କରିବେ । ପୁଣି ଭାବିଲେ—ନା, ଯାହା ହେବାର ହେବ, ଯେତେବେଳେ ଏପର୍ଯ୍ୟନ୍ତ ଆସିଲିଣି, ଗୋଟାଏ ଚେଷ୍ଟା କରିବି ନାହିଁ କାହିଁକି ? ମୁଁ ତ କିଛି ଅନ୍ୟାୟ କାର୍ଯ୍ୟ କରିବାକୁ ତାଙ୍କୁ କହିବି ନାହିଁ—ତେବେ ଭୟ କଣ ? ଏପରି ଭାବି ସାହସଭର ହୋଇ କହିଲେ, “ତୁଳସୀ ଭାଇ ! ତୁମେ ଆଜି ମଥୁରାର ରାଜା ହୋଇଛି ବୋଲି କଣ ପ୍ରିୟ ବୃନ୍ଦାବନ, ପ୍ରାଣର ରାଧା ଜନନୀ ଯଶୋଦା ଓ ପ୍ରାଣର ସଖା ଦୁଃଖୀକୁ ଏକବାରେ ଭୁଲିଗଲ-?”

 

ତୁଳସୀ ଦାସ ଚମକି ପଡ଼ି ଚାହିଁଲେ । ସୁଦୂର ଅତୀତର ପରିଚିତ ସ୍ୱର–ଓଃ ! ଏ ତ ଦୁଃଖୀ ଭାଇ । ତାଙ୍କର ସଂଯତ ହୃଦୟର ନିଶ୍ଚେଷ୍ଟ ତନ୍ତ୍ରୀମାନ ଥରି ଉଠିଲା । ସେ ଆଉ ସମ୍ଭାଳି ନ ପାରି କହିଲେ, “ଦୁଃଖୀ କିରେ ! ଆ ଭାଇ, ଭିତରକୁ ଆ । କାହୁଁ ଅଇଲା ପରି ସେଠାରେ କାହିଁକି ଠିଆ ହୋଇଛୁ ?”

 

ଦୁଃଖୀ–ତୁମେ ତ ପର କରି ଦେଇଛ–କାହୁଁ ଅଇଲା ପରି ଠିଆ ହେଲେ ଦୋଷ କଅଣ ହେଲା ?

 

ତୁଳସୀ–ପର କରି ନାହିଁ, ଦୁଃଖୀ ! ଘରଠାରୁ ଅନେକଦୂରରେ ଆସି ରହିଥିବାରୁ କିଛି କରିପାରୁନାହିଁ । ତୋର ସ୍ନେହ ଓ ଉପକାର କଣ ଜୀବନରେ ଭୁଲିପାରିବି ?

 

ଦୁଃଖୀରାମ ତତ୍ପରେ ପାଖକୁ ଆସି ସଂକ୍ଷେପରେ ସମସ୍ତ ଘଟନା କହିଗଲେ । ଭାଉଜ କିପରି ବାୟାଣୀ ହୋଇଯାଇଛି, ଖୁଡ଼ୀ କିପରି ଝୁରି ଝୁରି ଜୀର୍ଣ୍ଣଶୀର୍ଣ୍ଣ ହୋଇଗଲାଣି ଓ ଅନ୍ୟାନ୍ୟ ଯାହା ଯାହା ଏଥି ମଧ୍ୟରେ ଘଟିଥିଲା, ସବୁ କହିଲେ । କହୁଁ କହୁଁ ତାଙ୍କର ଆଖିରୁ ଲୁହଧାର ବହିବାକୁ ଲାଗିଲା । ତୁଳସୀ ଦାସଙ୍କର ପ୍ରାଣ ମଧ୍ୟ ତରଳିଗଲା । ସେ କାନ୍ଦି କାନ୍ଦି କହିଲେ, “ଦୁଃଖୀ-! ତୋତେ ସାନ ଭାଇ ବିଚାରି ମା ଓ ରତ୍ନାବଳୀର ତତ୍ତ୍ଵ ନେବାକୁ କହି ଆସିଥିଲି । ତୁ ଯେ ମୋ ପାଇଁ ଏତେ କଷ୍ଟ ସହି, ଏତେ ଦେଶ ଘୂରି ଏଠାକୁ ଆସିଛୁ, ମୁଁ ତୋତେ କି ପ୍ରତିଦାନ ଦେବି-? ତୋ ନିକଟରେ ଋଣୀ ହୋଇ ଏ ଜନ୍ମରେ ରହିଲି; କିନ୍ତୁ ତୁ ମୋତେ ଆଉ ସେକଥା ପାଇଁ ବଳାନା-। କାମିନୀକାଞ୍ଚନ ସାଧନ ପଥର କଣ୍ଟକ । ସେଥିପାଇଁ ଶାସ୍ତ୍ରକାରମାନେ ଗୃହ ତ୍ୟାଗ କରିବାକୁ ଲେଖିଅଛନ୍ତି । ଏ ଧର୍ମ ବଡ଼ କଠିନ । ଯେ ସମ୍ପୂର୍ଣ୍ଣରୂପେ ଇନ୍ଦ୍ରିୟ ଜୟ କରି ନ ପାରିଛି, ସେ ଏ ଧର୍ମର ଅଧିକାରୀ ହୋଇପାରିବ ନାହିଁ । ତୁ ଏଥର ଯା । ମୁଁ ଆଉ କିଛିଦିନ ଗଲେ ଜନ୍ମଭୂମି ଦର୍ଶନ କରିବାକୁ ଯିବି ।”

 

ଦୁଃଖୀରାମ କହିଲେ, “ଧର୍ମସାଧନ କରିବାକୁ ହେଲେ ଘର ଦ୍ଵାର ଛାଡ଼ି, ମା ବାପଙ୍କୁ ଶୋକ-ସାଗରରେ ଭସାଇ ଧର୍ମ କରାଯାଏ ନାହିଁ । ପୂର୍ବେ ବଶିଷ୍ଠ, ଗୌତମ, କଶ୍ୟପ, ବାମଦେବ, ଅଗସ୍ତ୍ୟ ପ୍ରଭୃତି ଯେଉଁ ମୁନିଋଷିମାନେ ଗୃହ ମଧ୍ୟରେ ଥାଇ ଧର୍ମାଚରଣ କରୁଥିଲେ, ସେମାନଙ୍କର ଧର୍ମ କଣ ଧର୍ମ ନୁହେଁ ? ଯେଉଁ ଜନକ ରାଜା ରାଜ୍ୟ ପରିଚାଳନା କରି ସୁଦ୍ଧା ତ୍ୟାଗ ଓ ତପସ୍ୟାର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖାଇ ଯାଇଅଛନ୍ତି, ସେ କଣ ସ୍ତ୍ରୀ ବାଳକ ଛାଡ଼ି ରାଜର୍ଷି ହୋଇଥିଲେ ? ରାଗ କରିବ ନାହିଁ ତୁଳସୀ ଭାଇ ! ତୁମ ସକାଶେ ଯେତେବେଳେ ଖୁଡ଼ୀ ପରି ଲୋକ କାନ୍ଦି କାନ୍ଦି ଅନ୍ଧ ହୋଇଗଲାଣି ଟିକିଏ ଦେଖିବ ବୋଲି, ଭାଉଜ ବାୟାଣୀ ହୋଇ କେଉଁ ଅପନ୍ତରାରେ ବୁଲୁଛି, ସାଇଭାଇରେ ତୁମକୁ ଚାହିଁ ଚାହିଁ ସେମାନଙ୍କ ଆଖିରୁ ପାଣି ମଲାଣି, ତେତେବେଳେ ତୁମେ ଏଠି କି ଧର୍ମ କରୁଛ,–ମୁଁ ବୁଝିପାରୁ ନାହିଁ । ମୋ ବିଚାରରେ ଖୁଡ଼ୀ ଓ ଭାଉଜ, ଏମାନଙ୍କର ତତ୍ତ୍ୱ ନେଲେ ତୁମର କିଛି ବିଘ୍ନ ଘଟିବ ନାହିଁ । ଯାହା କହ ପଛକେ, ଖୁଡ଼ୀଙ୍କି ଏଠାକୁ ଆଣିଛି ଏବଂ ଜଣେ ଭଦ୍ରଲୋକଙ୍କ ଘରେ ତାଙ୍କୁ ରଖିଦେଇ ଆସିଛି । ଏବେ ଯାଉଛି ଭାଉଜଙ୍କୁ ଖୋଜେଁ । ଶୁଣୁଥିଲି, ସେ ମଧ୍ୟ ଜଣେ ପରୋପକାରୀ ଭଦ୍ରବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଛନ୍ତି ବୋଲି । ତୁମକୁ ନେହୁରା ହେଉଛି ଭାଇ ! ମୋର ଶେଷ ପ୍ରାର୍ଥନା–ଆପତ୍ତି ନ କରି ସେମାନଙ୍କୁ ଗ୍ରହଣ କର ।”

 

ତୁଳସୀ ଦାସ କିଛି ସ୍ଥିର କରି ନ ପାରି କହିଲେ, “ଦୁଃଖୀ ଭାଇ ! ସନ୍ଧ୍ୟା ହେଲାଣି । ମୁଁ ସ୍ନାନକୁ ଯିବି । ମୋତେ କିଛି ସମୟ ଦେ ଭାବିବାକୁ । ଯାହା ହବ ମୁଁ ପରେ କହିବି ।”

 

ଦୁଃଖୀରାମ କାନ୍ଦି କାନ୍ଦି ବିଦାୟ ନେଲେ । କଣ କରିବେ କଣ ନାହିଁ, ଏହି ଚିନ୍ତାରେ ତୁଳସୀ ଦାସଙ୍କର ହୃଦୟ ଭୀଷଣ ଭାବରେ ଆନ୍ଦୋଳିତ ହେବାକୁ ଲାଗିଲା । ସେ ଉପାୟାନ୍ତର ନ ଦେଖି ପ୍ରଭୁଙ୍କର ଇଚ୍ଛା ଓ ଅନୁମତି ଆଣିବା ପାଇଁ ଯୋଗାସନରେ ବସିଲେ । କିଛିକ୍ଷଣ ପରେ ଭଗବାନ ଶ୍ରୀରାମଚନ୍ଦ୍ର ଭକ୍ତର ଡାକ ଶୁଣିପାରି ତାଙ୍କ ସମ୍ମୁଖରେ ଆବିର୍ଭାବ ହୋଇ କହିଲେ, “ଭୟ କଣ ବତ୍ସ ! ସଂସାରର ସମସ୍ତ ମୋହ ଆବରଣ ଯାହାର ହୃଦୟ ସମ୍ମୁଖରେ ଘୁଞ୍ଚି ଯାଇଛି, ସେ ସଂସାରରେ ରହିଲେ ସୁଦ୍ଧା ତାର ପତନର ଭୟ ନାହିଁ । ତୁମର ପତ୍ନୀ ରତ୍ନାବଳୀ ସାକ୍ଷାତ୍ ଶକ୍ତିସ୍ୱରୂପିଣୀ, ତୁମର ମାତା ସାକ୍ଷାତ୍ ରତ୍ନଗର୍ଭା । ସେମାନଙ୍କ ସଙ୍ଗେ ରହିଲେ ତୁମର ଧର୍ମାନୁଷ୍ଠାନରେ କୌଣସି ବାଧା ଘଟିବ ନାହିଁ । ଯଦି କେତେବେଳେ ମନ ଅସ୍ଥିର ହୁଏ, ସେତେବେଳକୁ ମୁଁ ଅଛି । ଯାଅ, ଆଉ ବୃଥା ଭାବନା କର ନାହିଁ ।”

 

ପ୍ରେମମୟଙ୍କର ମନୋହର ରୂପରେ ମୁଗ୍ଧ ହୋଇ ତୁଳସୀ ଦାସ କହିଲେ, “ଯେ ସୀତାପତି ଶ୍ରୀରାମଚନ୍ଦ୍ରକି ଜୟ” ଏବଂ ଇଷ୍ଟଦେବଙ୍କୁ ସ୍ମରଣ କରି କରି ସ୍ନାନାର୍ଥେ ଗମନ କଲେ ।

 

ଏହି ଘଟନାର ଦୁଇ ଦିନ ପରେ ଛଗନଲାଲଙ୍କ ଘରେ ଏକ ଚହଳ ପଡ଼ିଯାଇଛି । ଗାଡ଼ିରେ ବୁଲିବାକୁ ଯାଇ ଫେରୁଥିଲା ସମୟରେ ଦସ୍ୟୁକର୍ତ୍ତୃକ ଆହତ ହୋଇଥିବା ଏକ ଯୁବକକୁ ମୃତପ୍ରାୟ ଦେଖି ଛଗନଲାଲ ତାଙ୍କୁ ଗାଡ଼ିରେ ପକାଇ ଘରକୁ ଆଣିଅଛନ୍ତି । ଯୁବକଟିର ଜ୍ଞାନ ନାହିଁ, ସେ ବିକଳରେ ରଡ଼ି ପକାଇଛି । ତେଣୁ ତାହାର ନାମ ଗ୍ରାମ ଜଣା ପଡ଼ି ନାହିଁ । ଛଗନଲାଲ ସର୍ବଦା ରୋଗୀ ପାଖରେ ବସି ତାହାର ଅବସ୍ଥା ଦେଖୁଅଛନ୍ତି, ନିର୍ଦ୍ଦିଷ୍ଟ ସମୟରେ ଔଷଧ ଦେଉଅଛନ୍ତି । ଆଦେଶମାତ୍ରେ ଗୋଟିଏ ସୁନ୍ଦରୀ ବାଳିକା ରୌପ୍ୟ ପାତ୍ରଟିରେ କିଛି କିଛି ଦୁଗ୍ଧ ଆଣି ଦେଇଯାଉଛି । ଛଗନଲାଲ ବହୁତ ଚେଷ୍ଟାରେ ରୋଗୀର ଚେତା କରାଇଅଛନ୍ତି । ସେ କୌଣସି ପ୍ରଶ୍ନର ଉତ୍ତର ନ ଦେଇ ପ୍ରଳାପ କରୁଛି । ଯେତେବେଳେ ତାର ନିଦ ଭାଙ୍ଗୁଛି, ସେ ଏହିପରି ପଚାରୁଛି—”ବାବୁ ! ଗୋସାଇଁଗଞ୍ଜ ଏଠାରୁ କେତେ ଦୂର ? ସେଠାରେ ଛଗନଲାଲ ବୋଲି ଜଣେ ଭଦ୍ରବ୍ୟକ୍ତି ଅଛନ୍ତି କିଏ ଜାଣ ? ଭାଉଜର କଣ ହେଲା କେଜାଣି ? ବାୟାଣୀ ହୋଇଯାଇଛି ବୋଲି ତ ଶୁଣୁଥିଲି । ପ୍ରଭୁଙ୍କର କି ଉଦ୍ଦେଶ୍ୟ ଅଛି, ତା ସେଇ ଜାଣନ୍ତି ।”

 

କବିରାଜ ଆସି ଆଶା ଦେଇଯାଇଛି—ରୋଗୀର ଅବସ୍ଥା ଭଲ । ଛଗନଲାଲଙ୍କ ମନରେ ଭାରି ଆନନ୍ଦ । ଆଜି ରୋଗୀ ମୁଖରୁ ଯାହା ଶୁଣିଛନ୍ତି, ତାହା ଯଦି ସତ୍ୟ ହୁଏ, ତେବେ ପାଗଳୀ ମା ସଙ୍ଗେ ତାର କିଛି ସମ୍ପର୍କ ନିଶ୍ଚୟ ଥିବ, କାରଣ ସେ ମଧ୍ୟ ବ୍ରାହ୍ମଣ ଯୁବକ । କେଜାଣି ପ୍ରଭୁ କରିବେ, ପାଗଳୀ ମା’ର ଦୁଃଖରାତ୍ରି ଅବସାନ ହେବ । ସେ ତ ଆଜିକାଲି ଆମ୍ଭ ନିକଟକୁ ଆସୁ ନାହିଁ, ମନ୍ଦିର ମଧ୍ୟରେ ବସି ଅନବରତ ହରିନାମ କରୁଛି । ସରସ୍ଵତୀ ସଙ୍ଗେ ତାର ମଝିରେ ମଝିରେ ଦୁଃଖସୁଖ ହୁଏ । ସେ କଥା କହୁ କହୁ କାନ୍ଦେ । ଓଃ ଏତେ ଅଳ୍ପ ବୟସରେ ପ୍ରଭୁ ତାକୁ କାହିଁକି ଏ କଷ୍ଟ ଦେଇଛନ୍ତି ! ଯାଉଛି, ଘରେ ଏ କଥା କହିବି; ଦେଖିବା, ଯଦି ଯୁବକଟି ପାଗଳୀ ମା’ର ସନ୍ଧାନରେ ଆସି କାଳେ ଏପରି ଦସ୍ୟୁଙ୍କ ଦ୍ୱାରା ଆହତ ହୋଇଥିବ ! —ଏହିପରି ବିଚାରି ଛଗନଲାଲ ସ୍ତ୍ରୀ ଯଶୋଦା ଦେବୀଙ୍କ ନିକଟକୁ ଯାଇ ତାଙ୍କୁ ସମସ୍ତ ବିଷୟ କହିଲେ । ଯଶୋଦା ଉକ୍ତ ଯୁବକଟିକୁ ପ୍ରଥମରୁ ଦେଖି ମୁଗ୍ଧ ହୋଇ ଯାଇଥିଲେ । ବର୍ତ୍ତମାନ ସ୍ଵାମୀଙ୍କ ନିକଟରୁ ସବୁ କଥା ଶୁଣି ତାଙ୍କ ହୃଦୟରେ ଦୁଇଟି ଆଶା ଖେଳିଲା । ପ୍ରଥମ, ପାଗଳୀ ମା’ର ପରିଚୟ ମିଳିବ; ଦ୍ୱିତୀୟ, ସରସ୍ଵତୀ ସଙ୍ଗେ ଏହାର ବିବାହ କରାଇ ଘରଜୋଇଁଆ କରି ଯୁବକଟିକୁ ରଖିବେ । ଏହିପରି ଭାବି ଭାବି ଦୁଇଜଣଯାକ ରୋଗୀ ନିକଟକୁ ଗଲେ ।

 

ବାସ୍ତବିକ ସେମାନଙ୍କର ଅନୁମାନ ସତ୍ୟ । ଉକ୍ତ ଯୁବକଟି କିଏ ପାଠକମାନେ ବୋଧହୁଏ ଜାଣିବେଣି । ରତ୍ନାବଳୀର ଅନ୍ୱେଷଣରେ ଆସି ଦୁଃଖୀରାମ ଦସ୍ୟୁଦ୍ୱାରା ଆହତ ହୋଇପଡ଼ିଥିଲେ । ଭାଗ୍ୟବଶତଃ ଛଗନଲାଲ ତାଙ୍କୁ ସେଠାରେ ପାଇ ଘରକୁ ନେଇ ତାଙ୍କ ସେବାଶୁଶ୍ରୂଷା କରୁ କରୁ କ୍ରମେ ତାଙ୍କର ପରିଚୟ ମିଳିଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

ରାମନାମ ସତ୍ୟ ହୈ

 

“ରାମ ଯେ ରାମ ରାମ ଶ୍ରୀରାମ ରାମ ରାମ, ଯେଉଁ ନାମ ଧଇଲେ ନ ଦଣ୍ଡେ କାଳଯମ-।” —ପିଲାଦିନେ ମୃଗୁଣୀସ୍ତୁତିରେ ପଢ଼ି ମନ ଆନନ୍ଦିତ ହେଉଥିଲା । ଏ ନାମର ତୁଳନା ନାହିଁ । ‘ରାମ’ ଶବ୍ଦ ଉଚ୍ଚାରଣ କରି ନ ପାରି ଦସ୍ୟୁସର୍ଦ୍ଦାର ରତ୍ନାକର ‘ମରା’ ‘ମରା’ କହି କହି ମହର୍ଷି ବାଲ୍ମୀକି ହୋଇପାରିଥିଲେ । ନଶ୍ଵର ମାନବ ପ୍ରେମପୂର୍ଣ୍ଣ ହୃଦୟରେ ସେ ଦିବ୍ୟ ନାମକୁ ସ୍ମରଣ କଲେ ତାର ଭବଯାତନା ଆଉ ରହେ ନାହିଁ । ଶାସ୍ତ୍ରରେ ଅଛି–

 

‘ରାଶବ୍ଦୋଚ୍ଚାରଣେନୈବ ବହିର୍ନିର୍ଯାତ ପାତକଂ

ପୁନରାଗମନଞ୍ଚେତ୍ସ୍ୟାନ୍ମକାରୋଽସ୍ତୁ କବାଟକମ୍ ।’

 

ଅର୍ଥାତ୍ରାମ ନାମର ଆଦ୍ୟାକ୍ଷର ‘ରା’ ଉଚ୍ଚାରଣ କରିବାକୁ ଯେଉଁ ମୁଖବ୍ୟାଦାନ କରିବାକୁ ହୁଏ, ତଦ୍ଦ୍ଵାରା ମାନବର ସମସ୍ତ ପାପତାପ ବିଦୂରିତ ହୁଏ ଏବଂ ‘ମ’ ଉଚ୍ଚାରଣ କଲାବେଳେ ଯେଉଁ ମୁଖ ବନ୍ଦ କରିବାକୁ ହୁଏ, ତଦ୍ଦ୍ଵାରା ବାହାରର ପାପତାପ ଆଉ ଦେହ ମଧ୍ୟରେ ପ୍ରବେଶ କରିପାରେ ନାହିଁ । ସେହି ମଧୁର ନାମର ଅନନ୍ତ ମହିମା କୀର୍ତ୍ତନ କରି ମହାତ୍ମା ତୁଳସୀ ଦାସ ଅମରତ୍ଵ ଲାଭ କରିଅଛନ୍ତି । ଆଜିକାଲି ଏ ଅର୍ଥକରୀ ଯୁଗରେ, ଯେତେବେଳେ ମନୁଷ୍ୟମାନେ ବ୍ୟୋମଯାନ ସାହାଯ୍ୟରେ ଅଳ୍ପ ସମୟ ମଧ୍ୟରେ ବହୁ ଯୋଜନ ପଥ ଅତିକ୍ରମ କରିପାରୁଅଛନ୍ତି, ବିଦ୍ୟୁତ୍‍ବଳରେ ଅଦ୍ଭୁତ କାଣ୍ଡ ଦେଖାଇ ସମଗ୍ର ଜଗତକୁ ମନ୍ତ୍ରମୁଗ୍ଧ କରି ଦେଉଛନ୍ତି, ସେତେବେଳେ ‘ରାମନାମ’ ଜପିବାରେ ଯେ କିଛି ଉପକାର ଅଛି, ତାହା ବିଶ୍ଵାସଯୋଗ୍ୟ ହୋଇ ନ ପାରେ । କିନ୍ତୁ ପ୍ରାଚୀନ ଭାରତର ଗୌରବମୟୀ ଖ୍ୟାତି ପ୍ରତିପତ୍ତ କାହା ସକାଶେ ? କେଉଁ ବିଦ୍ୟୁତ୍‍ ବ୍ୟୋମଯାନ ବଳରେ ପ୍ରାଚୀନ ଆର୍ଯ୍ୟ ମୁନିଋଷି ଅତୁଳ ବିଭବର ଅଧିକାରୀ ହୋଇଥିଲେ ? ତୁଳସୀ ଦାସ ସେହି ଶକ୍ତିର ଅଂଶକଣିକା ମାତ୍ର ପାଇ କି ଅଲୌକିକ କାଣ୍ଡ ସମ୍ପନ୍ନ କରିପାରୁଥିଲେ, ତାହା ଶୁଣନ୍ତୁ ।

 

କାଶୀର ମଣିକର୍ଣ୍ଣିବା ଘାଟରେ, କେଦାର ଘାଟରେ ଓ ଦଶାଶ୍ୱମେଧ ଘାଟରେ ସୂର୍ଯ୍ୟଗ୍ରହଣ ଦିନ ବହୁ ଲୋକଙ୍କର ସମାଗମ ହୁଏ । ଥରେ ସୂର୍ଯ୍ୟଗ୍ରହଣ ଲାଗିଛି । ଆସି ନଦୀ ତୀରରେ ଅସଂଖ୍ୟ ଲୋକ ଏକତ୍ର ହୋଇ ଆକାଶକୁ ଚାହିଁ ରହିଛନ୍ତି । ଗୋଟିଏ ବୁଢ଼ା ଗୋଟିଏ ଅନ୍ଧ ପିଲାକୁ ଧରି ଏକ ଧ୍ୟାନରେ ସେହି ସ୍ଥାନକୁ ଚାଲିଛି । ଘାଟର ଗୋଟିଏ ପାର୍ଶ୍ଵରେ ବିଶ୍ଵମ୍ଭର ପଣ୍ଡିତଙ୍କର ଦୁଇଟି ଛାତ୍ର କଥାବାର୍ତ୍ତାରେ ରତ । ସାଧୁ, ସନ୍ନ୍ୟାସୀ, ଦଣ୍ଡୀ, ବ୍ରହ୍ମଚାରୀ, ଗୃହସ୍ଥ କିଏ କେତେ ଦୂରଦେଶମାନଙ୍କରୁ ଆସି କେହି ଇଷ୍ଟମନ୍ତ୍ର ଜପିବାରେ, କେହି ଗୀତା ପାଠରେ, କେହି ବା ଚଣ୍ଡୀପାଠରେ ମଗ୍ନ ଅଛନ୍ତି । ଏହି ସମୟରେ ପଶ୍ଚିମ ଦିଗରୁ “ଜୟ ସୀତାରାମଜୀକି ଜୟ” ବୋଲି କୋଳାହଳ ଶୁଣାଗଲା । ଛାତ୍ର ଦୁଇଟି ଉତ୍ସୁକ ହୋଇ ଠିଆ ହୋଇ ପଡ଼ିଲେ ଏବଂ ଚାହିଁଲେ—ସେହି ବିପୁଳ ଜନସଂଘ ମଧ୍ୟରେ ତୁଳସୀ ଦାସ ବାବାଜୀ ତାଙ୍କର ଅନୁରକ୍ତ ଶିଷ୍ୟ ଭବାନୀ ମିଶ୍ରଙ୍କୁ ଘେନି ପ୍ରେମୋନ୍ନତ୍ତ ପାଗଳ ପରି ଢଳି ଢଳି ଆସୁଛନ୍ତି । ତୁଳସୀ ଦାସ ନିକଟବର୍ତ୍ତୀ ହୁଅନ୍ତେ ଅନ୍ଧ ବାଳକଟିକୁ ଧରି ସେହି ବୃଦ୍ଧ ତାଙ୍କ ସମ୍ମୁଖରେ ଯାଇ ତାଙ୍କର ପାଦ ଦୁଇଟିକୁ ଦୃଢ଼ଭାବରେ ଧରି କହିଲା, “ମହାରାଜ ! ପ୍ରସନ୍ନ ହୁଅନ୍ତୁ, ଏଇ ପିଲାଟି ମୋର ବୃଦ୍ଧ ବୟସର ଏକମାତ୍ର ଆଶ୍ରା ଭରସା-। ଆପଣ କୃପା କରନ୍ତୁ । ଏ ଅଧମ ବହୁ ଦୂରରୁ ଆପଣଙ୍କ ଚରଣ ଦର୍ଶନ କରିବାକୁ ଆସିଛି-। ତାକୁ ଦୃଷ୍ଟିଶକ୍ତି ଦେଇ ମୋର ଦୁଃଖ ଦୂର ନ କଲେ ମୁଁ ଆପଣଙ୍କୁ ଆଜି ଛାଡ଼ିଦେବି ନାହିଁ ।” ତୁଳସୀ ଦାସ ବୃଦ୍ଧକୁ ହାତ ଧରି ଉଠାଇ ନେଇ କହିଲେ, “ବାବା ! ଭଗବାନଙ୍କ ରାଜ୍ୟରେ ଦୁଃଖ କାହାର-? ଯେଉଁ ଭଗବତ୍ କୃପା ‘ମୂକଂ’ କରୋତି ବାଚାଳଂ, ପଙ୍ଗୁଂ ଲଙ୍ଘୟତେ ଗିରିମ୍’ ସେହି କୃପାବଳରେ ତୋର ପିଲାଟି ଦୃଷ୍ଟିଶକ୍ତି ପାଉ ।”

 

ସତକୁ ସହ ପିଲାଟିର ଆଖି ଫିଟିଗଲା । ତାହାର ପିତା ତୁଳସୀ ଦାସଙ୍କୁ ବହୁ ଧନ୍ୟବାଦ ଦେଇ ପ୍ରଫୁଲ୍ଲମନରେ ଗୃହକୁ ପ୍ରତ୍ୟାବର୍ତ୍ତନ କଲା । ‘ଜୟ ସୀତାରାମକି ଜୟ’ ରବରେ ଚତୁର୍ଦ୍ଦିଗ କମ୍ପି ଉଠିଲା । ଏହି ସମୟରେ ଅନ୍ୟ ଏକ ଦିଗରୁ ଗୋଟିଏ ଯୁବତୀ ସ୍ତ୍ରୀ ପୂର୍ଣ୍ଣକୁମ୍ଭଟିଏ କାଖେଇ ସିନ୍ଦୂର–ମଣ୍ଡିତ, ଅଳକ୍ତ–ରଞ୍ଜିତ ହୋଇ ହରିଶ୍ଚନ୍ଦ୍ରଙ୍କର ଶ୍ମଶାନ ଘାଟକୁ ଯାଉଥିଲା । ଅନେକ ପୁରୁଷ ଓ ସ୍ତ୍ରୀ ତାକୁ ଚତୁର୍ଦ୍ଦିଗରେ ଘେରି ରହିଥିଲେ । ତୁଳସୀ ଦାସଙ୍କୁ ଦେଖି ସମସ୍ତେ ସେହି ଦିଗକୁ ବାଟ ଭାଙ୍ଗି ଚାଲିଲେ ।

ସେ କାଳରେ ସହମରଣ ପ୍ରଥା ଥିଲା । ପତିର ମୃତ୍ୟୁ ସଙ୍ଗେ ସଙ୍ଗେ ସତୀ ସ୍ତ୍ରୀମାନେ ସଂସାରମୁଖ–କାମନା ପରିତ୍ୟାଗ କରି ଚିତାଗ୍ନିରେ ସ୍ୱାମୀ ସଙ୍ଗେ ପୋଡ଼ିହୋଇ ମରୁଥିଲେ । ଉକ୍ତ ଯୁବତୀଟି ସେହି କାରଣରୁ ଶ୍ମଶାନକୁ ଯାଉଥିଲା । ମୃତ୍ୟୁପୂର୍ବରୁ ଦେବୋପମ ଯୋଗୀଶ୍ରେଷ୍ଠ ତୁଳସୀ ଦାସ ବାବାଜୀଙ୍କର ଚରଣ ବନ୍ଦନା କରିବାର ସୁଯୋଗ ଦେଖି ସେ ଗଳଲଗ୍ନୀକୃତବସ୍ତ୍ରରେ ତାଙ୍କର ପଦତଳେ ପଡ଼ି କହିଲା, “ଗୋସାଇଁଜୀ ! ଆଶୀର୍ବାଦ କରନ୍ତୁ, ଯେପରି ଅଭାଗିନୀର ମନୋବାଞ୍ଛା ପୂର୍ଣ୍ଣ ହେଉ ।”

 

ତୁଳସୀ ଦାସ ସଂସାର ତ୍ୟାଗ କଲା ଦିନଠାରୁ ସମାଜର ରୀତିନୀତି ସଙ୍ଗେ ତାଙ୍କର ସମ୍ପର୍କ ତୁଟିଯାଇଛି । ସେ ଏଥିପୂର୍ବରୁ କୌଣସି ସହମରଣଗମନୋଦ୍ୟତା ସ୍ତ୍ରୀକୁ ଦେଖି ନ ଥିବାରୁ ଏ ସ୍ତ୍ରୀଟିର ବେଶଭୂଷାରୁ କିଛି ଜାଣିପାରିଲେ ନାହିଁ । ତେଣୁ ଅତି କୋମଳସ୍ଵରରେ ଆଶୀର୍ବାଦ କଲେ, “ମା । ତୋର ମନୋବାଞ୍ଛା ପୂର୍ଣ୍ଣ ହେଉ । ତୁ ରାମକୃପା ଲାଭ କରି ପତିସହ ସୁଖରେ ସଂସାର କରି ସୁନାମ ଅର୍ଜନ କର ।”

 

ଯୁବତୀଟି କାନ୍ଦ କାନ୍ଦ ହୋଇ କହିଲା, “ଠାକୁର ! ଆପଣ କି ଆଶୀର୍ବାଦ କଲେ ? ମୋର ପତି ଯେ ଆଜି ସକାଳୁ ଇହଧାମ ତ୍ୟାଗ କରି ଯାଇଅଛନ୍ତି ଏବଂ ମୁଁ ତାଙ୍କ ସଙ୍ଗେ ମରିବି ବୋଲି ଶ୍ମଶାନକୁ ଯାଉଛି ।”

 

ବାକ୍‍ସିଦ୍ଧ ମହାପୁରୁଷ ତୁଳସୀ ଦାସ ପ୍ରଭୁଙ୍କର ଇଙ୍ଗିତ ପାଇ ଉତ୍ତର ଦେଲେ, “ନା ମା, ତୁମର ସ୍ଵାମୀ ମରି ନାହାନ୍ତି; ଯଦି ବା ମରିଛନ୍ତି ତଥାପି ରାମଚନ୍ଦ୍ରଙ୍କ କରୁଣାବଳରେ ସେ ନବ ଜୀବନ ଲାଭ କରିବେ । ତା ହେବାର ନ ଥିଲେ, ସେ ମୋ ମୁଖରେ ଏପରି ବାକ୍ୟ ଅଣାଇଲେ କାହିଁକି ? ପ୍ରଭୁ ମୋର ବଡ଼ ରହସ୍ୟପ୍ରିୟ । ସେ ସରଳ–ସୁନ୍ଦର–କାନ୍ତି, ନୀଳ–ନୀରଜ–ଡୋଳା ଚିନ୍ତାମଣି, ଆର୍ତ୍ତ–କଷଣ–ହର ଚକ୍ର ବୁଲାଇଲା ମାତ୍ରକେ ସୂର୍ଯ୍ୟକିରଣ ପ୍ରକାଶରେ ଅନ୍ଧାର ପଳାଇଲା ପରି ଦୁଃଖୀର ଦୁଃଖ–ପର୍ବତ ଶତସହସ୍ର ଖଣ୍ଡରେ ଚୂର୍ଣ୍ଣ ହୋଇଯିବ । ଏ ବା କି ଛାର କଥା । ତୁମ୍ଭର ପୁଣ୍ୟବଳ ଥିଲେ ମୋର ବାକ୍ୟ ନିଷ୍ଫଳ ହେବ ନାହିଁ । ଚାଲିଲ ଦେଖି ତୁମର ପତିଙ୍କର ଶବ ନିକଟକୁ ।”

 

ସମବେତ ଦର୍ଶକମଣ୍ଡଳୀ ବିସ୍ମିତ ହୋଇ ତୁଳସୀ ଦାସଙ୍କର ଅନୁଗମନ କଲେ । ଜୟ ଜୟ ନାଦରେ ଗଗନ ପ୍ରତିଧ୍ୱନିତ ହେଲା । ତୁଳସୀ ଦାସ ଶ୍ମଶାନରେ ଉପସ୍ଥିତ ହୋଇ ରାମନାମ ଉଚ୍ଚାରଣପୂର୍ବକ ଶବଦେହ ସ୍ପର୍ଶ କଲା ମାତ୍ରକେ ତାହା ହସ୍ତପଦ ସଞ୍ଚାଳନ କରି ଉଠି ବସିଲା ଏବଂ ତାଙ୍କର ପଦଦ୍ଵୟ ଧାରଣ କରି ତାଙ୍କର ଆଜୀବନ ଦାସ ରୂପେ ରହିବାକୁ ପ୍ରାର୍ଥନା କଲା । ତୁଳସୀ ଦାସ କହିଲେ, “ବତ୍ସ ! ମୁଁ ତୋର ସତୀ ସ୍ତ୍ରୀ ନିକଟରେ ପ୍ରତିଶ୍ରୁତ ହୋଇଛି । ତୁ ଘରକୁ ଯାଇ ସ୍ତ୍ରୀ ସହ ପ୍ରଭୁଙ୍କ ସେବା ପୂଜା କରି ସୁଖରେ ବାସ କର । ମୋ ସଙ୍ଗେ ଆସିବା ଆବଶ୍ୟକ ନାହିଁ ।”

 

ଦର୍ଶକବୃନ୍ଦ ଯୋଗଶକ୍ତିର ଅଦ୍ଭୁତ ପ୍ରଭାବ ଦେଖି ଅବାକ୍ ହୋଇଗଲେ । ସେତେବେଳକୁ ସୂର୍ଯ୍ୟଗ୍ରହଣ ଶେଷ ହୋଇଅଛି । ସମସ୍ତେ ପତିତପାବନୀ ଜାହ୍ନବୀ ଜଳରେ ସ୍ନାନ ଶେଷ କରି ଯେ ଯାହା ଗୃହକୁ ଗମନ କଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

ଦିଲ୍ଲୀ ଗମନ

 

ପୂର୍ବୋକ୍ତି ଅମାନୁଷିକ ଘଟନା ପରେ ତୁଳସୀ ଦାସଙ୍କ ନାମ ଭାରତର ଚତୁର୍ଦ୍ଦିଗରେ ବିଖ୍ୟାତ ହୋଇଗଲା । ସେ ଯେଉଁ ସ୍ଥାନକୁ ଗଲେ, ତାଙ୍କର ଦର୍ଶନଲାଭ କରିବା ନିମନ୍ତେ ପୁରପଲ୍ଲୀମାନଙ୍କରୁ ଆବାଳ–ବୃଦ୍ଧ–ବନିତା ଦଳ ଦଳ ହୋଇ ସେଠାକୁ ଆସିଲେ ଏବଂ ତାଙ୍କର ପଦରଜ ପାଇ ଆପଣାକୁ କୃତକୃତ୍ୟ ମନେ କଲେ । ତୁଳସୀ ଦାସ କିନ୍ତୁ ନିଜର କୌଣସି ବଡ଼ିମା ନ କରି ସବୁ ସେହି ରାମରାଜୀବଲୋଚନଙ୍କର କୀର୍ତ୍ତି ବୋଲି ସର୍ବତ୍ର ପ୍ରକାଶ କରୁଥିଲେ । ବାକ୍‍ସିଦ୍ଧି ମହାତ୍ମାମାନଙ୍କର ମନରେ ଗର୍ବର ସତ୍ତା ନ ଥାଏ । ‘ତ୍ୱୟା ହୃଷୀକେଶ ହୃଦି ସ୍ଥିତେନ, ଯଥା ନିଯୁକ୍ତୋଽସ୍ମି ତଥା କରୋମି’—ଏହି ଭାବ ମନରେ ଧରି ସେମାନେ କର୍ତ୍ତବ୍ୟ କରି ଯାଉଥାନ୍ତି ।

 

ତୁଳସୀ ଦାସ ଇତିମଧ୍ୟରେ ଦିଲ୍ଲୀନଗରୀ ଭ୍ରମଣ କରିବାକୁ ଗଲେ । ମୋଗଲ ସମ୍ରାଟ ଆକ୍‍ବର (୧) ସେତେବେଳେ ବାଦଶାହ ଥାନ୍ତି ।

 

(୧) କୌଣସି ଲେଖକଙ୍କ ମତରେ ତୁଳସୀ ଦାସଙ୍କୁ ଆକ୍‍ବରଙ୍କ ପୁଅ ଜାହାଙ୍ଗୀର ଡକାଇ ନେଇଥିଲେ । ଇତିହାସରେ ଏ ଘଟନାର କୌଣସି ଉଲ୍ଲେଖ ନାହିଁ; କାରଣ ସେ ସମୟରେ ମୁସଲମାନମାନେ ଇତିହାସ ଲେଖୁଥିଲେ ଏବଂ ଏ ଘଟନା ଲେଖିଥିଲେ ବାଦ୍‍ଶାହ ଅପମାନିତ ହୋଇଥାନ୍ତେ ।

 

ଆକବର ଆଦର୍ଶ ଶାସକ, ଗୁଣୀର ଆଦର କରନ୍ତି । କାରଣ ସେ ନିଜେ ନାନା ଗୁଣରେ ଭୂଷିତ । କଥାରେ ଅଛି–‘ଗୁଣୀ ଗୁଣଂ ବେତ୍ତ ନ ବେତ୍ତ ନିର୍ଗୁଣଃ ।’ ଅନ୍ୟାନ୍ୟ ମୋଗଲ ବା ପଠାଣ ନରପତିମାନଙ୍କ ମଧ୍ୟରେ କେହି ହିନ୍ଦୁମାନଙ୍କ ପ୍ରତି ସମଭାବ ପ୍ରଦର୍ଶନ କରି ନାହାନ୍ତି । ତୁଳସୀ ଦାସଙ୍କର ଖ୍ୟାତିପ୍ରତିପତ୍ତି ଶୁଣି ଆକବର ଥରେ ତାଙ୍କୁ ନିଜ ଦରବାରକୁ ଡାକି ପଠାଇଲେ । ଗୋସାଇଁଜୀ ଉପସ୍ଥିତ ହେଲାମାତ୍ରେ ଦିଲ୍ଲୀଶ୍ୱର ତାଙ୍କର ଉପଯୁକ୍ତ ସତ୍କାର ସମ୍ବର୍ଦ୍ଧନା କରି କହିଲେ, “ସାଧୁଜୀ ! ମୁଁ ଶୁଣିଛି ଆପଣ ଯୋଗବଳରେ ଅଦ୍ଭୁତ କାଣ୍ଡମାନ କରିପାରୁଅଛନ୍ତି । ଆଜି ଏ ସଭାରେ ଅନେକ ବ୍ୟକ୍ତି ମୋ ସହିତ ଆପଣଙ୍କର ଏହି ଅସାଧାରଣ ଶକ୍ତିର ପରିଚୟ ପାଇବା ପାଇଁ ଉତ୍କଣ୍ଠିତ ହୋଇ ଅପେକ୍ଷା କରିଅଛନ୍ତି । ଆପଣ ଗୋଟାଏ କିଛି ଅଦ୍ଭୁତ କରାମତି ଦେଖାନ୍ତୁ-।” ଏହା ଶୁଣି ତୁଳସୀ ଦାସ ଦୁଃଖୀତ ହୋଇ କହିଲେ, “ବାଦଶାହ ! ମୁଁ ଅତି ସାମାନ୍ୟ ବ୍ୟକ୍ତି-। ଯାହା କିଛି ମୋର ବାହାଦୂରୀ ବୋଲି ଆପଣମାନେ ଶୁଣିଛନ୍ତି, ତାହା ମୋର ଶକ୍ତି ନୁହେଁ–ଭଗବାନଙ୍କର । ସେ ମୋ ଦ୍ୱାରା ଜଗତର କଲ୍ୟାଣ ପାଇଁ ସେପରି କିଛି ଅଦ୍ଭୁତ କାର୍ଯ୍ୟ କରାଇଅଛନ୍ତି । ତାଙ୍କର ଅନୁଗ୍ରହ ନ ହେଲେ କୌଣସି କାର୍ଯ୍ୟ ହୋଇପାରେ ନା । ମୁଁ ଗୁଣି ବା ଯାଦୁଗିରି ଶିଖି ନାହିଁ ଯେ, ଆଦେଶମାତ୍ରେ ଖେଳ କରାମତି ଦେଖାଇ ପାରିବି ।”

 

ଅନେକ ଲୋକ ଆଶାନ୍ୱିତ ହୋଇ ଚାହିଁ ବସିଥିଲେ । ଆକବର ନିଜେ ମଧ୍ୟ ବହୁତ ଆଶାରେ ବସିଥିଲେ କିଛି ଦେଖିବେ ବୋଲି । ବାବାଜୀଙ୍କର ଉତ୍ତର ଶୁଣି ସେ ଅତ୍ୟନ୍ତ ଲଜ୍ଜିତ ଓ ଅପମାନିତ ବୋଧ କଲେ ଏବଂ ତାଙ୍କୁ ତତ୍‍କ୍ଷଣାତ୍‍ କାରାଦଣ୍ଡର ଆଦେଶ ଦେଲେ ।

 

ସନ୍ନ୍ୟାସୀଶ୍ରେଷ୍ଠ ତୁଳସୀ ଦାସ କାରାଗାର ମଧ୍ୟରେ ଥାଇ ସୁଦ୍ଧା ତାଙ୍କର ମୁକ୍ତ ଆତ୍ମା ମୁକ୍ତ ରାଜ୍ୟରେ ବୁଲୁଥିଲା । ଇଂରେଜ କବି (୧) କହିଲା ପରି–‘ପଥର କାନ୍ଥ ବା ଲୁହାର ବାଡ଼ଦ୍ଵାରା କେହି ନିର୍ଦ୍ଦୋଷ ବ୍ୟକ୍ତିର ସ୍ଥିର ଆତ୍ମାକୁ ବାନ୍ଧି ରଖିପାରିବ ନାହିଁ । ତା ପକ୍ଷରେ ସଂସାର, କାରାଗାର ସବୁ ସମାନ ।’ ତୁଳସୀ ଦାସ ବନ୍ଧନରେ ଥାଇ ସୁଦ୍ଧା ପ୍ରଭୁଙ୍କ ନାମ ଗୁଣଗାନ ଛାଡ଼ି ନଥିଲେ । ମୁସଲମାନ ପ୍ରସ୍ତୁତ ଖାଦ୍ୟ ସ୍ପର୍ଶ କରିବେ ନାହିଁ ବୋଲି ପ୍ରତିଜ୍ଞା କରି ନିରାହାରରେ ଦିବାନିଶି ରହିଲେ । ଭକ୍ତବନ୍ଧୁ ଭଗବାନ ଆଉ ନିଶ୍ଚିନ୍ତ ରହିପାରିଲେ ନାହିଁ । ତୁଳସୀ ଦାସ କାରାରୁଦ୍ଧ ହେବାର ଦୁଇ ତିନି ଦିନ ଉତ୍ତାରେ ରାଜ୍ୟରେ ମହାଗଣ୍ଡଗୋଳ ଜାତ ହେଲା । ଦିଲ୍ଲୀ ନଗରୀ ମର୍କଟମାନଙ୍କର ଉତ୍ପାତରେ ଥରହର ହେଲା । ବାଟ, ଘାଟ, ବଜାର, ଘର ସର୍ବତ୍ର ଏମାନେ ଦଳ ଦଳ ହୋଇ ପଶି ଭୟଙ୍କର ଉତ୍ପାତ ଆରମ୍ଭ କଲେ । ବାଦଶାହଙ୍କ ବାସଭବନରେ ମଧ୍ୟ ଏମାନେ ଉପଦ୍ରବ କରି ସମସ୍ତ ପଦା ଧ୍ଵଂସ କଲେ । ଆକବର ଏ କଥା ଦେଖି ଓ ଶୁଣି ଗୁଳି କରି ଅନେକ ମାଙ୍କଡ଼ ମାରିଦେଲେ; କିନ୍ତୁ ଦିନକୁ ଦିନ ସେମାନେ ଅଧିକତର ସଂଖ୍ୟାରେ ଆସିବାକୁ ଲାଗିଲେ । ଶେଷରେ ଦିନେ କାରଗାରର ଅଧ୍ୟକ୍ଷ ଆସି ଆକବରଙ୍କ ଆଗେ କହିଲେ ଯେ, କଏଦୀ ତୁଳସୀ ଦାସ ଅନ୍ନଜଳ ସ୍ପର୍ଶ ନ କରି ନୀରବରେ ଯୋଗାସନରେ ବସିଅଛନ୍ତି । ବାଦଶାହ ବିଚଳିତ ହୋଇ ହିନ୍ଦୁ ପଣ୍ଡିତମାନଙ୍କୁ ଡକାଇ ସମସ୍ତ ଘଟନା କହିଲେ । ରାଜା ମାନସିଂହ ଏ ଉତ୍ପାତର ସ୍ଥୂଳକାରଣ ତୁଳସୀ ଦାସଙ୍କ କାରାଦଣ୍ଡ ବୋଲି ପ୍ରକାଶ କରିବାକୁ ଆକ୍‍ବର ସ୍ୱୟଂ ମାନସିଂହଙ୍କୁ ସଙ୍ଗରେ ଘେନି ତାଙ୍କ ନିକଟକୁ ଗଲେ ଏବଂ ତାଙ୍କର ସମାଧିଭଙ୍ଗ ପରେ ତାଙ୍କୁ କ୍ଷମା ପ୍ରାର୍ଥନା କଲେ । ତୁଳସୀ ଦାସ ସମସ୍ତ ବିଷୟ ଅବଗତ ହୋଇ ପୁନରାୟ ଶ୍ରୀହନୁମାନଜୀଙ୍କୁ ସ୍ମରଣ କଲେ ଏବଂ ତାଙ୍କ ପାଇଁ ପ୍ରଭୁଙ୍କର କେତେ କଷ୍ଟ, ତାଙ୍କଠାରେ ପ୍ରଭୁଙ୍କର କି ଅପାର କରୁଣା, ଏହା ଜଣାଇ ବାନରମାନଙ୍କୁ ତଡ଼ିଦେବା ପାଇଁ ଅନୁରୋଧ କଲେ । ସଙ୍ଗେ ସଙ୍ଗେ କେତେଗୋଟି ବଡ଼ ମାଙ୍କଡ଼ ଆସି ଛୋଟ ମାଙ୍କଡ଼ଗୁଡ଼ିଙ୍କୁ ଘଉଡ଼ାଇ ନେଲେ ଓ ନିଜେ ମଧ୍ୟ ଅଦୃଶ୍ୟ ହୋଇଗଲେ । ଏହି ଅଦ୍ଭୁତ କାଣ୍ତ ଦେଖି ସମ୍ରାଟ ତୁଲସୀ ଦାସଜୀଙ୍କୁ ସାଦର ଅଭ୍ୟର୍ଥନା କରି ଦିଲ୍ଲୀନଗରୀରେ କିଛିଦିନ ରଖାଇଲେ । ସେଠାରେ କିଛି କାଳ ରହି ଗୋସାଇଁଜୀ ଯେତେବେଳେ ଫେରିଲେ, ବାଟରେ ଏକ ଜଙ୍ଗଲ ପଡ଼ିଲା-। ଏହି ଜଙ୍ଗଲ ନିକଟରେ ଘର, ଗ୍ରାମ କିଛି ନ ଥିଲା ଏବଂ ତୁଳସୀ ଦାସ ଠିକ୍ ସନ୍ଧ୍ୟା ସମୟରେ ସେଠାରେ ଉପସ୍ଥିତ ହେଲେ । ଭାଗ୍ୟକୁ ଗୋଟିଏ ଗଉଡ଼ ତାହାଙ୍କୁ ଦେଖି କିଛି ଦୁଧ ସଂଗ୍ରହ କରି ତାଙ୍କର ସାଦର ସତ୍କାର କଲା । ସେ ଉକ୍ତ ଦୁଗ୍ଧକୁ ଶ୍ରୀରାମଚନ୍ଦ୍ରଙ୍କୁ ଭୋଗ ଲଗାଇ ନିଜେ ପାନ କଲେ ଏବଂ ଗଉଡ଼କୁ କିଛି ପ୍ରସାଦ ଦେଇ ଏପରି ସଦୁପଦେଶ ପ୍ରଦାନ କଲେ ଯେ, ସେ ପ୍ରଭୁନାମ କୀର୍ତ୍ତନ କରି କରି ସେହି ଭାବରେ ସମାଧିଲୀନ ହୋଇଗଲା । ଅଦ୍ୟାପି ସେହି ସ୍ଥାନ ବିଦ୍ୟମାନ ଅଛି ଏବଂ ତୁଳସୀ ଦାସଙ୍କର ଅତୁଳନୀୟ ଈଶ୍ୱରପ୍ରେମର ପରିଚୟ ଦେଉଅଛି ।

 

(୧)

“Stone walls do not a prison make,

 

Nor iron bars a cage,

 

Minds innocent and quiet take

 

That for an hermitage.”

 

C. Lovelace

Image

 

ପଞ୍ଚଦଶ ପରିଚ୍ଛେଦ

ବିଷମ ପରୀକ୍ଷା

 

ପୁଷ୍କର ତୀର୍ଥରେ ମେଳା ହେବା ଦିନଠାରୁ ବିଶ୍ୱମ୍ଭର ସ୍ମାର୍ତ୍ତ୍ୟବାଗୀଶ ତୁଳସୀ ଦାସଙ୍କୁ କୌଣସି ଉପାୟରେ ଅପମାନିତ କରି କାଶୀରୁ ବହିଷ୍କୃତ କରିଦେବା ଉଦ୍ଦେଶ୍ୟରେ କୌଶଳ ଉଦ୍ଭାବନ କରିବାରେ ଲାଗିଥାନ୍ତି । ତାଙ୍କ ଟୋଲରେ ଆୟ ବେଶି ଛାତ୍ର ନ ଥିଲେ, ଯାହା କିଛି ଦୁଇ ପଇସା ଆୟ ହେଉଥିଲା, ତାହା ମଧ୍ୟ ବନ୍ଦ । ମାନ ଗଲା, ସମ୍ବ୍ରମ ଗଲା, ଐଶ୍ୱର୍ଯ୍ୟ ଗଲା—ପଣ୍ଡିତେ ଆଉ ସ୍ଥିର ରହି ପାରୁନାହାନ୍ତି । ଶୟନେ, ସ୍ୱପନେ ଜାଗରଣେ ତୁଳସୀ ଦାସ ବାବାଜୀର ଅଧଃପତନ କିପରି ହେବ, ତାରି ଉପାୟ ଚିନ୍ତା କରୁଛନ୍ତି । ଇତିମଧ୍ୟରେ ପୁଣି ଦୁଇଟି ଛାତ୍ର ସ୍ୱଚକ୍ଷୁରେ ତୁଳସୀ ଦାସ ମୃତପିଣ୍ଡରେ ପ୍ରାଣ ଦେଇଛନ୍ତି ଦେଖି ବିଶ୍ୱମ୍ଭରଙ୍କ ଟୋଲରୁ ଯାଇ ତୁଳସୀ ଦାସ ବାବାଜୀଙ୍କର ଶିଷ୍ୟତ୍ୱ ଗ୍ରହଣ କରିଛନ୍ତି । ପଣ୍ଡିତେ ନିରୁପାୟ ହୋଇ ତୁଳସୀ ଦାସଙ୍କର ଆଦ୍ୟ ଗୁରୁ ଏବଂ କାଶୀ ପଣ୍ଡିତମଣ୍ଡଳୀଙ୍କର ପୂଜାସ୍ପଦ ଘଣ୍ଟାକର୍ଣ୍ଣ ଯୋଗୀଙ୍କ ନିକଟରେ ଏକ ଆପତ୍ତି କଲେ ଯେ, ଭବାନୀ ମିଶ୍ର ନାମକ ଜଣେ ବ୍ରହ୍ମହତ୍ୟାକାରୀ ପାଷାଣ୍ଡକୁ ଅଭୟ ଆଶ୍ରୟ ଦେଇ ତୁଳସୀ ଦାସ ବାବାଜୀ ତା ସଙ୍ଗେ ଏକ ପାତ୍ରରେ ଭୋଜନ କରୁଅଛନ୍ତି । ଏହା ଶୁଣି ଘଣ୍ଟାକର୍ଣ୍ଣ ଯୋଗୀ ତୁଳସୀ ଦାସଙ୍କୁ ଡକାଇ ସମସ୍ତ ବୃତ୍ତାନ୍ତ ପଚାରିବାରୁ ସେ କହିଲେ, “ଗୁରୁଦେବ ! ମୁଁ ଭବାନୀ ସଙ୍ଗେ ଏକ ପାତ୍ରରେ ଭୋଜନ କରୁଥିବା ସତ୍ୟ । ଭବାନୀ ବର୍ତ୍ତମାନ ନିଷ୍ପାପ ହୋଇଅଛି; ଅତଏବ ତା ସଙ୍ଗେ ଏକତ୍ର ପାନ ଭୋଜନ ଦୂଷଣୀୟ ନୁହେଁ ବୋଲି ମୁଁ ମନେ କରେ ।”

 

ଏହା ଶୁଣି ବିଶ୍ୱମ୍ଭର ପଣ୍ଡିତେ ଚିତ୍କାର କରି ଉଠିଲେ “ଅସମ୍ଭବ, ଅସମ୍ଭବ ! ବ୍ରହ୍ମହନ୍ତା କି କେବେ ପାପମୁକ୍ତ ହୋଇ ପାରେ ? ଏହା ମଧ୍ୟରେ ତାର ଯେଉଁ ପରିବର୍ତ୍ତନ ଦେଖାଯାଇଛି, ତାହା କେବଳ ଛଳନା, ପ୍ରାୟଶ୍ଚିତରୁ ନିଷ୍କୃତ ଲଭିବାର ଫସାଦ । ଆଚ୍ଛା, ସେ ଯଦି ନିଷ୍ପାପ ହୋଇଯାଇଛି, ତେବେ ତାକୁ ଏଠାରେ ପରୀକ୍ଷା କରାଯିବ ।” ସମସ୍ତେ ଏଥିରେ ସ୍ୱୀକୃତ ହେବାରୁ ଘଣ୍ଟାକର୍ଣ୍ଣ ଆଦେଶ ଦେଲେ ଯେ, ନିକଟବର୍ତ୍ତୀ ଶିବ ମନ୍ଦିରରେ ଯେଉଁ ପ୍ରସ୍ତର ମୂର୍ତ୍ତି ବୃଷଭ ଅଛି, ଭବାନୀ ମିଶ୍ର ହାତରୁ ସେ ଯଦି ଜୀଅନ୍ତା ଷଣ୍ଢ ପରି ଖାଦ୍ୟ ଗ୍ରହଣ କରେ, ତେବେ ସେ ନିଷ୍ପାପ ହୋଇଛି ବୋଲି ଧରାଯିବ । ସତକୁ ସତ ଭବାନୀ ମିଶ୍ର ରାମ ନାମ ସ୍ମରଣ କରି ଯେତେବେଳେ ଗୋଟିଏ ଥାଳୀରେ ଖାଦ୍ୟଦ୍ରବ୍ୟ ନେଇ ଉକ୍ତ ପ୍ରସ୍ତରମୂର୍ତ୍ତି ବୃଷଭ ନିକଟକୁ ଗଲା, ସେ ଲହ ଲହ ଜିହ୍ଵା ବିସ୍ତାର କରି ତା ହସ୍ତରୁ ସମସ୍ତ ଖାଦ୍ୟ ଗ୍ରହଣ କଲା । ଏହା ଦେଖି ସମସ୍ତେ ଚମତ୍କୃତ ହୋଇ “ଜୟ ସୀତାପତି ଶ୍ରୀରାମଚନ୍ଦ୍ରକି ଜୟ”, “ଜୟ ଭବାନୀ ମିଶ୍ରକି ଜୟ,” ନାଦରେ ସେ ସ୍ଥାନ କମ୍ପାଇ ଦେଲେ । ଘଣ୍ଟାକର୍ଣ୍ଣ ସ୍ଵୀୟ ଶିଷ୍ୟ ତୁଳସୀ ଦାସଙ୍କର ଅଦ୍ଭୁତ ଯୋଗସାଧନା ଦେଖି ଆନନ୍ଦରେ ତାହାଙ୍କୁ ଆଲିଙ୍ଗନ କରି ବିଦାୟ ଦେଲେ ।

 

ବିଶ୍ୱମ୍ଭର ପଣ୍ଡିତଙ୍କର ଉଦ୍ୟମ ପଣ୍ଡ ହେଲା । ସେ ମନଦୁଃଖରେ କାଳାତିପାତ କରିବାକୁ ଲାଗିଲେ । ଯଦି କୌଣସି ପ୍ରକାରେ ତୁଳସୀ ଦାସକୁ ଜୀବନରେ ମାରି ଦିଆଯାଏ, ଭଲ । ତା ନ ହେଲେ କାଶୀରେ ମଠ କରି ରହିବା ଅସମ୍ଭବ ହୋଇପଡ଼ିବ । ସେ କାହାକୁ କିଛି ନ ମାଗୁଥିଲେ ସୁଦ୍ଧା ସମସ୍ତେ ତା କୁଟୀରରେ ଧନରତ୍ନ ଅଜାଡ଼ି ଦେଇ ଆସୁଛନ୍ତି; ଅଥଚ ବହୁଦିନର ଖ୍ୟାତି, ପରିଚିତ ବିଶ୍ୟମ୍ଭର ପଣ୍ଡିତେ କପର୍ଦ୍ଦକଶୂନ୍ୟ ହୋଇ ଅନାହାରରେ ମୃତପ୍ରାୟ । ନିକଟରେ କେହି ଜଣେ ଆହା ବୋଲିବାକୁ ନାହିଁ । ଏକମାତ୍ର ଭକ୍ତ ଭାନୁଦତ୍ତ ବ୍ୟତୀତ ସମସ୍ତେ ମଠ ଛାଡ଼ି ଚାଲିଗଲେଣି । ଟୋଲ୍‍ର ଅବସ୍ଥା ଆହୁରି ଶୋଚନୀୟ । ପଣ୍ଡିତେ ଦିନେ ଏହି ସବୁ ବିଷୟ ଚିନ୍ତା କରୁଥିବା ସମୟରେ ଭାନୁଦତ୍ତ ପହଞ୍ଚି କହିଲେ, “ଗୁରୁଦେବ ! କାଲି ପୁଣି ଏକ ଅଦ୍ଭୁତ କାଣ୍ଡ । ଶୁଣିଲେଣି ନା ?”

 

ବିଶ୍ଵ–କଣ, ମୁଁ ତ କିଛି ଶୁଣି ନାହିଁ ।

 

ଭାନୁ–କାଲି ଗୋଟାଏ ଚୋର ତା କୁଡ଼ିଆରେ ପଶି ସେ ରୂପା ବାସନଗୁଡ଼ାକ ନେଇଯିବା ସମୟରେ ଗୋଟାଏ ଶର କୁଆଡ଼ୁ ଆସି ଚୋରର ମୁଣ୍ଡ ଉପରେ ଚାଲିଗଲା । ତୁଳସୀ ଦାସ ସେତେବେଳେ କୁଡ଼ିଆରେ ନ ଥିଲା । ଚୋରଟି ଭୟରେ ପଳାଇଗଲା; କିନ୍ତୁ କିଛି ସମୟ ପରେ ପୁଣି ଆସିଲା ସେ ରୂପା ଜିନିଷସବୁ ନେବାକୁ । ସେତେବେଳକୁ ତୁଳସୀ ଦାସ ଧ୍ୟାନରେ ବସିଛି । ଏହି ସୁଯୋଗରେ ସେ ଯେମିତି ଘର ଭିତରେ ପଶିଛି, ସେମିତି ଗୋଟାଏ ପରମ ସୁନ୍ଦର ବାଳକ ଦୂରରୁ ଲକ୍ଷ୍ୟ କରି ତା ଆଡ଼କୁ ଆଉ ଗୋଟାଏ ତୀର ମାରୁଥିବାର ଦେଖିଲା । ବିଶମ୍ବର ପଣ୍ଡିତେ ଏପର୍ଯ୍ୟନ୍ତ ଶୋଇ କରି ସବୁ ଶୁଣୁଥିଲେ । ହଠାତ୍ ଧଡ଼୍‍ କରି ଉଠି ବସି କହିଲେ, “ତା ପାଖରେ ପିଲା ତ କେହି ନାହାନ୍ତି ? ଆଚ୍ଛା, ତା ପରେ କଣ ହେଲା ?”

 

ଭାନୁ—ହଁ, ପିଲାଟିଏ । ଚୋର ଯେମିତି ତାକୁ ଦେଖିଲା, ଭାବିଲା, ବାବାଜୀ ତାକୁ ପ୍ରହରୀ ରଖିଛି ବୋଲି । ଏହା ଭାବି ପଳାଇଗଲା । ତା ପରେ ଆଜି ସକାଳେ ବାବାଜୀ ତା ଶିଷ୍ୟକୁ ଘେନି ଧର୍ମଚର୍ଚ୍ଚା କରୁଛି, ଏହି ସମୟରେ “ଛାତି ଫାଟିଗଲା, ଆଲୋ ବାପ ଲୋ, ସାଧୁ ଗୋସାଇଁ ମୋତେ ରକ୍ଷା କର, ଛାତି ଫାଟିଗଲା” ଏହିପରି ଚିତ୍କାର କରି ସେ ଚୋରଟା ଆସି ତା ଆଶ୍ରମରେ ହାଜର୍‍ । ତୁଳସୀ ଦାସ ତାକୁ କାରଣ ପଚାରିବାରୁ ସେ କହିଲା, “ଆଉ ଦିନେ ଚୋରି କରିବି ନାହିଁ, ମହାପ୍ରଭୁ ! କାଲିଠାରୁ ଗୋଟାଏ କାଳିଆ ଟୋକା ଧନୁଶର ଧରି ମୋତେ ଗୋଡ଼େଇଛି । କାଲି ରାତିଯାକ ଅନିଦ୍ରା । ଆପଣ ତାକୁ ମନା କରି ଦିଅନ୍ତୁ, ସେ ଯେପରି ମୋତେ ଆଉ ଏପରି ଭୟ ନ ଦେଖାଏ । ଆଉ ଦିନେ, ଆପଣଙ୍କ ପାଦ ଛୁଇଁ କହୁଛି, ମୁଁ ଚୋରି କରିବି ନାହିଁ ।”

 

ବିଶ୍ଵ–ଏ ତ ବଡ଼ ଅଦ୍ଭୁତ କଥା ! ସେ ଯଦି ଆଉ କିଛି ଦିନ ଏପରି କରେ, ତେବେ ତ ପେଡ଼ିପେଟରା ବାନ୍ଧି ଏଠୁଁ ଯିବା କଥା, ଆଉ କଣ ? ଅନ୍ଧ, କାଲ, ଛୋଟା, କୁଜା ସମସ୍ତେ ତା ପାଖକୁ ଯାଇ ଭଲ ହୋଇ ଆସୁଛନ୍ତି । ଏଥିରେ ଲୋକଙ୍କର ବିଶ୍ୱାସ ନ ହେବ କାହିଁକି ? ସେ ତ ଯାହା କଲା କଲା, ଆମ ଦାନା ମାଇଲା ଯେ ।

ଭାନୁ–“ବୃଦ୍ଧିର୍ଯସ୍ୟ ବଳଂ ତସ୍ୟ ନିର୍ବୁଦ୍ଧେସ୍ତୁ କୁତୋବଳଂ”–ବୁଦ୍ଧିବଳରେ ଅସାଧ୍ୟ ସାଧିତ ହୋଇପାରେ, ତୁଳସୀ ଦାସ ବାବାଜୀ ଅବା କି ଛାର । ଆପଣ ସାହାଯ୍ୟ ଦେଲେ ମୁଁ କାମ ହାସଲ୍ କରିଦେବି । ଯଦି ମୋର ମତ ଜାଣିବାକୁ ଚାହାନ୍ତି, ତେବେ ଆସନ୍ତୁ ଭିତରକୁ ଯିବା ।

ଏହା ପରେ ବିଶ୍ୱମ୍ଭର ଓ ଭାନୁଦତ୍ତ ଦୁଇ ଜଣ ଗୋଟିଏ ଅନ୍ଧାର ଘରେ ବସି ଦୁଇ ଘଣ୍ଟା କାଳ ମନ୍ତ୍ରଣା କଲେ ଏବଂ ଶେଷରେ କଣ ସ୍ଥିରକରି ପ୍ରଫୁଲ୍ଲମନରେ ଯେଝା କାର୍ଯ୍ୟରେ ଲାଗିଲେ ।

ଏ ଘଟନାର ଚାରି ଦିନ ପରେ ତୁଳସୀ ଦାସ ଗୋଟିଏ ଭୀଷଣ ଜଙ୍ଗଲ ମଧ୍ୟ ଦେଇ ବୃନ୍ଦାବନ ଯାତ୍ରା କରୁଅଛନ୍ତି । ସେ କାଳରେ ରେଳ୍‍ଗାଡ଼ି ବା ମଟରଗାଡ଼ି ନ ଥିଲା । ଲୋକେ ପଦବ୍ରଜରେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିଲେ । ପଥସମୂହ ବିପଦସଙ୍କୁଳ ଥିଲା । ଚୋର, ତସ୍କର ଓ ହିଂସ୍ରଜନ୍ତୁମାନେ ପଥିକର ପ୍ରଧାନ ଶତ୍ରୁ ଥିଲେ । ତୁଳସୀ ଦାସ ଏକଲୟରେ ଭଗବାନଙ୍କର ନାମ ସ୍ମରଣ କରି ଚାଲିଛନ୍ତି । ବେଳ ବୁଡ଼ିଗଲାଣି । ତେଣୁ ସେ କ୍ଷିପ୍ର ଗତିରେ ସେହି ଦୁର୍ଗମ ତିମିରାଚ୍ଛନ୍ନ ବନପଥ ପାର ହେବା ଆଶାରେ ଧାଇଁଛନ୍ତି । ଏହିପରି ସମୟରେ ସେ ଶୁଣିପାରିଲେ, ଯେପରି କି କେହି ଆର୍ତ୍ତସ୍ୱରରେ କହୁଛି, “ଓଃ ! ପ୍ରାଣ ଗଲା ! କିଏ ଅଛ ବାବା, ମୁନ୍ଦାଏ ପାଣି ଦିଅ, ଓଃ !” ଦୟାର ଅବତାର ତୁଳସୀ ଦାସ ସେ କାତର ସ୍ୱର ଶୁଣି ଠିଆ ହୋଇଗଲେ ଏବଂ ସେହି ଦିଗକୁ ଗତି ଫେରାଇ ଦେଖିଲେ—ଅନ୍ଧାରରେ କେହି ଜଣେ ବ୍ୟକ୍ତି ବିପନ୍ନ ହୋଇ ସାହାଯ୍ୟ ଲୋଡ଼ୁଅଛି । ତୁଳସୀ ଦାସ ପଚାରିଲେ, “ଆପଣ କିଏ ? ଆପଣଙ୍କର କଣ ହୋଇଛି ?” ବିପନ୍ନ ବ୍ୟକ୍ତି ଉତ୍ତର କଲା, “ମୁଁ କାଶୀର ବିଖ୍ୟାତ ପଣ୍ଡିତ ବିଶ୍ୱମ୍ଭର ସ୍ମାର୍ତ୍ତ୍ୟବାଗୀଶ । ବୃନ୍ଦାବନ ଯାଉଥିଲି । କାହୁଁ ଗୋଟାଏ ଚୋର ଆସି...ଓଃ ପାଣି, ପାଣି, ପାଣି ।” ତୁଳସୀ ଦାସ ଆଉ ବିଳମ୍ବ ନ କରି “ଏଇ ଯାଉଛି” ବୋଲି କହି ନିକଟସ୍ଥ କୂପ ନିକଟକୁ ଦଉଡ଼ିଗଲେ ଏବଂ ନିଜ ଝୁଲି ମଧ୍ୟରୁ ଗଡ଼ୁଟି ବାହାର କରି ଯେମିତି ପାଣି କାଢ଼ିବାକୁ ବସିଛନ୍ତି, ପଛ ପଟରୁ କିଏ ଗୋଟାଏ ଆସି ତାହାକୁ ଏପରି ଧକ୍କା ମାଇଲା ଯେ, ସେ କରି କୂଅ ମଧ୍ୟରେ ପଡ଼ିଗଲେ ।

ସେତେବେଳକୁ ଅନ୍ଧାର ଗାଢ଼ ହୋଇ ଆସିଲାଣି । ପଶୁପକ୍ଷୀମାନେ ନୀରବ ନିଃଶବ୍ଦ ହୋଇ ସ୍ୱ ସ୍ୱ ଆଶ୍ରୟସ୍ଥଳରେ ବିଶ୍ରାମ ନେଲେଣି । ବିଶ୍ୱମ୍ଭର ସ୍ମାର୍ତ୍ତ୍ୟବାଗୀଶ, ଭାନୁଦତ୍ତ ମହାନନ୍ଦରେ କିଛି ଡାଳପାତ୍ର ଧରି ଉକ୍ତ କୂପ ନିକଟକୁ ଆସୁଅଛନ୍ତି—ତାର ମୁଖ ବନ୍ଦ କରିଦେବା ପାଇଁ । କାରଣ, ଲୋକଟା ଯଦି ପାଟି କରେ, ତେବେ ତା ଚିତ୍କାର ଶୁଣି କାଳେ କିଏ ଆସିପାରେ । କିଛିଦୂର ଅଗ୍ରସର ହେଲା ପରେ ଦୁଇଜଣଙ୍କର ହାତ ଯେପରି ବାନ୍ଧି ହୋଇଗଲା । ସେମାନେ ଯେତେ ଚେଷ୍ଟା କଲେ, ହାତ ସେତିକି ଦୃଢ଼ଭାବରେ ଭିଡ଼ି ହୋଇଗଲା । ଭାନୁଦତ୍ତ କହିଲା, “ଗୁରୁଦେବ ! ଏ କ’ଣ ହେଲା ? ଓହୋ ମଲି, ମଲି, ମଲି !” ବିଶ୍ୱମ୍ଭର ମଧ୍ୟ ‘ରକ୍ଷା କର, ଓଃ ରକ୍ଷା କର’ ଏହିପରି ଭାବରେ ଚିତ୍କାର କରିବାକୁ ଲାଗିଲା ।

ଭକ୍ତବତ୍ସଳ ଭଗବାନ ତେଣେ ତୁଳସୀ ଦାସଙ୍କୁ କାନ୍ଧରେ ବସାଇ ଧୀରେ ଧୀରେ କୂପ ମଧ୍ୟରୁ ଉଠିଲେ । ଆହା ! କି ଅପୂର୍ବ ସୁନ୍ଦର ବେଶ ! କି କମନୀୟ ରୂପମାଧୁରୀ ! ତୁଳସୀ ଦାସ ଅନ୍ଧାର ମଧ୍ୟରେ ସେ ସ୍ୱର୍ଗୀୟ ଦୂତଙ୍କୁ ଦେଖିପାରିଲେ ନାହିଁ; କିନ୍ତୁ ଶୁଣିଲେ—କେହି ଯେପରି କହୁଛି, “ଉଠ୍ ମୋର ବାପ ! ତୁଯେ ମୋର ହୃଦୟର ଧନ । ତୋର ପୁଣି କିଏ ଅନିଷ୍ଟ କରିବ ?” ସେ ମଧୁର କଣ୍ଠସ୍ୱର ଶୁଣି ତୁଳସୀ ଦାସଙ୍କର ଶିରା ପ୍ରଶିରାରେ ଯେପରି ବିଦ୍ୟୁତ୍ ପ୍ରବାହ ଖେଳିଗଲା । ସେ ଆନନ୍ଦବିଭୋର ହୋଇ ନାଚି ନାଚି ଚାଲିଗଲେ । ରାମ ରଘୁନନ୍ଦନଙ୍କର ତାଙ୍କଠାରେ ଏତେ ଦୟା ! ବୃନ୍ଦାବନ ଗଲେ ଥରେ ମନ ପୂର୍ଣ୍ଣକରି ପଦାବ୍‍ଜଚିହ୍ନରେ ଦେହକୁ ଲୋଟାଇ ଦେଇ ଶାଶ୍ଵତ ସୁଖ ଅନୁଭବ କରିବାକୁ ହେବ ।

ସକାଳ ହୋଇ ନାହିଁ, କିନ୍ତୁ ପୂର୍ବଦିଗ ସେତେବେଳକୁ ପରିଷ୍କାର ହୋଇ ଆସିଲାଣି । ତୁଳସୀ ଦାସ ଯାଉ ଯାଉ ଦେଖିଲେ, ବିଶ୍ଵମ୍ଭର ପଣ୍ଡିତେ ଓ ଭାନୁଦତ୍ତ ନାଗପାଶ ବନ୍ଧନରେ ପଡ଼ି ଛଟପଟ ହେଉଅଛନ୍ତି । ସେ ଆଶ୍ଚର୍ଯ୍ୟ ହୋଇଗଲେ, କାରଣରାତ୍ରିର ଅନ୍ଧକାରରେ ସେ ଜାଣିପାରି ନ ଥିଲେ ଯେ, ଏହି ଦୁଇ ଜଣ ତାଙ୍କୁ କୂପ ମଧ୍ୟରେ ପକାଇଦେଇ ଏପରି ଦଶା ଭୋଗୁଅଛନ୍ତି । ତେଣୁ ସେ ପଚାରିଲେ, “ଗୁରୁଦେବ ! ଆପଣଙ୍କୁ ଏପରି କିଏ କଲା ?”

ବିଶ୍ୱ–ମହାତ୍ମାନ୍ ! କ୍ଷମା କରନ୍ତୁ ଆମ୍ଭମାନଙ୍କୁ । ଆମ୍ଭେମାନେ ଆପଣଙ୍କୁ ନିକଟରେ ଚିରଅପରାଧୀ । ଶୀଘ୍ର କୃପା ପ୍ରକାଶ କରି ଏ ଯନ୍ତ୍ରଣାରୁ ମୁକ୍ତ କରନ୍ତୁ ।

ତୁଳସୀ–ମୁଁ ମହାତ୍ମା ନୁହେଁ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦାସାନୁଦାସ । ଏହା କହି ସେ ପ୍ରଭୁଙ୍କୁ ମନେ ମନେ ଧ୍ୟାନ କରି ସେମାନଙ୍କୁ ସ୍ପର୍ଶ କଲା ମାତ୍ରେ ନାଗଫାଶ ବନ୍ଧନ ଫିଟିଗଲା ଏବଂ ସେମାନେ ତୁଳସୀ ଦାସଙ୍କୁ ଧନ୍ୟବାଦ ଦେଇ କାଶୀ ପ୍ରତ୍ୟାବର୍ତ୍ତନ କଲେ । ତୁଳସୀ ଦାସ ବିଶ୍ଵନିୟନ୍ତାଙ୍କର ଅପାର କରୁଣା ବିଷୟ ଚିନ୍ତା କରି କରି ବୃନ୍ଦାବନ ଅଭିମୁଖରେ ଚାଲିଲେ ।

Image

 

ଷୋଡ଼ଶ ପରିଚ୍ଛେଦ

ପ୍ରଣୟ-ଡୋରି

 

“ଆଚ୍ଛା ସର ! ଗୋଟିଏ କଥା ପଚାରିବି । ତୁ ସତ କହିବୁଟି ?”

 

“କ’ଣ, କି କଥା ?”

 

“ଆଚ୍ଛା କହିଲ ଦେଖି, କାହିଁକି ଏ କେତେ ଦିନ ହେଲା ତୋ ମନରେ ପରିବର୍ତ୍ତନ ଆସିଛି-? ମୁଁ ଦେଖୁଛି, ପୂର୍ବର ସ୍ଫୁର୍ତ୍ତିତ ଆଉ ତୋଠାରେ ନାହିଁ ।”

 

ସରସ୍ଵତୀ ଜାଣି ନ ଥିଲା ଯେ ରତ୍ନାବଳୀ ତାକୁ ଏପରି ଏକ ଅଡ଼ୁଆ ପ୍ରଶ୍ନ ପଚାରିବ । ତେଣୁ ସେ କୃତ୍ରିମ ରାଗ ପ୍ରକାଶ କରି କହିଲା, “କାହିଁ, ନାହିଁ ତ ? ମୋର ତ କିଛି ପରିବର୍ତ୍ତନ ଘଟିନାହିଁ ?”

 

ରତ୍ନାବଳୀ କହିଲେ, ‘ଯା ଯା ! ଆଉ କାହାକୁ ସେକଥା କହିବୁ । ମୋ ଆଗରେ ଲୁଚାଇଲେ ଚଳିବ ନାହିଁ । ଆଚ୍ଛା, କହିବୁ ନାହିଁ ସର ?”

 

ସରସ୍ଵତୀର ମୁଖ ପାଟଳ ପଡ଼ିଗଲା । ସେ ଈଷତ୍ ହାସ୍ୟ କରି କହିଲା “ହଁ ଲୋ ସହି ! ସେ ବହୁତ କଥା ଅଛି । ତୁମେ ଫେରିଆସ, କହିବି ! ଯାଅ, ଯିବଟି ଶୀଘ୍ର ।”

 

ରତ୍ନାବଳୀ ପଚାରିଲେ, “କୁଆଡ଼େ ?”

 

ସରସ୍ୱତୀ—ବାବା ପରା ଡକାଇଚନ୍ତି ! ସେ ଯେଉଁ ଭଦ୍ର ଲୋକଟି କଥା କହୁ ନ ଥିଲି, ଯେ ଦସ୍ୟୁ ଦ୍ୱାରା ଆହତ ହୋଇ ଆମ ଘରେ ଆସି ଆରୋଗ୍ୟ ହୋଇଅଛନ୍ତି । ସେ କୋଉଠି କହୁଛନ୍ତି ଯେ, ତାଙ୍କର ଗୋଟିଏ ଭାଉଜ ବାୟାଣୀ ହୋଇ କୁଆଡ଼େ ପଳାଇଯାଇଛି । ତୁମ କଥା ବାବା ତାଙ୍କ ଆଗରେ କହିବାରୁ ସେ ତୁମକୁ ଦେଖିବାକୁ ଡକାଇଛନ୍ତି । ଯାଅ ଯିବଟି, ଡେରି ହେଲେ ବାବା ମୋତେ ଗାଳିଦେବେ ।

 

ରତ୍ନାବଳୀଙ୍କର ହଠାତ୍ ଚେତନା ହେଲା ଯେ, ଅନେକ ଦିନ ତଳେ ତାଙ୍କର ପ୍ରାଣାଧିକ ଦେବର ଦୁଃଖୀରାମ ତୁଳସୀ ଦାସଙ୍କର ସନ୍ଧାନ ନେବାକୁ ତାଙ୍କୁ ଜବାବ ଦେଇଯାଇଥିଲେ । ତା’ ପରେ ସେ ବାୟାଣୀ ହୋଇଗଲେ, ଘରକଥା କିଛି ଶୁଣି ନାହାନ୍ତି । ଆରୋଗ୍ୟ ହେଲା ପରେ ମଧ୍ୟ ସରସ୍ୱତୀର ସଙ୍ଗସୁଖରେ ସେସବୁ ବିଷୟ ଏକରକମ ପାସୋରି ପକାଇଥିଲେ । ଆଜି ହଠାତ୍ ଅତୀତର ସେ ଦୁଃଖମୟ ସ୍ମୃତିସବୁ ତାଙ୍କ ହୃଦୟକୁ ଘାଣ୍ଟି ପକାଇଲା । ଦୁଃଖୀରାମ କଣ ସତରେ କାଶୀରୁ ଆସୁ ଆସୁ ବିପଦ୍‍ଗ୍ରସ୍ତ ହୋଇ ଏଠାରେ ଆଶ୍ରୟଲାଭ କରିଅଛନ୍ତି ! ରତ୍ନାବଳୀ ଆଜିଯାଏ ସ୍ୱପ୍ନରେ ସୁଦ୍ଧା ଏ ବିଷୟ ଭାବି ନ ଥିଲେ । ସେ ଭାବିଥିଲେ, କିଏ ନା କିଏ ହୋଇଥିବ । କିନ୍ତୁ ଆଜି ଏକଥା ଶୁଣି ସେ ଛଗନଲାଲଙ୍କ ଏ ବିଷୟ ପଚାରିବାକୁ ଉତ୍‍କଣ୍ଠିତ ହୋଇପଡ଼ିଲେ । ବ୍ୟାକୁଳ ଭାବରେ ସରସ୍ୱତୀକି ପଚାରିଲେ, “ତତେ ମୋ ରାଣ ସର, କହ ସତରେ ବାପା ଡକାଇଛନ୍ତି ? “

 

ସରସ୍ୱତୀ ଗମ୍ଭୀର ଭାବରେ ଉତ୍ତର ଦେଲା, “ତୁମକୁ କ’ଣ ମୁଁ ମିଛ କହୁଛି ?”

 

ରତ୍ନାବଳୀ କହିଲେ, “ହଉ ତେବେ, ତୁ ଏଇଠି ଥା, ମୁଁ ଆସେ ।”

 

ଦୁଃଖୀରାମ ସମ୍ପୂର୍ଣ୍ଣରୂପେ ଆରୋଗ୍ୟଲାଭ କରିଥିଲେହେଁ ତାଙ୍କର ପୂର୍ବ ଚେହେରା ଫେରି ଆସି ନାହିଁ । ଗୋଟିଏ ତକିଆକୁ ଆଉଜି ସେ ବସିଛନ୍ତି, ଏହି ସମୟରେ ଛଗନଲାଲ ରତ୍ନାବଳୀଙ୍କୁ ଧରି ସେଠାରେ ପହଞ୍ଚିଲେ । ରତ୍ନାବଳୀଙ୍କର ସୌନ୍ଦର୍ଯ୍ୟ ଏଥିମଧ୍ୟରେ ଫେରିଆସିଛି । ଦୁଃଖୀରାମ ତାଙ୍କୁ ଦେଖିବା ମାତ୍ରେ ବିଛଣାରୁ ଡେଇଁପଡ଼ି ତାଙ୍କର ଚରଣଦ୍ୱୟ ଧରି କହିଲେ, “ଭାଉଜ, ପଦଧୂଳି ଦିଅ । ମୃତ୍ୟୁମୁଖରୁ ବର୍ତ୍ତିକରି ତୁମକୁ ଆଉ ଦେଖିବି ବୋଲି ଆଶା ନ ଥିଲା । ଏ ମହାପୁରୁଷଙ୍କ କୃପାରୁ ଏବଂ ଭଗବାନଙ୍କ ଆଶୀର୍ବାଦ ବଳରୁ ଏ ହତଭାଗ୍ୟ ଜୀବନ ପାଇଛି ।” ଏହା କହି ଦୁଃଖୀରାମ କାନ୍ଦିବାକୁ ଲାଗିଲେ । ରତ୍ନାବଳୀ କହିଲେ–“ଆହା ତୁମର ଏ ଦଶା ଆସି ହେଲାଣି, ଦେଖିଲେ ଚିହ୍ନି ହେଉନାହିଁ । ମୁଁ ଅଭାଗିନୀ ଏଇଠି ଥାଇ ସୁଦ୍ଧା ତୁମର କିଛି ସେବା କରିପାରିଲି ନାହିଁ ।” ଏହା କହୁ କହୁ ତାଙ୍କ ଆଖିରୁ ଝର ଖର ଲୁହଧାର ବହିବାକୁ ଲାଗିଲା ।

 

ସେ ଅଶ୍ରୁ ଦୁଃଖର ଅଶ୍ରୁ ନୁହେଁ—ଆନନ୍ଦାଶ୍ରୁ । ବହୁଦିନର ବିଚ୍ଛେଦ ପରେ ଦିଅର ଭାଉଜଙ୍କର ଏପରି ଅକସ୍ମାତ୍ ମିଳନ ଭଗବାନଙ୍କର କୂଟ ନୁହେଁ ତ ଆଉ କଣ ? ଏହା ମଧ୍ୟରେ ଯାହା ଯାହା ଘଟି ଯାଇଛି, କାଶୀଯାତ୍ରାଠାରୁ ଆରମ୍ଭ କରି ଦୁଃଖୀରାମ ସମସ୍ତ ବିଷୟ ଗୋଟି ଗୋଟି କରି ଭାଉଜଙ୍କ ଆଗରେ କହିଲେ । ଛଗନଲାଲ ଓ ଯଶୋଦା ଦେବୀଙ୍କର ଆନନ୍ଦ କହିଲେ ନ ସରେ । ଦୀନ ଦୁଃଖୀ ସେବା ଓ ପରହିତସାଧନରେ କି ସୁଖ ଅଛି, ତାହା ସେମାନେ ପ୍ରାଣ ପୂରାଇ ଅନୁଭବ କଲେ । ସବୁ ଯୁଗରେ ଓ ସବୁ ଦେଶରେ ଏହିପରି ଦେବୋପମ, ଉଦାରହୃଦୟ ମହାତ୍ମାମାନଙ୍କ ପୁଣ୍ୟବଳରେ ସମାଜର ଅସ୍ତିତ୍ୱ ସମ୍ଭବପର ହୋଇଥାଏ । ‘ଅଢ଼େଇଦିନିଆ ବଡ଼ପଣ’ ଅନେକ ଅଛି; କିନ୍ତୁ ଏ ଭବ–ଧୂଳି–ଖେଳ–ଘରେ ଧୂଳି ହୋଇ ସେ ସବୁ କ୍ଷଣକେ ଉଭେଇଯାଏ–ଧର୍ମ ହିଁ କେବଳ ଚିରକାଳକୁ ଅକ୍ଷୟ ଅମର ତେଜରେ ବିରାଜମାନ କରୁଥାଏ ।

 

ଦୁଃଖୀରାମ ଓ ରତ୍ନାବଳୀ ଦୁହିଁଙ୍କର ଭେଟ ହୋଇଗଲା । ରତ୍ନାବଳୀ କୃତଜ୍ଞତା ଜଣାଇବାକୁ ଭାଷା ପାଇଲେ ନାହିଁ । ସେ ମନେ ମନେ ଭଗବାନଙ୍କୁ ଡାକିଲେ—ଏ ଉପକାରର ପ୍ରତ୍ୟୁପକାର ପାଇଁ । ଦୁଃଖୀରାମ ତାଙ୍କର ଜଣେ ବନ୍ଧୁ ମାତ୍ର । ଏ ସଂସାରରେ କେତେ ଜଣ ବନ୍ଧୁ ଏପରି ଅସୀମ ଶ୍ରମସ୍ଵୀକାର କରି ବନ୍ଧୁର ଉପକାର କରିଥାନ୍ତି ? ଏହାର ନାମ ପ୍ରକୃତ ବନ୍ଧୁତା । ଦୁଃଖୀରାମ ଯେ ପର୍ଯ୍ୟନ୍ତ ତୁଳସୀ ଭାଇ ସଙ୍ଗେ ଖୁଡ଼ୀ ଓ ଭାଉଜ ଦୁହିଁଙ୍କର ଭେଟ କରାଇ ନ ଦେଇଛନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ମନରେ ପୂର୍ଣ୍ଣ ଶାନ୍ତି ନାହିଁ । ଛଗନଲାଲ ଓ ଯଶୋଦା ଦେବୀ ଏଣେ ରତ୍ନାବଳୀଙ୍କୁ ପଚାରି ତାଙ୍କର ସମସ୍ତ ପରିଚୟ ପାଇଲେଣି । ଦୁଃଖୀରାମ ଦିନେ ବିନୀତଭାବରେ ତାଙ୍କର ପ୍ରାଣରକ୍ଷକ ପିତାମାତାଙ୍କ ନିକଟରେ ହୃଦୟର କୃତଜ୍ଞତା ଜଣାଇ ବିଦାୟ ନେବାକୁ ଅନୁମତି ମାଗିଲେ । ଛଗନଲାଲ ଓ ଯଶୋଦା ଦେବୀ ତାଙ୍କୁ ନିଜର ପୁଅ ପରି ଏ ପର୍ଯ୍ୟନ୍ତ ଜ୍ଞାନ କରି ପାଳି ଆସିଛନ୍ତି; ତେଣୁ ପାଖରୁ ଅନ୍ତର କରିଦେବା ଶୁଣିଲେ ହୃଦୟ କାନ୍ଦି ଉଠୁଛି । ସେମାନଙ୍କୁ ନ ପଚାରି ଦୁଃଖୀରାମ ବା ଯାଉଛନ୍ତି କିପରି ? ଯିବା ସକାଶେ ସେ ଯେତେ ଥର ପ୍ରାର୍ଥନା କରିଛନ୍ତି, ସେମାନେ କହିଛନ୍ତି, “ହଁ ବାବା, ଯିବ ତ; ଆଉ କିଛିଦିନ ରହିଯାଅ, ସମ୍ପୂର୍ଣରୂପେ ଆରୋଗ୍ୟ ହୋଇଗଲେ ଯିବ ।”

 

ଏ କେବଳ ଉପର ମନରେ—ଭିତରେ ଆଉ ଏକ ବ୍ୟବସ୍ଥା ଚାଲିଛି । ରତ୍ନାବଳୀଙ୍କୁ ମଧ୍ୟସ୍ଥ କରି ସେମାନେ ଏଥିମଧ୍ୟରେ ସରସ୍ଵତୀ ସଙ୍ଗେ ତାଙ୍କର ବିବାହ ପ୍ରସଙ୍ଗ ପକାଇଛନ୍ତି । ଦୁଃଖୀରାମଙ୍କର ନାହିଁ କଣ ? ଏ କେତେଟା ଦିନର ଆଚାର ବ୍ୟବହାର ଦେଖି ଦାସଦାସୀ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଆଦର ଭକ୍ତି କରୁଅଛନ୍ତି । ରୂପର ତୁଳନା ନାହିଁ କହିଲେ ଯଥେଷ୍ଟ ହେବ ନାହିଁ । ଏପରି ସୌନ୍ଦର୍ଯ୍ୟ ଯେ, ତୁଳସୀ ଦାସ ଶୈଶବରୁ ତାଙ୍କୁ ପ୍ରିୟସଖା ରୂପେ ଗ୍ରହଣ କରିଅଛନ୍ତି—କେବଳ ସେହି ମନମୋହନ ରୂପଶ୍ରୀରେ ମୁଗ୍ଧ ହୋଇ । ବଂଶ କଥା ତ ଛାଡ଼, କୁଳୀନ ବ୍ରାହ୍ମଣ କୂଳରେ ଜନ୍ମ । ନାହିଁ କେବଳ ଧନସମ୍ପଦ । ଏଥିଲାଗି କଣ ରୂପଗୁଣର ମହତ୍ତ୍ଵ କମିଯିବ ? ଦାତାକର୍ଣ୍ଣ ଛଗନଲାଲ ଧନର କାଙ୍ଗାଳ ନୁହନ୍ତି ଯେ, ଦରିଦ୍ର ବୋଲି ଦୁଃଖୀରାମଙ୍କୁ ନାପସନ୍ଦ କରିବେ । ତାଙ୍କର ଓ ଯଶୋଦା ଦେବୀଙ୍କ ମନକୁ ବେଶ୍ ପାଇଛି । ଏତେଦିନ ସେମାନଙ୍କର ଚିର-ପୋଷିତ ଆକାଂକ୍ଷା ପୂର୍ଣ୍ଣ ହେଲା ବୋଲି ଛଗନ ଓ ଯଶୋଦା ପ୍ରଭୁଙ୍କ ନିକଟରେ କୃତଜ୍ଞତା ଜଣାଉଛନ୍ତି । ତେବେ ବରକନ୍ୟା ଦୁହିଁଙ୍କର ମତାମତ କିଛି ଜଣାଯାଇ ନାହିଁ । ରତ୍ନାବଳୀ ଉପରେ ସେ ଭାର ଅର୍ପଣ କରି କର୍ତ୍ତା ମହାଶୟ ଉତ୍କଣ୍ଠିତ ଭାବରେ ସେ ଶୁଭ ମୁହୂର୍ତ୍ତକୁ ଅପେକ୍ଷା କରି ବସିଛନ୍ତି ।

 

ଥରେ ସରସ୍ଵତୀ ଉଦ୍ୟାନ ମଧ୍ୟରେ ବସି ଫୁଲମାଳଟିଏ ଗୁନ୍ଥୁଛି, ରତ୍ନାବଳୀ ଚୁପ୍ ଚୁପ୍ ଯାଇ ପଛପଟରୁ ତା ଆଖି ବୁଜିଦେଲେ । ସରସ୍ଵତୀ ଜୋରପୂର୍ବକ ତାଙ୍କର ହାତ ଦୁଇଟିକୁ ନିଜ ଆଖି ଉପରୁ ଉଠାଇ ଆଣିବା ପାଇଁ ଯେତେ ଚେଷ୍ଟା କଲେ ସୁଦ୍ଧା ପାରିଲା ନାହିଁ । ରତ୍ନାବଳୀ କହିଲେ, “ସେ ଦିନ ମୋତେ ଯାହା କହିବୁ ବୋଲି ଜବାବ୍ ଦେଇଥିଲୁ, ଆଜି ଯଦି ତା କହିବୁ ତେବେ ଛାଡ଼ିଦେବି ।”

 

ସର–ହଁ, ନିଶ୍ଚେ କହିବି ।

 

ରତ୍ନାବଳୀ ହାତ ଉଠାଇ ନେଇ ପଚାରିଲେ—‘‘କଣ କହ, କାହିଁକି ତୋ ମନରେ ଫୂର୍ତ୍ତି ନାହିଁ ?”

 

ସର—ତୁମେ ସିନା ଦିଅରଙ୍କ ସଙ୍ଗେ ଭେଟ ହୋଇଛ, ପୁଣି ତାଙ୍କ ସଙ୍ଗେ ତୀର୍ଥ ବୁଲିଯିବ ବୋଲି ସୁଖସାଗରରେ ଭାସୁଛ, ମୁଁ କାହିଁକି ତୁଛାଟାରେ ଆନନ୍ଦିତ ହେବି ? ତୁମ୍ଭମାନଙ୍କ ଯିବା କଥା ଶୁଣି ମନ ତ ଯାହା ହଉଛି, ଫୂର୍ତ୍ତି କାହୁଁ ଆସିବ ? ଆଚ୍ଛା, ତୁମେ କଣ ସତରେ ଆମକୁ ଛାଡ଼ି ଚାଲିଯିବ ?

 

ରତ୍ନା–ସେ କଥା ତୁ କାହିଁକି ଭାବୁଛୁ ? ମୁଁ କଣ ତୋତେ ଛାଡ଼ି ଯାଇପାରିବି ନା ବାପା ମାଙ୍କୁ ଛାଡ଼ି ଯାଇପାରିବି ? ସେ କଥା ଛାଡ଼ । ଏବେ କଣ ଦବୁ କହିଲୁ, ମୁଁ ତୋତେ ଫୂର୍ତ୍ତିମତୀ କରିଦେବି ।

 

ସର–ଆମର ଫୂର୍ତ୍ତିମତୀ ହେବା ଲୋଡ଼ା ନାହିଁ କି ତୁମକୁ କିଛି ଦେବା ଲୋଡ଼ା ନାହିଁ ।

 

ରତ୍ନା—ହଉ, କିଛି ନ ଦେଲୁ ନାହିଁ ପଛକେ, ୟାଡ଼କୁ ଟିକିଏ ଚାହାଁ, ମୁଁ କଣ କହୁଛି—ଏହା କହି ରତ୍ନାବଳୀ ବିବାହ ପ୍ରସ୍ତାବ ପକାଇଲେ । ସରସ୍ୱତୀ ମଝିରେ ମଝିରେ କୃତ୍ରିମ ରାଗ ପ୍ରକାଶ କରୁଥିଲେହେଁ ମନୋଯୋଗପୂର୍ବକ ସବୁ ଶୁଣୁଥାଏ । କଥା ଶେଷ ହେବାରୁ ଲଜ୍ଜା ଓ ଆନନ୍ଦରେ ତାର ମୁଖମଣ୍ଡଳ ଆରକ୍ତ ହୋଇଗଲା । ଦୁଃଖୀରାମଙ୍କ ପରି ରୂପବାନ ଓ ଗୁଣବାନ୍ ପୁରୁଷଙ୍କୁ ସ୍ୱାମୀ ରୂପେ ପାଇଲେ କେଉଁ ନାରୀର ମନ ମନ୍ଦିରରେ ସ୍ଫୀତ ନ ହେବ ? ରତ୍ନାବଳୀ ଜାଣିପାରିଲେ, ସରସ୍ୱତୀର ମନକୁ ପ୍ରସ୍ତାବଟା ପାଇଛି । ସେ ଆଉ ଯାହା କହିଥାନ୍ତେ, ଦୁଃଖୀରାମ ଆସି ପହଞ୍ଚିଯିବାରୁ ସରସ୍ୱତୀ ସେ ସ୍ଥାନ ଛାଡ଼ି ଚାଲିଗଲା । ରତ୍ନାବଳୀ ଦିଅରଙ୍କୁ ଦେଖି ମନେ ମନେ ଭାବିଲେ, ପ୍ରସ୍ତାବଟା ନିଶ୍ଚୟ ସଫଳ ହେବ, ନୋହିଲେ ଏପରି ସମୟରେ ତାଙ୍କ ସଙ୍ଗେ ଭେଟ କାହିଁକି ହୋଇଥାନ୍ତା ? ସର ତ ରାଜି ହୋଇଛି, ଦୁଃଖୀର ହୃଦୟଟା ପରୀକ୍ଷା କରିବା ଆବଶ୍ୟକ । ରତ୍ନାବଳୀ ଏ ସୁବର୍ଣ୍ଣ ସୁଯୋଗ ପାଇ କହିଲେ, “ଦେଖୁଛ ନା ଭାଇ, ତୁମକୁ ଦେଖିଲା ମାତ୍ରେ ସର କିପରି ଲାଜ କରୁଛି ? ତୁମ ଛାଇ ପଡ଼ିଲା ମାତ୍ରେ କିପରି ପଳାଇଗଲା ?”

 

ଦୁଃଖୀ—ଦେଖ ଭାଉଜ, ବାପା ମା ସାଧୁ ସଜ୍ଜନ ହେଲେ ପିଲାଏ କିପରି ସେହିଭଳି ହୁଅନ୍ତି । ମୋ ଦେହ-ଦୁଃଖ ବେଳେ ସରସ୍ୱତୀ ତାର ବାପା ମାଙ୍କୁ ମୋର ସେବା କରିବା ବିଷୟରେ ଯେତେ ସାହାଯ୍ୟ କରିଛି, ମୁଁ କଣ ତାହା ମରିବାଯାଏ ଭୁଲି ପାରିବି ?

ରତ୍ନା–ତେବେ ତୁମେ ସରକୁ ଭଲ ପାଅ ?

ଏହା ପଚାରିବା ବେଳେ ରତ୍ନାବଳୀ ଟିକିଏ ଟିକିଏ ହସୁଥିଲେ । ଦୁଃଖୀରାମ କିନ୍ତୁ ଏପର୍ଯ୍ୟନ୍ତ କୌଣସି ରହସ୍ୟ ବୁଝିପାରିଲେ ନାହିଁ । ସେ କେବେହେଲେ ସରସ୍ୱତୀକୁ ପ୍ରେମଚକ୍ଷୁରେ ଦେଖି ନାହାନ୍ତି । ବାମନ ହୋଇ ଚନ୍ଦ୍ରକୁ ହାତ ବଢ଼ାଇବା ବିଷମ ବିଡ଼ମ୍ବନା । ଦୁଃଖୀରାମ ଜାଣନ୍ତି ଯେ, ସରସ୍ୱତୀର ଅବସ୍ଥା ଓ ତାଙ୍କର ଅବସ୍ଥା ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଭାଉଜଙ୍କ ପ୍ରଶ୍ନର ରହସ୍ୟ ବୁଝି ନ ପାରି ସେ ଉତ୍ତର କଲେ, “ନିଶ୍ଚୟ, ତାକୁ କିଏ ଭଲ ନ ପାଇବ ? ତୁମେ କଣ ତାକୁ ଭଲ ପାଅ ନା ?”

ରତ୍ନାବଳୀ ଦେଖିଲେ ଆଉ କୌତୁକ କରିବାରେ କିଛି ଲାଭ ନାହିଁ, ସଫା କହିଦେବା ଉଚିତ । ତେଣୁ ସେ ଟିକିଏ ଗମ୍ଭୀର ହୋଇ କହିଲେ, “ଭାଇ ଦୁଃଖୀ, ତୁମେ ମୋର ଅଶେଷ ଉପକାର କରିଛ । ଆଜି ଗୋଟିଏ ଅନୁରୋଧ ରକ୍ଷା କରିବ ନାହିଁ ?”

ଦୁଃଖୀରାମ ପଚାରିଲେ— “କି ଅନୁରୋଧ ?

ସରସ୍ୱତୀ ସଙ୍ଗେ ତାଙ୍କର ବିବାହ ପ୍ରସଙ୍ଗ ନେଇ ପୂର୍ବରୁ ଯାହା ଯାହା ଘଟି ଯାଇଥିଲା, ରତ୍ନାବଳୀ ସବୁ କହିଲେ । ଦୁଃଖୀରାମ କହିଲେ, “ଭାଉଜ, ତା କଣ ସମ୍ଭବ ? ମୋର ଆର୍ଥିକ ଅବସ୍ଥା ତ ତୁମେ ଜାଣ । ମୁଁ କେଉଁ ଗୁଣରେ ସରସ୍ୱତୀର ଉପଯୁକ୍ତ ?”

ରତ୍ନାବଳୀ କହିଲେ, “ତୁମେ ତାର ଉପଯୁକ୍ତ ନ ହେଲେ ଆଉ କିଏ ହୋଇପାରିବ ବୋଲି ମୁଁ ବିଶ୍ଵାସ କରୁନାହିଁ । ସେ ଯାହା ହେଉ, ଧନସମ୍ପଦ ବିଷୟରେ ଛଗନଲାଲ ମୋଟେ ଦୃଷ୍ଟି ଦେଇ ନାହାନ୍ତି । ସେ ଧନ ଅପେକ୍ଷା ରୂପଗୁଣକୁ ବେଶୀ ମୂଲ୍ୟବାନ୍ ମନେ କରିଅଛନ୍ତି । ମୋର ଅନୁରୋଧ ଯେ, ତୁମ୍ଭେ ଏ ଥିରେ ସ୍ଵୀକୃତ ହେବ ।”

ଦୁଃଖୀ—ଏହାଠାରୁ ବଳି ମୋର ଆଉ କଣ ଭାଗ୍ୟ ହୋଇପାରେ ? ମୁଁ ସ୍ଵୀକୃତ ନ ହେବି ବା କାହିଁକି ?

ରତ୍ନାବଳୀ ତତ୍ପରେ ଛଗନ ଓ ଯଶୋଦାଙ୍କୁ ଏ ବିଷୟ ଜଣାଇଲେ । ଅଳ୍ପଦିନ ମଧ୍ୟରେ ବିବାହ କାର୍ଯ୍ୟ ସଂପନ୍ନ ହୋଇଗଲା । ବୁଢ଼ୀମା’ମାନେ କହନ୍ତି, “ଯେ ଯାହା ପାଇଁ ଜନ୍ମ ସେ ତାର”–ସତକୁ ସତ, ମନୁଷ୍ୟ ଯେତେ ଚେଷ୍ଟା କଲେ ସୁଦ୍ଧା ତାହାର ଅନ୍ୟଥା ହୁଏ ନାହିଁ । ‘ଶକ୍ତି ନାହିଁ ବତ୍ସ ! କାହାରି ଜଗତେ, ନିୟତିକି ନେବ ନିଜ ଇଚ୍ଛାମତେ । ‘କବିବରଙ୍କର ଏ ଉକ୍ତିଟି ଅକ୍ଷରେ ଅକ୍ଷରେ ସତ୍ୟ । କିଏ ଜାଣିଥିଲା, ଦୁଃଖୀରାମ ପାଇଁ ସୁଦୂର ଗୋସାଇଁଗଞ୍ଜର ସୁରମ୍ୟ ରାଜବାଟୀରେ ସୁରସୁନ୍ଦରୀ ସୁକୁମାରୀଟିଏ ବଢ଼ୁଛି ବୋଲି ।

ସରସ୍ଵତୀ ଦୁଃଖୀରାମଙ୍କୁ ପ୍ରଥମେ ଦେଖିଲା ଦିନୁଁ ତାଙ୍କ ରୂପରେ ମୁଗ୍ଧ ହୋଇ ଯାଇଥିଲା-। ବିବାହ ପରେ ତାର ଆନନ୍ଦ କିଏ କହିବ ? ଛଗନଲାଲ ବର୍ତ୍ତମାନ ସମସ୍ତ ସମ୍ପତ୍ତି ଜାମାତାଙ୍କ ହସ୍ତରେ ଅର୍ପଣ କରିଦେଲେ । କିନ୍ତୁ ଦୁଃଖୀରାମଙ୍କର ସ୍ଵଭାବ ତିଲେହେଁ ପରିବର୍ତ୍ତିତ ହେଲେ ନାହିଁ । ସେ ଅତୁଳ ଐଶ୍ୱର୍ଯ୍ୟର ଅଧିକାରୀ ହେଲେ ସୁଦ୍ଧା ରଜାପୁରର ସେହି ଶାନ୍ତ, ସରଳ, ଉନ୍ନତମନା, ତ୍ୟାଗବୀର ଦୁଃଖୀରାମ ହୋଇ ଚିରକାଳ ରହିଲେ ।

Image

 

ସପ୍ତଦଶ ପରିଚ୍ଛେଦ

ତୀର୍ଥ-ପଥେ

 

ହିନ୍ଦୀ ‘ଭକ୍ତମାଳା’ର ସୁପ୍ରସିଦ୍ଧ ରଚୟିତା ଶ୍ରୀ ନାଭାଜୀ ତୁଳସୀ ଦାସଙ୍କ ଦର୍ଶନ ପାଇବା ଆଶାରେ ଥରେ ବନାରସ ଆସି ବିଫଳକାମ ହୋଇ ଲେଉଟି ଯାଇଥିଲେ । ସେହି ହେତୁରୁ ଗୋସାଇଁଜୀ ବୃନ୍ଦାବନ ଯାଇ ସେଠାରେ ତାଙ୍କୁ ସାକ୍ଷାତ କରିବା ମନସ୍ଥ କରିବାରୁ ସଜ୍ଜନଶିରୋମଣି ନାଭାଜୀ ସ୍ନେହପୂର୍ବକ ତାଙ୍କର ଆଦର ସତ୍କାର କରିଥିଲେ ।

 

ସମସ୍ତେ ପ୍ରାୟ ଜାଣନ୍ତି—ବ୍ରଜଦେଶ ଶ୍ରୀ ନନ୍ଦନନ୍ଦନ ବଂଶୀବଦନ କୃଷ୍ଣଚନ୍ଦ୍ରଙ୍କର ଲୀଳାଭୂମି । ଏଠାରେ ବାଳବୃଦ୍ଧବନିତା ସମସ୍ତେ ଶ୍ରୀକୃଷ୍ଣଙ୍କ ନାମଗୁଣଗାନରେ ଅଭ୍ୟସ୍ତ । ଆଜିସୁଦ୍ଧା ବୃନ୍ଦାବନର କୁଞ୍ଜେ କୁଞ୍ଜେ ଲୀଳାମୟଙ୍କର ପ୍ରେମଲୀଳା ପ୍ରକଟିତ । ଆଜିସୁଦ୍ଧା ଭକ୍ତ ଦେଖେ—ସେହି ଯମୁନାତଟ ବଂଶୀବଟ, ସେହି ଶ୍ୟାମକୁଣ୍ଡ ରାଧାକୁଣ୍ଡ, ସେହି ଗୋପିକାପରିବେଷ୍ଟିତ ଯଶୋଦା ନନ୍ଦନ ନୀଳମଣି ବନେ ବନେ ଧବଳୀ ଶ୍ୟାମଳୀ ନେଇ ଗୋଚା ରଣ କରୁଛନ୍ତି । ଭଗବାନ ଦିନେ କହିଥିଲେ, ‘ବୃନ୍ଦାବନଂ ପରିତ୍ୟଜ୍ୟ ପାଦମେକଂ ନ ଗଚ୍ଛାମି ।’ ସବୁ ଠିକ୍ ସେହିପରି ଅଛି । ଯମୁନାର ନୀଳ ଜଳବେଣୀ ଏବେ ସୁଦ୍ଧା ନୀଳମଣୀଙ୍କର ତ୍ରିଭଙ୍ଗ-ଠାଣିର ସଙ୍କେତ ଦିଏ । ତେବେ ହୃଦୟରେ ସେହିପରି ଭକ୍ତି-ଭାବ ଉଦୟ ନହେଲେ ବୃନ୍ଦାବନ ବୃନ୍ଦାବନ ନୁହେଁ ଯମୁନା ଯମୁନା ନୁହେଁ । ସଂସାରର ମାୟା ଘୂର୍ଣ୍ଣିରୁ ମୁକ୍ତିଲାଭ କରିବାକୁ ହେଲେ ବିଷୟବାସନା ପରିତ୍ୟାଗ କରି ପ୍ରେମମୟଙ୍କର ଅଖଣ୍ଡ ଆରାଧନାରୂପ ପ୍ରେମସୁଧା ଆସ୍ଵାଦନ କରିବା ଆବଶ୍ୟକ । ଏହା ମାୟାଜାଲରେ ଜଡ଼ୀଭୂତ ହୋଇ ଜଣେ ଭକ୍ତ ଦିନେ ଖେଦରେ ଗାଇଥିଲେ—

 

“ଛନ୍ଦା ଚରଣ ମତେ ତାରିବ କି ?

କନ୍ଦାଇ କନ୍ଦାଇ ମାରିବ କି ?’’

 

ଫନ୍ଦା କଲି ବୋଲି ପଦାରବିନ୍ଦଙ୍କୁ ଧନ୍ଦାରେ ପକାଇ ସାରିବ କି ?

 

ବନ୍ଧା ଦେଇଛି ଏ ଜୀବନକୁ

ବୃନ୍ଦାବନ ମଦନମୋହନଙ୍କୁ

 

ନିନ୍ଦା ତେଜି ପ୍ରେମ–ମନ୍ଦାକିନୀଧାରା ନୟନୁ ଝରି ତନୁ ଘାରିବ କି ?

 

ବନ୍ଧାଇଛ ମୋହ–ମାୟା–ପାଶେ

ନନ୍ଦାତ୍ମଜ ପ୍ରଭୁ ! ନିଜ ଦାସେ,

 

ବନ୍ଦାଇବା ଲାଗି ବନ୍ଦାଣ ତଣ୍ଡୁଳ ଦାସୀ ଥାଳୀଧରା ରହି ପାରିବ କି ?

 

ମନ୍ଦାର–ଅଧରା–ବ୍ରଜବାଳୀ–

ପିନ୍ଧା–ବାସ–ଚୋରା ବନମାଳୀ !

 

ଚନ୍ଦ୍ରାବଳୀନାଥ ବୋଲି ଗରବରେ ରାଧାଦାସୀକି ନ ଠାରିବ କି ?

 

ଅନ୍ଦାଜେ ନ ଜାଣେ ଅନ୍ଧ ମୁହିଁ

ଛନ୍ଦାଚରଣ ପାଇବି କାହିଁ ?

 

ବୃନ୍ଦାବନେଶ୍ଵର–ସେବକୀ ମୋହନା ଯମୁନାରେ ଜୀବ ହାରିବ କି ?

 

ଭଗବାନ ରକ୍ତ–ପ୍ରେମ–ବଶୀଭୂତ । ତାଙ୍କୁ ଯେ ଯେଉଁ ଭାବରେ ଆରାଧନା କରେ, ସେ ତାକୁ ସେହି ଭାବରେ ଦେଖା ଦିଅନ୍ତି । ତେଣୁ ଗୀତରେ ସେ କହିଛନ୍ତି, “ଯେ ଯଥା ମାଂପ୍ରପଦ୍ୟନ୍ତେ ତାଂ ସ୍ତଥୈବ ଭଜାମ୍ୟହଂ ।” ଶୁଣାଅଛି, ତୁଳସୀ ଦାସ ବୃନ୍ଦାବନର ରମଣୀୟ ସୌନ୍ଦର୍ଯ୍ୟ କିଛିକାଳ ଉପଭୋଗ କରି କେତେ ଜଣ ବୈଷ୍ଣବଙ୍କ ସହିତ ଶ୍ରୀ ମଦନ ଗୋପାଳଙ୍କ ମନ୍ଦିରକୁ ଯାଇଥିଲେ । ସେଥିରେ କୃଷ୍ଣଚନ୍ଦ୍ରଙ୍କର ମୂର୍ତ୍ତି ଦର୍ଶନ କରି ସେ କହିଲେ—

 

“କହା କହୋଁ ଛବି ଆଜ୍‍ କି, ଭଲ ବନେ ହୌ ନାଥି

ତୁଳସୀ ମସ୍ତକ୍ ଜବ୍ ନଓ୍ଵେ, ଧନୁଷବାନ୍ ଲୋ ହାଥ୍ ।”

 

ଅର୍ଥାତ୍ “ହେ ପ୍ରଭୁ ! ଆଜି ଆପଣଙ୍କ ଏ କି ବେଶ ? ଆପଣ ଧନୁ ଧାରଣ ନ କଲେ ମୁଁ ମୁଣ୍ଡ ନୁଆଁଇବି ନାହିଁ ।” ଏହା କହିବା ମାତ୍ରେ ତାଙ୍କ ହସ୍ତରୁ ବଂଶୀଖଣ୍ଡ ଖସି ପଡ଼ିଲା ଏବଂ ସମସ୍ତେ ଦେଖିଲେ, ଗୋପାଳଜୀ ଧନୁର୍ବାଣ ଧାରଣ କରିଅଛନ୍ତି ।

 

ଏଥିରେ କେତେଦୂର ସତ୍ୟ ଅଛି, ପାଠକମାନେ ବିଚାର କରିବେ । ତୁଳସୀ ଦାସଙ୍କ ପରି ମହାଜ୍ଞାନୀ ପୁରୁଷ ରାମ ଓ କୃଷ୍ଣଙ୍କ ମଧ୍ୟରେ ଭେଦଭାବ ରଖିଥିଲେ—ଏ କଥା ଅସମ୍ଭବ ବୋଧ ହେଉଅଛି । ପୁନଶ୍ଚ ଶ୍ରୀକୃଷ୍ଣ କଣ ଏପରି ଥିଲେ ଯେ, ତାଙ୍କୁ କହିଲା ମାତ୍ରେ ବଂଶୀ ତ୍ୟାଗକରି ଧନୁ ଧାରଣ କଲେ ? ଦଣ୍ଡବତଟା ନ ପାଇଲେ ତାଙ୍କର କଣ ଏତେ ମାନହାନି ହୋଇ ଯାଉଥିଲା ? ଗୋପାଳଜୀଙ୍କର ରାମ ରୂପ ଧାରଣ ଅସମ୍ଭବ ହୋଇ ନ ପାରେ । ବୋଧହୁଏ ଭକ୍ତ ଭାବରେ ଆପଣ ଇଷ୍ଟଦେବଙ୍କୁ ସ୍ମରଣ କରି ତୁଳସୀ ଦାସ ଯେତେବେଳେ ମଦନଗୋପାଳଙ୍କୁ ଦଣ୍ଡବତ କଲେ ଭକ୍ତ–ରୁଚି–ପାଳକ ଭଗବାନ ତାଙ୍କୁ ତାଙ୍କର ଇଷ୍ଟଦେବ ରୂପରେ ଦେଖାଦେଲେ ଏବଂ ଯେ କେହି ଦର୍ଶକ ସେଠାରେ ଉପସ୍ଥିତ ଥିଲେ, ସେମାନେ ମଧ୍ୟ ଶ୍ରୀକୃଷ୍ଣଙ୍କୁ ଧନୁର୍ଦ୍ଧାରୀ ରୂପରେ ଦେଖି ପାରିଲେ ।

 

ବୃନ୍ଦାବନରେ ତୁଳସୀ ଦାସ ଚୌରାଶି କ୍ରୋଶ ବ୍ରଜଭୂମିରେ ଯାତ୍ରା ଏବଂ ପରିକ୍ରମା କରିଥିଲେ । ସବୁ ଘାଟରେ ସ୍ନାନ ଏବଂ ସବୁ ମନ୍ଦିର ଦର୍ଶନ କରିଥିଲେ ଏବଂ ଜ୍ଞାନଗୁଦରୀ ନାମକ ସ୍ଥାନରେ ଆସନ ରଚନା କରି ସତ୍‍ସଙ୍ଗର ମାଧୁରୀ ଉପଲବ୍ଧି କରାଇଥିଲେ । ଏହି ସମୟରେ ବୃନ୍ଦାବନର ଶ୍ରୀରାମଘାଟର ଶ୍ରୀ କୌଶଲ୍ୟାନନ୍ଦନଙ୍କର ମୂର୍ତ୍ତି ସଂସ୍ଥାପିତ ହୋଇଥିଲା । ଏହି ସ୍ଥାନ ଅଦ୍ୟାବଧି ବ୍ରଜରେ ବିରାଜିତ ।

 

ବୃନ୍ଦାବନରେ ପ୍ରଭୁଙ୍କର ଦର୍ଶନଲାଭ କରି ତୁଳସୀ ଦାସ କାଶୀ ପ୍ରତ୍ୟାବର୍ତ୍ତନ କଲେ । ମନ ତାଙ୍କର ଭାବବିଭୋର, ଆନନ୍ଦରେ ପାଦ ତଳେ ପଡ଼ୁନାହିଁ । ମନ ଉଦାସ ହେଲେ, ପ୍ରାଣ ଭାବରାଜ୍ୟରେ ମଜ୍ଜିଗଲେ, ଭକ୍ତର ଭେଦାଭେଦ ଜ୍ଞାନ ଲୋପ ପାଇଯାଏ । ତା ପକ୍ଷରେ ଦିନ ରାତି, ସ୍ଥାନ ଅସ୍ଥାନ, ମୁକ୍ତି ଓ ବନ୍ଧନ ସବୁ ସମାନ । ତୁଳସୀ ଦାସ ଏହିପରି ତନ୍ମୟଚିତ୍ତ ହୋଇ ଆସୁ ଆସୁ ପଥ ମଧ୍ୟରେ ଏକ ଦାରୁଣ ଗିରିସଙ୍କଟ ନିକଟରେ ସନ୍ଧ୍ୟା ହୋଇଗଲା । ସେ ଅବିଚଳିତ ହୋଇ ଏପର୍ଯ୍ୟନ୍ତ ଚାଲୁଥିଲେ—ହଠାତ୍ ଚେତନା ହେଲା । ରାତ୍ରିକାଳ, ପର୍ବତମାଳା ସମ୍ମୁଖରେ ବିରାଜିତ; ଆଉ ଅଗ୍ରସର କରି ହେବ ନାହିଁ । କେଉଁଠାରେ ଆଶ୍ରୟ ନେବେ ? ଏହିପରି ଚିନ୍ତା କରୁଅଛନ୍ତି, ଗୋଟିଏ ବୃଦ୍ଧ ବ୍ରାହ୍ମଣ ଆଲୋକହସ୍ତରେ ପର୍ବତ ଗହ୍ଵର ମଧ୍ୟରୁ ବହିର୍ଗତ ହୋଇ ତାଙ୍କ ସମ୍ମୁଖରେ ଉପସ୍ଥିତ ହେଲେ ଏବଂ କହିଲେ, “ବତ୍ସ ତୁଳସୀ ! ଭୟ କରୁଛୁ କି ? ଆ, ମୋ ସଙ୍ଗେ ଆ । ତୋ ପାଇଁ କେବଳ ମୁଁ ଆସି ଏଠାରେ ଅପେକ୍ଷା କରୁଥିଲି ।”

 

ତୁଳସୀ ଦାସ ପରିଚିତ ସ୍ୱର ଶୁଣି ଚାହିଁଲେ–ତାଙ୍କର ପ୍ରଥମ ଗୁରୁଦେବ ଶ୍ରୀରାମଚନ୍ଦ୍ରଙ୍କର ଦୂତ ହନୁମାନଜୀ ବିରାଜମାନ । ସେ ତାଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରି ଏଠାକୁ ଆଗମନର କାରଣ ପଚାରନ୍ତେ ହନୁମାନଜୀ ଉତ୍ତର କଲେ, “ବତ୍ସ ! ତୁ ଏଠାରେ କାଳେ ପଥଭ୍ରାନ୍ତ ହେବୁ, ଏଥି ସକାଶେ ପ୍ରଭୁ ରାମଚନ୍ଦ୍ର ମୋତେ ତୋ ନିକଟକୁ ପଠାଇ ଅଛନ୍ତି । ତା ପରେ ତୋତେ ଆଉ ଏକ ସମ୍ବାଦ ଦେବାର ଅଛି । ପ୍ରଭୁ କୃପାବଳରେ ତୁ ବର୍ତ୍ତମାନ ମହାବଳୀ, ବାକ୍‍ସିଦ୍ଧି ଓ ମହାଜ୍ଞାନୀ ହୋଇଅଛୁ । ସଂସାରର ମାୟାମମତା ତୋତେ ଏଣିକି ଆବଦ୍ଧ କରି ପାରିବ ନାହିଁ । ତୋର ମାତା ପୁତ୍ରଶୋକରେ ଅଧୀରା ହୋଇ ଘୋର ଦୁଃଖରେ ଦିନାତିପାତ କରୁଅଛନ୍ତି । ତୋତେ ଝୁରି ଝୁରି ତାଙ୍କର ଦୃଷ୍ଟିଶକ୍ତି ଲୋପ ପାଇଅଛି । ତୋର ପତ୍ନୀ ରତ୍ନାବଳୀ, ଯାହା ଲାଗି ତୋର ଆଜି ଏ ସୌଭାଗ୍ୟ, ସେ ତୋ ବିଚ୍ଛେଦରେ ପାଗଳିନୀ ହୋଇ କେଉଁ ଅଜଣା ଅଶୁଣା ରାଜ୍ୟରେ ବୁଲୁଛି । ତୁ ସେମାନଙ୍କୁ ଛାଡ଼ି ବଡ଼ ଅଧର୍ମ କରୁଛୁ । ଶାସ୍ତ୍ରରେ ଅଛି, ସସ୍ତ୍ରୀକ ଧର୍ମାଚରଣ କରିବାକୁ ହୁଏ । ଧର୍ମପତ୍ନୀ କଦାପି ଧର୍ମପଥର କଣ୍ଟକ ନୁହେଁ । ତୁ ଶୀଘ୍ର ଯାଇ ସେମାନଙ୍କର ସମ୍ବାଦ ଗ୍ରହଣ କର; ପ୍ରଭୁଙ୍କର ଆଦେଶ ହୋଇଅଛି ।”

 

ତୁଳସୀ ଦାସ କହିଲେ— “ପ୍ରଭୁ ! ମୁଁ ତାହା କଲେ କାଳେ ସଂସାରରେ ଲିପ୍ତ ହୋଇ ପରମସୁନ୍ଦର ମୋର ରାମଚନ୍ଦ୍ରଙ୍କୁ ଭୁଲିଯିବି ?”

 

ହନୁମାନ କହିଲେ— “ନା ବତ୍ସ, ସେ ଭୟ କାହିଁକି କରୁଛୁ ? ତୁ ପ୍ରଭୁଙ୍କର ବିରୁଦ୍ଧାଚରଣ କରୁ ନାହୁଁ । ତୁ ଯେଉଁ ଭକ୍ତି–ତୈଳରେ ଅବଗାହନ କରିଛୁ, ସଂସାରର କଳୁଷ–ପଙ୍କିଳ–ଜଳ ତୋତେ ସ୍ପର୍ଶ କରି ପାରିବ ନାହିଁ ।”

 

ଏହା କହି ଶ୍ରୀ ହନୁମାନଜୀ ତୁଳସୀ ଦାସଙ୍କୁ ନିଜ ଆଶ୍ରମକୁ ନେଇଗଲେ । ସେ ରାତିରେ ଗୋସାଇଁଜୀ ସେଠାରେ ଅବସ୍ଥାନ କରି ତତ୍ପର ଦିନ ପ୍ରାତଃକାଳରୁ ନିଜ ଗନ୍ତବ୍ୟ ମାର୍ଗରେ ଚାଲିଲେ ।

 

କାଶୀ ତଥାପି ଅନେକ ଦୂର ଅଛି । ତାଙ୍କ ମନରେ ଅନବରତ ମାତା ଓ ସ୍ତ୍ରୀଙ୍କର ଚିନ୍ତା ଉପସ୍ଥିତ ହେଲା । ଦୁଃଖୀରାମ କିଛିଦିନତଳେ ଆସି କହି ଯାଇଥିଲା ଯେ, ଅଳ୍ପଦିନ ମଧ୍ୟରେ ମାତା ପୁତ୍ରଙ୍କର ଭେଟ ନ ହେଲେ ହୁଳସୀ ଦେବୀଙ୍କର ଜୀବନ ରହିବ କି ନା ସନ୍ଦେହ । ତୁଳସୀ ଦାସଙ୍କ ମନରେ ବିଷମ ଭାବନା ଜାତ ହେଲା । ଏହିପରି ଚିନ୍ତାକୁଳ ମନରେ ଯାଉଁ ଯାଉଁ ଦିନେ ଜୌନପୁର ନାମକ ସ୍ଥାନରେ ତାଙ୍କର ସନ୍ଧ୍ୟା ହେଲା । ସେ ସାନ୍ଧ୍ୟାହ୍ନିକ ଶେଷ କରି ଗୋଟିଏ ଧର୍ମଶାଳାରେ ପାକ କରି ବସିଲେ । ଏହି ସମୟରେ ଦୁଇଟି ସୁନ୍ଦରୀ ସ୍ତ୍ରୀ ତାଙ୍କ ନିକଟରେ ଉପସ୍ଥିତ ହେଲେ । ସେମାନଙ୍କ ମଧ୍ୟରୁ ଜଣେ କହିଲା, “ସାଧୁଜୀ ! ଆପଣଙ୍କର କି ଦ୍ରବ୍ୟ ଆବଶ୍ୟକ, ଜଣାଇଲେ ଆମ୍ଭେମାନେ ତାହା ଆଣି ଯୋଗାଇବୁଁ । ତୁଳସୀ ଦାସ କହିଲେ, “ମୋର କିଛି ଅଭାବ ନାହିଁ, ସବୁ ମୋ ଝୁଲି ମଧ୍ୟରେ ଅଛି ।” ଏହା ଶୁଣି ସ୍ତ୍ରୀଲୋକଟି ପୁଣି ପଚାରିଲା— “ଲୁଣ ଲଙ୍କାମରିଚ ଦରକାର ହେବ ନାହିଁ ?”

 

ତୁଳସୀ ଦାସ କହିଲେ–‘ତା ମଧ୍ୟ ମୋ ଝୁଲିରେ ଅଛି ।’

 

ସ୍ତ୍ରୀ ଲୋକଟି ଈଷତ୍ ହାସ୍ୟ କରି କହିଲା, “ଆପଣ ଯେତେବେଳେ ଲୁଣ ଲଙ୍କାମରିଚଠାରୁ ଆରମ୍ଭ କରି ସମସ୍ତ ଦ୍ରବ୍ୟ ଝୁଲି ମଧ୍ୟରେ ରଖିଅଛନ୍ତି, ତେବେ ସ୍ତ୍ରୀକୁ ସଙ୍ଗରେ ଆଣି ନାହାନ୍ତି କାହିଁକି ? ସେଥିରେ କଣ କ୍ଷତି ହେଉଥିଲା ?”

 

ଆଘାତ ଉପରେ ଆଘାତ ଲାଗିଲେ ମନରେ ଭୟଙ୍କର କଷ୍ଟ ହୁଏ । ଏଥିପୂର୍ବରୁ ହନୁମାନଜୀଙ୍କ ସଙ୍ଗେ ସାକ୍ଷାତ୍ ହେଲା ଦିନଠାରୁ ସେ ଅନବରତ ସେହି ସ୍ତ୍ରୀ ଓ ମା’ ଙ୍କ କଥା ଭାବୁଥିଲେ । ବର୍ତ୍ତମାନ ପୁଣି ସେହି କଥା ଜଣେ ଅପରିଚିତା ରମଣୀ ଉପହାସ ଛଳରେ କହୁଛି । ତୁଳସୀ ଦାସ ମୁହଁ ଟେକି ଚାହିଁଲେ । ଏ କଣ ! ସ୍ତ୍ରୀ ଲୋକଟିର ଅନିନ୍ଦ୍ୟସୁନ୍ଦର କାନ୍ତି ଦେଖି ତାଙ୍କର ଦେହ ରୋମାଞ୍ଚକ ହୋଇ ଉଠିଲା ! ଠିକ୍ ପରମୁହୂର୍ତ୍ତରେ ସେ ମୁହଁକୁ ତଳକୁ କରି ଦେଲେ । ପର ସ୍ତ୍ରୀକୁ ଅନାଇବା ମହାପାପ । ସେ ସ୍ତ୍ରୀ ଦୁଇଟି ତତ୍ପର ସେଠାରୁ ଚାଲିଗଲେ । କିନ୍ତୁ ତୁଳସୀ ଦାସଙ୍କ ମନରେ ଯେପରି ଗୋଟାଏ ଦାଗ ରହିଗଲା । ତାଙ୍କର ମନ କାହିଁକି ହଠାତ୍ ଏପରି ଚଞ୍ଚଳ ହେଲା, ସେ ଭାବି ସ୍ଥିର କରିପାରିଲେ ନାହିଁ । କୌଣସିମତେ ସେ ରାତ୍ରିଟା ସେଠାରେ ଯାପନ କରି ପରଦିନ ପ୍ରାତଃକାଳରେ କାଶୀ ଆଭିମୁଖରେ ଅଗ୍ରସର ହେଲେ ।

 

ପାଠକମାନଙ୍କୁ ବିଦିତ ଥିବ, ଛଗନଲାଲଙ୍କର ଅନେକ ଅନେକ ସ୍ଥାନରେ ଧର୍ମଶାଳା ଓ ବିଶ୍ରାମ–କୁଟୀରମାନ ଥିଲା । ପଥିକ ଓ ବ୍ରାହ୍ମଣ ବୈଷ୍ଣବମାନଙ୍କର ଶ୍ରାନ୍ତି ଦୂରୀକରଣ ତାଙ୍କ ଜୀବନର ପରମ ବ୍ରତ ଥିଲା । ସେ ଏଥିମଧ୍ୟରେ କନ୍ୟା ସରସ୍ଵତୀ ଓ ରତ୍ନା–ବଳୀଙ୍କୁ ସଙ୍ଗରେ ନେଇ କିଛିଦିନ ପାଇଁ ସେହି ସବୁ ପାନ୍ଥଶାଳା ପରିଦର୍ଶନରେ ବାହାରିଥିଲେ । ଦୈବାତ୍ ଯେଉଁଦିନ ତୁଳସୀ ଦାସ ତାଙ୍କ ଧର୍ମଶାଳାରେ ଆଶ୍ରୟ ନେଇଥିଲେ, ସେହି ଦିନ ସରସ୍ଵତୀ ଓ ରତ୍ନାବଳୀ ମଧ୍ୟ ସେଠାରେ ପହଞ୍ଚିଥିଲେ । ପିତାଙ୍କର ଆଦେଶ ଓ ଅନୁମତିକ୍ରମେ ସେମାନେ ସେ ଦିନ ସାଧୁ ସନ୍ୟାସୀଙ୍କର ତତ୍ତ୍ଵ ନେଉଥିଲେ । ଏହିପରି ଅବସ୍ଥାରେ ବାବାଜୀଙ୍କ ସଙ୍ଗେ ତାଙ୍କର ଭେଟ ହେଲା । କିନ୍ତୁ ତାହା ଖୁବ୍ ଅଳ୍ପକ୍ଷଣ ସକାଶେ ଏବଂ ରାତ୍ରିର ଅନ୍ଧକାର ମଧ୍ୟରେ; ତେଣୁ କେହି କାହାକୁ ଚିହ୍ନି ପାରିଲେ ନାହିଁ । ଦେଖା ଚିହ୍ନା ହୋଇଥିଲେ ରତ୍ନାବଳୀ ବୋଧହୁଏ ସ୍ୱାମୀଙ୍କୁ ଆଉ ଥରେ ପୂର୍ବବତ୍ ଉପଦେଶ ଦେଇଥାନ୍ତେ । କିନ୍ତୁ ଭଗବାନଙ୍କର ଉଦ୍ଦେଶ୍ୟ ଭିନ୍ନ ପ୍ରକାର । ଆଉ କିଛିଦିନ ପାଇଁ ସେ ଏହି ‘ଯୁଗଳ–ମିଳନ’ ସ୍ଥଗିତ ରଖି ତାଙ୍କ ଲୀଳା–କୌତୁକରାଜ୍ୟରେ ପୁଣି ଏକ ଅଭିନବ ବୈଚିତ୍ର୍ୟ ସୃଷ୍ଟି କରିବାର ଆୟୋଜନ କଲେ ।

Image

 

ଅଷ୍ଟାଦଶ ପରିଚ୍ଛେଦ

ଅଭିଷ୍ଟ ସିଦ୍ଧି

 

“ଆଜିକି ଆସି ପ୍ରାୟ ତେର ମାସ ହେଲା, କାହିଁ ? ଦୁଃଖୀ ଯେ ବୋହୂର ସନ୍ଧାନରେ ଯାଇଥିଲା, କାହିଁ, କୌଣସି ସମ୍ବାଦ ତ ପାଇଲି ନାହିଁ । ଠାକୁରଙ୍କର ଏ କି ବିଚାର, ତାହା ତାହାଙ୍କୁ ହିଁ ଗୋଚର । ମୋତେ କହିଯାଇଥିଲା ଯେ, ବୋହୂର ସନ୍ଧାନ ନେଇ ଫେରିଲେ, ତୁଳସୀ ସଙ୍ଗେ ମୋର ଭେଟ କରାଇ ଦେବ । ସେ ବି ଏବେ କୁଆଡ଼େ ଗଲା ? ମୁଁ ଆଉ କେତେଦିନ ତାକୁ ଚାହିଁ ରହିବି ? କାନ୍ଦି କାନ୍ଦି ଜୀବନ ବିତିଗଲାଣି; କିନ୍ତୁ ତଥାପି ଏ ପୋଡ଼ା ପିଣ୍ଡରୁ ପ୍ରାଣ ବାହାରି ଯାଉ ନାହିଁ । ଭଗବାନ ବାବୁଙ୍କୁ ଯାଉଛି କହିବି, ସେ ଆଜିଯାଏଁ ମୋତେ ଆଶ୍ରୟ ଦେଇ ଯାହା ତ ଉପକାର କରିଛନ୍ତି, କରିଛନ୍ତି; ଆଉ ଟିକିଏ କଷ୍ଟ କରି ମୋତେ ମଲା ପୂର୍ବରୁ ମୋ ଧନ ପାଖେ ଛାଡ଼ି ଆସନ୍ତୁ । ତେଣିକି ମୋ କପାଳରେ ଯାହା ଥିବ ।”

 

ଭଗବାନଦାସ ଦୁବେଙ୍କର କାଶୀରେ ଏକ ସୁବୃହତ୍ ବାସଭବନ ଅଛି । ତୁଳସୀ ଦେବୀ ସେଠାରେ ବସି ଉପରୋକ୍ତ ଭାବରେ ଚିନ୍ତା କରୁଅଛନ୍ତି । ଦୁଃଖୀରାମ ଚାଲିଗଲା ଦିନୁଁ ଭଗବାନ ବାବୁ ହୁଳସୀ ଦେବୀଙ୍କୁ ଦେବୀ ସମାନ ଜ୍ଞାନ କରି ତାଙ୍କ ଯଥୋଚିତ ସେବା କରୁଅଛନ୍ତି । ଏବେ ଚାରି ଦିନ ହେଲା ତାଙ୍କୁ ହୁଳସୀ ଦେବୀ ବସେଇ ଉଠେଇ ଦେଉନାହାନ୍ତି—ତାଙ୍କର ଇଚ୍ଛା କିପରି ପୁଅକୁ ଦେଖିବେ । ଶୁଣାଶୁଣିରେ ତୁଳସୀ ଦାସ ବାବାଜୀ ଚାରି ଦିନ ହେଲା ତିର୍ଥାଟନରୁ ଫେରିଲେଣି । ଜନାକୀର୍ଣ୍ଣ ସୃବୃହତ୍ ବନାରସ ସହରରେ ତୁଳସୀ ଦାସଙ୍କ ପରି ମହାତ୍ମା ସୁପରିଚିତ ହେଲେହେଁ ଭଗବାନ ଦାସଙ୍କ ପରି ଧନାଢ଼୍ୟ ବ୍ୟକ୍ତି କେତେ ଜଣାଶୁଣା ନୁହନ୍ତି । ଗୋସ୍ୱାମୀଜୀ ମଧ୍ୟ ବୃନ୍ଦାବନରୁ ବାହୁଡ଼ି ଆସି ଏ ଚାରି ଦିନ ହେଲା ମା’ଙ୍କର ସନ୍ଧାନ ନେଉଛନ୍ତି; କିନ୍ତୁ କୌଣସି ସ୍ଥାନରେ ତାଙ୍କର ଖବର ମିଳୁନାହିଁ । ତାଙ୍କର ଭୟ ଏବଂ ସନ୍ଦେହ ହେଲାଣି ଯେ, ସ୍ନେହମୟୀ ଜନନୀ ତାଙ୍କର ଆଉ ଏ ଇହଧାମରେ ନାହାନ୍ତି ! ତୁଳସୀ ଦେବୀଙ୍କ ପରି ମା’, ରତ୍ନାବଳୀ ପରି ପତ୍ନୀ, ତା ପରେ ପୁଣି ଦୁଃଖୀରାମ ପରି ବନ୍ଧୁ ! ଜଣକ ସକାଶେ ଏ ତିନି ଜଣ କେତେ କଷ୍ଟ, କେତେ ଦୁଃଖ ଭୋଗ ନ କଲେଣି ! ତୁଳସୀ ଦାସ ଏ ସବୁ ଚିନ୍ତାରେ ବିବ୍ରିତ । ତାଙ୍କର ଶିଷ୍ୟମାନେ ଗୁରୁଦେବଙ୍କର ଏ ଆକସ୍ମିକ ପରିବର୍ତ୍ତନ ଦେଖି ପ୍ରମାଦ ଗଣିଲେଣି ।

 

ହୁଳସୀ ଦେବୀଙ୍କର ବ୍ୟାକୁଳତା ଦେଖି ଭଗବାନ ଦାସ ଦିନେ ତାଙ୍କୁ କହିଲେ, “ମା ! ଏତେ ଅଧୀର କାହିଁକି ହେଉଛ ? ମୁଁ ତ ସନ୍ଧାନ ନେଉଛି, କର୍ମରେ ଯାହା ଥିବ । କାଲି ଶୁଣିଲି, ତୁଳସୀ ଦାସ ବାବାଜୀ ବୋଲି ଜଣେ ମହାତ୍ମା ଅସୀନଦୀ ତୀରରେ ଏକ ଆଶ୍ରମରେ ଅଛନ୍ତି । ତାଙ୍କର ଖୁବ୍ ନାମ ଖ୍ୟାତି । ଶୁଣାଯାଏ, ମଲା ଲୋକକୁ ବଞ୍ଚାଇ ଦେଉଛନ୍ତି । କିନ୍ତୁ ତୁଳସୀ ଦାସ ଦ୍ଵିବେଦୀଙ୍କର ନାମ ତ କେଉଁଠି ଶୁଣିଲି ନାହିଁ ?” ତୁଳସୀ ଦେବୀ କହିଲେ, “ବାବା, ମୁଁ କି ଜାଣେ ? ପାଞ୍ଚ ବର୍ଷ ତଳେ ଧନ ମୋର ଭଲ ମଣିଷ ଥିଲା । ଏବେ ତାର କ’ଣ ହୋଇଛି, ମୁଁ ମାଇପି ଲୋକ କି ବୁଝିବି ? ଦୁଃଖୀ କହୁଥିଲା, ସେ ଏବେ କେଉଁଠି ଜଣେ ବଡ଼ ପଣ୍ଡିତ ହୋଇଛି ବୋଲି—ବେଦ ନା କାନ ପଢ଼ାଉଛି । ଆଚ୍ଛା ବାପା, ସେ ବାବାଜୀଙ୍କ ପାଖକୁ ଚାଲ ଯିବା । ତାଙ୍କର ଯେତେବେଳେଏତେ ଶକ୍ତି, ଏତେ ମାହାତ୍ମ୍ୟ, ତେବେ ସେ କଣ ମୋ ପୁଅ କେଉଁଠି ଅଛି, କହି ପାରିବେ ନାହିଁ ?”

 

କଥାଟା ଭଗବାନ ଦାସଙ୍କ ମନକୁ ଗଲା । ସେହିନ ସନ୍ଧ୍ୟା ସମୟକୁ ସେ ହୁଳସୀ ଦେବୀଙ୍କ ସହିତ ତୁଳସୀ ଦାସ ବାବାଜୀଙ୍କର ଆଶ୍ରମରେ ଉପସ୍ଥିତ ହେଲେ । ବାବାଜୀଙ୍କୁ ସେ କେବେ ଚିହ୍ନି ନାହାନ୍ତି, ବୃଦ୍ଧାଙ୍କ ମଧ୍ୟ କିଛି ଦେଖାଯାଉନାହିଁ । ପଚାରିବାରୁ ଶିଷ୍ୟମାନେ ଗୋସ୍ଵାମୀଜୀଙ୍କର ଅସ୍ଥାନ ଦେଖାଇଦେଲେ । ଭଗବାନ ଦାସ ବାବାଜୀଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି କର ଯୋଡ଼ି ଦଣ୍ଡାୟମାନ ହେଲେ । ବାବାଜୀ ଅତି ବିନୀତ ଭାବରେ ତାଙ୍କର ପରିଚୟ ଏବଂ ଆଗମନର କାରଣ ପଚାରିବାରୁ ସେ ସମସ୍ତ ଘଟନା କହିବାକୁ ଲାଗିଲେ । ତାଙ୍କର କଥା ନ ସରୁଣୁ ତୁଳସୀ ଦେବୀ କାନ୍ଦି କାନ୍ଦି କହିଲେ, “ହଁ ବାବା ! ବୋହୂ ସଙ୍ଗେ ଝଗଡ଼ା କରି ସେ କୁଆଡ଼େ ଚାଲିଗଲା । ମୋତେ ଗଲାବେଳେ କହିଗଲା, ‘ମା ! ଏ ଜନ୍ମ ପାଇଁ ଯାଉଛି ।’ ସେହି ଦିନୁ ତାକୁ ଝୁରି ଝୁରି ଆଖି ପାଣି ଆଖିରେ ମଲାଣି । ଏ ବୃଦ୍ଧ ବୟସରେ କଣ ଆଉ ଏତେ କଷ୍ଟ ସହି ପାରିବି ବାବା । ଶୁଣୁଛୁ, ତୁମେ ମଲା ଲୋକକୁ ବଞ୍ଚାଇ ଦେଉଛ । ଦୟାକରି ମୋ ତୁଳସୀମଣିକି ମୋ ସଙ୍ଗେ ଭେଟାଇ ଦିଅ ଆଉ ମୋର କିଛି ଲୋଡ଼ା ନାହିଁ ।”

 

ତୁଳସୀ ଦାସ ଆଉ ସମ୍ଭାଳି ପାରିଲେ ନାହିଁ । ଭାବଗଦ୍‍ଗଦ୍‍ ହୋଇ ଜନନୀଙ୍କର ଚରଣଦ୍ୱୟ ଧରି କହିଲେ, “ମା ! ମା ! ମୁଁ ତୋର ସେହି କୁଳାଙ୍ଗାର ପୁତ୍ର । ତୋତେ କେତେ କଷ୍ଟ ଦେଲିଣି ମା । ଅପରାଧ କ୍ଷମାକର । ତୋ ନିକଟରେ ୠଣୀ ହେଲେ, ଅପରାଧୀ ହେଲେ, ମୋର ସବୁ ଯୋଗ ତପସ୍ୟା ପଣ୍ଡ ହୋଇଯିବ । ମୋତେ ଝୁରି ଝୁରି ତୋ ଚକ୍ଷୁ ଗଲାଣି—ହାୟ କି ଅଧମ ମୁଁ !” ଏହା କହୁ କହୁ ତାଙ୍କର ନେତ୍ରରୁ ଝର ଝର ହୋଇ ଲୋତକ ବହିବାକୁ ଲାଗିଲା । ସେ ପ୍ରଭୁଙ୍କୁ ସ୍ମରଣ କରି ମା’ ଙ୍କର ଆଖିରେ ହାତ ବୁଲାଇ ଦେଲା ମାତ୍ରକେ ତୁଳସୀ ଦେବୀଙ୍କର ଚକ୍ଷୁ ଖୋଲିଗଲା । ସେ ଦୃଷ୍ଟିଶକ୍ତି ପୁନଃପ୍ରାପ୍ତ ହୋଇ ପ୍ରାଣାଧିକ ପୁତ୍ରକୁ କୋଳକୁ ଟାଣିଆଣି କହିଲେ, “ଚିରଜୀବୀ ହୋଇଥାଉ ଧନ ମୋର ! ବାପ ରେ ! ତୁ ଏଇଠି ଅଛୁ, ମୁଁ ଏତେ ଖୋଜି ବୁଲୁଛି ? ମା’ କୁ ଏମିତି କନ୍ଦାନ୍ତିଟିକି ?”

 

ଭଗବାନଙ୍କ ରାଜ୍ୟରେ କେତେ ଏହିପରି ଭଙ୍ଗା ଗଢ଼ା, ବିଚ୍ଛେଦ ମିଳନ, ଜୟ ପରାଜୟ ନିତି ନିତି ଘଟୁଛି । କାହାକୁ ନବତଳ ପ୍ରସାଦର ସୁରମ୍ୟ ସିଂହାସନ, କାହାକୁ ବିଜନପ୍ରାନ୍ତରର ଅରକ୍ଷିତ କୁଟୀର ! କାହା ଭାଗ୍ୟରେ କଣ ଅଛି, କିଏ ଜାଣେ ? କାହିଁକି ବିଚ୍ଛେଦ, କାହିଁକି ପୁଣି ମିଳନ, ତାର ଉଦ୍ଦେଶ୍ୟ ସେହି ଅନନ୍ତ-ଜ୍ଞାନ-ଗୋଚର ବ୍ରହ୍ମାଣ୍ଡସାଇଁଙ୍କୁ ଜଣା । କବିବର ଗାଇଛନ୍ତି–

 

“ସେହି ପାଇଁ ସିନା—      ଶ୍ରୀହସ୍ତେ ରଖନ୍ତି

ଅଜ୍ଞେୟ ଅଦୃଷ୍ଟ କଞ୍ଚି,

ଯା ଭେଦ ନ ପାଇ       ଭାବି ଭାବି ବଣା

ହୁଅନ୍ତି ଶିବ ବିରଞ୍ଚି ।”

 

ତୁଳସୀ ଦାସ ଓ ହୁଳସୀ ଦେବୀଙ୍କର ମିଳନ–ଦୃଶ୍ୟ ଦେଖି ଭଗବାନ ଦାସ ଓ ଆଶ୍ରମବାସୀମାନେ ସ୍ତମ୍ଭିତ ହୋଇ ରହିଲେ । ପ୍ରଭୁଙ୍କର ଅପାର କରୁଣାବଳରେ କଣ ନ ହୋଇପାରେ ? ତୁଳସୀ ଦାସ ତତ୍ପର ଭଗବାନ ଦାସଙ୍କୁ କୃତଜ୍ଞତା ଜଣାଇ ଦୁଃଖୀରାମର ସନ୍ଧାନ ନେବାକୁ ତାଙ୍କୁ ପ୍ରାର୍ଥନା କଲେ । ଭଗବାନ ଦାସ ଆପଣାକୁ ପରମ କୃତାର୍ଥ ମନେକରି ବାବାଜୀଙ୍କ ନିକଟରୁ ବିଦାୟ ଗ୍ରହଣ କଲେ । ତୁଳସୀ ଦାସ ମା’ଙ୍କ ପାଖେ ବସି ପାଞ୍ଚବର୍ଷର ଅତୀତ ଘଟନାମାନ ବର୍ଣ୍ଣନା କରୁ କରୁ ସେଦିନ ରାତି ପାହିଗଲା ।

 

ପାଠକମାନଙ୍କୁ ଏହିଠାରେ କିଛିକ୍ଷଣ ପାଇଁ ଗୋସାଇଁ ଗଞ୍ଜ ନେଇଯିବି । ତେଣେ ବିବାହିତ ଜୀବନର ସୁଖ ଓ ଆମୋଦ ଆହ୍ଲାଦରେ ଦୁଃଖୀରାମ କିଛିଦିନ କଟାଇ କାଶୀ ଆସିବାର ଆୟୋଜନ କରୁଅଛନ୍ତି । ରତ୍ନାବଳୀ ଏହା ଶୁଣିପାରି ତାଙ୍କ ସଙ୍ଗେ କାଶୀ ଯିବାକୁ ଅଳି କରିବାରୁ ସେ କହିଲେ, “ଦେଖ ଭାଉଜ, ମୁଁ ଅନେକ ଦିନ ହେଲା ଆସିଲିଣି, ୟା ମଧ୍ୟରେ କଣ ହେଲାଣି କେଜାଣି ? କିଛି ନ ବୁଝି ନ ଶୁଝି ତୁମକୁ ସାଥିରେ କିପରି ନେବି ? ଯାଉଛି, ଏଥର ଦେଖି ଆସେ, ତା ପରେ ତୁମକୁ ନେଇଯିବି ।”

 

ରତ୍ନାବଳୀ କହିଲେ, “ଆଉ ଏତେ ଥର କଣ ? ଚାଲ, ଏଇ ଥର ତୁମ ସାଥିରେ ଯିବି । କେତେ କାଳ ଏମିତି ଚାହିଁ ଚାହିଁ ବସିଥିବି ? ଏବାର ଯଦି ଦେଖା ନ ହୁଏ, ତେବେ ଗଙ୍ଗାକୋଳରେ ଆଶ୍ରୟ ନେଇ ଏ ଦୁଃଖ–ଶୋକଭରା ଜୀବନରୁ ମୁକ୍ତିଲାଭ କରିବି ।”

 

ଦୁଃଖୀରାମ କହିଲେ— “ଭାଉଜ, ସେ ତ ଶେଷ କଥା । ତେବେ ଏଇଥିପାଇଁ କଣ ମୁଁ ତୁମ୍ଭଙ୍କୁ ଦସ୍ୟୁହାତରୁ ବଞ୍ଚାଇ ଏତେ କଷ୍ଟରେ ଏଠାରେ ଠାବ କରିଛି ? ତୁମ୍ଭେ ସ୍ଥିର ହୁଅ, ଭଗବାନ ନିଶ୍ଚୟ ଆମ୍ଭର ମନକାମନା ସିଦ୍ଧ କରିବେ ।”

 

ତାଙ୍କୁ ଏହିପରି ସାନ୍ତ୍ଵନା ଦେଇ ଦୁଃଖୀରାମ କାଶୀ ଯାତ୍ରା କଲେ ।

Image

 

ଊନବିଂଶ ପରିଚ୍ଛେଦ

ପ୍ରତିହିଂସାର ପ୍ରତିଫଳ

 

ରାତ୍ରି ଅବସାନପ୍ରାୟ । କାଶୀର ଅଦୂରବର୍ତ୍ତୀ ବନପଥରେ ‘ପ୍ରଭାତ–ଡଗରା କୁମ୍ଭାଟୁଆ’ ‘କାନନ ନାଗରା’ ବଜାଉଛି । ଅନ୍ଧାର ଏପର୍ଯ୍ୟନ୍ତ ଯାଇନାହିଁ । ଏପରି ସମୟରେ ଦୁଇଟା ଗୁଣ୍ଡା ତୀକ୍ଷ୍ଣ ଛୁରିକା ଧରି ଗୋଟିଏ ବୁଦା ଉହାଡ଼ରେ ଲୁଚି ବସିଅଛନ୍ତି ।

 

ବିଶ୍ୱମ୍ଭର ପଣ୍ଡିତେ ତୁଳସୀ ଦାସଙ୍କୁ ପ୍ରାଣରେ ନ ମାଇଲେ ତାଙ୍କ ମନରେ ଶାନ୍ତି ନାହିଁ । ସମ୍ପଦ ଗଲା, ସମ୍ମାନ ଗଲା, ସକଳ ଗଲା—ଆଉ କାଶୀରେ ରହି ଲାଭ କଣ ? ତେବେ ଏଇଥର ଶେଷ ଚେଷ୍ଟା ହେଉଛି । ତୁଳସୀ ଦାସ ବାବାଜୀ ଆଜି ଜୌନପୁର ଯିବେ ଶୁଣି ବିଶ୍ୱମ୍ଭର ଭାନୁଦତ୍ତକୁ ଦୁଇ ଶତ ମୁଦ୍ରା ଦେଇ ଦୁଇଟି ଗୁଣ୍ଡା ଭଡ଼ା କରିଛନ୍ତି । ତଥାପି ମନରେ ଅବିଶ୍ୱାସ, ଭାନୁ ଟଙ୍କାତକ ଆତ୍ମସାତ୍ କଲା, କି ସତରେ କାର୍ଯ୍ୟ ସମାଧାନ କଲା । ତେଣୁ ପଣ୍ଡିତେ ସ୍ଵୟଂ ଗୋପନରେ ଏପାଖ ସେପାଖ ହୋଇ ବନ ମଧ୍ୟରେ ଲୁଚକାଳି ଖେଳୁଅଛନ୍ତି । ଦୁଇ ଶତ ମୁଦ୍ରା କମ୍ ନୁହେଁ । ବ୍ରାହ୍ମଣ ବିଚାରା ବହୁତ କଷ୍ଟରେ ସଂଗ୍ରହ କରିଛି । ତୁଳସୀ ଦାସ ଯେଉଁ ବାଟେ ଯିବେ, ସେହି ବାଟେ ଗୁଣ୍ଡା ଦୁଇଟି ଅପେକ୍ଷା କରି ରହିଅଛନ୍ତି । ସେମାନେ ବିଶ୍ୱମ୍ଭର ପଣ୍ଡିତଙ୍କୁ ଚିହ୍ନି ନାହାନ୍ତି । ଭାନୁଦତ୍ତ ତାଙ୍କୁ ଟଙ୍କା ଦେଇ ଡାକି ଆଣିଛି ।

 

ବିଶ୍ୱମ୍ଭର ପଣ୍ଡିତେ ଏକଣ ସେକଣ ଚାହିଁଲେ । କାହିଁ, ଗୁଣ୍ଡାଦ୍ଵୟ କାହାନ୍ତି ? ତାଙ୍କ ମନରେ ସନ୍ଦେହ ଦ୍ଵିଗୁଣିତ ହେଲା । ଭାନୁ ନିଶ୍ଚୟ ଟଙ୍କାତକ ଆତ୍ମସାତ୍ କଲା । ‘ଏକସ୍ୟ ଦୁଃଖସ୍ୟ ନ ଯାବଦନ୍ତଂ’ ଗଚ୍ଛାମ୍ୟହଂ ପାରମିବାର୍ଣ୍ଣବସ୍ୟ—ଏହିପରି ଅନୁଶୋଚନା କରି ବିଶ୍ୱମ୍ଭର ଯେମିତି ଗୋଟାଏ ବୁଦା ସମ୍ମୁଖରେ ଉପସ୍ଥିତ ହୋଇଛନ୍ତି, ସେମିତି ଗୋଟାଏ ତୀକ୍ଷ୍‍ଣ ଛୁରୀର ଆଘାତରେ ତାଙ୍କର ବକ୍ଷସ୍ଥଳ ବିଦ୍ଧ ହୋଇଗଲା । ସେ ଦେଖିଲେ, ଦୁଇଟି ଦୁର୍ଦ୍ଦାନ୍ତ ଦସ୍ୟୁ ତାଙ୍କ ପାଖରେ ଅଟ୍ଟହାସ କରୁଅଛନ୍ତି । ସେ ଆଉ ବେଶି କିଛି ଦେଖି ପାରିଲେ ନାହିଁ । ତାଙ୍କ ବକ୍ଷରୁ ରକ୍ତନଦୀ ବହିବାକୁ ଲାଗିଲା ଏବଂ ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ । କାମ ହାସଲ ହୋଇଗଲା ବିଚାରି ଗୁଣ୍ଡା ଦୁଇଟି ମହାଆନନ୍ଦରେ ସେ ସ୍ଥାନରୁ ପଳାୟନ କଲେ ।

 

ଭାନୁଦତ୍ତ ନିକଟରେ ଥିଲା । ବିଶ୍ଵମ୍ଭରର ଆର୍ତ୍ତନାଦ ଶୁଣି ସେ ଭାବିଲା, ଏଥର ବାବାଜୀ ପଞ୍ଚତ୍ଵ ପାଇଛି । କିନ୍ତୁ ଧାଇଁ ଆସି ଯେତେବେଳେ ଦେଖିଲା, ବିଶ୍ୱମ୍ଭରର ରକ୍ତାକ୍ତ ଦେହ ଧୂଳିରେ ଲୋଟୁଛି ସେ ଚିତ୍କାର କରି ଉଠିଲା–“ଓଃ, ସର୍ବନାଶ ସର୍ବନାଶ ! କଣ କଲରେ ନିମକହରାମ ? ଯାହାର ଧନ ଖାଇଲ, ତାକୁହିଁ ପ୍ରାଣରେ ମାରିଲ !” ଏହିପରି ସମୟରେ ତାର ମନେହେଲା ଯେପରି କି ଏହା ପ୍ରଭୁଙ୍କର କୂଟ । ସେଦିନ ତୁଳସୀ ଦାସଙ୍କୁ କୂଅରେ ପକାଇ ଦେଇ ସେମିତି ଦୁଇଜଣଯାକ ନାଗଫାଶ ବନ୍ଧନରେ ପଡ଼ିଥିଲେ । ସେ ଯେଉଁ ଯନ୍ତ୍ରଣା, ଓଃ ! ଭାନୁଦତ୍ତ ମନରେ ପାପ ଛୁଇଁଲା । ସେ ପୂର୍ଣ୍ଣ ବିଶ୍ୱାସ କଲା ଯେ, ତୁଳସୀ ଦାସର ଅନିଷ୍ଟ ପାଞ୍ଚିବାରୁ ବିଶ୍ୱମ୍ଭରକୁ ଦୈବଦଣ୍ଡ ହୋଇଛି । ତେବେ ତାକୁ କାହିଁକି ଦଣ୍ଡ ନ ହେବ ? ସେ ତ ସେଥିରେ ଯୋଗ ଦେଇଥିଲା-। ଭାନୁଦତ୍ତ ସଶଙ୍କଚିତ୍ତରେ ଚାରିଆଡ଼କୁ ଚାହିଁଲା । ତାର ଭୟ ହେଲା— ଯେପରିକି କେହି ନିକଟରେ ଛୁରିକା ଧାରଣ କରି ତାକୁ ମାରିବାକୁ ଲୁଚି ବସିଅଛି । ସେ ଯେତିକି ଏପାଖ ସେପାଖ ଚାହିଁଲା, ତାର ଆଶଙ୍କା ସେତିକି ଦୃଢ଼ୀଭୂତ ହେଲା । ସେ ଆତ୍ମରକ୍ଷା ସକାଶେ ବିଶ୍ଵମ୍ଭରର ମୃତ ଦେହରୁ ଛୁରୀଖଣ୍ଡି ବାହାର କରି ଆଣିଲା । ଓଃ, କି ଭୀଷଣ ଦୃଶ୍ୟ ! ରକ୍ତ ଖଣ୍ଡ ଖଣ୍ଡ ହୋଇ ସେଥିରେ ଲାଗିଛି । ତାର ରୋମ ଟାଙ୍କୁରି ଉଠିଲା । ସେ ଭୟବିହ୍ଵଳ ହୋଇ ଛୁରୀଖଣ୍ଡ ପୁନରାୟ ପକାଇଦେଲା । କିନ୍ତୁ ଏ କଣ ? ଚତୁର୍ଦ୍ଦିଗରେ ଏ କି ଭୟାବହ ଦୃଶ୍ୟ ! ଭାନୁ ଯେଉଁ ଦିଗକୁ ଆନାଇଲା—ସେହି ରକ୍ତଲିପ୍ତ ତିକ୍ଷ୍‍ଣ ଛୁରୀଖଣ୍ଡ ତା ଆଗରେ । ସେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଳାଇବାକୁ ଚେଷ୍ଟା କଲା, କିନ୍ତୁ ତଥାପି ଛୁରୀଖଣ୍ଡ ତା ଆଗରେ ଚଣ୍ଡୀଚାମୁଣ୍ଡୀଙ୍କର ଜିହ୍ୱାସ୍ଵରୂପ ଲହ ଲହ ହେଲା । ସେ ଦେଖିଲା ଆଉ ରକ୍ଷା ନାହିଁ । ହଠାତ୍ ତାର ଭାବାନ୍ତର ଉପସ୍ଥିତ ହେଲା-। ସେ ସ୍ଥିର କଲା—ତୁଳସୀ ଦାସଙ୍କ ନିକଟରେ କ୍ଷମା ପ୍ରାର୍ଥନା କରି ଏ ସଙ୍କଟରୁ ଉଦ୍ଧାର ନ ପାଇଲେ ଆଉ ଗତି ନାହିଁ । ଏହି ସମୟରେ ତୁଳସୀ ମାଳା ଓ ଗୈରିକ ବସନ ଧାରଣ କରି ଗୋସ୍ୱାମୀଜୀ ସେହି ପଥରେ ଆସୁଥିଲେ । ତାଙ୍କୁ ଦେଖିବା ମାତ୍ରେ “ପ୍ରଭୁ ! ରକ୍ଷା କର ଏ ପାପୀକୁ !” କହି ଭାନୁଦତ୍ତ ତାଙ୍କ ଚରଣତଳେ ପଡ଼ିଗଲା । ତୁଳସୀ ଦାସ ତାଙ୍କୁ ପ୍ରେମପୂର୍ବକ ଆଲିଙ୍ଗନ କରି ସମସ୍ତ ଘଟଣା ପଚାରି ବୁଝିଲେ ଏବଂ ଅତ୍ୟନ୍ତ ଶୋକାକୁଳ ଚିତ୍ତରେ ବିଶ୍ଵମ୍ଭରର ଦାହକର୍ଯ୍ୟ ସମାପନ କରାଇ ଜୌନପୁର ଯାତ୍ରା କଲେ । ଭାନୁଦତ୍ତ ସେହି ଦିନୁ ତାଙ୍କ ସଙ୍ଗେ ସଙ୍ଗେ ରହି ଶ୍ରୀରାମଚନ୍ଦ୍ରଙ୍କର ଉପାସନା କରିବାକୁ ଲାଗିଲା ।

Image

 

ବିଂଶ ପରିଚ୍ଛେଦ

ଯୁଗଳ ମିଳନ

 

ଦୁଃଖୀରାମ ଏଥିମଧ୍ୟରେ କାଶୀ ଯାଇ ଫେରି ଆସିଛନ୍ତି । ଛଗନଲାଲ, ଯଶୋଦା, ରତ୍ନାବଳୀ ଓ ସରସ୍ୱତୀ ଧାଇଁ ଆସି ତାଙ୍କୁ ନାନାରକମ ପ୍ରଶ୍ନ ପଚାରି ବ୍ୟତିବ୍ୟସ୍ତ କରିବାରୁ ସେ ଗୋଟି ଗୋଟି କରି କାଶୀଯାତ୍ରାର ବିବରଣ ବର୍ଣ୍ଣନା କରୁଅଛନ୍ତି । କିପରି କାଶୀରେ ଖୁଡ଼ୀ ଓ ତୁଳସୀ ଦାସଙ୍କ ସଙ୍ଗେ ତାଙ୍କର ଭେଟ ହେଲା, ଦୁଃଖୀରାମକୁ ଦେଖି ସେମାନେ କିପରି ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ ଏବଂ ଆନନ୍ଦାଶ୍ରୁରେ ବକ୍ଷ ତିନ୍ତାଇ ଦେଲେ, ତା’ ପରେ ଛଗନଲାଲ ଓ ଯଶୋଦାଙ୍କର ଅସୀମ ଦୟା ଏବଂ ସରସ୍ୱତୀ ସଙ୍ଗେ ତାହାର ବିବାହ ବୃତ୍ତାନ୍ତ ଶ୍ରବଣ କରି ଖୁଡ଼ୀ ଓ ତୁଳସୀ ଭାଇ କିପରି ଉତ୍କଣ୍ଠିତ ହୋଇ ବୋହୂକୁ ଟିକିଏ ଦେଖିବା ପାଇଁ ଇଚ୍ଛା ପ୍ରକାଶ କଲେ—ଏ ସବୁ ବିଷୟ ଦୁଃଖୀରାମ ବଖାଣି ବସିଲେ । ଛଗନଲାଲ କହିଲେ, “ଆହା ! ଆମ୍ଭମାନଙ୍କର କଣ ସେ ଭାଗ୍ୟ ହେବ; ମହାତ୍ମା ତୁଳସୀ ଦାସଙ୍କୁ ଦେଖିବୁ ?” ଦୁଃଖୀରାମ କହିଲେ, “ହଁ, ବାବା ! ସେ ଦୟା କରି ଏଠାକୁ ଆସିବେ ବୋଲି ସମ୍ମତି ଦେଇଛନ୍ତି । ତାଙ୍କ ଆସିବାର ସମସ୍ତ ସୁବିଧା କରିଦେଇ ମୁଁ ବାହାରି ଆସିଲି । କାରଣ ମୁଁ ଗୋଟାଏ ଉପାୟ ପାଞ୍ଚିଛି । ଭାଉଜ ଏଠାରେ ଅଛନ୍ତି ବୋଲି ତାଙ୍କ ଆଗରେ ମୋଟେ କହି ନାହିଁ । ସେମାନେ ଆସିଲେ ଗୋଟାଏ କୌତୁକ କରିବା । ଏହିକ୍ଷଣି ମୁଁ ସେକଥା ପ୍ରକାଶ କରିବି ନାହିଁ । ସେମାନେ ବୋଧହୁଏ କାଲି ଭିତରେ ଆସିଯିବେ । ଚାଲନ୍ତୁ, ତାଙ୍କୁ ଯଥୋପଚାରରେ ଅଭ୍ୟର୍ଥନା କରିବା ପାଇଁ ଆୟୋଜନ କରିବା ।”

 

ଏହା ଶୁଣି ସମସ୍ତେ ଆଶ୍ୱସ୍ତ ଏବଂ ଉତ୍ସାହିତ ହୋଇ କାର୍ଯ୍ୟରେ ଲାଗିଲେ । ଦୁଃଖୀରାମ କି କୌତୁଳ କରିବେ, ରତ୍ନାବଳୀ ଭାବି ଭାବି ସ୍ଥିର କରିପାରିଲେ ନାହିଁ । ପରଦିନ ଅପରାହ୍ନ ସମୟରେ ବାବାଜୀ ହୁଳସୀ ଦେବୀଙ୍କ ସହିତ ଆସି ଛଗନଲାଲଙ୍କ ଦ୍ୱାର ସମ୍ମୁଖରେ ଉପସ୍ଥିତ ହେଲେ । ଶ୍ୱଶୁର ଓ ଜାମାତା ଉଭୟେ ଯାଇ ତାଙ୍କର ଅଭ୍ୟର୍ଥନା କରି ଘରକୁ ଘେନି ଆସିଲେ । ସାହିଯାକ ଆନନ୍ଦର ଗୋଟିଏ ରୋଳ ଉଠିଗଲା । ଛଗନଲାଲଙ୍କର ଘରକୁ ଲାଗି ଗୋଟିଏ ଶିବ ମନ୍ଦିର ଥିଲା । ବାବାଜୀଙ୍କର ସେହିଠାରେ ଆସ୍ଥାନ କରାଗଲା । ଅନେକ ସ୍ଥାନରୁ ଲୋକେ ଦଳ ଦଳ ହୋଇ ସାଧୁଙ୍କୁ ଦର୍ଶନ କରିବାକୁ ଆସିଲେ ।

 

ହୁଳସୀ ଦେବୀ କିନ୍ତୁ ଦୁଃଖୀରାମଙ୍କ ସଙ୍ଗରେ ଅନ୍ତଃପୁରକୁ ଆସିଲେ । ଛଗନଲାଲ ଓ ଯଶୋଦା ଦେବୀ ତାଙ୍କର ପାଦ ବନ୍ଦନା କରି ଆଶୀର୍ବାଦ ଗ୍ରହଣ କଲେ । ହୁଳସୀ ଦେବୀ ନବବଧୂଟିକୁ ଦେଖିବାକୁ ବ୍ୟଗ୍ର ହେବାରୁ ପିତାମାତାଙ୍କ ଆଦେଶ ଅନୁସାରେ ସରସ୍ୱତୀ ଆସି ତାଙ୍କର ପାଦଧୂଳି ଗ୍ରହଣ କଲେ । ବୃଦ୍ଧା ସରସ୍ୱତୀର ଚନ୍ଦ୍ରମୁଖ ଦର୍ଶନ କରି ତାକୁ କୋଳକୁ ଟାଣିଆଣି କହିଲେ, “ମା ମୋର ସାକ୍ଷାତ୍ ସରସ୍ୱତୀଟିଏ । ସୁଲକ୍ଷଣୀ ହୋଇଥା, କାଚ ବ୍ରଜ ହେଉ-।” ଏହିପରି ଆଶୀର୍ବାଦ କରି ତାହାର ରଙ୍ଗା ଅଧରଟିକୁ ଧରି ଘନ ଘନ ଚୁମ୍ବନ ଦେବାକୁ ଲାଗିଲେ-। ଦୁଃଖୀରାମ ଏହି ସମୟରେ ଆଖି ଠାରିଦେବାରୁ ସରସ୍ୱତୀ ହୁଳସୀଙ୍କ କୋଳରୁ ଉଠିଯାଇ କହିଲେ, “ମା, ତୁମ ପାଇଁ ଗୋଟିଏ ଜିନିଷ ଯତ୍ନକରିରଖିଛି, ତୁମେ ଏଇଠି ବସିଥାଅ, ମୁଁ ଘେନି ଆସେ-।” ଏହା କହି ଧାଇଁଯାଇ ରତ୍ନାବଳୀଙ୍କି ଡାକି ଆଣିଲେ । ରତ୍ନାବଳୀ ନିତାନ୍ତ ଅଧୀର ହେଉଥିଲେ ଶାଶୁଙ୍କୁ ଦେଖିବେ ବୋଲି । କେବଳ ଦୁଃଖୀରାମ ଙ୍କ ଅନୁରୋଧ ଯୋଗୁଁ ଏପର୍ଯ୍ୟନ୍ତ ସମ୍ଭାଳି ରହିଥିଲେ । ସରସ୍ଵତୀ ଡାକିବା ମାତ୍ରେ ଖଣ୍ଡିଏ ଉତ୍ତମ ଶାଢ଼ୀ ପିନ୍ଧି ଚାଲିଆସି ଶାଶୁଙ୍କ ପାଦତଳେ ଲଟ୍ କରି ପଡ଼ିଗଲେ । ସ୍ଵରସ୍ଵତି କହିଲେ, “ମା, ଏଇ ଜିନିଷଟି ରଖିଥିଲି ତୁମ ପାଇଁ ।” ଏହା କହି ହସିଉଠିଲେ । ହୁଳସୀ ଦେବୀ ସ୍ଵପ୍ନରେ ଭାବି ନଥିଲେ ଯେ, ତାଙ୍କର ଦେବୀପ୍ରତିମା ବୋହୂ ରତ୍ନାବଳୀ ସେଠାରେ ଥିବ ବୋଲି । ବୋହୂକୁ ଚିହ୍ନିପାରି ହୁଳସୀ ଦେବୀ ତାକୁ ଆଲିଙ୍ଗନ କରି କହିଲେ, “ଏ କିଏ ? ଏ ତ ମୋ ରତ୍ନ, ମୋ ଘରର ଲକ୍ଷ୍ମୀ । ଦୁଃଖୀ ମୋତେ ଆଜିଯାଏ ମୋତେ ଏ କଥା କହି ନାହିଁ ? ଆହା, ମୋ ବାୟାଣୀକି ଦେଖି ମନ କ’ଣ ହୋଇଯାଉଚି । ତତେ ଏଠିକି କେଉଁ ଠାକୁର ଆଣି ଜୁଟାଇଲେ, ମା ?” । ରତ୍ନାବଳୀ, ଛଗନ ଓ ଯଶୋଦାଙ୍କୁ ଦେଖାଇ ସବୁ କଥା କହିଗଲେ । ଶାଶୁବୋହୂଙ୍କ ମିଳନର ଘର ଭିତରେ କ୍ରନ୍ଦନର ରୋଳା ପଡ଼ିଗଲା । ହୁଳସୀ ଦେବୀ ଆଉ ଥୟ ହୋଇ ରହିପାରିଲେ ନାହିଁ । ବୋହୂ ଦୁହିଁଙ୍କୁ ନେଇ ପୁଅ ନିକଟକୁ ବାହାରିଲେ, କିନ୍ତୁ ଦୁଃଖୀରାମ କହିଲେ, “ନା ନା ଖୁଡ଼ୀ, ତୁମେ ରହ, ମୁଁ ଭାଉଜଙ୍କୁ ନେଇ ଯିବି । ତୁଳସୀ ଭାଇଙ୍କ କଥା କଣ ତୁମେ ଜାଣି ନାହିଁ ? କଣ ନାହିଁ କଣ କହିଦେବ । କାଳେ ଅସମ୍ମତ ହେବେ । ତାହାହେଲେ ଭାଉଜ ଆଉ ପ୍ରାଣ ରଖିବଟି ? ଏହା ମଧ୍ୟରେ ତ ହଜାରେ ଥର ଆତ୍ମହତ୍ୟା କରିବାକୁ ବସିଲେଣି, କେବଳ ମୁଁ ଆଶା ଦେଖେଇଥିବାରୁ ସେ ଧୈର୍ଯ୍ୟ ଧରି ରହିଛି । ମୋ ଉପରେ ସେ ଭାର ରହିଲା । ତୁମେ କେହି ଅଥୟ ହୁଏ ନାହିଁ ।”

 

ସମସ୍ତେ ସାଧୁ-ଦର୍ଶନ କରି ଫେରିଗଲେ ଏବଂ ଠାକୁରବାଡ଼ି ନିର୍ଜନ ହେଲା । ତୁଳସୀ ଦାସ ସାନ୍ନ-ପୂଜା ଶେଷ କରି ଭୋଜନରେ ବସିଲେ । ଭୋଜନ ପରେ ଦୁଃଖୀରାମଙ୍କୁ ଡାକି କହିଲେ, “ଦୁଃଖୀ ଭାଇ, କାହିଁ, ବୋହୂଟିକୁ ଆଣୁଥିଲୁ ପରା ? ବର୍ତ୍ତମାନ ତ କେହି ନାହାନ୍ତି, ମା’ ଙ୍କ ସାଙ୍ଗରେ ବୋହୂଟିକୁ ଟିକିଏ ପଠାଇଦେଲ, ଦେଖିବା ।”

 

“ହଁ, ଯାଉଛି” କହି ଦୁଃଖୀରାମ ଘର ଭିତରକୁ ଗଲେ । ରତ୍ନାବଳୀଙ୍କୁ ଏଥର ତୁଳସୀ ଭାଇଙ୍କ ସଙ୍ଗେ ଭେଟ କରାଇବାକୁ ହେବ । ଏତେ ଦିନର ଉଦ୍ୟମ ଏଥିପାଇଁ । ରତ୍ନାବଳୀର ପ୍ରାଣ ଭୟରେ କମ୍ପୁଛି । ମନେ ମନେ ଇଷ୍ଟଦେବଙ୍କୁ ସ୍ମରଣ କରି ସେ ବାହାରି ଆସିଲେ । ହୁଳସୀ ଦେବୀ ମନର ଉଦବେଗ ଦମନ କରି ଅବଗୁଣ୍ଠବୃତା ବଧୂକୁ ଘେନି ଯେମିତି ପୁତ୍ର ନିକଟରେ ଉପସ୍ଥିତ ହେଲେ, ସମସ୍ତଙ୍କ ଛାତି ଦମ୍ ଦମ୍ ପଡ଼ିବାକୁ ଲାଗିଲା । ଶାଶୁଙ୍କ ଆଦେଶ ଅନୁସାରେ ରତ୍ନାବଳୀ ସାଧୁଙ୍କୁ ପ୍ରଣାମ କେଲେ । ତୁଳସୀ ଦାସ ଦୁଃଖୀରାମର କୌଶଳ ବୁଝି ନ ପାରି “ ଆୟୁଷ୍ମତୀ କଲେ-। ଏହା ଶୁଣି ଦୁଃଖୀରାମ କହିଲା, “ଭାଇଙ୍କର ଅଶ୍ରୀବାଦ କଦାପି ଅନ୍ୟଥ ହେବ ନାହିଁ, ତାଙ୍କର ପରା ଅମୋଘ ଆଶୀର୍ବାଦ ।”

 

ରତ୍ନାବଳୀ ଆଉ ସମ୍ଭାଳି ପାରିଲେ ନାହିଁ । ଦିନେ ଏହି ଆରାଧ୍ୟ ପାଦତଳେ ବସି ସେ କେତେ ସୁଖସୋହଗ କରୁଥିଲେ । ଏହି ଚରଣାମ୍ବୁଜ–ଧୌତ ଜଳ ପାନ କରି, ଏହି ମଧୁର କଣ୍ଠର ମିଷ୍ଟାଭାଷା ଶୁଣି ଅନ୍ତର ତାଙ୍କର ଭରି ଯାଉଥିଲା । ଦିନେ କି ଦୁର୍ଯୋଗରେ ଦୁଇ ପଦ କଟୁ ଭାଷା କହିଦେଇଥିବାରୁ ଆଜିଯାଏ ଏତେ ଦୁଃଖକଷଣ ସହିବାକୁ ପଡ଼ିଛି; କିନ୍ତୁ ଦୋଷର କ୍ଷମା ଅଛି ତ ? ରତ୍ନାବଳୀ କାନ୍ଦି କାନ୍ଦି ସ୍ଵାମୀଙ୍କର ପାଦଦ୍ଵୟ ବକ୍ଷରେ ସ୍ଥାପନ କରି କହିଲେ, “ସ୍ଵାମିନ୍ ! ଯଥେଷ୍ଟ ଦଣ୍ଡ ଭୋଗ କରିଛି । ଆଉ ସହିପାରିବି ନାହିଁ । ଏଥର ପାଦପଦ୍ମ ତଳେ ଆଶ୍ରୟ ମାତ୍ର ଭିକ୍ଷା । ସଙ୍ଗେ ସଙ୍ଗେ ଥାଇ ଏହି ପଦସେବାରେ ଜୀବନ ଯେପରି ବିତିଯାଉ, ଦାସୀକୁ ଅନୁମତି ଦିଅନ୍ତୁ ।”

 

ସମସ୍ତେ ମନ୍ତ୍ରମୁଗ୍ଧ ପରି ଅନାଇ ରହିଛନ୍ତି । ତୁଳସୀ ଦାସ ‘ସ୍ଵାମିନ୍’ ଶବ୍ଦ ଶୁଣି ଚମକି ପଡ଼ିଲେ ! ସୁଦୂର ଅତୀତର ଜୀବନ ଛବିଟିଏ ସତେ ଯେପରି ତାଙ୍କ ହୃଦୟରେ ଆଙ୍କି ହୋଇଗଲା । ରତ୍ନାବଳୀର ସ୍ମୃତି ଜାଗ୍ରତ ହୋଇ ତାଙ୍କର ମର୍ମେ ମର୍ମେ ତଡ଼ିତ୍‍ପ୍ରବାହ ଖେଳିଗଲା । ସେ ପ୍ରଥମେ ଚକ୍ଷୁ କର୍ଣ୍ଣକୁ ବିଶ୍ଵାସ କରିପାରିଲେ ନାହିଁ । ପରେ ପ୍ରକୁତିସ୍ଥ ହୋଇ କହିଲେ “ଏ କିଏ ? ଏ କଣ ? ଏ ଯେ ରତ୍ନାବଳୀ, ମୋର ସଦ୍ଜ୍ଞାନଦାତ୍ରୀ ସହଧର୍ମିଣୀ ! ଦୁଃଖୀରାମର ଏ ସବୁ କୌଶଳ ଦେଖୁଛି-।”

 

ଦୁଃଖୀରାମ କହିଲେ, ଭାଇ ! ମୋର କୌଶଳ ନୁହେଁ, ଏ ସବୁ ସେହି ଲୀଲାମୟ ଜଗଦୀଶ୍ୱରଙ୍କର କୌଶଳ । ତୁମେ ବାକ୍‍ସିଦ୍ଧି ମହାପୁରୁଷ । ଏବେ ନିଜ ବାକ୍ୟର ସାର୍ଥକତା ସମ୍ପାଦନ କର ।”

 

ହୁଳସୀ ଦେବୀ ବୋହୂକୁ ଉଠାଇ ଧରି ତୁଳସୀ ଦାସଙ୍କୁ କହିଲେ, “ବାପ ! ପ୍ରଭୁଙ୍କ କୃପାରୁ ତାର ଭେଟ ମିଳିଛି । ସେ ଜୀବନରେ ଥିବ ବୋଲି ମୋର ବିଶ୍ଵାସ ନ ଥିଲା । ମା’କୁ ମୋର କନ୍ଦାନା ଆଉ ଏମିତି । ତୋ ପାଇଁ କାନ୍ଦି କାନ୍ଦି ତାର ଶିରୀ ତୁଟିଗଲାଣି ।”

 

ତୁଳସୀ ଦାସ କହିଲେ, “ମା ! ମୁଁ ତୁମ ସମସ୍ତଙ୍କ ନିକଟରେ ଅପରାଧୀ । ତୁମେ କ୍ଷମା ଦେଇଛ । ଏବେ ତୁମ ସମ୍ମୁଖରେ ମୁଁ ତାକୁ କ୍ଷମା ପ୍ରାର୍ଥନା କରୁଛି । ସେ ମୋର ପ୍ରଥମ ଶିକ୍ଷାଦାତ୍ରୀ, ଧର୍ମପଥର ସାହାଯ୍ୟକାରିଣୀ । ତାରି ଉପଦେଶ ଶିରୋଧାର୍ଯ୍ୟ କରି ମୁଁ ଆଜି ଏତେ ବଡ଼ ସିନା । ଯେଉଁ ନବଦୂର୍ବାଦଳଶ୍ୟାମ ରଘୁପତି ଶ୍ରୀରାମଚନ୍ଦ୍ରଙ୍କଠାରେ ଲୟ ରଖିବାକୁ ସେ ମୋତେ ଉପଦେଶ ଦେଇଥିଲା, ମୁଁ ତାଙ୍କରି ଆରାଧନା କରି ଏବଂ ଦର୍ଶନଲାଭ କରି ଧନ୍ୟ ହୋଇଛି । ଆଜି ତାଙ୍କରି କୃପାବଳରେ ଆମ୍ଭେମାନେ ପୁନର୍ବାର ମିଳିତ ହୋଇଅଛୁଁ । ଚାଲ, ଏ ସୁଖମୟୀ ରଜନୀରେ ପ୍ରଭୁଙ୍କ ପାଖରେ କୃତଜ୍ଞତା ଜ୍ଞାପନ କରି କୃତାର୍ଥ ହେବା ।”

 

ଆଜି ପାଗଳୀମା ଓ ପାଗଳ ବାବାଙ୍କର ମିଳନ ହୋଇଅଛି, ଏ ମିଳନ ଭାଙ୍ଗିବାର ନୁହେଁ-। ଏ ଆତ୍ମା ଓ ଆତ୍ମାର ମିଳନ, ସତ୍ ଓ ସତୀର ମିଳନ । ବିବାହ ଦିନ ଯେଉଁ ଦୁଇଟି ପ୍ରାଣକୁ ପ୍ରେମ ସୂତ୍ରରେ ଏକତ୍ର ଗୁନ୍ଥା ଯାଇଥିଲା, ଏ ସେହି ପ୍ରେମର ଅନ୍ତିମ ପରିଣତି । ଏଥିରେ କଳଙ୍କ ଦାଗ ଦେଇ ଆମ୍ଭେମାନେ ମନୁଷ୍ୟ ଜୀବନର ଏହି ପ୍ରାକୃତିକ ପ୍ରବାହକୁ ଆବର୍ଜନାମୟ ଓ କଳୁଷିତ କରୁଅଛୁ । ପତି ଓ ପତ୍ନୀ ମଧ୍ୟରେ ଯେଉଁ ସମ୍ବନ୍ଧ, ତାହା କେବଳ ମାନବ ଜୀବନର ନୁହେଁ, ନିଖିଳ ଜୀବଜଗତର କଲ୍ୟାଣ ନିମିତ୍ତ । ଏହା ସେହି ପୁତ ପ୍ରାକୃତିକ ପ୍ରେମପ୍ରସ୍ରବଣର ରୂପାନ୍ତର ମାତ୍ର-। ତାହା ନ ବୁଝି ମନୁଷ୍ୟ ଦାମ୍ପତ୍ୟ ପ୍ରଣୟର ଦୋଷ ଦେଖାଇ ନରନାରୀଙ୍କର ମିଳନକୁ ମନ୍ଦିଚକ୍ଷୁରେ ଦେଖେ । ଯେ ପ୍ରକୃତ ପ୍ରେମିକ, ସେ ବୈବାହିକ ଜୀବନର ଆବଶ୍ୟକତା ଉପଲବ୍ଧି କରିପାରେ-। ଧର୍ମପାଳନ ଯେବେ ମନୁଷ୍ୟର ପ୍ରଧାନ କର୍ତ୍ତବ୍ୟ, ସେହି ଧର୍ମପଥରେ ତାର ସାହାଯ୍ୟକାରିଣୀ ପତ୍ନୀ ତାର ପ୍ରଧାନ ସଙ୍ଗିନୀ । ସେ ସ୍ୱାମୀଙ୍କୁ ପଦେ ପଦେ ଧର୍ମପାଳନରେ ସାହାଯ୍ୟ କରିବ ବୋଲି ତାକୁ ସହଧର୍ମିଣୀ ବୋଲାଯାଇଛି । ସେ ଧର୍ମପଥର କଣ୍ଟକ ନୁହେଁ କି ବିଳାସବ୍ୟସନର ସାମଗ୍ରୀ ନୁହେଁ-। ତାର ଅନେକ ଗୁଣ ଅଛି, ଯାହା ପୁରୁଷର ନାହିଁ ଏବଂ ପୁରୁଷର ଅନେକ ଗୁଣ ଅଛି, ଯାହାକି ସ୍ତ୍ରୀର ନାହିଁ । ସେଥିପାଇଁ ଦୁହିଁଙ୍କର ପରସ୍ପର ସହଯୋଗ ଏକାନ୍ତ ଆବଶ୍ୟକ । ଏକର ଅଭାବର ଅନ୍ୟଟି ଅପୂର୍ଣ୍ଣ । ତୁଳସୀ ଦାସ ଏତେ ଦିନକେ ସେ କଥା ବୁଝିପାରିଛନ୍ତି । ରତ୍ନାବଳୀର ସଦୁପଦେଶ ଆଜି ତାଙ୍କୁ ଭକ୍ତିରାଜ୍ୟର ଚରମ-ସୋପାନକୁ ଉଠାଇ ନେଇଛନ୍ତି । ତେବେ ଏତେ ଦିନଯାଏ ସେ ପତ୍ନୀ ନିକଟରୁ ବିଚ୍ଛିନ୍ନ ହୋଇ ରହିଥିଲେ, କଣ ରତ୍ନାବଳୀର ଦୋଷ ଦେଖି ? ନା, ସେ ପ୍ରାୟଶ୍ଚିତ୍ତ କରୁଥିଲେ, ନିଜର ଦୁର୍ବଳତା ଲାଗି । ଏବେ ବୁଝିଲେଣି, ତାର ଅଭାବରେ ସାଧନା ସର୍ବାଙ୍ଗସୁନ୍ଦର ହୋଇନପାରେ । ରତ୍ନାବଳୀ କେବଳ ତାଙ୍କର “ରୂପବତୀ ରତ୍ନାବଳୀ” ନୁହନ୍ତି, ଶକ୍ତିରୂପିଣୀ ମୂର୍ତ୍ତିମତୀ ନାରୀ । ସ୍ୱାମୀଙ୍କର ସାହାଯ୍ୟ ବିନା ସ୍ତ୍ରୀର ଧର୍ମପଥରେ ଅଗ୍ରସର ହେବା ଦୁଃସାଧ୍ୟ-। ତେଣୁ ବିବାହ ସଙ୍ଗେ ସଙ୍ଗେ ସେ ପ୍ରତିପାଦପଦ୍ମରେ ନିଜର ଜୀବନକୁ ଉତ୍ସର୍ଗ କରି ଦେଇଥିଲେ-। ସେହି ନିତ୍ୟ ଉପାସ୍ୟଦେବ ତୁଳସୀ ଦାସଙ୍କୁ ହରାଇଲା ଦିନୁ ତାଙ୍କର ହୃଦୟକୁଞ୍ଜ ଶୂନ୍ୟ ହୋଇଯାଇଥିଲା । ଲୋକ କହିଲେ, ରତ୍ନାବଳୀ ଘୋର ଅନ୍ୟାୟ କରିଅଛି; ସ୍ୱାମୀ ବିଛେଦ ସହି ନପାରି ପାଗଳିନୀ ହୋଇ କୂଳରେ କଳଙ୍କ ଲଗାଇଛି । କିନ୍ତୁ ସତୀ ଜାଣେ, ପତିର ଅଦର୍ଶନରେ ସତୀର ମନୋଭାବ । ନୀରବରେ ଚକ୍ଷୁରୁ ଲୋତକ ଗଡ଼ାଇ ରତ୍ନାବଳୀ ଏତେ ଦିନ କାଳ ପ୍ରଭୁଙ୍କୁ ଡାକୁଥିଲେ ପତଙ୍ଗ ସଙ୍ଗେ ପୁନର୍ମିଳନ ଲାଗି । ପ୍ରଭୁ ଏତେ ଦିନେ ତାଙ୍କର ମନୋବାଞ୍ଛା ପୂର୍ଣ୍ଣ କରିଅଛନ୍ତି । ପାଗଳୀ ମା ଓ ପାଗଳ ବାବାଙ୍କର ମିଳନ ହୋଇଅଛି ।

 

ଛଗନଲାଲଙ୍କର ମଧ୍ୟ ଆନନ୍ଦର ସୀମା ନାହିଁ । ପୁଣ୍ୟ ସାଧନରେ ଯେତେ ସୁଖ ଅଛି, ପୁଣ୍ୟାତ୍ମା ସାଧୁସନ୍ଥଙ୍କୁ ସାହାଯ୍ୟ କଲେ ମଧ୍ୟ ସେତିକି ସୁଖ ଅଛି । ଛଗନଲାଲ ଅଗ୍ରସର ହୋଇ ହାତ ଯୋଡ଼ି କହିଲେ, “ପ୍ରଭୁ, ଆଜି ଏ ଅପୂର୍ବ ମିଳନରେ ମୁଁ କୃତାର୍ଥ ହୋଇଅଛି । ମୋ ପାଗଳୀ ମା’ଙ୍କୁ ରାସ୍ତା ପାଖରୁ ଧରିଆଣି କେତେ ଯତ୍ନରେ, କେତେ କଷ୍ଟରେ ତାଙ୍କୁ ପ୍ରକୃତିସ୍ଥ କରିବାର ଚେଷ୍ଟା କରିଅଛି; ତଥାପି ତାର ପ୍ରାଣରେ ଶାନ୍ତି ଆସିନାହିଁ । ନାନା ଉପାୟର ଜୀବନ ବିସର୍ଜନ କରିବାକୁ ବାରମ୍ଵାର ପ୍ରୟାସ କରୁଥିଲା, ସେଥିରୁ ତାକୁ ରକ୍ଷାକରି,ଦୁଃଖୀରାମ ସଙ୍ଗେ ପରିଚୟ କରାଇ ଶେଷରେ ଆପଣଙ୍କ ଚରଣ ଦର୍ଶନର ଆଶା ଦେଖାଇ ଆଜିଯାଏ ସମ୍ଭାଳି ରଖିଅଛି । ଦୁଃଖୀ ମଧ୍ୟ ଅସଂଖ୍ୟ ବିପଦ ଭୋଗ କରି ଶେଷରେ କୃତକାର୍ଯ୍ୟ ହୋଇ, କି ଶୁଭଯୋଗରେ ମୋ କନ୍ୟା ସରସ୍ଵତୀର ହୃଦୟ ଅଧିକାର କରିଅଛି । ଏ କାର୍ଯ୍ୟ ମନୁଷ୍ୟର ନୁହେଁ, ସେହି ସର୍ବନିୟନ୍ତା ଭଗବାନଙ୍କର । ଆଜି ଅଧମକୁ ଆର୍ଶୀବାଦ କରନ୍ତୁ, ଯେପରି ଆଜୀବନ ଏହିପରି ତାଙ୍କର ଆଦେଶ ପାଳନ କରି କୃତାର୍ଥ ହୁଏଁ ।”

 

ତୁଳସୀ ଦାସ କହିଲେ, “ଆପଣ ମାନବ ନୁହନ୍ତି, ନରରୂପଧାରୀ ଦେବତା । ଜଟାକୌପୀନଧାରୀ ହୋଇ ସନ୍ନ୍ୟାସ ଅବଲମ୍ବନ କଲେ ଅଧିକ ପୁଣ୍ୟ ହୁଏ ନାହିଁ । ଦୁଃଖୀର ଦୁଃଖ ଦୂର କରି, ପୀଡ଼ିତର ପୀଡ଼ା ଶାନ୍ତ କରି, ନିରାଶ୍ରୟକୁ ଆଶ୍ରୟ ଦାନ କରି ଆପଣ ଯେଉଁ ତ୍ୟାଗର ଜ୍ଵଳନ୍ତ ଦୃଷ୍ଟାନ୍ତ ଦେଖାଇଅଛନ୍ତି, ତାହା ଜଗତରେ ଚିରକାଳ କୀର୍ତ୍ତିତ ହେଉଥିବ । ମୁଁ ଆପଣଙ୍କୁ କି ଆଶୀର୍ବାଦ କରିପାରେ ? ତେବେ ଆପଣଙ୍କର ସେହି କନ୍ୟା ସରସ୍ଵତୀଟି କାହିଁ ? ମୁଁ ଯେ ତାହାକୁହିଁ ଦେଖିବାକୁ ଆସିଥିଲି ।”

 

ପିତାଙ୍କର ଇଙ୍ଗିତ ପାଇ ସରସ୍ୱତୀ ମହତ୍ମାଙ୍କର ପଦଧୂଳି ଗ୍ରହଣ କରି ସଲଜ୍ଜରେ ଦଣ୍ଡାୟମାନ ହେଲା । ତୁଳସୀ ଦାସ ତାକୁ ପୂର୍ଣ୍ଣ ପ୍ରାଣରେ ଆଶୀର୍ବାଦ କରି ତାଙ୍କର ପରମପ୍ରିୟ ଦୁଃଖୀରାମ କିପରି ପତ୍ନୀଟିଏ ପାଇଛି, ଏହା ଦେଖିବାକୁ ସରସ୍ୱତୀ ଆଡ଼କୁ ସେହ୍ନରେ ଦୃଷ୍ଟି ଫେରାଇ ଅନାଇଲେ ।

 

ତାର ରୂପର ତୁଳନା ନାହିଁ, ଯୌବନ-ଜୁଆରରେ ଅଙ୍ଗ ଢଳ ଢଳ । ସାଧୁ-ସଜ୍ଜନ-ସେବାରେ ବାଲ୍ୟକାଳରୁ ଅଭ୍ୟସ୍ତା । ତାକୁ ଚାହିଁଦେଲା ମାତ୍ରେ ତୁଳସୀ ଦାସଙ୍କର ବୃନ୍ଦାବନରୁ ଫେରୁଥିବା ଦିନ କଥା ମନେ ପଡ଼ିଲା । ଏଇ ମୁଁହ । ଝୁଲିରେ ସ୍ତ୍ରୀକୁ କାହିଁକି ରଖି ନାହାନ୍ତି ବୋଲି ଉପହାସ କରିଥିଲା । ତୁଳସୀ ଦାସ ଏ କଥା ପ୍ରକାଶ କରିବାରୁ ଛଗନାଲାଲ୍‍ଙ୍କ ଘରେ ପ୍ରସ୍ତେ ହାସ୍ୟ କୌତୁକର ରୋଳ ଉଠିଗଲା । ସମସ୍ତଙ୍କ ପ୍ରାଣରେ ଆଜି ଅନନ୍ଦର ଢେଉ ଦୁଇ କୂଳ ଖାଉଛି । ଭକ୍ତବାଞ୍ଛା–କଳ୍ପତରୁ କେତେ ରଙ୍ଗରେ, କେତେ ଭଙ୍ଗୀରେ ଆଜି ତୁଳସୀ ଦାସଙ୍କୁ ଦେଖାଦେଇ ଯାଉଛନ୍ତି । ଦୁଃଖୀରାମଙ୍କର ଆନନ୍ଦ କହିଲେ ନ ସରେ । ତାଙ୍କର ଜୀବନବ୍ୟାପୀ ଉଦ୍ୟମ ଏତେ ଦିନେ ସଫଳ ହେଲା । ଧନ୍ୟ ଦୁଃଖୀରାମ । ଧନ୍ୟ ତୁମର ମହାପ୍ରଣତା ! ଏହିପରି ଅପରିସୀମ ଶ୍ରମଶୀଳତା, କର୍ତ୍ତବ୍ୟରେ ଏହିପରି ଅଟଳ ନିଷ୍ଠା, ଧର୍ମରେ ଏହିପରି ଅବିଚଳିତ ବିଶ୍ୱାସ ରଖି କର୍ମ କଲେ ଅବଶେଷରେ ମଙ୍ଗଳମୟ ଭଗବାନ ମନୁଷ୍ୟକୁ ବଞ୍ଚିତ ଫଳ ପ୍ରଦାନ କରନ୍ତି ।

Image

 

ଏକବିଂଶ ପରିଚ୍ଛେଦ

ସ୍ୱର୍ଗପ୍ରୟାଣ

 

ପୂର୍ବ ପରିଚ୍ଛେଦ ବର୍ଣ୍ଣିତ ମଧୁର-ମିଳନ ପରେ ତୁଳସୀ ଦାସ ଜୌନପୁର ଏବଂ ଗୋସେଇଁଗଞ୍ଜରେ କିଛି କାଳ ଧର୍ମଶିଖା ଦେଇ କାଶୀ ପ୍ରତ୍ୟାବର୍ତ୍ତନ କଲେ । ହୁଳସୀ ଓ ରତ୍ନାବଳୀ ତାଙ୍କ ସଙ୍ଗରେ ଆସିଲେ । ଶିଷ୍ୟବର ଭବାନୀ ମିଶ୍ର ଗୁରୁଦେବଙ୍କୁ ଆଶ୍ରମର ତତ୍ତ୍ୱାବଧାନ ଭାର ପ୍ରତ୍ୟର୍ପଣ କରି ପୂର୍ବବତ୍ ତାଙ୍କ ନିକଟରୁ ଧର୍ମତତ୍ତ୍ୱମାନ ଶିକ୍ଷା କଲେ । ଦୁଃଖୀରାମ ମଧ୍ୟ ମଝିରେ ମଝିରେ ଆସି ଗୋସ୍ୱାମୀଜୀଙ୍କ ନିକଟରୁ ଉପଦେଶ ଗ୍ରହଣ କରିଥିଲେ । ତୁଳସୀ ଦାସ ଶୈଶବରୁ କବିପ୍ରାଣ, ତେଣୁ ଯାହା ଉପଦେଶ ଦେଉଥିଲେ ସେ ସବୁ ‘ଦୋହା’ ଆକାରେ ତାଙ୍କ ମୁଖରୁ ନିର୍ଗତ ହେଉଥିଲା । ତାଙ୍କର ଅଧିକାଂଶ ଦୋହାବଳୀ ପ୍ରାୟ ଏହି ସମୟର ରଚନା । ସମୟ ସମୟେ ତୁଳସୀ ଘାଟରେ ବସି ସ୍ୱରଚିତ ରାମାୟଣ ଗାନ କରୁଥିଲେ । ଏହି ସୁଲଳିତ ଗାନ ଶୁଣି ବନର ପଶୁପକ୍ଷୀ ସୁଦ୍ଧା ମୁଗ୍‍ଧ ହୋଇ ଯାଉଥିଲେ । ଶୁଣାଯାଏ, ମହାବୀର ହନୁମାନଜୀ ଏହି ରାମାୟଣ ଗାନ ଶୁଣିବା ପାଇଁ ଆସି ଉପସ୍ଥିତ ହେଉଥିଲେ ।

 

କିଛି ଦିନ ଆନନ୍ଦରେ ଏହିପରି କଟିଗଲା ପରେ ଗୋସ୍ୱାମୀଜୀ ଜନ୍ମଭୂମି ଦର୍ଶନରେ ମନ ବଳାଇଲେ । ସନ୍ନ୍ୟାସୀମାନଙ୍କ ପକ୍ଷରେ ବାର ବର୍ଷ ପରେ ଜନ୍ମଭୂମି ଦର୍ଶନ ସ୍ୱର୍ଗଦର୍ଶନ ସଙ୍ଗେ ସମାନ । ଦିନେ ଦୁଃଖୀକୁ ସାଥିକରି ସେ ରାଜାପୁର ଅଭିମୁଖରେ ଯାତ୍ରା କଲେ । ରାଜାପୁରରେ ପହଞ୍ଚି ଦେଖିଲେ, ଅନେକ ପରିବର୍ତ୍ତନ ହୋଇଅଛି । କେତେ ଆଡ଼ୁ କେତେ ଲୋକ ବାବାଜୀଙ୍କର ଦର୍ଶନ ପାଇବା ପାଇଁ ଆସି ଜମା ହେଲେ । ସେ ସେମାନଙ୍କୁ ଧର୍ମ ଉପଦେଶ ଦେଇ ରାମଚନ୍ଦ୍ରଙ୍କର ନିତ୍ୟ ଉପାସନା କରିବାକୁ ଆଦେଶ ଦେଲେ । ତତ୍ପରେ ଗ୍ରାମରେ ତାଙ୍କର ଯାହା ଜମିବାଡ଼ି ଥିଲା, ତାହାର ବ୍ୟୟରେ ଗୋଟିଏ ମଠ ସ୍ଥାପନ କରାଇଲେ । ଏହା ‘ଦ୍ଵିବେଦୀର ମଠ’ ନାମରେ ଅନେକ ଦିନ ପର୍ଯ୍ୟନ୍ତ ବିଦ୍ୟମାନ ଥିଲା । ମୁସଲମାନ ରାଜତ୍ଵର ଶେଷ କାଳକୁ ଏଠାରେ ନୀଳ-କୋଠି ସ୍ଥାପିତ ହେଲା । ଆଜିକାଲି ଲୋକେ ଏହାର ନାମ ପର୍ଯ୍ୟନ୍ତ ଭୁଲିଗଲେଣି । ସେ ସ୍ଥାନରେ ଏବେ ରାଜାପୁର ପୋଷ୍ଟ–ଅଫିସ ସ୍ଥାପିତ ହୋଇଅଛି ।

 

ରାଜାପୁରରୁ ଫେରିଲା ପରେ ତୁଳସୀ ଦାସ ଅନେକ ଅନେକ ସ୍ଥାନ ଭ୍ରମଣ କରିଥିଲେ-। ଥରେ କାଶୀରୁ ପୁରୁଷୋତ୍ତମ କ୍ଷେତ୍ରକୁ ଯିବାବେଳେ ଭୃଗୁ ଆଶ୍ରମ (ବଲିୟା)ରେ ପହଞ୍ଚିଲେ-। ସେଠାରେ ଆଜିକାଲି ପ୍ରତିବର୍ଷ କାର୍ତ୍ତିକ ମାସ ପୂର୍ଣ୍ଣିମାକୁ ବିରାଟ ମେଳା ହୁଏ । ସେଠାରେ ହଂସନଗର ଓ ପରାଶର ମୁନିଙ୍କ ସ୍ଥାନ ପରସିୟା ଦେଇ ଗୟାଘାଟ ନାମକ ସ୍ଥାନରେ ପହଞ୍ଚିଲେ-। ସେଠାରେ ରାଜା ଗମ୍ଭୀର ଦେବ ତାଙ୍କର ଯଥୋଚିତ ଅଭ୍ୟର୍ଥନା କରିଥିଲେ । ତା ପରେ ଗୋସ୍ୱାମୀଜୀ ବ୍ରହ୍ମେଶ୍ୱରନାଥ ମହାଦେବଙ୍କ ମନ୍ଦିର ଦର୍ଶନ କରି କାନ୍ତ ନାମକ ଗ୍ରାମର ଅସଭ୍ୟ ଅଧିବାସୀମାନଙ୍କୁ ସଦୁପଦେଶ ପ୍ରଦାନ କରି ରଘୁନାଥପୁର ଗଲେ । ଏହି ଗ୍ରାମରେ ତୁଳସୀ ଦାସ ଯେଉଁ ସ୍ଥାନରେ ରହଣି କରିଥିଲେ, ସେଠାରେ ଆଜି ସୁଦ୍ଧା ଗୋଟିଏ ଚଉତରା ତାଙ୍କ ନାମରେ ବର୍ତ୍ତମାନ ଅଛି ।

 

ସେ ଥରେ ତୀର୍ଥାଟନ ଓ ଦେବଦର୍ଶନ ନିମିତ୍ତ ମିଥିଳା ଯାଇଥିଲେ । ସେଠାରେ କେତେକ ବ୍ରାହ୍ମଣ ଅତି ପୂର୍ବକାଳରୁ ରାମଚନ୍ଦ୍ରଙ୍କ ବିବାହ ସମୟରୁ ନିଷ୍କର ବୃତ୍ତ ଦାନ ପାଇଥିଲେ; କିନ୍ତୁ ପାଟନାର ସୁବାଦାର ତାଙ୍କଠାରୁ ସେ ଜମି ଛଡ଼ାଇ ନେବାରୁ ତୁଳସୀ ଦାସ ବହୁତ ଯତ୍ନ ଓ ଉଦଯୋଗ କରି ବ୍ରାହ୍ମଣମାନଙ୍କର ଜମି ସେମାନଙ୍କୁ ଫେରାଇ ଦେଇଥିଲେ ।

 

ଚିତ୍ରକୂଟରୁ ଫେରି ବିନ୍ଧ୍ୟାଚଳ ଏବଂ ବିନ୍ଧ୍ୟରୁ ସେ ପ୍ରୟାଗ ଯାଇଥିଲେ । ତା ପରେ ଶ୍ରୀ ମୁରାରୀ ଦାସଜୀଙ୍କର ଚେଲା ଗଙ୍ଗାଭକ୍ତ ମଲୁକ ଦାସଙ୍କ ସଙ୍ଗେ ତାଙ୍କର ଭେଟ ହୋଇଥିଲା । ପୁରୀ ସମୁଦ୍ରତଟରେ ମଲୁକ ଦାସଙ୍କର ଗୋଟିଏ ଛୋଟ ମନ୍ଦିର ଅଛି । ତାଙ୍କ ସଙ୍ଗେ ଦର୍ଶନ ସାରି ସେ ନୈମିଷାରଣ୍ୟ ଗଲେ । ସେଠାରୁ ଚନହଟ, ମହୀଲାବାଦ ଦେଇ ରସୁଲାବାଦ ନିକଟ କୋଟରା ଗାଁରେ ଅନନ୍ୟମାଧବଙ୍କ ସଙ୍ଗେ ସାକ୍ଷାତ୍ କରିଥିଲେ । ତତ୍ପରେ ରାମପୁର ନାମକ ଏକ ସ୍ଥାନରେ ଦୀନଦୁଃଖୀମାନଙ୍କୁ ଧନ ବିତରଣ କରି ସେ ସ୍ୱଧାମକୁ ଫେରି ଆସିଲେ ।

କାଶୀଧାମରେ ତାଙ୍କର ସ୍ନେହମୟୀ ଜନନୀଙ୍କର ଦେହତ୍ୟାଗ ହେଲା । ସେ ମାତାଙ୍କର ଯଥାବିଧି ଶ୍ରାଦ୍ଧକ୍ରିୟା ସମାପନ କରି ରତ୍ନାବଳୀଙ୍କ ସଙ୍ଗରେ କିଛି ଦିନ ପ୍ରଭୁନାମ କୀର୍ତ୍ତନରେ ରତ ରହିଲେ । ସଂସାରରୁ ବିଦାୟ ନେବା ପାଇଁ ତାଙ୍କର ମନ ଚଞ୍ଚଳ ହେଲା । ସେ ପ୍ରଭୁଙ୍କର ଆଦେଶ ଶିରୋଧାର୍ଯ୍ୟ କରି ଏପର୍ଯ୍ୟନ୍ତ ପୁରପଲ୍ଲୀରେ ଧର୍ମତତ୍ତ୍ୱ ଶିକ୍ଷା ଦେଇ ବେଶ୍ ସଫଳକାମ ହୋଇଅଛନ୍ତି-। ଭାବିଲେ, ତାଙ୍କର କାର୍ଯ୍ୟ ଶେଷ ହୋଇଅଛି । ଯେଉଁ ଅମରଧାମକୁ ତାଙ୍କର ପିତା ମାତା ଯାତ୍ରା କରିଅଛନ୍ତି, ସେଠାକୁ ଯାଇ ଶାନ୍ତିରେ ବାସ କରିବାକୁ ତାଙ୍କର ମନ ଉଚ୍ଛନ୍ନ ହେଲା । ସେ କେବଳ ରାମାୟଣ ପାଠରେ ଦିବାରାତି ଅତିବାହିତ କରିବାକୁ ଲାଗିଲେ ।

ତାଙ୍କର ଏଇ ସମୟର ଭାବ ଅତି ରମଣୀୟ । ସ୍ୱର୍ଗୀୟ–ସୁଷମା–ମଣ୍ଡିତ ଦେହରୁ ପବିତ୍ର ତେଜ ଝଟକି ଉଠୁଥିଲା । ସେଥିରେ ତାଙ୍କ ମୁଖରୁ ଯେଉଁ ସୁମଧୁର ଉପଦେଶ ନିଗତ ହେଉଥିଲା, ସେ ମନମୋହନ କଣ୍ଠସ୍ୱର ଶୁଣି କ୍ରୂର–କଠୋର,ପାଷାଣ–ହୃଦୟ ମାନବର ହୃଦୟ ସୁଦ୍ଧା ତରଳି ଯାଉଥିଲା । ରତ୍ନାବାଳୀଙ୍କୁ ସେ ପୂର୍ବ ଅପେକ୍ଷା ଅଧିକତର ଭଲ ପାଇବାକୁ ଲାଗିଲେ । ସେ ପ୍ରେମରେ ଲାଳସା ନ ଥିଲା । ତାହା ଦିବ୍ୟ ପବିତ୍ର ପ୍ରେମ, ସଂସାରର କଳୁଷ ଆବର୍ଜନାରୁ ମୁକ୍ତ-। ରତ୍ନାବଳୀ ମଧ୍ୟ ସ୍ୱାମୀଙ୍କ ସହ ପ୍ରଭୁନାମ କୀର୍ତ୍ତନ କରି ପରମ ପରିତୋଷ ଲାଭ କଲେ-

 

୧୬୮୦ ସାଲ (ଇଂରାଜୀ ୧୬୨୩ ଖ୍ରୀ.ଅ.) ଶ୍ରାବଣମାସ, ଶୁକ୍ଳ ସପ୍ତମୀ ତିଥିରେ ସାଧକଶିରୋମଣି ଗୋସ୍ୱାମୀଜୀ ରତ୍ନାବଳୀଙ୍କ ସଙ୍ଗରେ ବସିଅଛନ୍ତି, ଶିଷ୍ୟ ଭବାନୀ ମଧ୍ୟ ନିକଟରେ ବସିଅଛି । ଦେହରେ କୌଣସି ପୀଡ଼ା ନାହିଁ, (୧) ମୁଖ ମଧ୍ୟ ବେଶ୍ ପ୍ରଫୁଲ୍ଲ ଅଛି । ତୁଳସୀ ଦାସ ଗୋଟିଏ ସ୍ଵରଚିତ ଗାନ ଗାଇଲେ ।

 

(୧) ଗ୍ରିୟର୍ସନ ସାହେବଙ୍କ ମତରେ ତୁଳସୀ ଦାସଙ୍କୁ ପ୍ଳେଗ ଧରିଥିଲା ଏବଂ ଚାରି ଦିନ ସେ ଏହି ରୋଗ ଭୋଗି ପ୍ରାଣତ୍ୟାଗ କରିଥିଲେ; କିନ୍ତୁ ଏହା କେତେ ଦୂର ସତ୍ୟ କାହାକୁ ଜଣା ନାହିଁ-। ଅନ୍ୟ ଏକ ବିବରଣୀରୁ ଦେଖନ୍ତୁ–

 

“He was attacked by plague in that city in 1623 and died the same year, though apparently not from the disease.”–Tulasi Das, poet and Religious Reformer; Journal of the Royal Asiatic society, July, 1903, ପ୍ରକୃତିରେ କାଶୀରେ ୧୬୧୪ ଖ୍ରୀଷ୍ଟାବ୍ଦରେ ପ୍ଳେଗ ହୋଇଥିଲା ବୋଲି ପ୍ରମାଣ ମିଳେ ।

 

କୁଙ୍କୁମ ରଙ୍ଗ ସୁଆଙ୍ଗଜିତୋ ମୁଖ ଚନ୍ଦସୋଂ ଚନ୍ଦନ ହୌଡ଼ ପରୀ ହୈ !

ବୋଲତ ବୋଲସ୍ମୃଦ୍ଧ ଚବୈ ଅବଲୋତକ ଶୋଚ ବିଷାଦ ହରି ହୈ ।

ଗୌରୀକି ଗଙ୍ଗ ବିହଙ୍ଗନିବେଶକ ମଞ୍ଜୁଲ ମୂର୍ତି ମୋଦ ଭରା ହୈ ।

ପେଷୁ ସପ୍ରେମ ପୟାନ ସମୟ ସବ ଶୋଚ ବିମୋଚନ କ୍ଷେମ କରି ହୈ ।

 

କବିତାଟି ସେହି ସମୟରେ ରଚନା । ଗାଉ ଗାଉ ରତ୍ନାବଳୀଙ୍କ କୋଳରେ ଢଳି ପଡ଼ିଲେ । ରତ୍ନାବଳୀ ଓ ଭବାନୀ କଣ ହେଲା ବୋଲି ଚିତ୍କାର କରି ଉଠିଲେ । କିନ୍ତୁ ତୁଳସୀ ଦାସ ଆଉ ଶୁଣିଲେ ନାହିଁ । ସେ ନୀରବରେ ନୟନ ମୁଦ୍ରିତ କରି ଏ ଜୀବନର ଲୀଳା–ଖେଳା ମୁହୂର୍ତ୍ତକ ମଧ୍ୟରେ ସାଙ୍ଗ କରିଦେଲେ । ରତ୍ନାବଳୀ ଦେଖିଲେ ଏ ଶେଷ ସମାଧି । ଏ ସମାଧିରୁ ସ୍ୱାମୀଦେବ ଆଉ ଉଠିବେ ନାହିଁ । ତେବେ ତାଙ୍କର ଆଉ ଏ ସଂସାରରେ ରହିବା ଆବଶ୍ୟକ କଣ ? ସ୍ୱାମୀ ସଙ୍ଗେ ସତୀର ମରଣ ପରମ ସୌଭାଗ୍ୟ କଥା । ସେ ମଧ୍ୟ ରାମ ନାମ ସ୍ମରଣ କରି କରି ସମାଧିଲୀନ ହୋଇଗଲେ ।

 

ଭବାନୀ ମିଶ୍ର ଆଶ୍ଚର୍ଯ୍ୟାନ୍ୱିତ ହୋଇ କିଛି କାଳ ଚିତ୍ର ପ୍ରତିମା ପରି ସ୍ଥିର ହୋଇ ରହିଲେ-। ଗୁରୁ ଓ ଗୁରୁପତ୍ନୀ ଚିରକାଳ ଲାଗି ନୟନ ମୁଦ୍ରିତ କରିଅଛନ୍ତି । କି ଉଦାର, କି ପ୍ରଶାନ୍ତ ହୃଦୟ-! କି ବିଶୁଦ୍ଧ କର୍ମମୟ ଜୀବନ ! କି ଶାନ୍ତ ନୀରବ ମୃତ୍ୟୁ ! ମନୁଷ୍ୟ ସଂସାରକୁ ଘୃଣା କରେ ବା ନିଜର ଜୀବନକୁ ହେୟଜ୍ଞାନ କରେ । କାହିଁକି ? ଏହି ମାନବ ଜୀବନ ଧାରଣ କରି ତୁଳସୀ ଦାସ ଯେଉଁ ଅକ୍ଷୟ ଆନନ୍ଦ ଲାଭ କରିଥିଲେ ଏବଂ ଜଗତକୁ ପ୍ରଦାନ କରିଥିଲେ, ତାହା ଚିରକାଳ କିର୍ତ୍ତିତ ହେଉଥିବା । ମନୁଷ୍ୟ ଜୀବନ ଲକ୍ଷଶୂନ୍ୟ ନୁହେଁ, ମନୁଷ୍ୟର କାର୍ଯ୍ୟ ବ୍ୟର୍ଥ ହେବ ନାହିଁ-। ଜଣେ ଇଂରେଜ କବି କହିଅଛନ୍ତି–

 

Life is real, life is earnest

And the grave is not it’s goal,

Dust thou art and to dust returnest

Was not spoken of the soul.

 

କିଏ କହେ “ଧୂଳିର ଏ ମର କଳେବର” ଆସିଛି କେବଳ ଧୂଳିରେ ମିଶିବାପାଇଁ ? ତା ଯଦି ସତ୍ୟ, ମନୁଷ୍ୟ ତେବେ ଜନ୍ମ ହୁଏ କାହିଁକି ? ଜୀବନର ସାର୍ଥକତା ଯେ ଉପଲବ୍ଧି କରିଛି, ସେ ଜାଣେ ମନୁଷ୍ୟ ଜୀବନର ମୂଲ୍ୟ । ଏହା ବିଧାତାଙ୍କର ଦାନ । ଦୁଃଖପାପର କାଳିମା ବୋଳି ଶେଷରେ ତାହାକୁ ନେଇ ବିରକ୍ତି ସହକାରେ ଜୁଇ ଗାତରେ ଜାଳି ଦେଇ ଆସିବାକୁ ଜୀବନର ସୃଷ୍ଟି ନୁହେଁ । ଏ ସଂସାର ମଧ୍ୟରେ ରହି ସେହି ଦୁର୍ଲ୍ଲଭ ଦାନର ସଦ୍‍ବ୍ୟବହାର କରିବାକୁ ହେବ । ଏହିଠାରେ ଶାନ୍ତି ଅଛି, ସୁଖ ଅଛି, ସ୍ୱର୍ଗୀୟ ଆନନ୍ଦ ମଧ୍ୟ ଅଛି । ମନୁଷ୍ୟ ତାହା ଦେଖି ସୁଦ୍ଧା ଦେଖୁ ନାହିଁ । ଛାୟାକୁ କାୟା ମନେ କରି ମରୀଚିକାରେ ପିପାସା ନିବୃତ୍ତ କରିବ ବୋଲି ଧାଇଁଛି । ନିଜର ସ୍ୱଚ୍ଛ ସରଳ ପ୍ରାଣକୁ ନେଇ ‘ପାପର ଭୀଷଣାବର୍ତ୍ତରେ’ । ନିକ୍ଷେପ କରି ଦେଖୁଛି, ସେଠାରେ ତାହାରିପରି କେତେ ମାନବ ଯନ୍ତ୍ରଣା ଭୋଗ କରୁଅଛନ୍ତି । ଚତୁର୍ଦ୍ଦିଗରେ ଏ ବିଭୀଷିକା ଦେଖି କେତେବେଳେ ଆକୁଳ ହୃଦୟରେ କହୁଛି ‘କାହିଁ ଶାନ୍ତି, କାହିଁ ନିତ୍ୟ ସୁଖ ?’ ପତଙ୍ଗ ଅନଳରେ ପଡ଼ିଲା ପରି ସେ ସୁଖରାଜ୍ୟର ସୀମା ଲଙ୍ଘନ କରି ନିଜର ନିର୍ବୋଧତାବଶତଃ ନରକ ଯାତନା ଭୋଗ କରୁଛି । ସେ ଶ୍ଵାଶତ ଶାନ୍ତି କାହୁଁ ପାଇବ ? ସେ ଦୁଃଖ–ପୁରୀର ଦୁଃସହ ଦୃଶ୍ୟ ଦେଖି ମୃତ୍ୟୁ ପୂର୍ବରୁ ଥରେ ଦୀର୍ଘ ନିଃଶ୍ୱାସ ପକାଇ କେବଳ କହୁଛି–

 

‘ଚିର ହାହାମୟ ଏ ଛାର ଜୀବନ,

ଜୀବନ ନୁହଇ ଜୀବନ୍ତ ମରଣ ।’

 

ମନୁଷ୍ୟ-ଜୀବନର ଯୋ ମୂଲ୍ୟ ଅଛି, ସଂସାରରେ ଯେ ଶାନ୍ତି ଅଛି, ତାହା ତୁଳସୀ ଦାସଙ୍କ ପରି କେତେ କେତେ ଯୋଗୀ, ଜ୍ଞାନୀ ଓ ମହାପୁରୁଷଙ୍କ ଜୀବନରେ ପ୍ରମାଣିତ । ମୃତ୍ୟୁ ପୂର୍ବରୁ ସୁଦ୍ଧା ଥରେ ହେଲେ ମନରେ ଅଶାନ୍ତି ବା ମଳିନତା ପ୍ରବେଶ କରି ନାହିଁ । ନିର୍ବିକାରଚିତ୍ତରେ ଏଠାରୁ ବିଦାୟ ନେଇ ଅମରଧାମକୁ ଯାତ୍ରା କରିଅଛନ୍ତି ।

 

ଭବାନୀ ମିଶ୍ର ଉଠିଲେ । ଶୋକ କରିବାର ପ୍ରୟୋଜନ କଣ ? ଯେଉଁ ମହାପୁରୁଷଙ୍କର ଅସୀମ କୃପାବଳରେ ସେ ବ୍ରହ୍ମହତ୍ୟା ପାପରୁ ମୁକ୍ତିଲାଭ କରି ଯୋଗମାର୍ଗରେ ଏତେ ଦୂର ଅଗ୍ରସର ହୋଇ ପାରିଅଛନ୍ତି, ସେହି ପରମପୂଜ୍ୟ ଗୁରୁଦେବଙ୍କର ଯଥୋଚିତ ଶବସଂସ୍କାର କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ, ଏହା ମନେ କରି ସେ ଶବଦାହ ଆୟୋଜନରେ ଲାଗିଲେ । ଦୁଃଖୀରାମ ଓ ସରସ୍ୱତୀ ଦେବୀ ଏ ସମ୍ବାଦ ପାଇଲା ମାତ୍ରେ କାଶୀ ଆଗମନ କରି ଗୋସ୍ୱାମୀଜୀଙ୍କର ଶେଷ ଦର୍ଶନ ଲାଭ କଲେ । ପ୍ରାଣର ତୁଳସୀ ଭାଇଙ୍କୁ ଦଣ୍ଡେ ନ ଦେଖିଲେ ଦିନେ ଦୁଃଖୀରାମଙ୍କ ହୃଦୟ ଆକୁଳ ହୋଇ ଯାଉଥିଲା । ପୁଣି ତାଙ୍କୁ ପାଖରୁ କିଛି ଦିନ ପାଇଁ ହରାଇ ସେ ଯେଉଁ ଦୁଃଖ ଅନୁଭବ କରିଅଛନ୍ତି, ତାହା ବନର ତରୁଲତା ସୁଦ୍ଧା ଜାଣନ୍ତି । ତା ପରେ ଭାଉଜଙ୍କୁ ସାନ୍ତ୍ୱନା ଦେଇ, ଖୁଡ଼ୀଙ୍କୁ ଆଶା ଦେଖାଇ, କେତେ ଖରାତରା, କେତେ ବାଧାବିଘ୍ନ ମଧ୍ୟରେ ସେ ସଫଳକାମ ହୋଇ ଶେଷରେ ଯେଉଁ ଅପୂର୍ବ ମିଳନ ଘଟାଇଛନ୍ତି, ସେଥିରେ ତାଙ୍କର ଜୀବନର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଛି-। ସାଧକଦମ୍ପତ୍ତିଙ୍କ ସଂସର୍ଗରେ ଆସି ତାଙ୍କର ଜୀବନ ଧନ୍ୟ ହୋଇଛି । ଆଜି ସେହି ଦୁଇଟି ଜୀବନର ଶେଷ ଅବସାନ । ଦୁଃଖୀରାମ ଓ ସରସ୍ଵତୀ ଅତୀତର କଥା ସ୍ମରଣ କରି ଶୋକାଶ୍ରୁରେ ମହାତ୍ମାଙ୍କର କଳେବର ତିନ୍ତାଇ ଦେଲେ ।

 

ତୁଳସୀ ଦାସଙ୍କର ଦେହତ୍ୟାଗ ସମ୍ବାଦ ସମୁଦ୍ରଲହରୀ ପରି କାଶୀ ନଗରୀରେ ଚାହୁଁ ଚାହୁଁ ବ୍ୟାପିଗଲା । ଯେ ଶୁଣିଲା, ସେ କାନ୍ଦି କରି ଆକୁଳ ହେଲା । ସମସ୍ତ ମନ୍ଦିର, ମଠ, ଟୋଲ ଓ ଆଶ୍ରମ ଶୋକଚିହ୍ନ ଧାରଣ କଲା । ଭବାନୀ ଓ ଦୁଃଖୀରାମ ତତ୍ପରେ ଗୋସ୍ଵାମୀଙ୍କର ସସ୍ତ୍ରୀକ ଶବଦେହ କାଶୀର ଶ୍ମଶାନରେ ଦାହ କରାଇଲେ । ଯେ ପାଇଲା, ସେ ସେହି ପବିତ୍ର ଚିତା-ଭସ୍ମ ଅଙ୍ଗରେ ବୋଳି ହୋଇ ନିଜକୁ ପରମ କୃତାର୍ଥ ମନେ କଲେ ।

 

ଏହିରୂପେ ଜଣେ ମହାପୁରୁଷ ଓ ଭକ୍ତକବିଙ୍କର ମର୍ତ୍ତ୍ୟଲୀଳା ଶେଷ ହେଲା । ଦେଶ ବିଦେଶରୁ ଶତ ସହସ୍ର ସାଧୁ ବୈଷ୍ଣବ ଆସି ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେଲେ । ମାସେ କାଳ ପର୍ଯ୍ୟନ୍ତ ସାଧୁ–ଭୋଜନ, ଦରିଦ୍ର ନାରାୟଣ ସେବା ଇତ୍ୟାଦିରେ କାଶୀକ୍ଷେତ୍ର ପବିତ୍ରୀକୃତ ହେଲା ।

Image

 

ପରିଶିଷ୍ଟ

କବିତା ଶକ୍ତି

 

ପୂର୍ବରୁ କହିଅଛି ଯେ, ଓଡ଼ିଶାର ଜଗନ୍ନାଥ ଦାସଙ୍କ ଭାଗବତ ଯେପରି ଘରେ ଘରେ ଆଦୃତ ଓ ସୁପରିଚିତ, ତୁଳସୀ ଦାସଙ୍କ ରାମାୟଣ ସେହିପରି ହିନ୍ଦୀଭାଷୀ ଅଞ୍ଚଳର ଘରେ ଘରେ ପୂଜିତ ଓ ପରିଚିତ । ଶୁଣାଯାଏ, ପ୍ରଭୁଙ୍କର ପ୍ରେରଣା ପାଇ କବି ତୁଳସୀ ଦାସ ଉକ୍ତ ସୁମହତ୍ କାବ୍ୟ ରଚନା କରିବାକୁ ମନ ବଳାଇଥିଲେ । ସେ ଯାହା ହେଉ, ରାମାୟଣ ଭାଷା, ଭାବ ଓ ପଦଲାଳିତ୍ୟ ଆଲୋଚନା କଲେ, ବିନା ଭଗବାନଙ୍କର ଅନୁଗ୍ରହରେ ତାହା ସମ୍ପନ୍ନ ହୋଇଥିବ ବୋଲି ମନେହୁଏ ନାହିଁ । ତୁଳସୀ ଦାସ ଆଜନ୍ମ ରାମଭକ୍ତ ଥିଲେ, ଏପରିକି ପିଲାଦିନେ ସୁଦ୍ଧା କେହି କେହି ତାଙ୍କୁ ‘ରାମବୋଲା’ ବୋଲି ଡାକୁଥିଲେ; ଶ୍ରୀରାମଚନ୍ଦ୍ରଙ୍କର ନବଜଳଧରକାନ୍ତି ଭକ୍ତ ପ୍ରତି ସର୍ବଦା ପୂର୍ଣ୍ଣପ୍ରସନ୍ନପ୍ରାଣତା ତାଙ୍କର ପୁଣ୍ୟ ପବିତ୍ର ହୃଦୟକୁ ଚିରନ୍ତନ ବନ୍ଧନରେ ବାନ୍ଧି ରଖିଥିଲା । ମହର୍ଷି ବାଲ୍ମୀକିଙ୍କ ପରି ରାମ ରାମ ହୋଇ ସେ ଯେତେବେଳେ ଏ ମର୍ତ୍ତ୍ୟମଣ୍ଡଳରୁ ବିଦାୟ ନେଲେ, ସେତେବେଳେ କେତେଗୋଟି ରସମୟୀ କବିତା ଓ କାବ୍ୟ ତାଙ୍କର ଅଦ୍ଭୁତ ରଚନାଶକ୍ତିର ପରିଚୟ ଦେଉଥିବାରୁ ସମସ୍ତଙ୍କ ଦ୍ଵାରା ଆଦୃତ ହେଲା । ଭିନ୍ନ ଭିନ୍ନ ପୁସ୍ତକ ଓ ପୋଥି ଆକାରରେ ପ୍ରକାଶିତ ହୋଇ ଭିନ୍ନ ଭିନ୍ନ ଭାଷାରେ ଅନୂଦିତ ହୋଇ ସେ କାବ୍ୟ ଆଜି ସୁଦ୍ଧା ଗୋସ୍ଵାମୀଜୀଙ୍କର ନାମକୁ ଅକ୍ଷୁଣ୍ଣ ରଖିଅଛି ।

 

ତୁଳସୀ ଦାସଙ୍କ ନିଜ କହିବା ଅନୁସାରେ ଇଂରାଜୀ ୧୫୭୪, ଚୈତ୍ର ରାମନବମୀ, ମଙ୍ଗଳବାର ଦିନ ରାମାୟଣ ପ୍ରଣୟନ ଆରମ୍ଭ ହୋଇଥିଲା । ତାଙ୍କର ସେତେବେଳେ ପୌଢ଼ାବସ୍ତା, ବୟସ ପ୍ରାୟ ୪୨ ବର୍ଷ ଏବଂ ସେ ସେତେବେଳେ ଅଯୋଧ୍ୟାରେ ଅବସ୍ଥାନ କରୁଥିଲେ । କିନ୍ତୁ କେଉଁଠାରେ ଉକ୍ତ ଗ୍ରନ୍ଥର ସମାପ୍ତି ହୋଇଥିଲେ, ତାହା କବି କେଉଁଠି ଉଲ୍ଲେଖ କରିନାହାନ୍ତି । ଲୋକମାନେ ଅନୁମାନ କରନ୍ତି କି, ଅରଣ୍ୟକାଣ୍ଡ ଶେଷ ପର୍ଯ୍ୟନ୍ତ ଅଯୋଧ୍ୟାରେ ଏବଂ ଶେଷକାଣ୍ଡ କାଶୀରେ ଲେଖା ହୋଇଥିଲା; କିନ୍ତୁ ପଣ୍ଡିତ ଜ୍ଵାଲାପ୍ରସାଦଙ୍କ ମତରେ ବାଳକାଣ୍ଡ ଶେଷ ପର୍ଯ୍ୟନ୍ତ ଅଯୋଧ୍ୟାରେ ଏବଂ ଶେଷକାଣ୍ଡ ରାଜାପୁରରେ ଲିଖିତ ।

 

ତୁଳସୀ ଦାସ ହିନ୍ଦୁରେ ରାମାୟଣ ଲେଖିଥିଲେ ସୁଦ୍ଧା ତାଙ୍କର ସଂସ୍କୃତରେ ଅଗାଧ ଜ୍ଞାନ ଥିଲା । ଦିନେ ଜଣେ ସଂସ୍କୃତଜ୍ଞ ପଣ୍ଡିତ ମଣିକର୍ଣ୍ଣିକା ଘାଟରେ ସ୍ନାନ କରୁ କରୁ ତାଙ୍କୁ ପଚାରିଲେ, “ସଂସ୍କୃତରେ ପଣ୍ଡିତ ହୋଇ ଆପଣ ହିନ୍ଦୀ ଗାଉଁଲୀ ଭାଷାରେ କାହିଁକି ଗ୍ରନ୍ଥଟି ଲେଖିଲେ ?” ଗୋସ୍ଵାମୀଜୀ ଉତ୍ତର କଲେ, “ମୋର ଗାଉଁଲୀ ଭାଷା ଅଭାବପୂର୍ଣ୍ଣ ହେଲେ ସୁଦ୍ଧା ନାୟିକା ବର୍ଣ୍ଣନ ମୋ ଗ୍ରନ୍ଥରେ ମନ୍ଦ ହୋଇ ନାହିଁ ।” ପ୍ରକୃତରେ ନିଜର ପାଣ୍ଡିତ୍ୟ ପ୍ରଦର୍ଶନ କରିବା ପାଇଁ ସେ ଲାଲାୟିତ ନ ଥିଲେ । ସେ ଦେଖିଲେ ସଂସ୍କୃତରେ ଲେଖିଲେ ଅଧିକାଂଶ ଲୋକ ପଢ଼ି ବୁଝି ପାରିବେ ନାହିଁ । ପାଠକମାନଙ୍କର ମଙ୍ଗଳ ଓ ଜଗତର ଉପକାର ପାଇଁ ସେ ଉକ୍ତ ଗ୍ରନ୍ଥ ପ୍ରଣୟନ କରିଥିଲେ । ପ୍ରଥମେ ପ୍ରଥମେ ତାଙ୍କର ଏ ଗାଉଁଲୀ ହିନ୍ଦୀ ଭାଷାରେ ଲେଖିବା ଉଦ୍ୟମକୁ ପଣ୍ଡିତମାନେ ଘୃଣା କରୁଥିଲେ । ତାଙ୍କର କବିତା କିଛି କାଳ ପର୍ଯ୍ୟନ୍ତ ଆଦୃତ ହୋଇ ପାରିଲା ନାହିଁ-। କିନ୍ତୁ କାଳକ୍ରମେ ସେ ଭ୍ରାନ୍ତ ଧାରଣା ବିଦୂରିତ ହୋଇଯିବାରୁ ଗ୍ରନ୍ଥର ଅମୂଲ୍ୟ ଗୁଣ ସ୍ୱଚ୍ଛ ସୁବର୍ଣ୍ଣର ତେଜ ପରି କଲିକତାରୁ ପଞ୍ଜାବ ପର୍ଯ୍ୟନ୍ତ ଏବଂ ହିମାଳୟରୁ ନର୍ମଦା ପର୍ଯ୍ୟନ୍ତ ପୁରପଲ୍ଲୀରେ ବ୍ୟାପିଗଲା । ଆଜିକାଲି ଶିକ୍ଷିତ ବା ଅଶିକ୍ଷିତ ହେଉନ୍ତୁ, ଏପରି କେହି ହିନ୍ଦୀଭାଷୀ ବ୍ୟକ୍ତି ନାହିଁ, ଯେ କି ତୁଳସୀ ଦାସଙ୍କ ରାମାୟଣରୁ ଦୁଇ ଚାରି ଧାଡ଼ି କଣ୍ଠସ୍ଥ ନ କରିଛି ।

 

ଏଥିରେ ଧର୍ମନୀତି, ସମାଜନୀତି, ବ୍ୟବହାରନୀତି ଓ ରାଜନୀତି ପ୍ରଭୃତି ସମସ୍ତ ନୀତିର ସମାଲୋଚନା ହୋଇଅଛି । ସେଥିପାଇଁ ଏହା ସବୁ ଶ୍ରେଣୀର, ସବୁ ଦଳର ଲୋକଙ୍କର ସୁପାଠ୍ୟ । ଗ୍ରିୟର୍ସନ୍‍ ସାହେବ ଏହି ପୁସ୍ତକ ସମ୍ୱନ୍ଧରେ ଲେଖିଅଛନ୍ତି:–

 

“I do not think that there can be any doubt as to its reputation being deserved. In its own country it is supreme over all other literatures and exercises an influence which it would be difficult to describe in exaggerated terms. ...over the whole of the Gangetic valley his great work (the Ramayan) is better known than the Bible is in England. ... ... ... If we take the influence exercised by him at present time as our test he is one of the three of four great writers of Asia”

 

–J. R. A. Society.

 

ସୁବିଖ୍ୟାତ ‘ରାମଚରିତ ମାନସ’ ବ୍ୟତୀତ ତୁଳସୀ ଦାସ ଆଉ କେତେ ଖଣ୍ଡି ପୁସ୍ତକ ମଧ୍ୟ ଲେଖିଥିଲେ । ତାହାର ତାଲିକା ନିମ୍ନରେ ଦିଆଗଲା :–

 

୧.

କବିତବଳୀ

୨.

ଗୀତାବଳୀ

୩.

ଦୋହାବଳୀ

୪.

ବିନୟ ପତ୍ରିକା

୫.

ରାମାଜ୍ଞା

୬.

ରାମ ଲଲାନହଚ୍ଛୂ

୭.

ବୈରାଗ୍ୟ ସନ୍ଦୀପନୀ

୮.

ଜାନକୀମଙ୍ଗଳ

୯.

ପାର୍ବତୀମଙ୍ଗଳ

୧୦.

କୃଷ୍ଣ ଗୀତାବଳୀ

୧୧.

ବରବୈ ରାମାୟଣ

୧୨.

ସତସଇ

Image

 

କାଶୀଧାମରେ ଗୋସ୍ଵାମୀଜୀଙ୍କର ବାସସ୍ଥାନ

 

‘କାଶୀ ନାଗରୀ ପ୍ରଚାରିଣୀ ସଭା’ ଦ୍ଵାରା ପ୍ରକାଶିତ ରାମାୟଣ ଅନୁସାରେ କାଶୀରେ ତୁଳସୀ ଦାସଙ୍କର ଚାରିଗୋଟି ସ୍ଥାନ ପ୍ରସିଦ୍ଧ ଅଟେ ।

 

୧–ଅସୀନଦୀ ତୀରସ୍ଥ ତୁଳସୀ ଦାସଙ୍କ ଘାଟ । ଏଠାରେ ତାଙ୍କଦ୍ଵାରା ସ୍ଥାପିତ ଶ୍ରୀ ହନୁମାନଜୀଙ୍କର ମୂର୍ତ୍ତି ଅଛି । ଏହି ମନ୍ଦିରର ବାହାର ପଟରେ ଏପରି ଏକ ଯନ୍ତ୍ର ଲେଖା ହୋଇଅଛି ଯେ, ତାହାକୁ କେହି ପଢ଼ିପାରୁ ନାହାନ୍ତି । ଏଠାରେ ତୁଳସୀ ଦାସଙ୍କର ଗୁମ୍ଫା ମଧ୍ୟ ଅଛି । ସେହି ଗୁମ୍ଫା ମଧ୍ୟରେ ସେ ଅଧିକାଂଶ ସମୟରେ ରହୁଥିଲେ ଏବଂ ମୃତ୍ୟୁ ପୂର୍ବରୁ କିଛି କାଳ ସେଠାରେ କଟାଇଥିଲେ ।

 

୨–ଗୋପାଳ ମନ୍ଦିର । ଏଠାରେ ଶ୍ରୀ ମୁକୁନ୍ଦରାୟଙ୍କ ବଗିଚାର ଦକ୍ଷିଣ-ପଶ୍ଚିମ କୋଣରେ ଗୋଟିଏ ପୋଖରୀ ଅଛି । ତାହା ତୁଳସୀ ଦାସଜୀଙ୍କର ବୈଠକ ସ୍ଥାନ । ଏ କୋଠରୀଟି ସର୍ବଦା ବନ୍ଦ ଥାଏ, ଝରକା ବାଟେ ଲୋକେ ଦର୍ଶନ କରନ୍ତି; କେବଳ ଶ୍ରାବଣ ସପ୍ତମୀ ଦିନ ଏହା ଖୋଲେ ଏବଂ ଲୋକମାନେ ପୂଜା ଆଦି କରନ୍ତି ।

 

୩–ପ୍ରହ୍ଲାଦ ଘାଟ ।

 

୪–ସଙ୍କଟମୋଚନ ହନୁମାନ । ଶୁଣାଯାଏ, ପ୍ରହ୍ଲାଦ ଘାଟରେ ଗଙ୍ଗାରାମ ନାମକ ଜଣେ ଜ୍ୟୋତିଷୀ କୌଣସି ରାଜାଙ୍କର କେତେକ ଦ୍ରବ୍ୟ ଭାଗ୍ୟବଶତଃ ପାଇ ସେଥିମଧ୍ୟରୁ ୧୨ ହଜାର ମୁଦ୍ରା ମୂଲ୍ୟର ଦ୍ରବ୍ୟ ତୁଳସୀ ଦାସଙ୍କୁ ଆଗ୍ରହ ସହିତ ଭେଟି ଦେଇଥିଲେ । ଗୋସ୍ୱାମୀଜୀ ସେଥିରେ ୧୨ ଗୋଟି ହନୁମାନ ମୂର୍ତ୍ତି ନିର୍ମାଣ କରାଇ ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଷ୍ଠିତ କରାଇଥିଲେ । ତନ୍ମଧ୍ୟରୁ ଏହି ମୂର୍ତ୍ତି ଗୋଟିଏ ।

Image

 

ମିତ୍ର ଓ ସମ୍ମାନ

 

କ୍ଷତ୍ରିୟ ଗୋଡ଼ର–ସେ କାଶୀର ଜଣେ ବିଖ୍ୟାତ ଜମିଦାର ଥିଲେ । ତାଙ୍କର ବଂଶଧର ଆଜି ସୁଦ୍ଧା ଆସୀନଦୀ କୂଳରେ ବାସ କରୁଅଛନ୍ତି । ସେ ରାମଭକ୍ତ ଥିଲେ ଏବଂ ତୁଳସୀ ଦାସଙ୍କ ସଙ୍ଗେ ତାଙ୍କର ଖୁବ୍ ଘନିଷ୍ଠତା ଥିଲା । ତାଙ୍କର ମୃତ୍ୟୁ ପରେ ତାଙ୍କର ପିଲାପିଲିଙ୍କ ଭିତରେ ସମ୍ପତି ଘେନି ଝଗଡ଼ା ଲାଗିବାରୁ ଗୋସ୍ୱାମୀଜୀ ପଞ୍ଚାୟତରେ ଉକ୍ତ କଳହ ମୀମାଂସା କରି ଦେଇଥିଲେ ।

 

ମହାରାଜା ମାନସିଂହ–ଆମେର୍ ମହାରାଜା ମାନସିଂହ ଆକବରଙ୍କର ଜଣେ ନାମଜାଦ ସର୍ଦ୍ଦାର ଓ ତାଙ୍କର ଡାହାଣ ହାତ ସ୍ଵରୂପ ଥିଲେ । ତାଙ୍କ ବୀରତ୍ଵର ପରିଚୟ ଇତିହାସରୁ ମିଳେ । ତାଙ୍କର ପ୍ରତାପ ଏପରି ଥିଲା ଯେ, ଆକବର ଓ ଜାହାଙ୍ଗିର ମଧ୍ୟ ତାହାଙ୍କୁ ଭୟ କରୁଥିଲେ । କବି ଓ ପଣ୍ଡିତମାନଙ୍କୁ ମାନସିଂହ ବହୁତ୍ ଆଦର କରୁଥିଲେ । ତୁଳସୀ ଦାସ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ ଏବଂ ମାନସିଂହ ପ୍ରାୟ ଅଧିକାଂଶ ସମୟରେ ତାଙ୍କ ଦର୍ଶନପାଇଁ ଆସୁଥିଲେ ।

 

ଖାନଖାନା–ସୁବିଖ୍ୟାତ ବୈରାମ ଖାଁଙ୍କ ପୁତ୍ର ଖାନଖାନା ଜଣେ ପ୍ରସିଦ୍ଧ ସର୍ଦ୍ଦାର ଓ କବି ଥିଲେ । ପାର୍ଶୀ, ତୁର୍କୀ, ସଂସ୍କୃତ ଏବଂ ହିନ୍ଦୀ ଭାଷାରେ ସେ ଅନେକ ଗ୍ରନ୍ଥ ଲେଖିଥିଲେ । ସେ ବିଦ୍ୟାନୁରାଗୀ ଏବଂ ଈଶ୍ୱରପ୍ରେମୀ ଥିବାରୁ ଗୋସ୍ୱାମୀଜୀଙ୍କ ସଙ୍ଗେ ତାଙ୍କର ଖୁବ୍ ଭାବ ଥିଲା । ଦୁହିଁଙ୍କ ମଧ୍ୟରେ ପତ୍ର ବ୍ୟବହାର ଚାଲିଥିଲା ଏବଂ ସେ ଯେତେବେଳେ କାଶୀ ଆସୁଥିଲେ, ତୁଳସୀ ଦାସଙ୍କୁ ଦର୍ଶନ କରୁଥିଲେ । ପ୍ରବାଦ ଅଛି ଯେ, ଥରେ ଗୋଟିଏ ଦରିଦ୍ର ବ୍ରାହ୍ମଣ ତାଙ୍କ କନ୍ୟାର ବିବାହ ପାଇଁ କିଛି ସାହାଯ୍ୟ ଭିକ୍ଷା କରିବାକୁ ତୁଳସୀ ଦାସଙ୍କ ପାଖକୁ ଆସିଥିଲା । ଗୋସ୍ୱାମୀଜୀ ଖଣ୍ଡେ ପତ୍ରରେ ପୂର୍ବାର୍ଦ୍ଧ ଦୋହା ଧାଡ଼ିକ ଲେଖି ଲୋକଟିକୁ ଖାନଖାନାଙ୍କ ପାଖକୁ ପଠାଇଦେଲେ–

 

“ସୁର ତିୟ, ନର ତିୟ, ନାଗ ତିୟ, ସହ ବେଦନ ସବକୋଇ ।”

 

ଅର୍ଥାତ୍ ସ୍ତ୍ରୀମାନେ କେତେ ଗର୍ଭଯନ୍ତ୍ରଣା ଭୋଗୁ ନାହାନ୍ତି; କିନ୍ତୁ ତଥାପି ପୁତ୍ରକାମନା ଛାଡ଼ି ପାରୁନାହାନ୍ତି ।

 

ଖାନଖାନା ଏହାର ଉତ୍ତରରେ ଉତ୍ତରାର୍ଦ୍ଧ ଦୋହା ଧାଡ଼ିକ ଲେଖି ଦେଲେ ଏବଂ ସେ ବ୍ରାହ୍ମଣଙ୍କୁ ବହୁତ ଦ୍ରବ୍ୟ ଦେଇ ପଠାଇ ଦେଲେ–

 

“ଗର୍ଭଲିୟେ ତୁଳସୀ ଫିରୈଂ, ତୁଳସୀସେ ସୁତ କୋଇ ।”

 

ଅର୍ଥାତ୍ ସବୁ ସ୍ତ୍ରୀଙ୍କର ସମାନ ପ୍ରସବ ପୀଡ଼ା ହୁଏ ସତ; କିନ୍ତୁ ଗର୍ଭବତୀ ହେଲେ ସେମାନଙ୍କର ହର୍ଷ ଜାତ ହୁଏ, କାରଣ ସେମାନେ ଆଶା କରିଥାନ୍ତି, କଲେ ସେମାନଙ୍କ ଗର୍ଭରୁ ତୁଳସୀ ଦାସଙ୍କ ପରି ମହାତ୍ମା ଜନ୍ମ ହୋଇ ପାରନ୍ତି ।

 

ମୋଗଲ ବାଦ୍‍ଶାହା ଆକବର, ଜାହାଙ୍ଗୀର ଓ ବୀରବଲଙ୍କ ସଙ୍ଗେ ମଧ୍ୟ ତୁଳସୀ ଦାସଙ୍କର ପରିଚୟ ଥିଲା ।

 

ମୀରାବାଈ—କୃଷ୍ଣପ୍ରେମାନୁରାଗିଣୀ ମୀରାବାଈଙ୍କ ସଙ୍ଗେ ମଧ୍ୟ ଗୋସ୍ଵାମୀଙ୍କର ପତ୍ର ବ୍ୟବହାର ଚାଲିଥିଲା । ମୀରାବାଈ ମାରବାର ରାଜକନ୍ୟା ଏବଂ ଦିନେ ତାଙ୍କୁ ସିଂହାସନ ଆରୋହଣ କରିବାକୁ ମଧ୍ୟ ପଡ଼ିଥିଲା । ସେ ଜଣେ ବିଖ୍ୟାତ ରାଣୀ ଥିଲେ ଏବଂ ଧର୍ମ ସମ୍ବନ୍ଧୀୟ ଅନେକ ଭଜନ ରଚନା କରିଥିଲେ । ଶୁଣାଯାଏ, ଥରେ ସଂସାର ଜଞ୍ଜାଳରେ ବିରକ୍ତ ହୋଇ ସେ ଗୋସ୍ଵାମୀଜୀଙ୍କ ପାଖକୁ ଏକ ପତ୍ର ଲେଖିଥିଲେ ଏବଂ ତାଙ୍କଠାରୁ ଉତ୍ତର ପାଇଲା ପରେ ତାଙ୍କର ସଂସାରବିରାଗ ଜାତ ହେଲା ଏବଂ ସେ ସନ୍ୟାସୀନୀ ହୋଇ ତୀର୍ଥାଟନରେ ବାହାରିଗଲେ ।

 

ଜୈନ ମହାତ୍ମା ପଣ୍ଡିତ ବନାରସୀ ଦାସ ମଧ୍ୟ ଜଣେ ସୁକବି ଥିଲେ । ତୁଳସୀ ଦାସଙ୍କ ସଙ୍ଗେ ତାଙ୍କର ଖୁବ୍ ମିଳାମିଶା ଥିଲା । ଗୋସ୍ଵାମୀଙ୍କର ସ୍ଵର୍ଗବାସ ସମୟକୁ ତାଙ୍କୁ ୩୭ ବର୍ଷ ବୟସ ହୋଇଥିଲା ।

Image

 

ତୁଳସୀ ଦାସଙ୍କ କୃତ ଦୋହାବଳୀ

 

ସଂସ୍କୃତରେ ଚାଣକ୍ୟଙ୍କର ଶ୍ଳୋକମାନ ଯେପରି ପ୍ରସିଦ୍ଧ, ନୀତିପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକୀୟ, ବଙ୍ଗଳାରେ ସାଧକପ୍ରବର ରାମପ୍ରସାଦଙ୍କର ଗାନ ଏବଂ ଓଡ଼ିଆରେ ଜଗନ୍ନାଥ, ବଳରାମ, ଭକ୍ତଦାସ, ଭୀମଭୋଇ ପ୍ରଭୃତିଙ୍କର କବିତା ଯେପରି ଭକ୍ତିରସପୂର୍ଣ୍ଣ ଓ ଉପଦେଶମୟ, ହିନ୍ଦୀରେ ତୁଳସୀ ଦାସଙ୍କର ଦୋହାମାନ ସେହିପରି ।

 

ଉତ୍ତର-ପଶ୍ଚିମାଞ୍ଚଳରେ ଏପରି କେହି ଲୋକ ନାହିଁ ଯେ ଏଥିରୁ ପଦେ ଅଧେ ନ ଜାଣିଛି । ଏ ପୁସ୍ତକ ଖଣ୍ଡି ଅତି ସାମାନ୍ୟ ଓ ସଂକ୍ଷିପ୍ତଭାବରେ ଲେଖା ଯାଉଥିବାରୁ ସେ ଦୋହାମାନଙ୍କ ମଧ୍ୟରୁ ଛୋଟ ଛୋଟ କେତେଗୋଟି ନିମ୍ନରେ ଦିଆଗଲା ।

 

ଚମ୍ପାୟ୍‍ ହୈ ତିନିଗୁଣ୍, ରଙ୍ଗ୍, ରୂପ୍ ଔର ବାସ୍

ଏକ୍ ଅବ୍‍ଗୁଣ ହୈ ଯୋ, ଭ୍ରମର ନା ଯାଓୟେ ପାଶ୍ । ୧ ।

 

ଚମ୍ପାଫୁଲର ରଙ୍ଗ, ରୂପ ଓ ବାସ–ତିନୋଟି ଭଲ ଗୁଣ ଅଛି, କିନ୍ତୁ ଏହାର ଅସ୍ଵାଦ ଏତେ କଟୁ ଯେ, ଭ୍ରମର ଭୁଲରେ ସୁଦ୍ଧା ଏଥିରେ ବସେ ନାହିଁ । ଯେତେ ଗୁଣ ଥିଲେ ସୁଦ୍ଧା ଗୋଟିଏ ମହାଦୋଷରେ ସବୁ ନଷ୍ଟ ହୋଇଥାଏ ।

 

ଗଙ୍ଗା, ଯମୁନା, ସରସ୍ଵତୀ, ସାତ ସମୁଦୁର ଭରପୁର

ତୁଳସୀ ଚାତକକେ ମତେ, ମେଁୟାତ୍ ବିନେ ସବଧୁର । ୨ ।

 

ଗଙ୍ଗା, ଯମୁନା, ସରସ୍ଵତୀ ଓ ସାତ ସମୁଦ୍ରରେ ଅଗାଧ ଜଳ ଥିଲେ ସୁଦ୍ଧା ଚାତକର ତୃଷ୍ଣା ତୁପ୍ତି ହୋଇ ପାରେ ନାହିଁ । ସେ ପ୍ରାଣାନ୍ତ ହେଲେ ସୁଦ୍ଧା ବର୍ଷାଧାରାକୁ ଚାହିଁ ରହିଥାଏ । ତୁଳସୀ ସେହିପରି ଭାଗବତ ପ୍ରେମବାରି ବ୍ୟତୀତ ଅନ୍ୟ କୌଣସି ଜାଳରେ ମତ ବଳାଏ ନାହିଁ ।

 

ଚୈଦହ ଚାର୍ ଆଠାର୍ ହୋ, ପଢ଼େ ଶୂନେ କ୍ୟା ହୋୟ୍

ତୁଳସୀ ଆପନ୍‍ ରାମକୋ, ଯବ୍‍ ଲଗ୍‍ଲମେ ନ କୋୟ୍ । ୩ ।

 

ଚତୁର୍ଦ୍ଦଶ ଶାସ୍ତ୍ର, ଚାରି ବେଦ ଓ ଅଷ୍ଟାଦଶ ପୁରାଣ ପଢ଼ିଲେ ସୁଦ୍ଧା ଇଷ୍ଟଦେବ ପରମେଶ୍ଵରଙ୍କର ଦର୍ଶନ ନ ହେଲେ ସେ ଜ୍ଞାନଲାଭରେ କଣ ଅଛି ? ମୁର୍ଖ ଲୋକ ଯଦି ଭଗବାନଙ୍କର ଦର୍ଶନଲାଭ କରିପାରେ, ତେବେ ତାହାର ଜନ୍ମ ସାର୍ଥକ ହୁଏ ।

 

ଯୋ ପରବିତ୍ତ ହରେ ସଦା, ସୋ ବହୁଦାନ୍‍ କିୟା ନ କୀୟା

ଯୋ ପରଦାର ହରେ ସଦା, ସୋ ବହୁତୀର୍ଥ ଗୟା ନ ଗୟା ।

ଯୋ ପରଆଶ କରେ ସଦା, ସୋ ବହୁଦିନ ଜିୟା ନ ଜିୟା

ଯୋ ମୁହୁମେ ପର ଚୁକ୍‍ଲି ଓଗାରତ୍, ସୋ ମୁହୁମେ ହରିନାମ ଲିୟା ନ ଲିୟା । ୪ ।

 

 

ଯେ ଚୋରି କରି ଦାନ ଧର୍ମ କରେ, ତାର ଦାନ କରିବା ନକରିବା ସମାନ; ଯେ ପରଦାର–ରତ ତାର ତୀର୍ଥ କରିବା ନ କରିବା ସମାନ; ଯେ ପରପ୍ରତ୍ୟାଶୀ; ତାର ବଞ୍ଚିବା ମରିବା ସମାନ ଏବଂ ଯେ ପରନିନ୍ଦୁକ, ତାର ହରିନାମ ନେବା ନ ନେବା ସମାନ ।

 

ଜ୍ଞାନୀ ମାରେ ଜ୍ଞାନସୋ, ବ୍ୟାଧ ମାରେ ତୀର୍

ସଦ୍‍ଗୁରୁ ମାରେ ଶବ୍ଦ ସେ, ଶାଲେ ସକଲ୍ ଶରୀର । ୫ ।

 

ବ୍ୟାଧ ଯେପରି ତୀର ମାରି ପକ୍ଷୀ ଶିକାର କରେ, ଜ୍ଞାନୀ ସେହିପରି ଜ୍ଞାନଶଳାକା ଦ୍ୱାରା ମନର ମଳିନତା ଦୂର କରେ ଏବଂ ସଦ୍‍ଗୁରୁ ମହତ୍ ଉପଦେଶ ଦ୍ୱାରା ମନକୁ ପାପବୃତ୍ତମାନଙ୍କ କବଳରୁ ଫେରାଇ ଆଣି ସଂଯମ ଶିକ୍ଷା ଦେଇ ଇନ୍ଦ୍ରୀୟମାନଙ୍କୁ ଆୟତ୍ତ କରି ରଖେ ।

 

ସବ ରସିୟେ, ସବ୍ମେ ବସିୟେ, ସବ୍କା ଲିଜିୟେ ନାମ୍

ହାଁଜି ହାଁଜି କର୍ତ୍ତେ ରହିୟେ, ବସିୟେ ଆପନ ଠାମ୍ । ୬ ।

 

ସବୁ ଶାସ୍ତ୍ର, ସବୁ ଧର୍ମ, ସବୁ ସମ୍ପ୍ରଦାୟରେ ଯୋଗ ଦେଇ ସାର ଗ୍ରହଣ କରିବା ଉଚିତ । ଈଶ୍ଵର ଉପାସନାର ପନ୍ଥା ବିଭିନ୍ନ ହେଲେହେଁ ଲକ୍ଷ୍ୟ ଏକ ଭାବି ସବୁଥିରେ ଯୋଗ ଦେଇ ପ୍ରୀତିଲାଭ କରିବା ମନ୍ୟୁଷର ଧର୍ମ; କିନ୍ତୁ ‘ବସିୟେ ଆପନ ଠାମ’ ଅର୍ଥାତ୍ କେତେବେଳେହେଁ ଆତ୍ମବିସ୍ମୃତ ହେବା ଉଚିତ୍ ନୁହେଁ ।

 

ଅଳି ପତଙ୍ଗ ମୃର୍ଗ ମୀନ ଗଜ୍, ଇୟାକୋ ଏକକ ଆଁଚ୍

ତୁଳସୀ ଓୟାକୋ କ୍ୟା ଗତ୍‍ ଯାକୋ ପିଛୋ ପାଞ୍ଚ । ୭ ।

 

ଭ୍ରମର, ପତଙ୍ଗ, ହରିଣ, ମତ୍ସ୍ୟ ଓ ହସ୍ତୀ ଏମାନେ ଚକ୍ଷୁ କର୍ଣ୍ଣ, ନାସିକା, ଜିହ୍ଵା ଓ ତ୍ଵକ୍ ଏହି ପାଞ୍ଚ ଇନ୍ଦ୍ରିୟଦ୍ୱାରା ବଶୀଭୂତ ବୋଲି କ୍ରମାନ୍ୱୟରେ ରୂପ, ରସ, ଗନ୍ଧ, ଶବ୍ଦ ଓ ସ୍ପର୍ଶ ଏହି ପାଞ୍ଚ ବିଷୟରେ ଆକୃଷ୍ଟ ହୋଇ ଶେଷରେ ମୃତ୍ୟୁମୁଖରେ ପଡ଼ନ୍ତି । ଯେଉଁମନୁଷ୍ୟର ଏହି ପାଞ୍ଚ ଇନ୍ଦ୍ରିୟ ଏକାପରି କର୍ମକୁଶଳ, ସେ ମନୁଷ୍ୟର ଗତି କଣ ନ ହେବ ?

 

ରାଜା କରେ ରାଜ୍ୟ ବଶ, ଯୋଦ୍ଧା କରେ ରଣ ଜଇ

ଆପ୍‍ନା ମନକୋ ବଶ୍ କରେ ଯୋ, ସବକୋ ସେରା ଓଇ । ୮ ।

 

ରାଜା ଦେଶ ଜୟ କରେ, ବୀର ଯୁଦ୍ଧ ଜୟ କରେ; କିନ୍ତୁ ଯେ ନିଜର ମନକୁ ଜୟ କରିପାରେ, ସେ ସବୁଠାରୁ ଶ୍ରେଷ୍ଠ ବୀର ଅଟେ ।

 

ବୃନ୍ଦାବନ ଓ ବୈକୁଣ୍ଠକୋ, ତଲେ ତୁଲସୀ ଦାସ୍

ଭାରୀ ଯେ ସୋ ଭୂତଲ୍ ବସୋ, ହାଲୁକା ଚଢ଼ୋ ଆକାଶ । ୯ ।

 

ବୃନ୍ଦାବନ ଓ ବୈକୁଣ୍ଠ ମଧ୍ୟରେ ଯେଉଁଟି ଭାରୀ, ସେ ତଳେ ରହିଛି, ଅର୍ଥାତ୍ ଏ ସଂସାରରେ ପ୍ରେମଭକ୍ତି ତୁଳନାରେ ମୁକ୍ତି କିଛି ନୁହେଁ ।

 

ବଡ଼ା ବଡ଼ା ସର୍‍କଇ କୱା, ବଡ଼ମେ ତାଲ୍ ଔର ଖଜ୍ଜୁର୍

ବୈଠନେକୋ ଛାୟା ନହିଁ ମିଲତୋ ଫଲ୍‍ ତ ବଡ଼ି ଦୂର । ୧୦ ।

 

ଏ ସଂସାରରେ ଅନେକେ ବଡ଼ଲୋକ ବୋଲି ବଡ଼େଇ କରନ୍ତି; କିନ୍ତୁ ପ୍ରକୃତରେ କଅଣ ସେମାନେ ବଡ଼ ? ସେମାନେ ତାଳ ଓ ଖଜୁରୀ ଗଛ ପରି ବଡ଼ । ବସିବାକୁ ତ ଟିକିଏ ଛାଇ ମିଳେ, ଫଳ ଆଶା କରିବା ତ ବହୁ ଦୂରର କଥା ।

ହସ୍ତୀ ଚଲେ ବାଜାରମେ, କୁତ୍ତା ଭୁକେ ହାଜାର୍

ସାଧୁନକେ ଦୁର୍ଭାବ୍ ନହିଁ, ଯଓ ନିନ୍ଦେ ସଂସାର । ୧୧ ।

ହଜାର କୁକୁର ଭୁକୁଥିଲେ ସୁଦ୍ଧା ହାତୀର କିଛି ଯାଏ ଆସେ ନାହିଁ; ସେହିପରି ସଂସାରଯାକ ନିନ୍ଦା ଅପବାଦ ଦେଲେ ସୁଦ୍ଧା ସାଧୁ ବିଚଳିତ ହୁଏ ନାହିଁ ।

ତୋମ୍‍ ଜ୍ୟାୟସା ରାମ ପର୍, ତୋମସେ ତ୍ୟାୟସା ରାମ୍

ଡାହିନେ ଯାଓତୋ ଡାହିନେ ଯାୟ, ବାମେ ଯାଓତୋ ବାମ୍ । ୧୨ ।

ଭଗବାନଙ୍କୁ ଯେ ଯେଉଁ ରୂପେ ଭାବେ, ସେ ସେହି ରୂପେ ଫଳ ପାଏ । ଞାନ ଚାହିଁଲେ ଞାନ ମିଳେ, ଭକ୍ତି ଚାହିଁଲେ ଭକ୍ତି ମିଳେ ଓ ବିଷୟ ଚାହିଁଲେ ବିଷୟ ଲାଭ ହୁଏ ।

ଯୋ ଯାକୋ ଶରଣ ଲିୟେ, ସୋ ରାଖେ ତାକୋ ଲାଜ୍ ।

ଉଲଟ୍ ଜଲେ ମଛଲି ଚଲେ ବହି ଯାୟ୍ ଗଜରାଜ୍ । ୧୩ ।

ଯେ ଯାହାର ଶରଣାପନ୍ନ ହୁଏ, ସେ ତା ଦ୍ଵାରା ରକ୍ଷା ପାଏ । ମାଛ ପାଣିକି ଆଶ୍ରା କରୁଥିବାରୁ ଉଜାଣି ସୁଅରେ ଅକ୍ଳେଶରେ ଚାଲିଯାଇ ପାରେ; କିନ୍ତୁ ହାତୀ ଏଡ଼େ ପ୍ରକାଣ୍ଡକାୟ ହୋଇ ସୁଦ୍ଧା ସୁଅରେ ଭାସିଯାଏ ।

ଦୁଃଖ୍ ପାତୈ ତୋ ହରି ଭଜେ, ସୁଖେ ନା ଭଜେ କୋଇ

ସୁଖମେ ଯୋ ହରି ଭଜେ, ଦୁଃଖ୍ କାହାଁସେ ହୋଇ । ୧୪ ।

 

ବିପତ୍ତିକାଳରେ ସମସ୍ତେ ଭଗବାନଙ୍କୁ ଡାକନ୍ତି । ସମ୍ପଦରେ କିଏ ଡାକୁଥାଏ ? କିନ୍ତୁ ଯେ ଲୋକ ସୁଖରେ ଥାଇ ସୁଦ୍ଧା ହରିଙ୍କୁ ସ୍ମରଣ କରେ, ତାର ଦୁଃଖ କାହୁଁ ଆସିବ ?

ଚନ୍ଦ୍ର ଛପେ ନା ତାରକ୍ ଉଜୋର, ସୂରଜ୍ ଛପେ ନା ବାଦର୍ ଛାଇ

ରଣ ପଡ଼େ କାହାଁ ରାଜପୁତ୍ ଛପେ, ଦାନୀ ଛପେ କାହାଁ ମାଗନ ଯାଇ ।

ନାରୀକେ ଚଞ୍ଚଲ ନୟନ୍ ଛପେ ନା, ନୀର୍ ଛପେ ନା ବଡ଼ପଣ ଗାଇ

ସିନ୍ଧୁକୋ ଭିତର୍ ପାପ୍ ଛପେ ନା, ଦାସ୍ ଛପେ ନା ହରି ଗୁଣ୍ ଗାଇ ।

ଯେପରି ଉଜ୍ଜ୍ୱଳ ତାରାଗଣ ମଧ୍ୟରେ ଚନ୍ଦ୍ରମା, ମେଘ ଭିତରେ ସୂର୍ଯ୍ୟ, ଯୁଦ୍ଧକ୍ଷେତ୍ରରେ ବୀର, ଭିକ୍ଷୁକ ମଧ୍ୟରେ ଦାତା, ଓଢ଼ଣା ଭିତରେ ନାରୀର ଚଳପଚାହାଣି, ସଭା ମଧ୍ୟରେ ନୀଚ ବ୍ୟକ୍ତି ଓ ସମୁଦ୍ରରେ ପତିତ ମଇଳା ଲୁଚି କରି ରହିପାରେ ନାହିଁ, ସେହିପରି ହରିନାମରତ ଭକ୍ତ ସମସ୍ତ ଆଡ଼ମ୍ବର ପରିତ୍ୟାଗ କରି ଗୁପ୍ତଭାବରେ ରହିଥିଲେ ସୁଦ୍ଧା କଦାପି ଅପ୍ରକାଶିତ ରହିପାରେ ନାହିଁ ।

ବିଜୁ ବନ୍ ମିଲେ ନା ଲକଡ଼ି, ସାୟେର୍ ମିଲେ ନା ନୀର୍

ପଡ଼େ ଉପବାସ୍ କୁବେର ଘର, ଯଓ ବିପକ୍ଷ ରଘୁବୀର । ୧୬ ।

ଭଗବାନ ପ୍ରସନ୍ନ ନ ହେଲେ ଗହନ ବନସ୍ତରେ ମଧ୍ୟ କାଠ ଦୁଷ୍ପ୍ରାପ୍ୟ ହୁଏ, ଅତଳ ସମୁଦ୍ର ମଧ୍ୟରେ ଜଳ ଟୋପାଏ ପିଇବାକୁ ମିଳେ ନାହିଁ, କୁବେର ସଦୃଶ ଧନୀଲୋକ ଦୁଆରୁ ସୁଦ୍ଧା ଉପବାସରେ ଫେରିବାକୁ ହୁଏ ।

କାହା କାହୋଁ ବିଧିକି ଗତି, ଭୁଲେ ପଡ଼େ ପ୍ରବୀଣ୍

ମୂର୍ଖକେ ସମ୍ପତ୍ତି ଦେଖି, ପଣ୍ଡିତ୍ ସମ୍ପତ୍ତିହୀନ୍ । ୧୭ ।

 

ମନୁଷ୍ୟ ସବୁ କଳନା କରିପାରେ; କିନ୍ତୁ ବିଧାତାଙ୍କ ବିଚିତ୍ର ବିଧାନର ଉଦ୍ଦେଶ୍ୟ ସ୍ଥିର କରିବା ପ୍ରବୀଣ ପକ୍ଷରେ ମଧ୍ୟ ଅସମ୍ଭବ । ଦେଖ, ମୁର୍ଖଘର ଧନସମ୍ପଦରେ ଭାସୁଛି, ଅଥଚ ପଣ୍ଡିତଙ୍କୁ ବାସିତୋରାଣି ମିଳୁନାହିଁ ।

 

ଅଗର୍ ନା କରେ ଚାକୁରୀ, ପଁକ୍ଷୀ ନା କରେ କାମ୍

ତୁଳସୀ ଦାସ୍ କହଗୈ, ସବକୋ ଦାତା ରାମ । ୧୮ ।

 

ଅଜଗର ସାପ ଚାକିରି କରି ନାହିଁ, ପକ୍ଷୀମାନେ ବ୍ୟବସାୟ ବାଣିଜ୍ୟ କରୁନାହାନ୍ତି–କିନ୍ତୁ ସେମାନଙ୍କ ପେଟ କଣ ଅପୋଷା ରହୁଛି ? ଭଗବାନ ରାମଚନ୍ଦ୍ର ସମସ୍ତଙ୍କ ଉଦର ପୋଷଣର ଉପାୟ ବିଧାନ କରିଅଛନ୍ତି ।

 

ଧନକୋ ଶୋଭା ଧରମ୍ ହୈ, କୁଲକୋ ଶୋଭା ଶୀଲ୍

ଜଲକୋ ଶୋଭା କମଲ ହୈ, ଦଲ କୋ ଶୋଭା ପୀଲ୍ ।

 

ଧର୍ମକାର୍ଯ୍ୟ କଲେ ଧନର ମହତ୍ତ୍ୱ ବଢ଼େ, ସତ୍ ସ୍ୱଭାବ ଦ୍ୱାରା ବଂଶର ମର୍ଯ୍ୟଦା ବଢ଼େ, ପଦ୍ମଫୁଲ ଦ୍ୱାରା ପୁଷ୍କରିଣୀର ଶୋଭା ବଢ଼େ ଏବଂ ପିଲାଦ୍ଵାରା ପରିବାରର ଶୋଭା ବୃଦ୍ଧି ହୁଏ ।

 

ଚିଦାନନ୍ଦ୍ ଘଟମେ ବସେ, ବୁଝତ୍ ତାଁହା ନିବାସ୍‍

ସୌ ମୃଗମଦ୍ ମୃଗନାଭି ମେ, ଚରତ୍ ଫିରତ୍ ସୁବାସ । ୨୦ ।

 

ମୃଗର ନାଭିରେ କସ୍ତୁରୀ ଥାଏ, କିନ୍ତୁ ସେ ତାହା ଜାଣି ନ ପାରି ଚତୁର୍ଦ୍ଦିଗରେ ଏହାର ଅନ୍ୱେଷଣ କରୁଥାଏ । ସେହିପରି ପ୍ରତ୍ୟେକ ଲୋକର ନିଜ ଘଟରେ ପୂର୍ଣ୍ଣବ୍ରହ୍ମ ବିରାଜମାନ; କିନ୍ତୁ ଲୋକ ଭୂମିରେ ତାଙ୍କୁ ଏଣେ ତେଣେ ଖୋଜେ, ଅନେକ ଅନେକ ତୀର୍ଥଯାତ୍ରା କରେ, କେତେ ଦେବଦେବୀର ମୂର୍ତ୍ତି ଗଢ଼ି ପୂଜା କରେ, କେତେ ବ୍ରତ ଉପବାସ କରେ ।

Image